Latest Odisha News

ମୋ ପରିବାର ମତେ ସାହିତ୍ୟ ସର୍ଜନା ପାଇଁ ପ୍ରେରିତ କରିଛି : ଦେବଜ୍ୟୋତି ଅବିନାଶ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ଆଦି ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଇଂରାଜୀ ସ୍ନାତକୋତ୍ତର ବିଭାଗର ଛାତ୍ର ହେଲେ ମଧ୍ୟ ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ ।

ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଦେବଜ୍ୟୋତି ଅବିନାଶ ଙ୍କ ସହ ‘ସ୍ୱଳ୍ପ ଆଳାପ’

 

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ମୁଁ ଜନ୍ମରୁ ଅଜାଙ୍କ ଘରେ ରହି ବଡ଼ ହୋଇଛି। ମୋର ମାଆ,ମାଉସୀ ତଥା ସ୍ବର୍ଗତଃ ମାମୁଁ, ଅଜା ଓ ଆଈ ସମସ୍ତେ ସାହିତ୍ୟପ୍ରେମୀ ଏବଂ ନିଜ ସମୟରେ କବିତା ଲେଖାଲେଖି କରୁଥିଲେ। ତା’ ଛଡା ମୋ ମାଆ ଜଣେ ସାହିତ୍ୟ ଶିକ୍ଷୟିତ୍ରୀ। ତେଣୁ ଏ ଭଳି ପରିବେଶରେ ରହି ବଡ଼ ହୋଇଥିବାରୁ ସ୍ବାଭାବିକ ଭାବରେ ଲେଖାଲେଖି ପାଇଁ ଆଗ୍ରହ ଆସିଥିଲା। ବର୍ତ୍ତମାନ ମୁଁ ମଧ୍ୟ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ସ୍ନାତକୋତ୍ତର ଇଂରାଜୀ ବିଭାଗର ଛାତ୍ର ଏବଂ ସାହିତ୍ୟର ଛାତ୍ର ହିସାବରେ ବିଭିନ୍ନ ଗଳ୍ପ ଉପନ୍ୟାସ ପଢିବାକୁ ଭଲ ପାଏ। ଏହି ସବୁ କାରଣରୁ ଲେଖାଲେଖି କରିବା ପାଇଁ ଆଗ୍ରହ ହେଲା।

ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

ସୃଜନଝର ପ୍ରତିଯୋଗିତାର ବିଜେତା ଭାବରେ ସର୍ଜନା ପତ୍ରିକାରେ ପ୍ରକାଶିତ ହୋଇଥିବା “ଶୀତ ରାତିର ସକାଳ” ଗଳ୍ପଟି ମୋର ପ୍ରଥମ ପ୍ରକାଶିତ ଲେଖା ଥିଲା। ମୁଁ ବର୍ତ୍ତମାନ କଟକରେ ରହୁଛି। ହେଲେ ଆମ ଘର ଢେ଼ଙ୍କାନାଳ ଜିଲ୍ଲାର ସରାଙ୍ଗ ଗାଆଁରେ। ସରାଙ୍ଗ ଆଗରୁ ଏତେ ବିକଶିତ ନଥିଲା, ଯେତିକି ଏବେ ହୋଇ ସାରିଲାଣି। ପୂର୍ବରୁ କହିଛି ମୋର ଅଜା, ଆଈ, ମାଆ, ମାଉସୀ, ମାମୁଁ ସମସ୍ତେ ନିଜ ସମୟରେ ଲେଖା ଲେଖି କରୁଥିଲେ। ମାତ୍ର ଗାଆଁ ଗହଳିର ଲୋକ ହୋଇଥିବାରୁ ସୁଯୋଗ ଅଭାବରୁ ସେମାନଙ୍କର କୌଣସି ବି ଲେଖା ପ୍ରକାଶିତ ହୋଇ ପାରିନାହିଁ। ମୋ ଅଜା ଶହ ଶହ କବିତା ଲେଖିଛନ୍ତି। ସେ ଦଣ୍ଡ ଗୀତ ଲେଖୁଥିଲେ। ଆମ ଗାଁ ତଥା ଆଖ ପାଖ ଗାଆଁର ଦଣ୍ଡ ନାଚରେ ତାଙ୍କ ଗୀତ ସବୁ ବ୍ୟବହୃତ ହୁଏ। ଆଖ ପାଖ ଗାଆଁରେ ସମସ୍ତେ ତାଙ୍କୁ ଚିହ୍ନନ୍ତି। ମାତ୍ର ତାଙ୍କର ସମସ୍ତ କବିତା ଅପ୍ରକାଶିତ। ଏହି କାରଣରୁ ବାହାରେ କେହି ବି ତାଙ୍କୁ ଜାଣନ୍ତି ନାହିଁ। ସେ ଏବେ ଏ ଦୁନିଆରେ ନାହାନ୍ତି। ତେଣୁ ଆରମ୍ଭରୁ ହିଁ ଭାବିଥିଲି ଯଦି କେବେ ଲେଖାଲେଖି କଲି ତେବେ ମୋ ତରଫରୁ ସମ୍ପୂର୍ଣ୍ଣ ଚେଷ୍ଟା ରହିବ ଯେମିତି ମୃତ୍ୟୁ ପୂର୍ବରୁ ଅତି କମ୍ ରେ ମୋର ଗୋଟିଏ ଲେଖା ପ୍ରକାଶିତ ହେଉ। ଜଣେ ଅପ୍ରକାଶିତ ଲେଖକର ପରିଚୟ ସହ ମରିବାକୁ ମୁଁ ଚାହୁଁ ନଥିଲି। ଯେତେବେଳେ ସୃଜନଝର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲି, ଭାବି ନଥିଲି ଜିତିବି ବୋଲି, ଯେହେତୁ ଆଗରୁ ମୋର କୌଣସି ବି ଲେଖା ପ୍ରକାଶିତ ହୋଇ ନଥାଏ ଯଦିଓ ଅନେକ ପତ୍ରିକା ଓ ଖବରକାଗଜକୁ ଅନେକ ଥର ଲେଖା ପଠେଇଥିଲି। ମୁଁ ନିଜେ ମଧ୍ୟ ନିଶ୍ଚିତ ନଥିଲି ଯେ ମୁଁ ଭଲ ଲେଖେ ନା ଖରାପ। ତେଣୁ ଯେତେବେଳେ ଲେଖାଟି ପ୍ରକାଶିତ ହେଲା, ଗୋଟେ ପ୍ରକାରର ଆଶ୍ୱସ୍ତି ଅନୁଭୂତ ହେଲା। ମନେ ମନେ ଭାବିଲି ବୋଧ ହୁଏ ମୁଁ ଠିକ୍ ଠାକ୍ ଲେଖୁଛି। ତେଣୁ ନିଶ୍ଚିତ ଭାବେ କହିବି ଯେ ପ୍ରଥମ ପ୍ରକାଶିତ ଲେଖାଟି ମୋତେ ଆଗକୁ ଆହୁରି ଲେଖିବା ପାଇଁ ପ୍ରେରଣା ଯୋଗାଇଥିଲା।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ମୋ ଜୀବନରେ ନାରୀମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବାପା ଆରମ୍ଭରୁ ଚାକିରୀ ପାଇଁ ବାହାରେ ରହୁଥିଲେ। ଅଜା ସବୁବେଳେ ବୈଠକରେ ବସି ସାଧୁ,ସନ୍ନ୍ୟାସୀ ଓ କବି ଲେଖକମାନଙ୍କ ସହିତ ଧର୍ମ ଓ ସାହିତ୍ୟ ଚର୍ଚ୍ଚାରେ ବ୍ୟସ୍ତ ରହୁଥିଲେ। ତେଣୁ ମୋ ମାଆ, ଆଈ ଓ ମାଉସୀମାନେ ହିଁ ମୋ ଜୀବନର ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ବା ଗୌଣ ମୁହୂର୍ତ୍ତରେ ମୋ ସାଥିରେ ରହିଛନ୍ତି, ମୋ ସଫଳତାରେ ମୋ ସହ ଖୁସି ହୋଇଛନ୍ତି, ଦୁର୍ବଳ ମୁହୂର୍ତ୍ତରେ ମୋ ଚାରି ପାଖରେ ଆଶ୍ଵାସନାର ସ୍ତମ୍ଭ ସାଜି ଛିଡ଼ା ହୋଇଛନ୍ତି। ଏହା ମୋତେ ନାରୀମାନଙ୍କୁ ଅତି ନିକଟରୁ ଦେଖିବାର ଆଉ ବୁଝିବାର ସୁଯୋଗ ଦେଇଛି। ଏଥି ପାଇଁ ମୋ ଦ୍ଵାରା ଲିଖିତ ଅଧିକାଂଶ କାହାଣୀ ଓ କବିତା ନାରୀକୈନ୍ଦ୍ରିକ। ମୁଁ ସେମାନଙ୍କ ହସ ଓ କାନ୍ଦ, ଦୁର୍ବଳତା ଓ ସାମର୍ଥ୍ୟ, ପ୍ରେମ ଓ ପ୍ରତାରଣା, କ୍ରୋଧ ଓ ଘୃଣା, ଯନ୍ତ୍ରଣା, ସଂଘର୍ଷ ଓ ଶକ୍ତିକୁ ନେଇ କାହାଣୀ ଲେଖେ। ସେମାନଙ୍କ ଜୀବନକୁ ନେଇ କାହାଣୀ ଲେଖେ। ସେମାନଙ୍କ ଅବ୍ୟକ୍ତ କାହାଣୀ ଗୁଡ଼ିକୁ ନିଜ କଲମ ସାହାଯ୍ୟରେ ସମାଜ ଓ ଲୋକ ଦୃଷ୍ଟିକୁ ଆଣିବାକୁ ଚେଷ୍ଟା କରେ।

