ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ମୋ ନିଜ ମତର ଔଚିତ୍ୟ
ପ୍ରମାଣ ନିମଂତେ ଉଦ୍ୟତ
କେବେ ଥରେ ବି ହୋଇନାହିଁ
ସ୍ବମତ ପାଳି, ଥାଏଁ ରହି
ଯେହେତୁ ମୁଁ ନିଜେ ସ୍ବାଧୀନ
ଅନ୍ୟ କାହାକୁ ପରାଧୀନ
କରି ପାଶେ ରଖିବା ପାଇଁ
କେବେ ଚେଷ୍ଟିତ ହୁଏନାହିଁ
ନିଜ ଲକ୍ଷ୍ୟ ଆଡ଼କୁ ଚାଲି
ଆମେ ସଭିଏଁ ଯାଉଁ ବୋଲି
ପ୍ରତ୍ୟେକେ ହୋଇ ପଥ-ସାଥୀ
ଲକ୍ଷ୍ୟ ଆଡ଼କୁ କରୁଁ ଗତି
ବ୍ୟକ୍ତିର ସବୁ ସ୍ବୀକାରୋକ୍ତି
ଦେଖାଇ ଅକ୍ଷରର ଶକ୍ତି
ବଢ଼ାଏ ଭାଷାଭରା ଭକ୍ତି
ତାହା ହିଁ ବୌଦ୍ଧିକ ସଂପତ୍ତି
ଲକ୍ଷ୍ୟସ୍ଥଳରେ ବି ପହଂଚି
ସେଠାରୁ ପୁଣି ଆସି ଘୁଂଚି
ବ୍ୟକ୍ତି ମିଶଇ ସମାଜରେ
ଲାଗଇ ନିଜର କାର୍ଯରେ
ଶୀର୍ଷରେ ଦୀର୍ଘକାଳ ରହି
ଏକାକୀତ୍ବ ହୁଏନି ସହି
ତେଣୁ ତ ଶିଖର ଆରୋହୀ
ନିଶ୍ଚୟ ଭୂମିକୁ ଫେରଇ
ଆରୋହଣ ବେଳର ସ୍ମୃତି
ଶୁଣାଇ ଦିଏ ଯେଉଁ ବ୍ୟକ୍ତି
ତାକୁ ମିଳିଲେ ଯଶ, ଖ୍ୟାତି
କ୍ରମଶଃ ହୁଏ ଅବନତି
ଏହି ଚଢ଼ାଉତୁରା ଖେଳ
ଖେଳଂତି ଅଭିଯାତ୍ରୀ ଦଳ
ଖଟାଇ ବଳ ଓ ସଂବଳ
ସହିତ ବିଭିନ୍ନ କୌଶଳ
ଚୂଡ଼ାରେ କେହି ଅବସ୍ଥାନ
କରିପାରେନି ଦୀର୍ଘ କ୍ଷଣ
ଶୃଂଗ ଦିଏ ସଭିଂକୁ ତଡ଼ି
ସର୍ବେ ମାଟିରେ ଥାଂତି ପଡ଼ି
ଶୃଂଗରେ ହୋଇ ଧ୍ବଜାଧାରୀ
ହେଲେ ଗୌରବ ଅଧିକାରୀ
ବିତାଂତି ଯଶସ୍ବୀ ଜୀବନ
ହୁଏନି ପୁନରାରୋହଣ
Comments are closed.