ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଗୋଟି ଗୋଟି ଅକ୍ଷର ଲେଖି
ଶୁଦ୍ଧ, ଅଶୁଦ୍ଧ ଆଗ ଦେଖି
ବାରଂବାର ସାରି ଶୋଧନ
ପାଠକଂକୁ କରିବା ଦାନ
ବହିରେ ଥାଏ ବାସି ଜ୍ଞାନ
ମନରେ ରହେ ସଜ ଜ୍ଞାନ
ନିଜର ସ୍ମୃତିକୁ ଭରସା
କଲେ ଉନ୍ନତ ହୁଏ ଭାଷା
ଘରେ ଥାଇ କରି ଅଭ୍ୟାସ
ତା’ପରେ ମଂଚକୁ ପ୍ରବେଶ
କଲେ ଗାଇବା ଯେଉଁ ଗୀତ
ମୋହିବ ଶ୍ରୋତାଂକର ଚିତ୍ତ
ପୁରୁଣା ଶବ୍ଦକୋଷ ପଢ଼ି
ତହିଁରୁ ଶବ୍ଦ କାଢ଼ି, ଯୋଡ଼ି
ଏବର ଭାଷାରେ ଲେଖିଲେ
ବୁଝିହୁଏନି କେବେ ହେଲେ
ସବୁ କାମରେ ଆଧୁନିକ
ଭାଷାରେ ଅତୀତ ସ୍ତାବକ
ହେବାର ଅଦ୍ଭୁତ ଅଭ୍ୟାସ
କରେ ଭାଷାର ସତ୍ତା ନାଶ
ଭାଷାକୁ କରିଲେ କଠିନ
ଅପରିଚିତ ଶବ୍ଦମାନ
ଲେଖାରେ ପାଇ କିଛି ସ୍ଥାନ
କରଂତି ଭାବନା ବିପନ୍ନ
କାଳାନୁରୂପ ହେଲେ ଭାଷା
ବଢ଼ାଏ ଲୋକଂକ ଭରସା
କେବଳ ଲେଖକଂକ ରୁଚି
ଭାଷାରେ ନୁହେ ସବୁ କିଛି
ପାଠକ ସମୂହ ନିମଂତେ
ଯିଏ ଟିକିଏ ଭାବେ, ଚିଂତେ
ନ କରି ଜ୍ଞାନ ପ୍ରଦର୍ଶନ
କରଇ ସରଳ ଲିଖନ
ଦୁର୍ବୋଧ୍ୟ ରଚନା ସଂଭାର
ଏବେ କାହାକୁ ଦରକାର ?
ଏ ପ୍ରଶ୍ନ ନିଜକୁ ପଚାରି
ଲେଖିଲେ ହେବା ହିତକାରୀ
Comments are closed.