Latest Odisha News

BREAKING NEWS

ଭାଷା ଭାଗବତ : କ୍ଷ : ଖ୍ୟ ଭେଦ ରକ୍ଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’

କ୍ଷ ଓ ଖ୍ୟ ଭେଦାଭେଦ ରକ୍ଷା
ନିମଂତେ ପ୍ରାଥମିକ ଶିକ୍ଷା
ଏଠାରେ ମିଳୁନାହିଁ ଯେଣୁ
ଲୋକେ ଲେଖଂତି ଏଣୁତେଣୁ

କ୍ଷାଂତି : ଖ୍ୟାତି ଓ କ୍ଷତ : ଖତ
ରକ୍ଷିତ : ଦୁଃଖିତ ସହିତ
କରିଲେ ଥରଟେ ତୁଳନା
ଭିନ୍ନତା ସ୍ପଷ୍ଟ ପଡ଼େ ଜଣା

ସଂସ୍ଥାର ମୁଖ୍ୟ ଏହି ଲକ୍ଷ୍ୟ
ସଭିଏଁ ହୁଅଂତୁ ସୁଦକ୍ଷ
ଖ୍ୟାତନାମା ନ ହେଲେ କେହି
ଦକ୍ଷତା କମିଯାଏନାହିଁ

ପ୍ରଖ୍ୟାତ ଯେତେ ଜ୍ଞାନୀଗଣ
ଦିଅଂତି ଦୀକ୍ଷାଂତ ଭାଷଣ
ଲୋକେ ଶୁଣଂତି କାନ ଡେରି
ତତ୍‌କ୍ଷଣାତ୍‌ ଦିଅଂତି ପାସୋରି

ପରୀକ୍ଷା ପରେ ମିଳେ ଆଖ୍ୟା
ବିଖ୍ୟାତ ଛାତ୍ର ମାଗେ ଭିକ୍ଷା
ଆମର ସ୍ପର୍ଶକାତରତା
ଯୋଗୁଁ ତ ଏତେ ଅବ୍ୟବସ୍ଥା

କ୍ଷ ଓ ଖ୍ୟ ସମ ଉଚ୍ଚାରଣ
ଅଟଇ ଭ୍ରାଂତିର କାରଣ
ଲେଖକ ନେଲେ ପ୍ରଶିକ୍ଷଣ
ସଂଭବ ତ୍ରୁଟି ନିବାରଣ

ମୁଖ୍ୟାଂଶ : ଅକ୍ଷାଂଶ ମଧ୍ୟରେ
କେତେ ପାର୍ଥକ୍ଯ ଥାଇପାରେ
କାନ କରିପାରେନି ଲକ୍ଷ୍ୟ
ନିଠେଇ ବାରଂବାର ଦେଖ

କେହି କହିଲେ ପଦେ ଅଧେ
ଶ୍ରୋତାଂକୁ ଯଦି ତାହା ବାଧେ
ସେମାନେ ହୁଅଂତି ବିକ୍ଷତ
କିପରି ହୋଇବେ ସୁଖ୍ୟାତ?

ଯେ ପାଏ ସୁଜ୍ଞାନୀଂକ ସଖ୍ୟ
ସେ ହୋଇଯାଏ ସର୍ବଦକ୍ଷ
ଖ୍ୟାତି ନ ପାଇଲେ ବି ତା’ର
କ୍ଷତି ହୁଏନି ବାରଂବାର

କେ କରେ ସାହିତ୍ୟର ବ୍ୟାଖ୍ୟା
କେ କରେ ଗ୍ରଂଥର ସମୀକ୍ଷା
ଲକ୍ଷ୍ୟାଭିମୁଖୀ କାମ କରି
ରଖିବା ମର୍ଯାଦା ସବୁରି

 

Leave A Reply

Your email address will not be published.