Latest Odisha News

ଭାଷା ଭାଗବତ : ନିଜତ୍ବ ଗଠନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

ନିଜ ସହିତ କଥାବାର୍ତା
କରିବା ନୁହେ ଅକ୍ଷମତା
ନିଜକୁ ନିଜେ ଦେଇ ଗାଳି
ପାରିବା ସଂସାରରେ ଚଳି

ଅଳ୍ପ ସମୟ ଥିଲେ ବଳି
ପ୍ରତ୍ୟେକ ମୁହୂର୍ତ ସଂଭାଳି
ବୁଝିଲେ ସମୟର ମୂଲ୍ଯ
ଜୀବନ ହୋଇବ ଅତୁଲ୍ୟ

ଜନ୍ମତଃ ପ୍ରତ୍ୟେକେ ଅନନ୍ୟ
ଏହି ସତ୍ୟକୁ ଦେଲେ ଧ୍ୟାନ
ନିଜ ସହିତ ନିଜେ ଲଢ଼ି
ପାରିବା ନିଜତ୍ବକୁ ଗଢ଼ି

ଏପରି ଦୁର୍ଲଭ ସୁଯୋଗ
କରିବା ନିତି ଉପଭୋଗ
ଇଚ୍ଛାକୁ କରିଦେଲେ କାର୍ଯ
ବିଶ୍ବରେ ହୋଇବା ସ୍ବୀକାର୍ଯ

ଭାଷା-ଆଚ୍ଛନ୍ନ ହୋଇ ସୁଦ୍ଧା
ରହିଛି ଯେଉଁ ଅସୁବିଧା
ସେ ସବୁ କରି ଶୀଘ୍ର ଦୂର
ହୋଇବା ଲିଖନ-ତତ୍ପର

ଶାଂତ ରହିବ ମନ, ଚିତ୍ତ
ହେବ ଦ୍ବିଧା, ଦ୍ବଂଦ୍ବର ଅଂତ
ଭାବନାବଳି ଧାଡ଼ି ବାଂଧି
ମନ-କାରାରେ ଏବେ ବଂଦି

ସେହିସବୁଂକୁ ଦେଲେ ମୁକ୍ତି
ସ୍ବଭାଷା ସହିତ ସଂପୃକ୍ତି
ଯୋଗୁଁ ମିଳିବ ନୂଆ ଶକ୍ତି
ତାହା ହିଁ ଶୁଦ୍ଧ ଅନୁରକ୍ତି

ଅଲୋଡ଼ା ଆଉ ଯେତେ ଯୁକ୍ତି
ଦେଖାଉଁ ନିଜ ଭାଷାପ୍ରୀତି
ପ୍ରୀତି କରିବା ପାଇଁ ଭୀତି
ନ ଥିଲେ ଘଟେ ସର୍ବୋନ୍ନତି

ଦୁଃସହ ହୁଏ ଯେବେ କୋହ
ଆଖିରୁ ନିଗିଡ଼େନି ଲୁହ
କବିର କୋମଳ ବିଦ୍ରୋହ
ଶାବ୍ଦିକ ହୁଏ ଅହରହଃ

Comments are closed.