ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।
ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଦୀପିକା ଦାଶଙ୍କ ସହ ‘ସ୍ୱଳ୍ପ ଆଳାପ’
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?
ମୋ ଦୃଷ୍ଟିରେ ସାହିତ୍ୟ ଆଗ୍ରହ ନୁହେଁ । ଅନୁକୂଳ ସ୍ରୋତ ଦିଗରେ ଅବାଧରେ ଭାସୁଥିବା ନୌକା ପରି ଏହା ସ୍ୱତଃସ୍ଫୁର୍ତ୍ତ । ଭାବାତ୍ମାକ ସ୍ତରରେ ସାଉଁଟିଥିବା ତମାମ ଅନୁଭୁତି ଓ ଉପଲବ୍ଧି ସତେ ଯେମିତି ଏହାର ଆହୁଲାଦାର । ତେବେ ମୋର ଜଞ୍ଜାଳମୟ ଜୀବନର ଦିନଚର୍ଯ୍ୟା ଭିତରେ ଘରେ ଦେଢବର୍ଷର ଯମଜ କନ୍ୟାଙ୍କ ଯତ୍ନ, ଶାଶୁ ଶ୍ୱଶୁରଙ୍କ ଦାୟିତ୍ୱ ,ଶିକ୍ଷକତା ସମୟରେ ଶିକ୍ଷାର୍ଥୀଙ୍କ ପ୍ରକୃତ ତତ୍ବାବଧାନ , ମୋତେ ମୁକ କରିଦେଉଥିବା ବିଭିନ୍ନ ଘଟଣା ,ଦୁର୍ଘଟଣାରେ ନିଜର ଭାରସାମ୍ୟ ରକ୍ଷା କରିବା ଦିଗରେ ନିଜକୁ ପରିପ୍ରକାଶ କରିବା ଅନ୍ୟ କ୍ଷେତ୍ର ଅପେକ୍ଷା ସାହିତ୍ୟ ସୃଜନଶୀଳତାରେ ଅଧିକ ସହଜ ଅନୁଭବ କଲି । ସାହିତ୍ୟରେ ହିଁ ମୋର ଆବେଗକୁ ଶବ୍ଦ ଦେବା ଶିଖିଲି । ସୁଖ ହେଉ ଅବା ଦୁଃଖ ସମସ୍ତ ଭାବନାକୁ ଗୋଟିଏ ସାଦା ପୃଷ୍ଠାର ବକ୍ଷରେ ଉତାରିବାକୁ ଭଲ ଲାଗିଥିଲା । ମୋର ଅଭିବ୍ୟକ୍ତିକୁ ମୁଁ ସାହିତ୍ୟରେ ହିଁ ନିର୍ଦ୍ୱନ୍ଦରେ ଜଣାଇପାରିଲି ।କିଛି ବନ୍ଦୀ ଥିବା ଶବ୍ଦଙ୍କୁ ମୁକ୍ତି ଦେବାର ଆନନ୍ଦ କାହିଁରେ କଣ ତାହା ମୁଁ ଅନୁଭବ କରିଚାଲିଲି । ଏବେ ତ ଯେମିତି କାଗଜ ମୋତେ ହାତ ଠାରି ଇଙ୍ଗିତ ଦେଉଛି,ସେମିତି ପ୍ରତ୍ୟୟ ହୁଏ । ସକାଳର ଦେବାର୍ଚ୍ଚନା , ସନ୍ଧ୍ୟାଦୀପ ଭଳି ସାହିତ୍ୟ ମୋର ଆତ୍ମାରେ କୁହୁଳୁଥିବା ଉଦବିଗ୍ନତାକୁ ପବନ ଧରାଇ ଦୀପ୍ତିମନ୍ତ କରେ ।
ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା ?
