ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସଂଗ୍ରାମ କେଶରୀ ସେନାପତି ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା, ପ୍ରବନ୍ଧ ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଜଣେ ସସହିତ୍ୟ ସମ୍ପାଦକ ଭାବରେ ମଧ୍ୟ ସେ ଖୁବ ପରିଚିତ ।
ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ। ଓଡ଼ିଆ ସାହିତ୍ୟର ନବ ପ୍ରତିଭା ସଂଗ୍ରାମ କେଶରୀ ସେନାପତିଙ୍କ ସହ ‘ସ୍ଵଳ୍ପ ଆଳାପ’
ମୁଁ କାହିଁକି ଲେଖେ ?
ସମୟ ଅନୁସାରେ ଏହି ପ୍ରଶ୍ନଟିର ଉତ୍ତର ବଦଳିଛି । ଛୋଟବେଳେ ଯେବେ କୌଣସି ଗପ ପଢ଼ୁଥିଲି, ଏହାର ଆଗକୁ କ’ଣ ହେବ ବୋଲି ମୁଁ ଭାବେ, ହେଲେ ଭାବନାକୁ ଶବ୍ଦର ରୂପ ଦେବାର କାମ ଆରମ୍ଭ ହୋଇଥଲା ବିଳମ୍ବରେ । ଯେବେ ନିୟମିତ ଲେଖିବା ଆରମ୍ଭ କରିଥିଲି, ସେବେ କିଛି ଅନ୍ୟ ଜାଗାରୁ ନିଜର ଧ୍ୟାନ ହଟେଇବାକୁ ଲେଖିବା ଆରମ୍ଭ କରିଥିଲି ଆଉ ଧୀରେ ଧୀରେ ମୋ ଲେଖାକୁ ଅନ୍ୟମାନେ ପଢ଼ନ୍ତୁ ବୋଲି ଲେଖିଲି । ପରେ ଗପ ଲେଖିବା ବନ୍ଦ ହେଇଯାଇଥିଲା, କିନ୍ତୁ ଉଇକିପିଡ଼ିଆରେ ଲୋକମାନଙ୍କ ଜୀବନୀ ବିଷୟରେ ଲେଖିବା ଜାରି ରହିଥିଲା । ଶୁଭପଲ୍ଲବର ଆରମ୍ଭ ପରେ ନିଜେ ଲେଖିବାକୁ ସମୟ ସେତେଟା ମିଳିଲାନି, କିନ୍ତୁ ସମ୍ପାଦକୀୟ ପାଇଁ ହେଉ ଅବା କୌଣସି ନିର୍ଦ୍ଦିଷ୍ଟ ବିଷୟକୁ ପାଠକମାନଙ୍କ ପାଖରେ ଉପସ୍ଥାପନା କରିବା ପାଇଁ ଲେଖିବା ଜାରି ରଖିଲି, ତାହା ଆଜି ବି ଜାରି ଅଛି ।
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?
୨୦୧୫ ମସିହାରେ ଟୁଇଟରରେ କିଛି ଲୋକମାନେ ଅଣୁଗଳ୍ପ ଲେଖନ୍ତି ଆଉ ତାକୁ ବଢ଼େଇବାକୁ ମୁଁ ବି ଦୁଇ ଧାଡ଼ି ଲେଖାଏଁ ଲେଖି ଦେଉଥିଲି । ଏହାକୁ ବଡ଼ ଆକାରରେ ଲେଖିବାକୁ କିଛି ବନ୍ଧୁଙ୍କର ଅନୁରୋଧରେ ଲେଖିବାର ଚେଷ୍ଟା କଲି ଆଉ ଧୀରେ ଧୀରେ ସେହି ଲେଖିବା ଶୈଳୀ ଏକ ଅଭ୍ୟାସରେ ପରିଣତ ହେବାକୁ ଲାଗିଲା । ତଥାପି ମୁଁ ନିଜକୁ ସାହିତ୍ୟ ସର୍ଜନାରେ ଜଣେ ସାହିତ୍ୟିକ ହିସାବରେ ଦେଖିପାରେନି, ପ୍ରଯୁକ୍ତିବିଦ୍ୟା ମାଧ୍ୟମରେ ଭଲ ରଚନାଗୁଡ଼ିକୁ ସୁନ୍ଦର କରି ଗଢ଼ିତୋଳିବାରେ ମୁଁ ଲାଗିଥାଏ, ଯାହାକି ପାଠକମାନଙ୍କୁ ଆକୃଷ୍ଟ କରୁ ବୋଲି ମୋର ଇଚ୍ଛା ।
ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
୨୦୧୫ ମସିହାରେ ଟୁଇଟରରେ ନିଜେ ଲେଖିବା ଆଗରୁ ମୁଁ ଜଣେ ପରିଚିତ ଲୋକଙ୍କର ଲେଖାରୁ ଅନୁପ୍ରାଣିତ ହୋଇ ଏକ ଛୋଟିଆ ଗଳ୍ପଭିତ୍ତିକ ପ୍ରବନ୍ଧ ଲେଖିଥିଲି, ଯାହାକି ୨୦୧୪ ମସିହାରେ ଆମ କଲେଜ ପତ୍ରିକାରେ ସ୍ଥାନିତ ହୋଇଥିଲା । ପ୍ରଥମ ଲେଖାଟି କଲେଜ ପତ୍ରିକାରେ ସ୍ଥାନ ପାଇଥିବାରୁ ମୋ ଖୁସି ସୀମା ବାହାରେ ଥିଲା ଆଉ ସେ ଭିତରେ ମୁଁ ଅଳ୍ପ କିଛି ଲେଖିବାକୁ ଚେଷ୍ଟା କରିଥିଲି, କିନ୍ତୁ ଟୁଇଟର ଜରିଆରେ ଯୋଡ଼ି ହୋଇଥିବା ପାଠକମାନଙ୍କଠାରୁ ପ୍ରସଂଶା ଓ ମତାମତ ପାଇବା ପରେ ନିୟମିତ ଲେଖାଲେଖି କରିବାକୁ ପ୍ରେରଣା ମିଳିଥିଲା ।
ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
ସତ କହିବାକୁ ଗଲେ ମୁଁ କବିତା ଲେଖିପାରେନି । କବିତା ଲେଖିବାକୁ ହେଲେ ଅନେକ ଶବ୍ଦର ଭଣ୍ଡାରଟିଏ ଦରକାର, ହୁଏତ ମୋ ପାଖରେ ସେତେ ପରିମାଣରେ ଶବ୍ଦ ନାହିଁ ଆଉ ଲେଖିବାକୁ ଚେଷ୍ଟା କଲେ ମଧ୍ୟ ଦୁଇଚାରି ଧାଡ଼ିରୁ ଆଗକୁ ବଢ଼ିପାରେନି । ଆରମ୍ଭରୁ ଯେଉଁ ଗପଗୁଡ଼ିକ ଲେଖୁଥିଲି, ସେବୁ ପ୍ରାୟତଃ କୌଣସି ବାର୍ତ୍ତା ନେଇ ଆଗକୁ ବଢ଼ୁଥିଲା । ଏବେ ବି କୌଣସି ଖବରକାଗଜର ସମ୍ପାଦକୀୟ ପାଇଁ ଲେଖିଲେ ଗଳ୍ପଭିତ୍ତିକ ପ୍ରବନ୍ଧ ହୋଇଥାଏ, ଯେଉଁଥିରୁ ସମାଜରୁ କୁସଂସ୍କାର ଦୂରେଇବାକୁ ହେଉ ଅବା କୌଣସି ପରମ୍ପରାକୁ ଆପଣେଇବାର ବାର୍ତ୍ତା ଥାଏ । ହେଲେ ବି ମୋର ସବୁ ଗପଗୁଡ଼ିକରେ ବାର୍ତ୍ତା ନଥାଏ, କିଛି ଗପ ଖାଲି ମନୋରଞ୍ଜନ ପାଇଁ ହିଁ ହୋଇଥାଏ, ଯେମିତିକି ପ୍ରେମକାହାଣୀରେ ଭରା କିଛି ଗପ ।
ତାଙ୍କ ରଚନାରୁ ଗଳ୍ପ : ତୁମ ଅପେକ୍ଷାରେ
“ଆଉଥରେ ଆଜି ମୋ ମନର ସେ ଅକୁହା
