ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ତ୍ରୁଟି ସ୍ବୀକାରି ସଂଶୋଧନ
କରିବାକୁ ଇଚ୍ଛୁକ ମନ
ଭୁଲ୍ କରେନି ବାରଂବାର
ଏ ହୁଏ ସ୍ବଭାବ ତାହାର
କାମରେ ସବୁ ଭୁଲ୍ ପାଇଁ
ଅନ୍ୟକୁ କରୁଥିଲେ ଦାୟୀ
ହୁଏନି ଭ୍ରମ ସଂଶୋଧନ
ଉତ୍କ୍ଷିପ୍ତ ହୋଇଥାଏ ମନ
‘ଦୁଃଖିତ’ କହୁଁ ଭୁଲ୍ କରି
‘ଭୁଲ୍’ ତ ଯାଏନି ବାହାରି
ଯଦି ରହିବ ଭୁଲ୍ ତକ
‘ସରି’ କହିବା ନିରର୍ଥକ
ପ୍ରମାଦଶୂନ୍ୟ ହେଲେ କାମ
ମିଳେ ତହିଁର ପରିଣାମ
ପ୍ରଥମେ ହୋଇ ସ୍ଥିରଚିତ୍ତ
ହୋଇବା କାମରେ ଜଡ଼ିତ
ଭୁଲ୍ ହୁଏନି, ଆମେ କରୁଁ
ଏ ସତ୍ୟ ପ୍ରଥମେ ସ୍ବୀକାରୁଁ
ତା’ପରେ କଲେ ସଂଶୋଧନ
କାମ ହୋଇବ ତ୍ରୁଟି-ଶୂନ୍ଯ
ଲେଖିବା ବେଳେ ସତର୍କତା
ରକ୍ଷା କରିବା ମୂଳ କଥା
ଅସାବଧାନ ହୋଇ ଲେଖି
ନିର୍ଭୁଲ୍ କରିପାରିବା କି ?
ଅକ୍ଷର ଗୋଟି ଗୋଟି ଗଣି
ପୂର୍ବରୁ ଶୁଦ୍ଧରୂପ ଜାଣି
କରିଲେ ମଂଥର ଲିଖନ
ଲେଖାଟେ ହୁଏ ତ୍ରୁଟିଶୂନ୍ୟ
କେ ତ୍ରୁଟି ଦେଖାଇବେ ଯଦି
ନ ହୋଇ ଉଗ୍ର ପ୍ରତିବାଦୀ
ହୋଇବା ସଂଶୋଧନ-ମୁଖୀ
ପାଠକେ ଯିବେନି ଅଟକି
ବାରଂବାର ଦିଶିଲେ ତ୍ରୁଟି
ପାଠକେ ପଡ଼ୁଥାଂତି ଝୁଂଟି
ଅଂଶ-ପଠିତ ହୁଏ ଲେଖା
ପାଠକ ବନିଯାଏ ବୋକା
ଶବ୍ଦାଂତ୍ୟ ବର୍ଣାବଳି ମେଳ
ଓଡ଼ିଆ ଭାଷାର ସଂବଳ
ଏହାକୁ ନେଇ ଚାଲୁ ଖେଳ
ଭାଷାଟି ବ୍ୟାପିବ ଚଂଚଳ
ବହୁତା ମଧ୍ୟରେ ଏକତା
ମନରେ ଗଢ଼ା ହେବା କଥା
ଶୁଣିଲେ ମନେ ଜାଗେ ସୁଖ
ଭୋଗିଲେ ସତେ ବଡ଼ ଦୁଃଖ
ବିରୋଧ ନିମଂତେ ବିରୋଧ
ଅଟେ ବୌଦ୍ଧିକ ଅପବୋଧ
ବିଶ୍ବବାସୀଂକୁ ଦୁଇ ଭାଗ
କରିବା ନୁହେ ଅନୁରାଗ
ହୋଇଲେ ବ୍ୟକ୍ତିର ବିରୋଧୀ
ବଢ଼ାଉଁ ତାହାର ପ୍ରସିଦ୍ଧି
ହୁଏନି ତା’ର ମାର୍ଗ ରୋଧି
ବିରୋଧୀ ହେଲେ ସୁଦ୍ଧା କ୍ରୋଧୀ
ଯେ କେହି ବିରୋଧୀ ବୋଲାଇ
ସତରେ ସମର୍ଥକ ହୋଇ
ବଢ଼ାଏ ବ୍ୟକ୍ତିର ଗୁରୁତ୍ବ
ନ ଥାଏ ତାହାର କୃତିତ୍ୱ
ଅତୀତ ସହ ରହି ଲାଖି
ଭାଷାଟେ ବଢ଼ିପାରିବ କି ?
ଯୁଗୋପଯୋଗୀ ହେବା ପାଇଁ
ମନରେ ଦ୍ବିଧା ପୋଷନାହିଁ
ବୁଝି, ଜାଣି ବି ଯଦି ମନ
ହୋଇଛି ଅଭ୍ୟାସ-ଅଧୀନ
ଲେଖିବ ସଦା ପୂର୍ବ ପରି
ଅଦଳବଦଳ ନ କରି
ବଦଳିଯିବା ପାଇଁ ଡର
ମନରେ ଗଢ଼ିଥିଲେ ଘର
ସହଜେ ହୁଏନାହିଁ ଭାଂଗି
ଡର ହିଁ ହୁଏ ସ୍ଥାୟୀ ସଂଗୀ
କାହାକୁ କରୁଁ ଆମେ ଭୟ
ତାହା ବି ହୋଇନାହିଁ ଥୟ
ତେଣୁ ତ ସ୍ବାଧୀନ ଚିଂତନ
କରଂତିନାହିଁ ଜନଗଣ
ଯଦି ସତରେ ଏହା ସତ୍ୟ
ରହିଲେ ସତ୍ୟର ସହିତ
ଭାଷାଟି ସରଳ ଉନ୍ନତ
କରିବା ହେବ ସୁନିଶ୍ଚିତ
ଆପଣାଛାଏଁ କେବେ କିଛି
ସତରେ ଭାଷାରେ ହୋଇଛି ?
ନିଜେ ନିଜକୁ ପଚାରିଲେ
ସଦୁତ୍ତର ସର୍ବଦା ମିଳେ
Comments are closed.