Latest Odisha News

BREAKING NEWS

ସାହିତ୍ୟ ପରିକ୍ରମା – ୨୦୨୩

ପରିବର୍ତ୍ତନ ହିଁ ସୃଷ୍ଟିର ନିୟମ। ପ୍ରତି ମୁହୂର୍ତ୍ତରେ ପୃଥିବୀର କୋଣ ଅନୁକୋଣରେ କିଛି ନା କିଛି ପରିବର୍ତ୍ତନ ଘଟୁଥାଏ। ସମୟ ସହ ନୂଆ ନୂଆ ଘଟଣାବଳୀର ଫର୍ଦ୍ଦସବୁ ଯୋଡ଼ି ହେଉଥାଏ ପୁଣି କିଛି ଇହିହାସର ପୃଷ୍ଠାରେ ପରିବର୍ତ୍ତିତ ହେଉଥାଏ। ଆଜି ୨୦୨୩ର ଶେଷ ଦିନ। ଗୋଟିଏ ବର୍ଷ ଭିତରେ ଓଡ଼ିଆ ସାହିତ୍ୟ ଜଗତରେ କିଛି ଗୌରବମୟ ପୃଷ୍ଠା ଯୋଡ଼ି ହୋଇଥିବା ବେଳେ କିଛି ଅତ୍ୟନ୍ତ ଦୁଃଖଦ ମୁହୂର୍ତ୍ତକୁ ମଧ୍ୟ ଆମେ ସାମନା କରିଛେ ।

୨୦୨୩ ରେ ସାହିତ୍ୟର ଭଲ ଖବର ଭିତରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଅନୁବାଦ ବିଭାଗରେ ‘ସୁନେଲି ବାଦଲ’ ପାଇଁ କମଳା ଶତପଥୀ ପାଇଲେ ‘କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର’ରେ ପୁରସ୍କୃତ ହୋଇଥିବା ବେଳେ ଗଳ୍ପ ସଙ୍କଳନ ‘ସେଁରରା’ପାଇଁ ଡିଲେଶ୍ବର ରଣା କେନ୍ଦ୍ର ଯୁବ ସାହିତ୍ୟ ଏକାଡେମୀ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଏହା ସହ କବିତା ସଙ୍କଳନ ‘ଅପ୍ରସ୍ତୁତ ମୃତ୍ୟୁ’ଆଶୁତୋଷ ପରିଡ଼ା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହେବା ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏହା ଗୌରବର ବିଷୟ ଥିଲା । ଏହା ସହ ଏହି ବର୍ଷ ‘ଜମ୍ବୁଲୋକ’ ଉପନ୍ୟାସ ପାଇଁ ଭୀମ ପୃଷ୍ଟି ଶାରଳା ପୁରସ୍କାରପାଇଛନ୍ତି।

ଏହି ବର୍ଷ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୧ ପାଇଁ ପ୍ରତିଭା ରାୟ, ୨୦୨୨ ପାଇଁ ସୀତାକାନ୍ତ ମହାପାତ୍ର ଏବଂ ୨୦୨୩ ମସିହା ପାଇଁ ଶ୍ରୀନିବାସ ଉଦଗାତାଙ୍କୁ ସର୍ବୋଚ୍ଚ ସାରସ୍ୱତ ସମ୍ମାନ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ପ୍ରଦାନ କରାଯାଇଛି । ଏହା ସହ ତିନି ବର୍ଷ ପାଇଁ ୪୫ ଜଣ ବରିଷ୍ଠ ସାରସ୍ଵତ ସାଧକ ସାଧିକାଙ୍କୁ ସାହିତ୍ୟ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।

କେନ୍ଦ ସାହିତ୍ୟ ଯୁବ ପୁରସ୍କାର ପ୍ରାପ୍ତ ଲେଖକ କ୍ଷେତ୍ରବାସୀ ନାଏକ କେନ୍ଦ୍ର ସାହିତ୍ୟ ଏକାଡେମୀର ସହକାରୀ ସମ୍ପାଦକ ଭାବରେ ଯୋଗ ଦେବା ମଧ୍ୟ ଏହି ବର୍ଷ ପାଇଁ ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଶୁଭଙ୍କର ସାବ୍ୟସ୍ତ ହୋଇଛି । ଏହା ସହ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଦ୍ୱାରା ଆୟୋଜିତ ବାର୍ଷିକ ଉତ୍ସବ ‘ସାହିତ୍ୟ ମହୋତ୍ସବ- ଫେଷ୍ଟିଭାଲ ଅଫ୍ ଲେଟର୍ସ ଯୁବ କବି ପ୍ରବୀଣ କୁମାର କବି ଯୋଗ ଦେବା ମଧ୍ୟ ଓଡ଼ିଆ ସାହିତ୍ୟର ଏକ ଗୌରବମୟ ଅଂଶ ଥିଲା ।