 

ତାଙ୍କ ରଚନାରୁ ଗଳ୍ପ : ଅବଶୋଷ

ରାତି ୩ଟାରେ ହିଁ ଅଚାନକ ନିଦ ଭାଙ୍ଗିଗଲା। ଖରାପ ସ୍ବପ୍ନ ଗୋଟେ ଦେଖିଥିଲି। କାନ୍ଦୁଥିବା ଗୋଟିଏ ଛୋଟ ଝିଅକୁ ଲୋକ ଟିଏ ତା ଚୁଟିରୁ ଭିଡ଼ି ଘୋଷାଡି ଘୋଷାଡି ଗୋଟିଏ ବେଶ୍ୟାଳୟକୁ ବିକିବାକୁ ନେଇ ଯାଉଥିଲା। ଠିକ୍ ସେତିକି ବେଳକୁ ସେ ଲୋକର ହାତକୁ ଜୋରସେ କାମୁଡି ଝିଅଟି ଖସି ପଳାଇବାକୁ ଚେଷ୍ଟା କଲା। ହେଲେ ଛ ସାତ ବର୍ଷର ଝିଅଟି। ତାର ବା କେତେ ବଳ? ଦଉଡ଼ି ଦଉଡ଼ି କିଛି ବାଟ ଯାଇଛି କି ନାହିଁ ପୁଣି ପଡ଼ିଗଲା ସେ ନରରାକ୍ଷସର କବଳରେ। ଏଥର ଶକ୍ତ ଗୋଟେ ଚଟକଣା ବସାଇଦେଲା ସେ ଲୋକ ଟି ଝିଅଟିର ବାମ ଗାଲରେ। ବାସ ସେତିକିରେ ନିଦ ଭାଙ୍ଗି ଯାଇଥିଲା ମୋର। ଆଉ ସେତେବେଳରୁ ଏଇ କଥାଟା ବିଷୟରେ ଭାବି ଭାବି ମନ ଟା ଜମା ଭଲ ଲାଗୁନି।