କଥାକୁ ତମ ଆଗେ ଖୋଲି କହିବାକୁ ଚାହୁଁଛି,
ତମେ ତ ଜାଣିଛ ମୁଁ ତମକୁ କେତେ ଭଲ ପାଉଛି ।”
ଦିନ ପରେ ଦିନ ଗଡ଼ିଚାଲିଛି ଆଉ ଯେତେ ଅଧିକ ସମୟ ବିତି ଚାଲିଛି, ବୋଧେ ସାପର ବିଷ ଚରିଗଲା ଭଳିଆ ଆମର ସେହି କେଇଦିନର ସମ୍ପର୍କର ମିଠା ସ୍ମୃତିସବୁ ମୋ ଭିତରେ ବଢ଼ିବଢ଼ି ଚାଲିଛି । ମୋ ମନର ମାନସ ପଟଳରେ ବାରମ୍ବାର ସେହି ଛବିସବୁ ଆସି ଘୂରିବୁଲୁଛି । ସେଦିନର ସେ ଶେଷ ସାକ୍ଷାତ କଥା ମଧ୍ୟ ଆଜି ସବୁଠୁ ଅଧିକ ପଡ଼ୁଛି ଆଉ ସେଦିନ ତମକୁ କହିପାରିନଥିବା ସେହି କେଇପଦ କଥା ଯେମିତି ମୋତେ ସବୁବେଳେ ଅଟ୍ଟହାସ୍ୟ କରୁଛି ।
ବିନି ତମର ମନେ ଅଛି ନା ତିନି ବର୍ଷ ତଳେ ଯେତେବେଳେ ତମେ ପ୍ରଥମଥର ମୋତେ ଭେଟିବାକୁ ଆସିଥିଲ? ହୁଏତ ତମର ସେ କଥା ସବୁ ମନେ ନଥିବ, କିନ୍ତୁ ମୋର ଭଲ ଭାବରେ ମନେ ଅଛି । ଏହି ଯେଉଁ ସିମେଣ୍ଟର ଚୌକି ଦେଖୁଛ, ସେଇଠି ହିଁ ଆମେ ପ୍ରଥମେ ବସିଥିଲେ । ପ୍ରଥମେ କ’ଣ ଯେ, ଯେତେବେଳେ ଆସୁଥିଲେ ସବୁବେଳେ ହିଁ ଏଇଠି ବସୁଥିଲେ । ସେଦିନ ପ୍ରଥମେ ଦେଖାରେ ତମେ ଯେତିକି ଉତ୍ସାହିତ ଥିଲ, ତମ ଭିତରେ ଥିବା ସେତିକି ଡର ମୁଁ ଭଲ ଭାବରେ ଦେଖିପାରୁଥିଲି ।
ସେ ଡର ଭିତରେ ତମର କଥାସବୁ ଯେତେ ଧୀରେ ଶୁଭୁଥିଲା, ସେତେ ଅଧିକ ମିଠା ଲାଗୁଥିଲା । ପ୍ରଥମ ଦେଖାର ପ୍ରଥମ ଅନୁଭୂତି ସବୁଠାରୁ ନିଆରା ଅବଶ୍ୟ, ବୋଧେ ସେଦିନର ସେ ମିଠା ଅନୁଭୂତି ସହ ତମର ସେ ଡର ଆଉ ଲାଜ ମିଶା ଆଳାପ ତାକୁ ଦୀର୍ଘସ୍ଥାୟୀ କରିବାକୁ ବାଧ୍ୟ କରିଦେଇଥିଲା । ଏହାପରେ ଅବଶ୍ୟ ଅନେକ ଥର ଦେଖାହେଇଛି, କିନ୍ତୁ ପ୍ରତ୍ୟେକ ଭାଲେଣ୍ଟାଇନ୍ ଡେ’ରେ ଦେଖାହେବାର ସେ ଯେଉଁ ପ୍ରତିଜ୍ଞା ବୋଧେ ତମେ ଭୁଲିଯାଇଛ ! ହେଲେ ଦେଖ ମୁଁ ଆଦୌ ଭୁଲିନି, ସେଇଥିପାଇଁ ତ ଖାଲି ଭାଲେଣ୍ଟାଇନ୍ ଡେ’ରେ ନୁହେଁ ପ୍ରତ୍ୟେକ ଦିନ ଏଠାକୁ ଆସୁଛି ଆଉ କାଳେ କେବେ ତମ ସହ ଦେଖାହେଇଯିବ ସେହି ଆଶା ନେଇ ପାର୍କ ଖୋଲିବାଠାରୁ ବନ୍ଦ ହେବାଯାଏଁ ଏଠାରେ ବସୁଛି ।
Comments are closed.