ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ
ଧୈର୍ଯ ନ ଥିଲେ ନିଜ କାର୍ଯ
ମନେ ହୁଏନି ଅନିବାର୍ଯ
ଧୈର୍ଯ ଧାରଣ କଲେ ଶାଂତି
ଦେହକୁ ଦିଏନାହିଁ କ୍ଳାଂତି
ଧୈର୍ଯଧାରୀ ଜାଣେନି ମାଗି
ନିଜ କାର୍ଯରେ ରହେ ଲାଗି
ମିଳୁ, ନ ମିଳୁ ପରିଣାମ
ଅଯଥା ଲୋଡ଼େନି ବିଶ୍ରାମ
ପ୍ରୟାସ ସହ ଧୈର୍ଯ ମିଶି
ବ୍ୟକ୍ତିକୁ କରଂତି ସାହସୀ
ସେ ହୁଏ ସ୍ବଭାବେ କର୍ମଠ
ଅଯଥା କରେନାହିଁ ମଠ
କର୍ମତତ୍ପର ହେଲେ ବ୍ୟକ୍ତି
ଉକୁଟି ଉଠେ ଅଂତର୍ଶକ୍ତି
ତାହା ହିଁ ସର୍ବୋତ୍ତମ ଭକ୍ତି
ବଢ଼ାଇଥାଏ କର୍ମାସକ୍ତି
ବିନା କାରଣେ ଧୈର୍ଯହରା
ହୋଇଲେ ଏ ପୃଥିବୀ କାରା
ଭଳିଆ ଲାଗେ ପ୍ରତି କ୍ଷଣ
ଦୁଃସହ ଲାଗଇ ଜୀବନ
ହେଲେ ହେଁ ଉତ୍ତମାୟୋଜନ
ନିଜ ନିଜର ଅଂଶଦାନ
ନ କଲେ ସ୍ବେଚ୍ଛାକର୍ମୀଗଣ
ଅତ୍ୟଳ୍ପ ହୁଅଇ ସଂପନ୍ନ
ଧୈର୍ଯ ଧରି ରହିଲେ ଲାଖି
ବ୍ୟକ୍ତି ହୁଏ କୃତିର ସାକ୍ଷୀ
ପାଏ ସେ ବିମଳ ଆନଂଦ
ମନରେ ଉପୁଜେନି ଦ୍ବଂଦ୍ବ
ଧୈର୍ଯର ଫଳ ଯେଣୁ ମିଠା
ଧୈର୍ଯଶୀଳ ହେବାକୁ ଚେଷ୍ଟା
କରିବା ନୁହେ ନିରର୍ଥକ
ଅପକ୍ବ ହୁଏ ପରିପକ୍ୱ
ଭାଷାର ଲିଖନ କାର୍ଯରେ
ଯିଏ ବି ଟିକେ ଧୈର୍ଯ ଧରେ
ସେ କରିପାରେ ଉପକାର
ନିଜର ଆପଣା ଭାଷାର
ବିଶାଳ ଛଳନାର ଜାଲ
ଭିତରେ ସର୍ବେ କଲବଲ
ରାଜ୍ୟର ଅପୂର୍ବ ଦୁର୍ଦଶା
ଦେଖିଲେ ବଢ଼ୁନି ଭରସା
Comments are closed.