ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
‘ ଭୁଲ୍ କରିଛିଁ ‘ ବୋଲି ଜାଣି
ପାରିଲେ, ଶୀଘ୍ର ସେହି କ୍ଷଣି
କରିପାରିଲେ ସଂଶୋଧନ
ମିଳେନି ତ୍ରୁଟିର ଦର୍ଶନ
‘ ଆତ୍ମସମୀକ୍ଷା ‘ ନିରଂତର
କରିବା ଯେଣୁ ଦରକାର
ନାହିଁ ନିର୍ଦିଷ୍ଟ ବେଳ, କାଳ
ହେବାକୁ ସକ୍ରିୟ, ସଚଳ
ନିଜର ଭୁଲ୍ ଜାଣିପାରି
ଅନୁତାପ ପାରିଲେ କରି
ମନ ହୁଅଇ ପରିଚ୍ଛନ୍ନ
ଭୁଲ୍ ହୁଏନି ଘନଘନ
ସୁସ୍ଥିର କଲେ ମତିଗତି
ତ୍ରୁଟିରୁ ମିଳଇ ନିଷ୍କୃତି
ଲୋକଂକ ଏପରି ଅଭ୍ୟାସ
କରଇ ତ୍ରୁଟିର ବିନାଶ
‘ କରିବି ପରେ କେବେ ଦିନେ ‘
ଏହି ଭାବନା ଥିଲେ ମନେ
ଆସେନି ସେହି ପରଦିନ
ହୋଇପାରେନି ସଂଶୋଧନ
ଏବେ ଏଠାରେ କରୁଁ ବାସ
ତେବେ ବି ହେଉଛୁଁ ଉଦାସ
ଅତୀତ, ଭବିଷ୍ଯତ ପାଇଁ
ମୁଖ୍ୟତଃ ଚିଂତା କରୁଥାଇଁ
ଆମର ଏ ଅଭ୍ୟାସ ଯୋଗୁଁ
ଦୁଃଖ, ଦୁର୍ଦଶା ଆମେ ଭୋଗୁଁ
ତେବେ ବି ହୋଇ ଉଦାସୀନ
କରୁନୁ ଆତ୍ମସଂଶୋଧନ
ହେଲେ ହେଁ ସତରେ ଅକ୍ଷମ
ସଜାଇ ରଖି କାର୍ଯକ୍ରମ
ପାଉଛୁଁ ଅପୂର୍ବ ଉଲ୍ଲାସ
ସଂସାର କରେ ଉପହାସ
ତ୍ରୁଟି ଆପେ ଯାଏନି ଲିଭି
ଏହି ସତ୍ୟକୁ ଅନୁଭବି
ନ କଲେ ଆଉ କାଳ କ୍ଷୟ
ନିଶ୍ଚୟ ହେବ ଆମ ଜୟ
Comments are closed.