ଏହି ପ୍ରଶ୍ନରେ ମୁଁ ଭାବପ୍ରବଣ ହୋଇଯାଉଛି । ତେବେ ସ୍କୁଲର ପଢିଲା ବେଳେ ମୋ ସାନ ଭାଇ ଭଉଣୀଙ୍କ ପାଇଁ କୁନି କୁନି ଗୀତ ଲେଖୁଥିଲି । ସେମାନେ ସେହି ଗୀତ ଗାଇ ଅନେକଥର ପୁରସ୍କାର ମଧ୍ୟ ପାଇଛନ୍ତି । ହାଇସ୍କୁଲ ସମୟରେ ନାଟିକା କିଛି ଲେଖି ଅଭିନୟ ପ୍ରତିଯୋଗିତାରେ ଅଭିନୟ କରିଛି ଆଉ ପୁରସ୍କୃତ ମଧ୍ୟ ହେଇଛି । ତେବେ ନୀରବଛିନ୍ନ ଭାବେ ଯେବେ ଲେଖା ଆରମ୍ଭ କଲି , ପ୍ରଥମେ ଫେସବୁକରେ ମୋର ଗୋଟିଏ କବିତା “ସମ୍ପର୍କ” ନାମରେ ପ୍ରକାଶିତ କରିଥିଲି । କିନ୍ତୁ ପତ୍ରିକାରେ ପ୍ରଥମେ ଗଳ୍ପ ହିଁ ପ୍ରକାଶିତ ହେଇଥିଲା । ତେବେ କୌଣସି ବ୍ୟକ୍ତି ବିଶେଷ କିମ୍ବା ସାହିତ୍ୟ ଅନୁଷ୍ଠାନ ମୋର ପ୍ରେରଣାର ଉତ୍ସ ନୁହନ୍ତି । ଏକ ସ୍ୱତନ୍ତ୍ର ଅନୁଭବ ହିଁ ମୋତେ ପ୍ରେରିତ କରିଥିଲା । ମୋ ଅନ୍ତର ଚେତନାରୁ ଉତ୍ପନ୍ନ ଆତ୍ମସନ୍ତୋଷ ହିଁ ମୋତେ ସାହିତ୍ୟ ପଥରେ ଆଗକୁ ରାସ୍ତା କଢ଼େଇ ନେଇଛି । ତେଣୁ ମୋ ଆତ୍ମା ହିଁ ମୋର ପ୍ରେରଣା ।
ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
କୌଣସି ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ସାହିତ୍ୟ ଲେଖିହୁଏ ନାହିଁ । ତେବେ ଚେତନାରେ କୁହାଟ ଛାଡୁଥିବା ପ୍ରହରୀର ପ୍ରତେକ ଶବ୍ଦ ସର୍ଜନାର ରୂପ ନିଏ । ତାହା ପାଠକଙ୍କ ନିକଟରେ କେମିତି ବାର୍ତ୍ତା ନେଇ ପହଞ୍ଚେ ତାହା ଅଲଗା କଥା । ଯଦିଓ ମୋ କଞ୍ଚା କଲମକୁ ଆବଶ୍ୟକ ଆହୁରି ଅନେକ ଅଧ୍ୟବସାୟ । ତଥାପି ସାମାଜର ପ୍ରତିଫଳନ, ନାରୀ ଜାଗରଣ , ଦୁର୍ବଳ ପାଇଁ ସ୍ୱର ଉତ୍ତୋଳନ , ପ୍ରେମରେ ନୈସର୍ଗିକତା, ଶିଶୁ ମନସ୍ତତ୍ୱ୍ୱ , ଆଧ୍ୟାତ୍ମିକ ଭାବନା , ସାମ୍ପ୍ରତିକ ପରିସ୍ଥିତରେ ଉଠୁଥିବା ଅନ୍ୟାୟ ବିରୋଧରେ କଲମ ଚାଳନା ହିଁ ମୋର କବିତା ,ଗଳ୍ପ କିମ୍ବା ନାଟକ ରଚନାର କେନ୍ଦ୍ରବିନ୍ଦୁ ।
ତାଙ୍କ ରଚନାରୁ କବିତା : ଭୀଷ୍ମ ପଞ୍ଚକ
ହାୟ ! କେଉଁ ଏକ ପାଶବିକତାର ଛାୟାରେ
