Latest Odisha News

ପାଠକଙ୍କ ମନରେ ସକାରାତ୍ମକ ଚିନ୍ତାଧାରା ଜାଗ୍ରତ କରିବା ପାଇଁ ମୁଁ ଲେଖେ : ମଧୁମିତା ମିଶ୍ର

ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ମଧୁମିତା ମିଶ୍ର ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।

ଓଡ଼ିଆ ସାହିତ୍ୟର ନବ ପ୍ରତିଭା ମଧୁମିତା ମିଶ୍ରଙ୍କ ସହ ‘ସ୍ଵଳ୍ପ ଆଳାପ’

ମୁଁ କାହିଁକି ଲେଖେ ?

ମୁଁ ବିଶ୍ଵାସ କରେ…”ଜଣେ ଲେଖକର କେବଳ ବ୍ୟକ୍ତିତ୍ଵ ଥାଏ…ବ୍ୟକ୍ତିଗତ କିଛି ନଥାଏ।” ତେଣୁ ପ୍ରତ୍ୟେକ ପରିବେଶ ଆଉ ପରିସ୍ଥିତିକୁ ନେଇ ମୋ ଅନ୍ତର୍ନିହିତ ଭାବନା ଏବଂ ତର୍ଜମା ସବୁକୁ ପାଠକମାନଙ୍କ ନିକଟରେ ନିଜ ଶବ୍ଦ ମାଧ୍ୟମରେ ପହଞ୍ଚେଇ, ସେମାନଙ୍କ ଭିତରେ ଥିବା କିଛି ଅହେତୁକ ଚିନ୍ତାଧାରା ଆଉ ଭାବଧାରାରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଆଶାରେ ମୁଁ ଲେଖେ।

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ମୋ ମାଆ ମୋ ଭିତରେ ଜଣେ ଲେଖିକାକୁ ଖୋଜି ପାଇଥିଲେ। ସ୍କୁଲରେ ପଢିଲା ବେଳୁ ହିଁ ପ୍ରଥମେ ଛୋଟ ଛୋଟ ଭଜନ,ଗଳ୍ପ ସର୍ଜନା କରିବା ଦିଗରେ ମୋତେ ଆଗ୍ରହ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ସୃଜନଶୀଳତାରୁ ଦୂରେଇ ଯାଇଥିଲି।କିଛିବର୍ଷ ତଳେ ମୋ ଭଉଣୀ ମୋତେ ସେହି ବିସ୍ମୃତ ଅତୀତ ମନେ ପକେଇ ଦେବାରୁ ମୋ ଝିଅ ମୋ ରଚିତ ଗଳ୍ପ,କବିତା ପଢିବାକୁ ନିଜର ଆଗ୍ରହ ପ୍ରକାଶ କରିଥିଲା ଯାହା ମୋତେ ପୁନଃ ଲେଖନୀ ଚାଳନା କରିବାକୁ ପ୍ରେରଣା ଦେଇଥିଲା।

ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ପଢା ସମୟରେ ପ୍ରଥମେ ମୋର ଏକ ଗଳ୍ପ ” ଅନାହୁତ ପୁଷ୍ପ ” କଲେଜ ମାଗାଜିନ୍ ରେ ପ୍ରକାଶ ପାଇଥିଲା ଯାହା ମୋ ଅଧ୍ୟାପକ/ ଅଧ୍ୟାପିକା ଆଉ ସହପାଠୀମାନଂକ ଗହଣରେ ମୋତେ ଜଣେ ଲେଖିକା ଭାବରେ ପରିଚିତ କରାଇଥିଲା।ଆଉ ପ୍ରାୟ କୋଡ଼ିଏ ବର୍ଷ ପରେ ମୁଁ ଲେଖିଥିବା କବିତା ” ନାରୀ ନାରାୟଣୀ” ଅନଲାଇନ୍ ରେ ବହୁତ୍ ଲୋକପ୍ରିୟତା ପାଇଥିଲା ଆଉ ମାଗାଜିନ୍ ର ପୃଷ୍ଠା ମଣ୍ଡନ କରିଥିଲା ଯାହା ପୁଣି ମୋ ଭିତରେ ପ୍ରେରଣାର ସ୍ରୋତ ହୋଇ ମୋତେ ଉଲ୍ଲସିତ କରିଥିଲା।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ମୋ ଲିଖିତ ଗଳ୍ପ/ କବିତା ମାଧ୍ୟମରେ ସମାଜରେ ଚାଲିଥିବା ଗତାନୁଗତିକ ଚିନ୍ତାଧାରା ଆଉ ସେଥିପାଇଁ ଉପୁଜୁଥିବା ସମସ୍ୟାର ସମାଧାନ କରି ପାରିଲେ ଆଉ ମଣିଷ ଭିତରୁ ସୁପ୍ତ ମଣିଷପଣିଆକୁ ଜାଗ୍ରତ କରି ପାରିଲେ ମୋ ସାଧନା ସଫଳ ହେଲା ବୋଲି ବହୁତ୍ ଖୁସି ହେବି ।

