Latest Odisha News

BREAKING NEWS

ଭାଷା ଭାଗବତ : ଭାବ ଆରୋହୀ, ଭାଷା ରଥ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ମଲ୍ଲାର ଅଥବା ମହ୍ଲାର
ଲୋକେ କରଂତି ବ୍ୟବହାର
ପ୍ରହ୍ଲାଦ, ଆହ୍ଲାଦ ପ୍ରଭାବ
ହ୍ଲ ଦେଖି କରୁଁ ଅନୁଭବ

ଯାହାଂକ ଯେଉଁ ଭଳି ମନ
କରଂତି ଗ୍ରହଣ, ଲିଖନ
ରୂପ ହେଲେ ହେଁ ଭିନ୍ନ ଭିନ୍ନ
ଅର୍ଥତଃ ଉଭୟ ସମାନ

ଜଣେ କହିଲେ ଜଣେ ବୁଝେ
ଏମିତି ସ୍ବଭାଷା ବିରାଜେ
ବୋଧଗମ୍ୟତା ମୂଳ କଥା
ଅଲୋଡ଼ା ଦୀର୍ଘସ୍ଥାୟୀ ଚିଂତା

ସ୍ବଚ୍ଛଂଦ ଭାଷାର ପ୍ରବାହ
ଲୋକଂକ ପସଂଦ, ଆଗ୍ରହ
ପ୍ରତି ଦିଏନି କେବେ ଧ୍ୟାନ
ଭାବ-ସାଗରେ ହୁଏ ଲୀନ

କରିଲେ ମାନସ ମଂଥନ
ବିତଇ ବର୍ଷ, ମାସ, ଦିନ
ନ ମିଳେ ସ୍ପଷ୍ଟ ସମାଧାନ
ଅଯଥା କ୍ଷୁବ୍‌ଧ ହୁଏ ମନ

ଲେଖାରେ ରହିଥିଲେ ଭୁଲ୍‌
ଭାଷାର କ୍ଷତି ବିଲ୍‌କୁଲ୍‌
ହୁଏନି ବୋଲି ବୁଝି ଏବେ
ନିଜ କାର୍ଯରେ ଲାଗୁଁ ସର୍ବେ

ଭାଷାର ସ୍ଥିତିସ୍ଥାପକତା
ସଂଭାଳି ପାରେ ନିଜ ସତ୍ତା
ଏତିକି କରିଲେ ବିଶ୍ବାସ
ମନରେ ବଢ଼ିବ ସାହସ

ମନରେ ଭାବନା ତରଂଗ
କ୍ଷଣକ୍ଷଣକେ ନୂଆ ରଂଗ
ଦେଖାଉଥାଏ ନିରଂତର
ତାହାକୁ କରିବା ସ୍ବୀକାର

ଭାଷା ତ ଅଟେ ଗୋଟେ ଯାନ
ତହିଁରେ ଭାବ ଆରୋହଣ
କରି ବୁଲେ ମନରୁ ମନ
ଏହା ହିଁ ତା’ର ମୁଖ୍ଯ ଗୁଣ

ଯାନରେ ଥିଲେ ବି ବିକୃତି
କରି ତହିଁର ମରାମତି
କରିବା ସର୍ବେ ଅଗ୍ରଗତି
ତାହା ହିଁ ଅସଲି ଉନ୍ନତି

ରଥ ବଡ଼, ଆରୋହୀ ସାନ
ଉଭୟେ ହେଲେ ଗତିମାନ
ଘଟଇ ଭାବ ଉନ୍ନୟନ
ଏହା ଭାଷାର ଅବଦାନ

 

Comments are closed.