ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ସଭିଏଁ ବଦଳିବା ପରେ
ମୁଁ ବି ବଦଳି ଯାଇପାରେଁ
କରିଲେ ଏପରି ଭାବନା
କିଛି ବି କେବେ ବଦଳେନା
ବ୍ୟକ୍ତି-ଆଶ୍ରିତ ଏହି ଭାଷା
ବଢ଼ାଇ ପାରୁନି ଭରସା
ଜାତି ଦେଉଛି ଭାଷା ଛାଡ଼ି
ଆପେ ଆପେ ପାରୁନି ବଢ଼ି
ଲିପି ସରଳ ଆଉ ସ୍ପଷ୍ଟ
ନ ହେଲେ, କିଏ ବା ଆକୃଷ୍ଟ
ହୋଇ ପାଇବ ଏତେ କଷ୍ଟ ?
ସ୍ବଭାଷା ହେଉ ପଛେ ନଷ୍ଟ
‘ ଅତୀତ ଲେଉଟି ଆସିବ ‘
ଏହି କଳ୍ପନା ଅବାସ୍ତବ
ପ୍ରଥା ଓ ପରଂପରା ଥିବ
ନ ଥିବ ଭାଷାର ଗୌରବ
କାଳ କରେ ଆଗକୁ ଗତି
ଅତୀତ ହୋଇଯାଏ ସ୍ମୃତି
ସ୍ମୃତିରେ ନାହିଁ କାହା ସ୍ଥିତି
ଏହା ତ ପ୍ରକୃତିର ରୀତ
ଜନମ ସହିତ ମରଣ
ଗଠନ ସହ ବିଲୋପନ
ପ୍ରକ୍ରିୟା ଚଳେ ଅବିରତ
ଜୀବିତ ହୋଇଥାଏ ମୃତ
ମୃତ୍ୟୁକୁ ନ କଲେ ସ୍ବୀକାର
ଜୀବନ ହୁଏ କଷ୍ଟକର
ମନରେ ରଖି ପୂର୍ବ କଥା
ପାସୋରିଦେଉଁ ବାସ୍ତବତା
ଏ ବଡ଼ ଦୁଃଖଦାୟୀ ସ୍ଥିତି
କେବେ ପାଇବା ସର୍ବେ ମୁକ୍ତି ?
ତର୍କାଦି ରଖିଲେ ସ୍ଥଗିତ
ସ୍ବଭାଷା ହେବ ସମୁନ୍ନତ
କାହାକୁ କିଛି ନ ଜଣାଇ
ଯଦି ବଦଳିଯାଏ କେହି
ସେ ମଧ୍ୟ ନିଜ ଅନୁସାରେ
ଭାଷା ସେବକ ହୋଇପାରେ
ଅସ୍ବୀକୃତ ହେବାକୁ ଡରି
ସାମାନ୍ୟ କିଛି ବି ନ ସାରି
ଯେ ହୋଇଥାଏ ପଦାସୀନ
ସେ ହୁଏ ଚିର ଉଦାସୀନ
Comments are closed.