ତାଙ୍କ ରଚନାରୁ ଗଳ୍ପ : ହଁ ମୁଁ ପାଗଳ

ସେ ମୋତେ ହଠାତ୍ କହିଲା…ମୁଁ କାଳେ ଗୋଟେ ପାଗଳ…!!କାରଣ ମୁଁ କାଳେ ଯାହା ଦେଖେ …ତାହା ଜଣେ ପାଗଳ ହିଁ ଦେଖିପାରେ…!!

ହଁ ପାଗଳ ହିଁ ଦେଖେ କଅଁଳିଆ ସକାଳୁଆ ଖରାରେ ଜରି ଗୋଟାଇବାକୁ ଆସିଥିବା ବୁଢୀର କୁଜ ପିଠିକୁ ନହେଲେ ଜଙ୍ଘ କି ପିଠି ପାଖରେ ଚିରି ଯାଇଥିବା ଢିଲା ଜମା ପିନ୍ଧା ପିଲାର ବୋହି ଯାଉଥିବା ସିଂଘାଣିକୁ…!!ନହେଲେ ତ ସିଏ ବି ଦେଖିଥାନ୍ତା ଅନ୍ୟ ମାନଙ୍କ ପରି ସୁଲୁସୁଲୁଆ ପବନରେ ଦୋଳି ଖେଳୁଥିବା ଫୁଲକୁ,ନୂଆ ଉଡ଼ା ଶିଖିଥିବା ପକ୍ଷୀଛୁଆକୁ…ପ୍ରଜାପତିକୁ…ଗୁଣ୍ଡୁଚି ମୂଷାର ଧାଁ ଦୌଡ଼କୁ…!

ପାଗଳଟେ ହିଁ ତ କୁହେ କଳାହାଣ୍ଡିଆ ଖଣ୍ଡ ଖଣ୍ଡ ଘନ ବାଦଲ ଭିତରେ ହାତୀ,ମୟୂର କି ପକ୍ଷୀ ପରି ଚିତ୍ରସବୁ ନଥାନ୍ତି ବରଂ ଥାଏ ମେଞ୍ଚେ ପାଣି ଯାହା ବର୍ଷା ହେଇ ରାସ୍ତାଘାଟକୁ ବୁଡ଼େଇ ଦିଏ ଆଉ ବିରକ୍ତିକର କରିଦିଏ ସମୟକୁ।ଅନ୍ୟମାନେ ତ ଆନମନା ହୁଅନ୍ତି କଳା ବାଦଲର ଆବିର୍ଭାବରେ…ମାଟିର ବାସ୍ନାରେ…ଭିଜା ପାଗର ପୋଡ଼ା ମକା କି ବାଦାମ ଭଜା ମହକରେ…!!ହଜି ଯାଆନ୍ତି ଗରମ ଗରମ ଚା,କଫି ଭିତରେ…!!ଭିଜା ଦେହର ଗରମ ଭିତରେ…!!ଆଉ ପାଗଳ ଦେଖେ ନାଳ ଭିତରୁ ଭାସି ଆସିଥିବା ଆବର୍ଜନାର ପଚା କାଦୁଅକୁ…!!ଭିଜି ଯାଇଥିବା ଦେହରେ ସୃଷ୍ଟି ହେଇଥିବା ଚର୍ମ ରୋଗକୁ…!!ଜ୍ଵର,ଥଣ୍ଡା ସର୍ଦ୍ଦି ଆଉ କରୋନାକୁ…!!ରାତିସାରା ଭିଜି ଭାଙ୍ଗି ପଡ଼ୁଥିବା ଚାଳିଆ ଆଉ ମାଟି କାନ୍ଥକୁ…!!