ଏହି ବର୍ଷର ଅନ୍ୟାନ୍ୟ ସାହିତ୍ୟ ଖବର ମଧ୍ୟରେ ଭାରତରେ ଜନ୍ମିତ ନନ୍ଦିନୀ ଦାସ ୨୦୨୩ ବର୍ଷର ମର୍ଯ୍ୟାଦାଜନକ ବ୍ରିଟିଶ ଏକାଡ଼େମୀ ବୁକ୍ ପ୍ରାଇଜ୍ ବିଜୟିନୀ ହୋଇଛନ୍ତି । ନନ୍ଦିନୀ ତାଙ୍କ ପୁସ୍ତକ ‘କୋର୍ଟିଂ ଇଣ୍ଡିଆ : ଇଂଲଣ୍ଡ। ମୋଗଲ ଇଣ୍ଡିଆ ଆଣ୍ଡ ଦ ଓରିଜିନ ଅଫ୍ ଏମ୍ପାୟାର’ ପାଇଁ ବ୍ରିଟିଶ ଏକାଡ଼େମୀ ବୁକ୍ ପ୍ରାଇଜ୍ ଫର୍ ଗ୍ଲୋବାଲ କଲ୍ଚରାଲ ଅଣ୍ଡରଷ୍ଟାଣ୍ଡିଂ ପୁରସ୍କାର ବିଜୟିନୀ ହେବା ଭାରତୀୟଙ୍କ ପାଇଁ ଏକ ଗୌରବର ବିଷୟ । ଏହା ସହ ଯାଜପୁର ଜିଲ୍ଲା ସୁକିନ୍ଦା ନିବାସୀ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବିଲକ୍ଷ୍ମୀକାନ୍ତ ଦାଶଙ୍କ କବିତା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡରେ ସ୍ଥାନ ପାଇଛି । ନବେ ଦେଶର ଦୁଇ ହଜାର ଶ୍ରେଷ୍ଠ କବିଙ୍କୁ ନେଇ ପ୍ରକାଶିତ କବିତା ବହି ‘ହାଇପର ପୋଏମ’ରେଲକ୍ଷ୍ମୀକାନ୍ତଙ୍କ କବିତା ସ୍ଥାନ ପାଇବା ସାହିତ୍ୟ ପ୍ରେମୀଙ୍କ ପାଇଁ ଏକ ସୁଖଦ ଖବର ।

ପ୍ରାଚୀନ ତାଳପତ୍ର ପୋଥି ସଂରକ୍ଷଣ ନିମନ୍ତେ ରାଜ୍ୟ ସଂଗ୍ରହାଳୟରେ ତାଲିମ କାର୍ଯ୍ୟକ୍ରମ, ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ପକ୍ଷରୁ ସ୍ଥାନୀୟ ସଂସ୍କୃତି ଭବନଠାରେ ଆୟୋଜିତ ଏକ ପାଞ୍ଚଦିନିଆ ‘ସମ୍ପାଦନା, ବନାନଶୁଦ୍ଧି ଓ ପ୍ରୁଫ୍ ସଂଶୋଧନ ଶିବିର ଆୟୋଜିତ ହେବା ଓଡ଼ିଆ ସାହିତ୍ୟ ପାଇଁ ଏକ ସ୍ୱାଗତ ଯୋଗ ପଦକ୍ଷେପ ବୋଲି କହାଯାଇପାରିବ ।

ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ‘ସେଲିବ୍ରେସନ୍ ଅଫ୍ ୱର୍ଡ୍ସ ଆଣ୍ଡ ଆଇଡିଆଜ୍‌’ (ଶବ୍ଦ ଓ ଭାବନାର ଉତ୍ସବ) ଶୀର୍ଷକରେ ଆଜିଠାରୁ ଦ୍ଵିତୀୟ ଥର ପାଇଁ ତ୍ରିଦିବସୀୟ ସୋଆ ସାହିତ୍ୟ ଉତ୍ସବରେ ସାହିତ୍ୟ, ସଂସ୍କୃତି, କଳା, ମଞ୍ଚ ଓ ଚଳଚ୍ଚିତ୍ର କ୍ଷେତ୍ରର ପ୍ରାୟ ୨୫୦ ରୁ ଊର୍ଦ୍ଧ୍ୱ ବିଶିଷ୍ଟ ସାହିତ୍ୟିକ, ଗାଳ୍ପିକ, କବି, ସମାଲୋଚକ, ଐତିହାସିକ, ଅନୁବାଦକ, ଭାଷା ବିଜ୍ଞାନୀ, ଗବେଷକ, ସାମ୍ବାଦିକ ଓ ଚଳଚ୍ଚିତ୍ର ଜଗତର ପ୍ରମୁଖ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ଏହି ଉତ୍ସବରେ ଓଡ଼ିଶାର ୧୧ ଜଣ ସାହିତ୍ୟିକଙ୍କୁ ଯଥା:-ପ୍ରଖ୍ୟାତ କବି ଓ କଥାକାର ରମାକାନ୍ତ ରଥ,ପ୍ରଖ୍ୟାତ କବି ଓ ସାହିତ୍ୟ ସମାଲୋଚକ ସୀତାକାନ୍ତ ମହାପାତ୍ର ଏବଂ ଔପନ୍ୟାସିକ, ଗାଳ୍ପିକ ଓ ସ୍ତମ୍ଭକାର ବିଭୂତି ପଟ୍ଟନାୟକ, ପ୍ରତିଷ୍ଠିତ କାହାଣୀକାର ଅଚ୍ୟୁତାନନ୍ଦ ପତି, ଗାଳ୍ପିକ ସାତକଡି ହୋତା, ପ୍ରସିଦ୍ଧ ଭାଷାବିତ୍‌ ଦେବୀ ପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ଔପନ୍ୟାସିକ ଓ ଗାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ, ବରିଷ୍ଠ ଅନୁବାଦକ ଓ କବି ଶ୍ରୀନିବାସ ଉଦ୍‌ଗାତା, କବି, ଗାଳ୍ପିକ ଓ ନାଟ୍ୟକାର ଜଗନ୍ନାଥ ପ୍ରସାଦ ଦାଶ, ବରିଷ୍ଠ ସାହିତ୍ୟ ସମାଲୋଚକ ଓ ପ୍ରାବନ୍ଧିକ ଦାଶରଥୀ ଦାସ, ବିଶିଷ୍ଟ ନିର୍ଦ୍ଦେଶକ ଓ ଅଭିନେତା ଅନନ୍ତ ମହାପାତ୍ରଙ୍କୁ ‘ସୋଆ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା ।

 

ଏଥର ଆୟୋଜିତ ପଞ୍ଚମ ଓଡ଼ିଶା ରାଜ୍ୟ ପୁସ୍ତକ ମେଳା ‘ଅକ୍ଷର’ରେ ରାଜ୍ୟ ତଥା ରାଜ୍ଯ ବାହାରର ପ୍ରକାଶକ, ଲେଖକ ଏବଂ ପୁସ୍ତକ ପ୍ରେମୀଙ୍କ ପାଇଁ ଏହା ଏକ ସୁଯୋଗ ସୃଷ୍ଟି କରିଥିଲା। ଗଳ୍ପ, କବିତା, ଉପନ୍ୟାସ, ଶିଶୁ ସାହିତ୍ୟ, ନାଟକ ବ୍ୟତୀତ ପାଠ୍ୟ ପୁସ୍ତକ ସହ ଆଧ୍ୟାତ୍ମିକ ପୁସ୍ତକ ଏଥରର ପୁସ୍ତକ ମେଳାର ମୁଖ୍ୟ ଆକର୍ଷଣ ଥିଲା। ଏହା ସହ ରାଜ୍ୟରୁ ପ୍ରକାଶିତ ଅନେକ ପତ୍ର ପତ୍ରିକାର ଷ୍ଟଲ୍ ମଧ୍ଯ ଦେଖିବାକୁ ମିଳିଥିଲା ହେଲେ ଆଧ୍ୟାତ୍ମିକ ପୁସ୍ତକର ଚାହିଦା ସବୁଠୁ ଅଧିକ ଥିଲା। ବିଶେଷ ଭାବରେ ସାହିତ୍ୟିକ ଅସିତ ମହାନ୍ତିଙ୍କ ‘ଲକ୍ଷ୍ମୀ ପୁରାଣ’ ପୁସ୍ତକଟି ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା। ପୁସ୍ତକ ମେଳାର ମୁଖ୍ୟ ଆକର୍ଷଣ ଭାବରେ ବିଭିନ୍ନ ପ୍ରକାଶନୀ ସଂସ୍ଥା ପକ୍ଷରୁ ଲେଖକ ଲେଖିକାମାନଙ୍କ ପୁସ୍ତକ ଉନ୍ମୋଚିତ ହୋଇଥିଲା। ପୁସ୍ତକ ବିକ୍ରିକୁ ପ୍ରୋତ୍ସାହିତ କରିବା ପାଇଁ କିଛି ଷ୍ଟଲ୍ ପକ୍ଷରୁ ଆକର୍ଷଣୀୟ ଯୋଜନା ସବୁ ପ୍ରସ୍ତୁତ ହୋଇଥିଲା । ବିଗତ କିଛି ବର୍ଷ ପରି ପୁସ୍ତକ ମେଳାରେ ପାଠକ ଅପେକ୍ଷା ଲେଖକ ଲେଖିକାଙ୍କ ଭିଡ଼ ଅଧିକ ଦେଖାଯାଇଥିଲା। ସେ ଯାହାହେଉ ପୁସ୍ତକ ମହୋତ୍ସବରେ ପାଖାପାଖି ୧୦ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ଆକଳନ କରାଯାଇଥିଲା।

