ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଲେଖୁଁ ପୁଣ୍ୟ ଓ କହୁଁ ପୁନ୍ୟ
ଦିଶେ ବଣ୍ୟ ଓ ଶୁଭେ ବନ୍ୟ
ଆମର ଭାଷାର ଲକ୍ଷଣ
ବୁଝଂତି ସର୍ବସାଧାରଣ
ଆଖି ଦେଖେ ଓ ଶୁଣେ କାନ
ଲିପି ଓ ଧ୍ବନି ଭିନ୍ନ ଭିନ୍ନ
ହେଲେ ବି ଆମ ଭାଷା ଜ୍ଞାନ
ପାଆଂତି ସାଧାରଣ ଜନ
ଆଣ : ଆନ ଓ ପାଣ: ପାନ
ମାଣ : ମାନ ଓ ମଣ : ମନ
ଅର୍ଥ ଓ ଉଚ୍ଚାରଣ ଭିନ୍ନ
ହେଲେ ବି ହୁଏ ପ୍ରଚଳନ
‘ ଣ ‘ ବର୍ଣରେ ଲାଗିଲେ ରେଫ
‘ ଣ ‘ ବର୍ଣ ନେଇ ‘ ନ ‘ ସ୍ବରୂପ
ନୂଆ ଢଂଗରେ ଉଚ୍ଚାରିତ
ହେବାର ରୀତି ପ୍ରଚଳିତ
ଆଖି ଦେଖିଲେ ସୁଦ୍ଧା ବର୍ଣ
ପାଟି ସର୍ବଦା କହେ ବର୍ନ
ଭାଷୀଂକ ଏହି ଉଚ୍ଚାରଣ
ନୁହଇ ଚିଂତାର କାରଣ
କଣା : କନା ଓ ବଣା : ବନା
ବୀଣା : ବିନା ଓ ଶୁଣା : ସୁନା
ଏ ସବୁ ଯେଣୁ ଭିନ୍ନାର୍ଥକ
ପ୍ରତ୍ୟେକ ଅଟଂତି ଏକକ
‘ ଣ ‘ ପ୍ରତି ଅଧିକ ଆସକ୍ତି
ଦେଖାଇ ବହୁ ବିଜ୍ଞ ବ୍ୟକ୍ତି
‘ ଘଟନା ‘ ବଦଳେ ‘ ଘଟଣା ‘
ଲେଖାକୁ କରଂତିନି ମନା
ଇଂଲିଶ୍ ‘ ଟିନ୍ ‘ ହୁଏ ‘ ଟିଣ ‘
କିଏ ବା କରିବ ବାରଣ
‘ ପଠାନ୍ ‘ ହୋଇଛି ‘ ପଠାଣ ‘
ନ ଥିଲେ କିଛି ବି କାରଣ
‘ ସୁଜାଣ : ସୁଜ୍ଞାନ ‘ ପାର୍ଥକ୍ଯ
ନାହିଁ, ଉଭୟେ ସମାର୍ଥକ
ଶବ୍ଦାର୍ଥ କରି ଏବେ ଲକ୍ଷ୍ୟ
ହୋଇପାରିବା ସର୍ବେ ଦକ୍ଷ
Comments are closed.