ଓଡ଼ିଆ ସାହିତ୍ୟ ଜଗତରେ ନିଜ ପାଇଁ ସ୍ୱତନ୍ତ୍ର ସ୍ଥାନଟିଏ ସଂରକ୍ଷିତ କରିସାରିଥିବା ସ୍ଵାଗତିକ ସାହୁ ଜଣେ ଅନନ୍ୟ ପ୍ରତିଭା । ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ବାଲ୍ୟକାଳରୁ ସାହିତ୍ୟ ପ୍ରତି ସମର୍ପିତ।
ଓଡ଼ିଆ ସାହିତ୍ୟର ନବ ପ୍ରତିଭା ସ୍ଵାଗତିକ ସାହୁଙ୍କ ସହ ‘ସ୍ଵଳ୍ପ ଆଳାପ’
ମୁଁ କାହିଁକି ଲେଖେ ?
ଜୀବନକୁ ଜୀବନ୍ତ କରି ଜୀଇଁବାକୁ ମନରେ ଆସୁଥିବା ଭାବନାକୁ ଉତାରି ଦେଲେ ମନ ହାଲକା ହୋଇଯାଏ ; ସେଥିପାଇଁ ମୁଁ ଲେଖେ। ଲେଖିବା ଯେପରି ମୋର ଗୋଟିଏ ନିଶା।
ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ ?
ସାହିତ୍ୟ ସର୍ଜନା ପାଇଁ ମୁଁ କେତେ ଯୋଗ୍ୟ ତାହା ଜାଣେନା। କିନ୍ତୁ ଅବ୍ୟକ୍ତ ଖୁସି ବା ଯନ୍ତ୍ରଣାକୁ ଶବ୍ଦର ରୂପ ଦେବା ପାଇଁ ମୁଁ ଲେଖେ। ତାହା ହିଁ ଗଳ୍ପ ବା କବିତାର ରୂପନିଏ ।
ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?
ପ୍ରଥମ ପ୍ରକାଶିତ ଲେଖାଟି “ମୋର ଗାଁ କାଲି ଆଉ ଆଜି ” ଶୀର୍ଷକରେ କବିତାଟିଏ ଥିଲା। ଯାହା ଜୟପୁର ସାହିତ୍ୟ ପତ୍ରିକାରେ ପ୍ରକାଶିତ ହୋଇଥିଲା। ତାର ମୁଦ୍ରିତ ରୂପ ଦେଖି ମତେ ଲେଖିବା ପାଇଁ ଅଧିକ ପ୍ରେରଣା ମିଳିଲା । ପ୍ରକୃତରେ କହିବାକୁ ଗଲେ ସେହି ଦିନଠାରୁ ସାହିତ୍ୟ ପ୍ରତି ମୋର ଅନୁରାଗ ବଢ଼ିଗଲା
ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?
ଗଳ୍ପ ହେଉ କି କବିତା, ମୁଁ ସେଥିରେ କିଛି ରମ୍ୟତା ରଖିବା ପାଇଁ ଚେଷ୍ଟା କରେ। ଯାହା ପାଠକକୁ ଆକର୍ଷିତ କରିବ। ଏହା ସହ ତାହା ସମାଜକୁ କିଛି ବାର୍ତ୍ତା ଦେଉଥିବ।
ତାଙ୍କ ରଚନାରୁ କବିତା : ତୁମ ଅପେକ୍ଷାରେ
ବଞ୍ଚିବାକୁ ହୁଏ ଜୀବନ ନଦୀରେ
ସୁଖ ଦୁଃଖ ଦୁଇ କୂଳ
ତରୀ ହୁଏ ନିଜ ଆତ୍ମସ୍ୱାଭିମାନ
ହେବାକୁ ତୁମେ ସଫଳ ।
ହସ କାନ୍ଦ ଆଉ ପ୍ରେମ ପ୍ରତାରଣା
ବଞ୍ଚିବାର ଦିଗ ଦିଏ
ଛାଇ ଆଲୁଅର ନଅର ଭିତରେ
ପରିଚୟ ଖୋଜୁଥାଏ ।
ଉଦିତ ସୁରୁଜ ସୁନିଶ୍ଚିତ ଅସ୍ତ
ଏତ ଦୁନିଆର ନାରା
ଜୀବନ ଅଛିତ ମରଣ ଆସିବ
କିଛି ନୁହେଁ ତ ନିଆରା ।
ଏନ୍ତୁଡ଼ି ନିଆଁ ଯେ ପ୍ରଥମ ପାହାଚ
ଶେଷ ନିଆଁ ମଶାଣିରେ
ଦୁଇଟି ନିଆଁର ସମିଶ୍ରଣ ଏତ
ଦୁନିଆ ଜାଣ ସଭିରେ ।
ମିଛ ମାୟା ମୋହ ସଂସାର ଜାଲ ଏ
ଘାରି ହେଉଅଛେ ଖାଲି
ଆଲୁଅ ଦେଖେଇ ଅନ୍ଧାର ଭିତରେ
କିଏ ପୁଣି ଦିଏ ଠେଲି ।
ବିଶ୍ୱାସ ଆଉ ଅବିଶ୍ୱାସ ମଝିରେ
ନିଷ୍ପତ୍ତି ଦିଏନି ଧରା
ବୁଢିଆଣୀ ଜାଲେ ଛନ୍ଦି ଦେଇଥାଏ
ହୃଦୟ ଜାଳେଟି ସାରା ।
ଦେଖେଇ ହୁଏନି ଦେଖି ବି ହୁଏନି
ସେଇ ନିଆଁର ହୁତାଶ
ଜାଳି ପୋଡି ଦେଇ ସରିଗଲା ପରେ
ମିଳେ ଖାଲି ଧଳା ପାଉଁଶ ।
ଖରା ଛାଇ ପରି ଲୁଚକାଳି ଖେଳେ
ଜୀବନ ନିୟତି ଆମ
କର୍ମେ ସତ୍ୟ ନ୍ୟାୟ ଧର୍ମେ ଆଚରଣ
ସଫଳହୋଇବ ନାମ ।
Comments are closed.