ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଦୁଶ୍ଚିଂତା ଧରି ଘୂରି ଘୂରି
କିଛି ବି ହୁଏନାହିଁ କରି
ଗୋଟେ ହିଁ କାମ କରୁଁ କରୁଁ
ସବୁ ତକ ସମୟ ସାରୁଁ
ମୁହିଁ ତାକୁ ପକାଏଁ ମନେ
ଯଦିଓ ଭଲ ଭାବେ ଜାଣେ
ତା’ ମନେ ରହିଅଛିଁ କି ନା ?
କରିପାରୁନି ମୁଁ କଳ୍ପନା
ସ୍ପଷ୍ଟ ଜ୍ଞାନ ତ ଦୃଶ୍ୟମାନ
କଳ୍ପନା ଅଟେ ଧୂମାଚ୍ଛନ୍ନ
ଜ୍ଞାନ, କଳ୍ପନା ମଝି ସ୍ଥାନ
ହୋଇଛି ଏବେ ମୋର ମନ
କ୍ଳିଷ୍ଟ କଳ୍ପନା, ସିଧା ଜ୍ଞାନ
ମଝିରେ ଅଛି ଖଂଡେ ସ୍ଥାନ
ସେଠାରେ ହୋଇଛି ସ୍ଥାପନ
ଅଲିଭା ସ୍ମୃତିର ଦୋକାନ
କାହାକୁ ରଖେଁ ନିଜ ମନେ
ଏହା ମୁଁ ଭଲ ଭାବେ ଜାଣେ
କିଂତୁ କାହାର ମନେ ଥାଏଁ
ଏହା ତ ଜାଣିନି ଏଯାଏଁ
ଭାଷଣପଟୁ ଏଠି ଯେତେ
ଲିଖନପଟୁ ହେଲେ ସେତେ
ସ୍ବଭାଷୀ ହୁଅଂତେ ଉତ୍କୃଷ୍ଟ
କେହି ହୁଅଂତେନାହିଁ ଭ୍ରଷ୍ଟ
କଥା ପବନେ ଯାଏ ଉଡ଼ି
ତା’ପରେ ଭାଷା ବାଟ ହୁଡ଼ି
ହୁଏ ଯେଉଁଠି ଅନିର୍ଦିଷ୍ଟ
ସେ ଭାଷୀ ଭୋଗୁଥାଂତି କଷ୍ଟ
ଶୁଦ୍ଧତାନୁରାଗ-ରହିତ
ଭାଷୀଏ ହେଲେ ହେଁ ହର୍ଷିତ
ତାଂକର କ୍ଷଣିକ ଉଲ୍ଲାସ
ପୂର୍ଣ କରେନି ଅଭିଳାଷ
ନ ହେଲେ ସ୍ବକର୍ମ ତତ୍ପର
ଭାଷା ବି ହୁଏ ନାରଖାର
ରହିଛି ଅନେକ ଦୃଷ୍ଟାଂତ
ଚାହିଁଲେ କରଂତୁ ତଦଂତ
ମନରେ ଶାଂତି ଉତ୍ପାଦନ
କରିବା କଳାରେ ନିପୁଣ
ନ ହେଲେ ସାଧାରଣ ବ୍ୟକ୍ତି
ନିଶ୍ଚୟ ଭୋଗଇ ଅଶାଂତି
ଶାଂତିକୁ ଦେଲେ ହୁରୁଡ଼ାଇ
ଅଶାଂତି ହୁଏ ଦୀର୍ଘସ୍ଥାୟୀ
ଶାଂତି କି ଅଶାଂତି ଚାହୁଁଛୁଁ
ନିଜେ ତା ସ୍ଥିର ମନେ ବାଛୁଁ
ନିଜେ ନ ଚାହିଁବା ପର୍ଯଂତ
ଅନ୍ୟ କେ କରିବ ଅଶାଂତ
ଏ ଅନୁମତି ପାଇନାହିଁ
ତେଣୁ ଚିଂତିତ ହେବାନାହିଁ
ନ ଥିଲେ ଧନ ଓ କ୍ଷମତା
ଲୋକେ ଲାଗଂତିନାହିଁ କଥା
ପ୍ରତିଭାଧାରୀ ଧନହୀନ
ସତରେ ପ୍ରକୃତ ସ୍ବାଧୀନ
ସ୍ବେଚ୍ଛାରେ ବଛା କାମ କରି
ଯେ ହୋଇପାରେ ହିତକାରୀ
ତାହାର କ୍ଷୁଦ୍ର ଅବଦାନ
ସତରେ ହୁଅଇ ଅନନ୍ୟ
ସ୍ମୃତି ବିନା ହୁଏନି ଊଣା
ଏହା ସଭିଂକୁ ପଡ଼େ ଜଣା
କେହି ଥାଉ ଅବା ନ ଥାଉ
ସଭିଏଁ ଏହିଠାରେ ଜିଉଁ
କାହା ଥିବା, ଯିବା ଉପରେ
କେହି ତ ନିର୍ଭର ନ କରେ
ମନେ କଳ୍ପିତ ଯେତେ ଡର
ବାସ୍ତବତାରୁ ବହୁ ଦୂର
ପ୍ରଫୁଲ୍ଲ କୁମାର ତ୍ରିପାଠୀ
Comments are closed.