ସ୍ବପ୍ନରେ ଦେଖିଥିବା ସେ ଚରିତ୍ର ଦୁହିଁଙ୍କୁ ମୁଁ ଚିହ୍ନେ। ଦୁଇ ଜଣଙ୍କ ଚେହେରା ଏତେ ବର୍ଷ ପରେ ଏବେ ମଧ୍ୟ ଭଲ ଭାବରେ ମନେ ଅଛି ମୋର। ଆଜିଠୁ ନ-ଦଶ ବର୍ଷ ପୂର୍ବେ ମୁଁ ଆଉ ମୋ ସ୍ବାମୀ ମୋ ନଣନ୍ଦ ସୁମିତ୍ରାର ଶାଶୁଘରକୁ ଯାଇଥିଲୁ। ତା’ ଶାଶୁଘର ଗାଆଁର ପାଖ ଗାଆଁରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ବଡ଼ ଯାତ୍ରା ହୁଏ। ସେଇ ଯାତ୍ରା ଦେଖିବା ପାଇଁ। ସହରରେ ବଢ଼ିଥିବା ଝିଅଟିଏ ହିସାବରେ ଗାଆଁ ର ଯାତ୍ରା ବୁଲିବାକୁ ମୋ ମନରେ ବହୁତ ଆଗ୍ରହ ଥିଲା। ସେଥିପାଇଁ ସ୍ବାମୀ ସ୍ତ୍ରୀ ଦୁହେଁ ଅଫିସରୁ ଛୁଟି ନେଇ ପୂର୍ବ ଦିନ ସନ୍ଧ୍ୟାରୁ ହିଁ ଯାଇ ପହଞ୍ଚି ଯାଇଥିଲୁ ସୁମିର ଶାଶୁଘରେ। ସମସ୍ତଙ୍କ ସହ ଦେଖା ସାକ୍ଷାତ ହେଲା ଆଉ ହସଖୁସିରେ ସେଦିନ ରାତିଟା କଟିଗଲା।

ପରଦିନ ସକାଳୁ ସକାଳୁ ହିଁ ସମସ୍ତେ ମିଶି ବାହାରି ପଡିଥିଲୁ ଯାତ୍ରା ଦେଖି ଯିବାକୁ। ସୁମି ଏବଂ ମୁଁ ସମବୟସ୍କ। ସେଥିପାଇଁ ପହଞ୍ଚୁ ପହଞ୍ଚୁ ଦୁହେଁ ଛୋଟ ଝିଅଙ୍କ ଭଳି ହାତ ଧରା ଧରି ହେଇ ମେଳାରେ ବୁଲିବାକୁ ଲାଗିଲୁ। ସେଠାରେ ଅନେକ କିସମର ଦୋକାନ ସବୁ ଲାଗିଥାଏ। ଆମେ ଦୁହେଁ ଯାଇ ଗୋଟେ ଚୁଡ଼ି ଦୋକାନ ପାଖରେ ପହଞ୍ଚିଲୁ। ଦୋକାନରେ ରଙ୍ଗବିରଙ୍ଗୀ ଚୁଡ଼ି ସବୁ ସଜା ହୋଇ ରଖା ହୋଇଥାଏ। ମୁଁ ନିଜ ପାଇଁ ଆକାଶୀ ରଙ୍ଗର ଚୁଡ଼ି କିଣିଲି ଆଉ ସୁମି ନିଜ ପାଇଁ ସବୁଜ ରଙ୍ଗର। ସେ ଦୋକାନରୁ ମୋତେ ଗୋଟେ ହଳ କାନଫୁଲ ପସନ୍ଦ ଆସିଲା। ହେଲେ ସୁମିକୁ ଲାଗୁଥିଲା ଯେ ଦୋକାନ ବାଲା ଅଧିକ ଦର ଲଗାଉଛି। ବାସ, ଆରମ୍ଭ ହେଇଗଲା ଦର କଟା-କଟି।

