Latest Odisha News

ଭାଷା ଭାଗବତ : ଭାଷାର ସର୍ବୋନ୍ନତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୯୭ 

ସମଗ୍ର ଭାଷାର ଦାୟିତ୍ବ
କାହା ଉପରେ ନୁହେ ନ୍ୟସ୍ତ
ତେଣୁ ଏ ଭାଷାର ବନସ୍ତ
ଲୋଡ଼େନି କୌଣସି ନେତୃତ୍ବ

ଭାଷାକୁ କରିଲେ ଉଦ୍ୟାନ
ସୀମିତ ବିକାଶ ବର୍ଧନ
ଯୋଗୁଁ ତା ହୋଇଥାଏ ସାନ
ବଢ଼ାଇ ପାରେନାହିଁ ମାନ

ଯାହାର ଯେଉଁପରି ରୁଚି
ତଦନୁସାରେ କରି କିଛି
ଅରଣ୍ୟ ସହିତ ସଂପୃକ୍ତ
ମନୁଷ୍ଯ ହୁଏ ଶୁଦ୍ଧଚିତ୍ତ

ନଦୀ ଅରଣ୍ୟ ନିୟଂତ୍ରଣ
କରିଲେ ହେଉଁ ହଇରାଣ
ରହିଛି ଅସଂଖ୍ୟ ପ୍ରମାଣ
ବୁଝଂତି ଜନସାଧାରଣ

କିଂତୁ ପଂଡିତମ୍ମନ୍ୟ ବ୍ୟକ୍ତି
ଉଚ୍ଚାରି ଅନ୍ୟ ଭାଷା ରୀତି
ଦେଖାଇ ଜ୍ଞାନ ପ୍ରତିପତ୍ତି
ଘଟାଇ ଚାଲିଥାଂତି କ୍ଷତି

ଭାଷା ଯେହେତୁ ସାମୂହିକ
ଏହାର ଗତି ନିର୍ଣାୟକ
ରହିବା ହୁଏନି ସଂଭବ
ଏ ସତ୍ୟ କରୁଁ ଅନୁଭବ

ଅନ୍ୟ ଯେତେକ କାର୍ଯ ଭଳି
ଭାଷା ବି ଯାଉଛି ବଦଳି
ଅଲୋଡ଼ା ବିବାଦ ଓ କଳି
ସର୍ବେ ଆନଂଦେ ପାରୁଁ ଚଳି

ବିଭିନ୍ନ ପ୍ରସ୍ତାବ ପ୍ରଦାନ
ସଂଘ ସମିତି ପ୍ରତିଷ୍ଠାନ
ଗ୍ରହଣ ଅବା ପ୍ରତ୍ୟାଖାନ
ସର୍ବଦା ବ୍ୟକ୍ତି ଇଚ୍ଛାଧୀନ

ଭାଷାର ଲୋକ ଅଗଣିତ
ସଭିଏଁ ହେବେ ଏକମତ
କରିହୁଏନି ମୋଟେ ଆଶା
କେବଳ ମିଛ ସ୍ବପ୍ନ ପୋଷା

ଆବେଗ ଅନୁରାଗ ପ୍ରୀତି
ହୋଇଲେ ତୁଚ୍ଛ ସ୍ବୀକାରୋକ୍ତି
ଭାଷାର ବାସ୍ତବ ଉନ୍ନତି
ବଦଳେ ଘଟେ ଅବନତି

ଭାଷଣ ବକ୍ତବ୍ୟ ଆହ୍ବାନ
ବଳେ ହୁଏନି ଉନ୍ନୟନ
ଅଟଳ ନିଷ୍ଠାଧାରୀ ବ୍ୟକ୍ତି
ନିରବେ ଜଣାଏ ତା ଭକ୍ତି

ଭାଷାରେ ଲେଖୁଥାଉଁ କୃତି
ଯାହା ବି ପାଇବ ସ୍ବୀକୃତି
ତାହା ହିଁ ଯୋଗାଇବ ଶକ୍ତି
ଭାଷା କରିବ ସର୍ବୋନ୍ନତି

Leave A Reply

Your email address will not be published.