ଆବିଷ୍ଟ ଥିଲା ମୋ ସମଗ୍ର ସତ୍ତା
ପ୍ରତିଜ୍ଞାର ଆଢୁଆଳରେ କିଂକର୍ତ୍ତବ୍ୟବିମୁଢ଼
ମୋତେ ନେଇ ଦେଖାଇଛି
କୁରୁସଭାରେ କୂଳବଧୁର ଅମର୍ଯ୍ୟାଦା
ସପ୍ତରଥୀ ଦ୍ୱାରା ଅଧର୍ମ କୂଟନୀତିରେ
ଷୋଢ଼ କଞ୍ଚାବୟସ ବୀର ପରାକ୍ରମୀ
ଅଭିମନ୍ୟୁର ବର୍ବର ହତ୍ୟା ।
ଏହା ତ ବିଧି ନିର୍ଦ୍ଦିଷ୍ଟ
ଭୟାବହ ପରିସ୍ଥିତିରେ
ଗର୍ଭବତୀ ହୋଇ ଆଗାମୀ ଦିବସ ଗୁଡିକ
ପ୍ରସବ କରିବାକୁ ଯାଉଛି
ରକ୍ତରଞ୍ଜିତ ଏକ ଭବିଷ୍ୟତର ଶାବକ।
ନାନାଦି ଦୁଃସ୍ବପ୍ନରେ ଅହରହ ଉପଦ୍ରୁତ
ପଶ୍ଚାତ୍ତାପର ପୀଡ଼ାପ୍ରଦ ଶରଶଯ୍ୟାରେ ଶୋଇଛନ୍ତି ପିତାମହ।
ପ୍ରତୀକ୍ଷା ତ କେବଳ ସୂର୍ଯ୍ୟଙ୍କ ଉତ୍ତରାୟଣ ।
ଯହିଁ ଇଚ୍ଛାମୃତ୍ୟୁ ଲଭି
ସେ ଇଚ୍ଛିବେ ଆତ୍ମାର ସଦଗତି ।
ପ୍ରବେଶ କରି ମୃତ୍ୟୁଲୋକର ପୂର୍ବଦ୍ଵାରରେ
ଦର୍ଶନ କରିବେ ପୁଣ୍ୟାତ୍ମା
କଣ୍ଠରେ କୌସ୍ତୁଭମଣି
ହସ୍ତରେ ଶଙ୍ଖ, ଚକ୍ର, ଗଦା, ପଦ୍ମଧାରୀ
ଚତୁର୍ଭୁଜଙ୍କ ତ୍ରାଣକର୍ତ୍ତା ରୂପ ,
ଉପବିଷ୍ଟ ଥିବା
ଵିଷ୍ଣୁଲୋକର ରତ୍ନ ସିଂହାସନରେ ।
ଆହା !
ଭାରାକ୍ରାନ୍ତ ହୃଦୟକୁ ମିଳିଯିବ
ପ୍ରଶାନ୍ତି, ସ୍ଥିରତାର ମୃତ୍ୟୁ ।
ହଠାତ, ଦୂର ଦୁରାନ୍ତରେ ବହିବାକୁ ଲାଗେ
ଆତ୍ମୀୟପଣର ସମୀରଣ ।
ଓଃ ! ଶ୍ରୀକୃଷ୍ଣଙ୍କ ସମେତ ପଞ୍ଚୁପାଣ୍ଡବଙ୍କ ଆଗମନ
ସ୍ୱପ୍ନ ନୁହେଁ ତ ଆଉ କଣ ?
ଶତସୂର୍ଯ୍ୟ ସମ ତେଜସ୍ୱୀ ପିତାମହ
ଏବେ ଶୋକଚ୍ଛ୍ୱାସରେ ଅବୋଧ ତରଳିବାକୁ ଲାଗିଛନ୍ତି
ଉପସ୍ଥିତ ଅତିଥିଙ୍କ ସଭକ୍ତି ପ୍ରଣାମରେ,
ଦେବଉତ୍ଥାପନ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପାଞ୍ଚ ଦିନ
ରାଜଧର୍ମ, ବର୍ଣ୍ଣଧର୍ମ, ମୋକ୍ଷଧର୍ମର
ଉପଦେଶ ଶୁଣାଇଲେ ତତ୍ତ୍ୱଜ୍ଞାନୀ ଭୀଷ୍ମ
ଜ୍ୟେଷ୍ଠପାଣ୍ଡବ ଯୁଧିଷ୍ଠିରଙ୍କ ଅନୁରୋଧକ୍ରମରେ ।
ଉତଫୁଲ୍ଲ ହୃଦୟରେ ସେଦିନ ଶ୍ରୀକୃଷ୍ଣଙ୍କର ଘୋଷଣାନାମା
ଉକ୍ତ ପାଞ୍ଚଦିନ ନାମିତ ହେବ
‘ଭୀଷ୍ମପଞ୍ଚକ’ ଭୂଲୋକରେ ।
Comments are closed.