ଠିକ୍ ଏତିକି ବେଳେ ହଠାତ୍ କେହି ଜଣେ ଆସି ମୋତେ ଆଣ୍ଠୁ ପାଖରୁ ଜୋର୍ ରେ ଭିଡ଼ି ଧରିଲା। ମୁଁ ଚମକି ପଡ଼ି ପଛକୁ ବୁଲି ଦେଖେ ତ ଫଟା ପୁରୁଣା ଡ୍ରେସ ପିନ୍ଧି ସାତ ଆଠ ବର୍ଷର ଛୋଟ ଝିଅଟିଏ ମୋତେ ଜୋରରେ ଭିଡ଼ି ଛିଡା ହୋଇଛି। ସେ ଉପରକୁ ମୁହଁ କରି ମୋ ଆଡକୁ ଚାହିଁଲା। କାନ୍ଦି କାନ୍ଦି ଆଖି ତାର ଲାଲ ହୋଇ ସାରିଥାଏ। ମଳିନ ଚେହେରାରେ ଶୁଖି ସାରିଥିବା ଲୁହର ଛିଟା। ତାର ଆଖି ଦୁଇଟି ଦେଖି ଲାଗୁଥିଲା ଜଣା ନାହିଁ କେତେ ଯେ ଦୁଃଖ ଲୁଚେଇ ରଖିଥିଲା ସେ ତାର ସେଇ ଆଖି ଦୁଇଟି ଭିତରେ। ମୁଁ ଟିକେ ନଇଁ ପଡ଼ି ତା ମଥାକୁ ଆଉଁଶି ଦେଇ ପଚାରିଲି ଯେ ସେ କଣ ମେଳାରେ ହଜି ଯାଇଛି କି ଆଉ ତା ବାପା ମାଙ୍କୁ ଖୋଜୁଛି କି? ହେଲେ କିଛି ବି ଉତ୍ତର ମିଳିଲାନି। ସେ ଚୁପଚାପ୍ ସେମିତି ଛିଡା ହୋଇଥାଏ।

ଠିକ୍ ସେତିକି ବେଳେ ଲୋକଟିଏ ଆସି ସେ ଝିଅର ହାତକୁ ଜୋର୍ ରେ ଭିଡ଼ି ଧରିଲା। ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି ଯେ ସେ କଣ ଏ ଝିଅର ବାପା କି ବୋଲି? ମାତ୍ର କୌଣସି ଉତ୍ତର ମିଳିଲା ନାହିଁ। ସେ ଲୋକ ମୋ ଆଡ଼କୁ ରାଗରେ ଥରେ ଚାହିଁଦେଇ ଛୋଟ ଝିଅଟିକୁ ଘୋଷାଡି ଘୋଷାଡି ଟାଣି ନେଇଗଲା। ଝିଅଟି ପଛକୁ ବୁଲି ବୁଲି ବାରମ୍ବାର ମୋ ଆଡ଼କୁ ସେମିତି ଚାହୁଁଥାଏ। ମୁଁ ସେଇଠି ନିଃସହାୟ ଭାବେ ଛିଡା ହେଇ ମେଳାର ଭିଡ଼ ଭିତରେ ହଜି ଯାଉଥିବା ସେଇ ମଣିଷ ଦୁଇଟିକୁ ଚୁପଚାପ୍ ସେମିତି ଚାହିଁ ରହିଲି। ମୋତେ ଏମିତି ଅବସ୍ଥାରେ ଦେଖି ସୁମୀ ମୋତେ କଣ ହେଇଛି ବୋଲି ପଚାରିଲା ଆଉ ସବୁ ଶୁଣି ସାରିଲା ପରେ କହିଲା ଯେ, “ଛାଡ଼ ଭାଉଜ, ଏଇଟା ପର ଗାଆଁ। ଆମେ ତ କାହାକୁ ଏଠି ଚିହ୍ନିନେ କି ଜାଣିନେ। ବେକାର ଝାମେଲାରେ କଣ ପାଇଁ ପଡ଼ିବା କହିଲ?” ମୁଁ ବି ସୁମୀ ଠିକ୍ କହୁଛି ବୋଲି ଭାବି ସେ ଘଟଣାକୁ ମୁଣ୍ଡରୁ ବାହାର କରିଦେବାକୁ ଚେଷ୍ଟା କଲି ଆଉ ଆମେ ଦୁହେଁ ମିଶି ପୁଣିଥରେ ମେଳାରେ ବୁଲିବାକୁ ଲାଗିଲୁ।

