Latest Odisha News

ମୋ ଗାଁର ପ୍ରାକୃତିକ ସୌନ୍ଦର୍ଯ୍ୟ ମତେ ସାହିତ୍ୟ-ମନସ୍କ କରାଇଲା : ପ୍ରଲିପ୍ତା ଛୋଟରାୟ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ଓଡ଼ିଆ ସାହିତ୍ୟ ପ୍ରତି ସେ ବାଲ୍ୟକାଳରୁ ସମର୍ପିତ ।

ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ପ୍ରଲିପ୍ତା ଛୋଟରାୟଙ୍କ ସହ ‘ସ୍ୱଳ୍ପ ଆଳାପ’

 

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ଜାଣିନି ପ୍ରଥମେ କେବେ ଓ କେମିତି ଆଗ୍ରହ ଆସିଥିଲା, ହୁଏ ତ ସେ ଛୋଟବେଳର ସ୍ମୃତି ପାଶୋରି ଯାଇଛି। ଏତିକି ମନେ ଅଛି ଯେ ୨୦୦୭-୨୦୦୮ ମସିହାରେ, ଗାଁରେ, ଖରାବେଳେ ଏକୁଟିଆ ବାଡିପଟ ପୋଖରୀ କୂଳେ ବସି ମନେ ମନେ ଗୁଣୁଗୁଣୁ ହେଇ ଯାହା ମନକୁ ଆସେ ଲେଖିଦିଏ। ଥରେ ଜଣେ ଗୁରୁମା, (ତାଙ୍କ ନାମ ସୂର୍ଯ୍ୟକାନ୍ତି ନାୟକ) କହିଥିଲେ, “ଯାହା ବି ଲେଖେ, ପାଦ ଗୁଡିକରେ ଶବ୍ଦ ସଂଖ୍ୟା ସମାନ ରଖିବାକୁ ଚେଷ୍ଟା କରିବୁ।” ବାସ୍ ଆଜି ଯାଏଁ ସେଇ କଥା ପଦକୁ ଭୁଲିନି। ହୁଏ ତ ମୋ ଗାଁ (କୁଶୁବେଣ୍ଟି) ର ପ୍ରାକୃତିକ ଶୋଭା , ଉଦୁଉଦିଆ ଖରା ବେଳେ ନିର୍ଜନ ରାସ୍ତାରେ ସେ ସୁନ୍ଦର ବାଇ ଚଢ଼େଇ ବସା, ଦିଗବଳୟ ବ୍ୟାପି ସବୁଜିମା ଆଉ ସ୍ଵର୍ଣ୍ଣଲେଖା ଧାନ କ୍ଷେତ, ନଡ଼ିଆ ଗଛ ଉହାଡରୁ ଉଠୁଥିବା ପହିଲି ସୂର୍ଯ୍ୟ କିରଣ ବୋଧହୁଏ ମତେ ବାଧ୍ୟ କରିଥିଲା ସେମାନଙ୍କୁ ଶବ୍ଦରେ ଆଙ୍କିବା ପାଇଁ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା?

