Latest Odisha News

BREAKING NEWS

ଭାଷା ଭାଗବତ : ଜ୍ଞାନର ନିବାସ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୮୭

 

ଉଡ଼ା ଗୁଜବ, ଗଢ଼ା ବାର୍ତା
ପୂରିତ ହୁଏ ଯାହା ମଥା
ତତ୍ତ୍ବ ଓ ଜ୍ଞାନଯୁକ୍ତ କଥା
ଠାରୁ ସେ ରଖଇ ଦୂରତା

ନ କଲେ ଜ୍ଞାନର ସଂଧାନ
ଦିଶେନି, ଶୁଣେନାହିଁ କାନ
ଅନାୟାସରେ ପ୍ରାପ୍ତ ତଥ୍ୟ
ମନ ସକାଶେ ନୁହେ ତଥ୍ୟ

ଅଜ୍ଞାନ ଜନ କଲେ ପ୍ରଶ୍ନ
ସୁଜ୍ଞାନୀ ଉତ୍ତର ପ୍ରଦାନ
କରଂତି ଯେଣୁ ଦେଇ ମନ
ମୂର୍ଖତା କରେ ପଳାୟନ

ଜାଣିବା ପାଇଁ ନାହିଁ ବେଳ
କିଂବା ମନରେ କୌତୂହଳ
ଯାହା ବି ଶୁଣୁ, ନେଲେ ମାନି
ନିଶ୍ଚୟ ଘଟେ ଜ୍ଞାନହାନି

ଧନହାନି ଓ ମାନହାନି
ସ୍ବାସ୍ଥ୍ୟହାନି ଓ ଫଳହାନି
ହେବା ମାତ୍ରକେ ପାରୁଁ ଜାଣି
ନ ଜାଣିପାରୁଁ ଜ୍ଞାନହାନି

ଜ୍ଞାନର ଯାଆ ଆସ ବାଟ
ମଝିରେ ଥାଏ ବହୁ ଫାଟ
ତେଣୁ ଜ୍ଞାନର ଗତିପଥ
ସ୍ବତଃ ହୁଅଇ ବିବର୍ତିତ

ଜ୍ଞାନର ମାପ ପରିମାଣ
ସତରେ ଜାଣ କି ନ ଜାଣ
ପାଇଲେ ରଖିବ ସାଇତି
କିଛି ବି ହେବନାହିଁ କ୍ଷତି

ମନକୁ କଲେ ଜ୍ଞାନଘର
ଅନେକ ପ୍ରଶ୍ନର ଉତ୍ତର
ଦେବାକୁ ଆଗ୍ରହୀ ତତ୍ପର
ହେଲେ ମିଳଇ ଉପକାର

ପଂଚେଂଦ୍ରିୟର ପାଂଚ ଜ୍ଞାନ
ନୁହଇ ଗୌଣ କି ପ୍ରଧାନ
ପ୍ରତ୍ୟେକ ହୋଇ ସୁଦ୍ଧା ଭିନ୍ନ
ଚିତ୍ତରେ ଜମାଂତି ଆସ୍ଥାନ

ଜ୍ଞାନର ସ୍ଥୂଳରୂପ ଜାଣି
ସୂକ୍ଷ୍ମ ଆଡ଼କୁ ହେଲେ ଟାଣି
ଜିଜ୍ଞାସୁ ଲଭଇ ଆନଂଦ
ମନରୁ ଘୁଂଚିଯାଏ ଦ୍ବଂଦ୍ବ

ଜ୍ଞାନ ନୁହଇ ସୀମାବଦ୍ଧ
ଜ୍ଞାନୀ ସହ ଜ୍ଞାନୀର ଯୁଦ୍ଧ
ଘଟିଲେ ଘୋଟଇ ପ୍ରମାଦ
ବଢ଼ଇ ବାଦ ପ୍ରତିବାଦ

ଜ୍ଞାନ ହିଁ ଆତ୍ମ ଉପଲବ୍‌ଧି
ରଖିହୁଏନି ତାହା ବାଂଧି
ଘଟେ ତାହାର ରୂପାଂତର
ଚିତ୍ତରେ ରହେ ନିରଂତର

Leave A Reply

Your email address will not be published.