ଧିରେ ଧିରେ ଆମେ ସମସ୍ତେ ଏ କଥାକୁ ଭୁଲି ଗଲୁ। ବର୍ଷ ପରେ ବର୍ଷ ବିତି ଚାଲିଲା ଆଉ ଯିଏ ଯାହା ବାଟରେ ନିଜ ନିଜ ସଂସାର ଧରି ଆଗେଇ ଚାଲିଲେ। ହେଲେ କାଲି ସନ୍ଧ୍ୟାରେ ଘରକୁ ଫେରିଲା ବେଳେ ଦେଖିଲି ରାସ୍ତା କଡ଼ରେ ବସି ବୁଢ଼ା ଲୋକଟିଏ ଦେଶୀ ଆମ୍ବ, ପଣସ ଓ ଜାମୁକୋଳି ବିକୁଥାଏ। ଆଜିକାଲିର ଭେଜାଲ ଦୁନିଆରେ ଏଭଳି ଜିନିଷ ଆଉ କୋଉ ସହଜରେ ମିଳୁଛି? ସେଥି ପାଇଁ କାର ରଖେଇ ଦର ଦାମ ବୁଝୁ ବୁଝୁ କିଛି ଦୂରକୁ ଛାଡ଼ି ରାସ୍ତାର ଆର ପଟେ ଛିଡା ହୋଇଥିବା ଗୋଟିଏ କାର୍ ଉପରେ ନଜର ପଡିଲା। କାର ଭିତରେ ଲୋକଟିଏ ବସିଥାଏ। ବୟସ ୪୫ ରୁ ୫୦ ଭିତରେ ହେବ। ଆଉ କାର ଉପରେ ହାତ ରଖି ୧୬-୧୭ ବର୍ଷର ଝିଅଟିଏ ବାହାରେ ଛିଡା ହୋଇଥାଏ। ଝିଅଟି ଗାଢ଼ ନୀଳ ରଙ୍ଗର ଶାଢ଼ୀ ଓ ଗହୀର ଗଳାର ବ୍ଲାଉଜ ପିନ୍ଧିଥାଏ। ହାତରେ ଆକାଶି ରଙ୍ଗର ଚୁଡ଼ି, ଓଠରେ ଲାଲ ଲିପଷ୍ଟିକ ଆଉ ଗଭାରେ ଗଜରା ଲଗାଇ ଥାଏ। ସେ କାର ଭିତରେ ବସିଥିବା ଲୋକଠୁ କିଛି ଟଙ୍କା ନେଲା ଆଉ ତାକୁ ନିଜ ବ୍ଲାଉଜ ଭିତରେ ପସେଇ ଠିକ୍ କାର ଭିତରେ ବସିବାକୁ ଯାଉ ଯାଉ ଛିଡା ହୋଇ ମୋ ଆଡ଼କୁ ଚାହିଁଲା। ବୋଧ ହୁଏ ମୋତେ ତା ଆଡ଼କୁ ଦେଖୁଥିବାର ଦେଖି ନେଇଥିଲା ସେ। ତା ଚେହେରା ଟି ଟିକେ ଚିହ୍ନା ଚିହ୍ନା ଜଣା ପଡୁଥାଏ, ଯେମିତି ଆଗରୁ ତାକୁ କୋଉଠି ଦେଖିଛି। ଆଉ ତା ଆଖି? ତା ଆଖି ଦୁଇଟି ଦେଖି ଲାଗୁଥିଲା ଯେମିତି ଜଣା ନାହିଁ କେତେ ଯେ ଦୁଃଖ ଲୁଚେଇ ରଖିଥିଲା ସେ ତାର ସେଇ ଆଖି ଦୁଇଟି ଭିତରେ। ସେ କିଛି ସମୟ ଯାଏଁ ମୋ ଆଡ଼କୁ ଚାହିଁ ରହିଲା। ଆଉ ତା ପରେ ନିଜ ଚେହେରାରେ ଗୋଟେ କୃତ୍ରିମ ହସ ଖେଳାଇ କାର ଭିତରେ ବସିଗଲା। ମୁଁ ସେଇଠି ରାସ୍ତା କଡ଼ରେ ଛିଡା ହେଇ ସହରର ଭିଡ଼ ଭିତରେ ହଜି ଯାଉଥିବା କାରଟିକୁ ଆଉ କାର ଭିତରେ ଥିବା ମଣିଷ ଯୋଡିକୁ ଚୁପଚାପ୍ ସେମିତି ଚାହିଁ ରହିଲି।

ସ୍ନାତକୋତ୍ତର ଇଂରାଜୀ ବିଭାଗ, ରେଭେନ୍ସା ବିଶ୍ଵବିଦ୍ୟାଳୟ
ମୋବାଇଲ୍ ନମ୍ବର : ୬୩୭୨୦୫୫୨୦୭

Comments are closed.