ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଇଛା ଶବ୍ଦ ତ ଆଦୌ ନାହିଁ
ତାହେଲେ ଲେଖଂତି କିପାଇଁ ?
ଭାଷାରେ ଯେତେ ଶବ୍ଦ ଅଛି
ତହିଁରୁ କହୁଁ, ଲେଖୁଁ ବାଛି
ପିଛା, ପୋଛା ଓ ବଛା, ବାଂଛା
ସଦିଚ୍ଛା, ଶୁଭେଚ୍ଛା ଓ ସ୍ବେଚ୍ଛା
ଏପରି ହେବାର ବିଧାନ
ଭାଷାରେ ଅଟେ ବିଦ୍ୟମାନ
ଶବ୍ଦ ସୁଅରେ ଯାଇ ଭାସି
ଭାଷାକୁ ଦେବାନାହିଁ ନାଶି
ଲେଖକେ ହୀରା କାରିଗର
ଭଳି କରଂତୁ ବ୍ୟବହାର
ଶବ୍ଦଗଠିତ ପଦାବଳି
ଶବ୍ଦର ସ୍ବରୂପ ସଂଭାଳି
ପ୍ରକାଶ କରୁଥିଲେ ଭାବ
ସାହିତ୍ୟ ହୁଅଇ ସଂଭବ
ମନରେ ଅଟକିଲେ ଭାବ
କିଛି ବି ହୁଏନି ସଂଭବ
ଚିତ୍ତର ଚିଂତା ହେଲେ କାମ
ମିଳେ ତହିଁର ପରିଣାମ
ନିତ୍ୟ କର୍ମ ଯୋଗୁଁ ଏ ବିଶ୍ବ
ଏଯାଏଁ ହୋଇନାହିଁ ନିଃସ୍ବ
ଯେ ଯାହା ଭାବୁଁ କରୁଥାଉଁ
ଆନଂଦେ ସଂସାରରେ ରହୁଁ
ଶିଖିବା ସର୍ବଦା ସଂଭବ
ଶିଖାଇବା ତ ଅସଂଭବ
ଆତ୍ମଶିକ୍ଷଣ ଶ୍ରେଷ୍ଠ ଶିକ୍ଷା
ତାହା ହିଁ ସର୍ବୋତ୍ତମ ଦୀକ୍ଷା
ଯା ହେଉ ଯାହାର ଅଭ୍ୟାସ
ନ ହେଲେ କେବେ ତା’ର ଦାସ
ଘଟଇ ବ୍ୟକ୍ତିର ବିକାଶ
ବୃଦ୍ଧି ପର୍ବ ହୁଏନି ଶେଷ
ଅଭ୍ୟାସ ବାରଂବାର ଯେବେ
ବଦଳେ ନିରଂତର ଭାବେ
ମଣିଷ ହୋଇପାରେ ଶ୍ରେଷ୍ଠ
ସମୟ କରେନାହିଁ ନଷ୍ଟ
ଗୋଟେ ଅଭ୍ଯାସ ସହ ଲାଖି
ବଢ଼ିବା ସଂଭବ ହୁଏ କି ?
ଲେଖକେ ଭାବି ବହୁ ଥର
କରଂତୁ ତା’ପରେ ସ୍ବୀକାର
କୌଣସି ମୌଳବାଦୀ ଚିଂତା
ଅଟଇ ବ୍ୟକ୍ତିତ୍ବ ନିହଂତା
ସମୟ ସହ ଦେଲେ ତାଳ
ବଢ଼ଇ ମାନବ ସଂବଳ
ପ୍ରତ୍ୟେକେ ନିଜ କାର୍ଯସୂଚି
ମାନି ରହଂତୁ ଆପେ ବଂଚି
ଅନାବଶ୍ୟକ ସବୁ ବ୍ୟାଖ୍ୟା
କରଂତୁ କୃତିର ସମୀକ୍ଷା
ଚାହିଁବା, କରିବା ମଧ୍ୟରେ
ବହୁ ପାର୍ଥକ୍ଯ ଥାଇପାରେ
କର୍ମ ଯୋଗୁଁ ଚଳେ ଜୀବନ
କଥା ତ ପାଟିର ପବନ
ଅଥବା ଲିପିରେ ଲିଖନ
କାମ ନ ହେଲେ, ମୂଲ୍ୟହୀନ
Comments are closed.