ଏ ବର୍ଷ ସାହିତ୍ୟ କ୍ଷେତ୍ରରେ ଯେତିକି ନୂଆ ନୂଆ ସମ୍ଭାବନା ଆଣିଲା, ସେତିକି ଦୁଃଖଦ ମଧ୍ୟ ଥିଲା। ଏହି ବର୍ଷ କବି ଜୟନ୍ତ ମହାପାତ୍ର, ସାହିତ୍ୟିକା ନିର୍ମଳପ୍ରଭା ନାୟକ, ସାହିତ୍ୟିକ ହୁସେନ ରବି ଗାନ୍ଧୀ, ଶିଶୁ ସାହିତ୍ୟିକ ଓ ଭାଷାବିତ୍ ଶୁଭେନ୍ଦ୍ର ଶ୍ରୀଚନ୍ଦନ ସିଂହ, ଶିଶୁ ସାହିତ୍ୟିକ ପ୍ରଫୁଲ୍ଲ ଦାଶ ଏବଂ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସଚିବ ପ୍ରବୋଧ ରାଉତଙ୍କ ପରଲୋକ ଓଡ଼ିଆ ସାହିତ୍ୟ ଜଗତରେ ଅନେକ ଶୂନ୍ୟସ୍ଥାନ ସୃଷ୍ଟି କରିଛି ।

ମହାନ ସାହିତ୍ୟିକମାନଙ୍କର ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ସଭା, ପୁସ୍ତକ ଉନ୍ମୋଚନ ଏବଂ ଅନ୍ୟ କିଛି ଆଲୋଚନା ସଭା ବ୍ୟତୀତ ଏବର୍ଷ ମଧ୍ୟ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ବିଶେଷ କିଛି ଆଖିଦୃଶିଆ କାର୍ଯ୍ୟକ୍ରମ ହୋଇନାହିଁ। ବିଶେଷ ଭାବରେ ଏ ବର୍ଷ ଲେଖକମାନଙ୍କଠାରୁ ପୁସ୍ତକ ସଂଗୃହୀତ ହେବାର ଅନେକ ଦିନ ପରେ ମଧ୍ୟ ବିଗତ ସାତ ବର୍ଷ ଧରି ଏକାଡେମୀ ପକ୍ଷରୁ ‘ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର’ ଘୋଷଣା ନହେବା ଓଡ଼ିଶାର ଲେଖକମାନଙ୍କ ମଧ୍ୟରେ ଏକ ନୈରାଶ୍ୟଭାବ ସୃଷ୍ଟି କରିଛି।

ବିଭିନ୍ନ ଅନୁଷ୍ଠାନ ଦ୍ୱାରା ଦିବଂଗତ ସାହିତ୍ୟିକ ମାନଙ୍କ ଜୟନ୍ତୀ ଏବଂ ପୁଣ୍ୟତିଥି ପାଳନର ଧାରା ଅନ୍ୟ ବର୍ଷ ପରି ବଜାୟ ରହିଥିଲା ।

ଏତେ ସବୁ ଘଟଣାବଳୀ ସହ ୨୦୨୩ ରେ ଅନେକ ଗଳ୍ପ ସଙ୍କଳନ, କବିତା ସଙ୍କଳନ, ଉପନ୍ୟାସ , ନାଟକ , ଶିଶୁ ସାହିତ୍ୟ ଆଦି ପୁସ୍ତକ ସହ ଅନେକ ପତ୍ର ପତ୍ରିକା ପ୍ରକାଶ ପାଇ ଓଡ଼ିଆ ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛି।

ପୃଥିବୀର ଆବର୍ତ୍ତନ ଓ ପ୍ରରିକ୍ରମଣ ସହ କ୍ୟାଲେଣ୍ଡରର ପୃଷ୍ଠା ବଦଳୁଥିବ। ପୁରୁଣା ଯାଇ ନୂଆ ଆସିବ। ଅନେକ ତିକ୍ତ ମଧୁର ସ୍ମୃତି ଯୋଡ଼ି ହେଉଥିବ। ସେଇ ଅନୁଭବ ଓ ଅନୁଭୂତି ସହ ସାହିତ୍ୟର କ୍ଷେତ୍ର ବିକଶିତ ହେଉଥିବ ।

Leave A Reply

Your email address will not be published.