୨୦୧୩ ମସିହା, ସେତେବେଳେ ମୁଁ କୋଣାର୍କ ନବୋଦୟର ଅଷ୍ଟମ ଶ୍ରେଣୀର ଛାତ୍ରୀ। ସ୍କୁଲ ପତ୍ରିକା ପାଇଁ ଏକ ଛୋଟ କବିତା ଲେଖିଥିଲି ଯାହାର ଶୀର୍ଷକ ଥିଲା “କୋଣାର୍କ”। ତାହାକୁ ମୁଁ ମୋର ପ୍ରଥମ ପ୍ରକାଶନ ବୋଲି ଗଣେ। ଓଡ଼ିଆ ଗୁରୂଜି (ପ୍ରଦୀପ କୁମାର ଭୂୟାଁ) ବହୁତ୍ ଖୁସି ହୋଇଥିଲେ ଆଉ ସାଙ୍ଗମାନେ ବିଶ୍ୱାସ କରି ନଥିଲେ କି ସେଇଟା ମୋ ନିଜ ଲେଖା ବୋଲି। ପରେ ଅଧିକ ଲେଖିବାକୁ ଇଚ୍ଛା ହେଲା। ସ୍କୁଲରେ ବିଭିନ୍ନ ସ୍ୱରଚନାର ପ୍ରତିଯୋଗିତାରେ ଅଂଶଗ୍ରହଣ କଲି। ଲେଖିବା ଜାରି ରହିଥିଲା। ଏବେ ପଢାପଢି ବଢିବା ସହ ସାହିତ୍ୟ ସହ ସମୟ କିଛି ପରିମାଣରେ କମିଯାଇଛି । କିନ୍ତୁ ତାର ସ୍ୱର ସବୁବେଳେ ହୃଦୟରେ ଝଙ୍କୃତ ହେଉଛି ।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ଯେଉଁ ପ୍ରକାର ଲେଖା ସେ ସମ୍ବନ୍ଧୀୟ ବାର୍ତ୍ତା। କେବେ ନାରୀର ସମ୍ମାନ, କେବେ ଜୀବନ ସଂଗ୍ରାମ ପାଇଁ ଆହ୍ବାନ, ପୁଣି କେବେ ଧରଣୀ ମାର ସୌନ୍ଦର୍ଯ୍ୟ ବର୍ଣ୍ଣାଳୀର ଉପସ୍ଥାପନା , କେବେ ହୃଦୟର କୋହ, କେବେ ମାଟିର ମୋହ ; ଏସବୁକୁ ନେଇ ହିଁ ମୋର ରଚନା । ବାର୍ତ୍ତା ମଧ୍ୟ ସେହିପରି ।

 

ତାଙ୍କ ରଚନାରୁ କବିତା :  ହୁଏତ ସ୍ୱାଭାବିକ !!

ନିଶିଥିନି କୋଳେ ସେ ନିର୍ଜନ ପଥେ,
କ୍ଷୀଣ ଆଲୋକର ଆଶ୍ରା,
ଖଦ୍ୟୋତର ଜୁଳୁଜୁଳୁ ଆଲୁଅରେ,
ଦୁଇ ପାଦ ଚାଲୁ ଚାଲୁ,
ଝୁଣ୍ଟିଯିବା, ପାଦରେ କଣ୍ଟା ଫୁଟିଯିବା,
ଆଃ ! ପଦେ କହିଲା ବେଳେ,
ଦୁଇ ବୁନ୍ଦା ରକ୍ତ ସହ,
ଦୁଇ ଟୋପା ଲୁହ ଝରିଯିବା,
ହୁଏତ ସ୍ଵାଭାବିକ !

କୁମୁଦେ ରାଗିଣୀ ବରଷିବା ଆଶେ,
ରୂପେଲି ଚାଦର ଓଢି,
ସୁକୁମାର ଶଶୀ ସୁଦୂର ଗଗନେ,
ପ୍ରୀତି ପାର୍ବଣରେ ଭିଜି,
ଲାଜର ସମ୍ଭାର ପାର କରି ଧୀରେ,
” କୁମୁଦିନୀ ଗୋ “- ବୋଲି,
କହିବା ସମୟରେ,
ନିଷ୍ଠୁର ବାଦଲ ଆଢ଼ୁଆଳେ
ଢାଙ୍କି ହୋଇଯିବା,
ହୁଏତ ସ୍ଵାଭାବିକ !

ଶିଶିର ସ୍ପର୍ଶରେ ପାଖୁଡ଼ାଏ ଖୋଲି,
ମହକ ଚହଟେ ମଲ୍ଲୀ,
ଶେଫାଳୀ; ତରୁଣୀ ଗଭା ଚୂଡ଼ାମଣି,
ମୃଦୁ ହାସ୍ୟ ଦିଏ ମେଲି,
ପ୍ରୀତି ଗାମ୍ଭିର୍ଯ୍ୟର କୋମଳ ପରଶେ,
ଲୀନ-ପ୍ରଲୀନ ରାତି,
ଅନାୟାସେ ପାହିଯାଇ କ୍ଷଣେ,
ସୁନୀଳ ସକାଳ-
ଉଇଁବା, ସ୍ଵାଭାବିକ !!

 

Leave A Reply

Your email address will not be published.