ପାଗଳ ହିଁ ତ କହିପାରେ ଛିଃ…କି ଦୁର୍ଗନ୍ଧ ଆସୁଛି ଝରଣା,ପୋଖରୀ ଆଉ ନଈ ପାଖରୁ…!!ତା ଚାରିଆଡ଼େ ଘେରି ରହିଥିବା ପୋଚକା ଅଦରକାରୀ ବସ୍ତୁ ସବୁକୁ…!!ଅନ୍ୟମାନେ ତ ସୂର୍ଯ୍ୟର ସୁନେଲି କିରଣ ଚିକଚିକ କରୁଥିବା ପାଣିକୁ ଦେଖି ବିଭୋର ହୁଅନ୍ତି।

ପାର୍କର ସୋନ୍ଦର୍ଯ୍ୟ ଆଡ଼େଇ ପାଗଳ ଦେଖେ କୁଢ଼ କୁଢ଼ ଅଳିଆ ଆବର୍ଜନାକୁ…ପ୍ଲାଷ୍ଟିକ ବୋତଲ ଆଉ ଚିପ୍ସର ଜରି ପ୍ୟାକେଟକୁ…!!ସେ ଦେଖେନା ସବୁଜ ଘାସର ଗାଲିଚା ବରଂ ଦେଖେ ସେଇଠି ଚାଲୁଥିବା ତେଲୁଣିଆ କି ସମ୍ବାଳୁଆ ପୋକକୁ।ବୁଦା ପଛରୁ ଅସ୍ତଗାମୀ ସୂର୍ଯ୍ୟ ଦିଶେନା ତାକୁ ବରଂ ସେ ଦେଖେ ମଶାର ପୁରା ବଂଶଙ୍କୁ ଯିଏ ଡେଙ୍ଗୁ,ମ୍ୟାଲେରିଆ ବଢେ଼ଇବା ପାଇଁ ଦଂଶିବାକୁ ପଣ କରିଥାଆନ୍ତି…!!

ସମସ୍ତେ ଜୁ ଭିତରେ କୁନି କୁନି ପଶୁମାନଙ୍କ ଦୌଡା ଦୌଡ଼ି ଦେଖି ଆତ୍ମ ବିଭୋର ହେଲାବେଳେ ପାଗଳ ହିଁ ଦେଖୁଥାଏ ସେମାନଙ୍କ ମଳତ୍ୟାଗ ଜନିତ ଅପରିଷ୍କାର ରାସ୍ତାକୁ ଆଉ ଗୋଡେଇ ଗୋଡେଇ ତାକୁ ସଫା କରୁଥିବା ବିଚରା ମେହେନ୍ତରକୁ ଯାହାକୁ ଦୂରରୁ ଦେଖି ଲୋକେ ମୁହଁ ଉଠେଇ ଦୂରକୁ ଚାଲି ଯାଆନ୍ତି…!!

ସମସ୍ତେ ଭୋଜି ଖାଇ ହେକୁଟି ମାରି ଖାଦ୍ୟର ଆନନ୍ଦ ନେଉଥିଲା ବେଳେ ପାଗଳ ହିଁ ଦେଖୁଥାଏ ଡଷ୍ଟବିନ ଭିତରେ ଫୋପାଡି ଦିଆ ଯାଇଥିବା ବଳକା ଖାଦ୍ୟକୁ ଯାହା ପାଇବାକୁ ବିକଳ ହୋଇ ପଲେ କୁକୁର ସହିତ ଚିରା ପ୍ୟାଣ୍ଟ୍ ପିନ୍ଧା ଫୁଙ୍ଗୁଳା ଦେହରେ ଜଗି ରହିଥିବା ବସ୍ତିର ପିଲାଟିକୁ…!!

ପାଗଳ ହିଁ ଦେଖେ ସୁଦୃଶ୍ୟ ଅଟ୍ଟାଳିକା କଡ଼ରେ ଝୁମ୍ପୁଡ଼ିଟିଏ…!!ପାଗଳ ହିଁ ଦେଖେ ଗୁପଚୁପର ତେନ୍ତୁଳି ପାଣି ଭିତରକୁ ବୁଡି ଯାଉଥିବା ଷ୍ଟିଲ ସ୍ପାଟୁଲାରେ ଲାଗିଥିବା ଗତ ଦିନର ଅଇଁଠାରେ ଜକଡି ଯାଇଥିବା ମେଂଚେ ମଇଳାକୁ…!!ପାଗଳ ହିଁ ଦେଖେ ଟ୍ରେନର ଏସି ବଗିକୁ ଲାଗି ରହିଥିବା ସାଧାରଣ ବଗିରେ ବାଦୁଡ଼ି ପରି ଓହଳି ରହିଥିବା ମଣିଷ ପରି କିଛି ବସ୍ତୁମାନଙ୍କୁ…!!ପାଗଳ ହିଁ ଦେଖୁଥାଏ ମନ୍ଦିର ପଛ ଗଳିରେ ମାଂସ ଦୋକାନରେ ଥିବା ଲମ୍ବା ଧାଡିକୁ…!!ପାଗଳ ଦେଖେ ପରଝିଅ ଦେଖି ଲାଳେଇ ଯାଉଥିବା ବୁଢ଼ା ଦୋକାନୀକୁ ଯିଏ ଏକୁଟିଆ ଝିଅ ମାନଂକୁ ଦୋକାନ ସଉଦା ଦେଇ ସାହାଯ୍ୟ କରେ ବୋଲି ପାଉଥିବା ମିଛ ପ୍ରଶଂସାକୁ…!! ପାଗଳ ହିଁ ଦେଖେ ପାଞ୍ଚ ଟଙ୍କିଆ ଆହାର କେନ୍ଦ୍ରରେ ଲାଗିଥିବା ଅତ୍ୟାଧୁନିକ ସେବାର ଉପଲବ୍ଧିକୁ…!! ପାଗଳ ଦେଖେ ନେତାଙ୍କ ପ୍ରତିଶ୍ରୁତି ପଛରେ ଲୁଚି ରହିଥିବା କୁତ୍ସିତ ମନୋଭାବକୁ…!!ପାଗଳ ଦେଖେ ନୁଆବୋହୁର ହସ ଭିତରେ ଲୁଚିଥିବା ଅହେତୁକ ଭୟକୁ…!!ପାଗଳ ଦେଖେ ପ୍ରେମ ସମ୍ଭାଷଣ କରି ଲୁଚେଇ ଦେଉଥିବା ପ୍ରତାରଣା ପୂର୍ଣ୍ଣ ପୁରୁଷ ବନ୍ଧୁକୁ।ବନ୍ଧୁ କହି ପଛରେ ଲୁଚେଇ ଦେଇଥିବା ଶାଣିତ ଛୁରୀକୁ…!!ଆପଣା କହି ପାଦରେ ଦଳି ଦେଉଥିବା ସେଇ ନିଜ ଲୋକଙ୍କ ବଇରୀ ବୁଦ୍ଧିକୁ…!!ପାଗଳ ହିଁ ଚିହ୍ନିପାରେ ଲୋଳିତ ଚମଡା ଭିତରେ ଲୁଚି ହଜି ଯାଉଥିବା ଜ୍ଵଳନକୁ…!! ପାଗଳ ପୁଣି ଦେଖେ ନଡ଼ିଆ ଭିତରେ ଲୁଚିଥିବା ଅମୃତକୁ…!!ଅମୃତ ବଳୟରେ ଲୁଚି ରହିଥିବା ଗରଳକୁ …!!

ମୁଁ ବି କହିଲି…”ଭଲ ହେଲା…ଭଲ ହେଲା ଯେ ମୁଁ ଗୋଟିଏ ପାଗଳ…!!କାରଣ ମୋ ଆଖିରେ ପଡ଼ିନି ଅବିଶ୍ବାସର ପରଳ…!!ଭଲ ହେଲା…ମୁଁ ପାଗଳ…!!ହେଲେ ମୋ ପରି ଏକ ପାଗଳ ହେବାର ଯୋଗ୍ୟତା କଣ ତୋର ଅଛି…??ଜାଣିଛୁ…ପାଗଳ ହେବାକୁ ହେଲେ ମିଛକୁ ଉତାରି ସତର ବକଳ ପିନ୍ଧିବାକୁ ହୁଏ…!! କହ…ତୁ କଣ ନିଜକୁ ପାଗଳ କହିବା ଯୋଗ୍ୟ ହେଇ ପାରିବୁ…??”

ମୋ କଥାର ଉତ୍ତର ଦେବାର ଯୋଗ୍ୟତା ଟିକକ ବି ତା ପାଖରେ ନଥିଲା…ତାକୁ ମୁଣ୍ଡ ପୋତି ରହିବା ଦେଖି ମୁଁ ମନେ ମନେ ହସିଲି ଆଉ କହିଲି…”ହୁଃ…ପାଗଳ ହେବା କଣ ଏତେ ସହଜ…!!??”

 

 

Comments are closed.