Latest Odisha News

BREAKING NEWS

ଭାରତ-ନେପାଳ ସୀମା ବିବାଦର ଅସଲ କାହାଣୀ

ନୂଆଦିଲ୍ଲୀ: ଭାରତ ଏବଂ ନେପାଳ ମଧ୍ୟରେ ଦୀର୍ଘ ଦିନରୁ ଚାଲିଆସୁଥିବା ସୀମା ବିବାଦ ଏବେ ପୁଣି ଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ନେପାଳ ସଂସଦରେ ପ୍ରଧାନମନ୍ତ୍ରୀ ବାଲେନ ଶାହାଙ୍କ ଏକ ବୟାନ ଉଭୟ ଦେଶ ମଧ୍ୟରେ ରାଜନୈତିକ ଏବଂ କୂଟନୀତିକ ମହଲରେ ଝଡ଼ ସୃଷ୍ଟି କରିଛି। ବିଶେଷ କରି କଳାପାଣି, ଲିପୁଲେଖ ଏବଂ ଲିମ୍ପିୟାଧୁରା ଅଞ୍ଚଳକୁ ନେଇ ଚାଲିଥିବା ଏହି ବିବାଦରେ ବ୍ରିଟେନର ଭୂମିକାକୁ ଟାଣିବା ଏକ ନୂଆ ବିତର୍କର କାରଣ ସାଜିଛି।

ଭାରତ ଏବଂ ନେପାଳ ସୀମା ବିବାଦର ଚେର ଆଜିର ନୁହେଁ, ବରଂ ଇତିହାସର ପୃଷ୍ଠା ସହ ଜଡ଼ିତ। ନେପାଳର ଦାବି ଅନୁଯାୟୀ, ଏହି ବିବାଦର ମୂଳ କାରଣ ହେଉଛି ୧୮୧୬ ମସିହାରେ ହୋଇଥିବା ଐତିହାସିକ ‘ସୁଗୌଲି ସନ୍ଧି’ (Sugauli Treaty)। ଏଙ୍ଗଲୋ-ନେପାଳ ଯୁଦ୍ଧ ପରେ ନେପାଳ ଏବଂ ବ୍ରିଟିଶ୍ ଇଷ୍ଟ ଇଣ୍ଡିଆ କମ୍ପାନୀ ମଧ୍ୟରେ ଏହି ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା।

ଏହି ସନ୍ଧି ଅନୁସାରେ ‘ମହାକାଳୀ ନଦୀ’କୁ ଦୁଇ ଦେଶ ମଧ୍ୟରେ ସୀମା ବୋଲି ଗ୍ରହଣ କରାଯାଇଥିଲା। କିନ୍ତୁ ସମସ୍ୟା ହେଉଛି, ଏହି ନଦୀର ପ୍ରକୃତ ଉତ୍ପତ୍ତି ସ୍ଥଳ କେଉଁଠି, ତାହାକୁ ନେଇ ଦୁଇ ଦେଶର ଭିନ୍ନ ଭିନ୍ନ ମତ ରହିଛି। ନେପାଳର ଦାବି ହେଉଛି, ଲିମ୍ପିୟାଧୁରା ଅଞ୍ଚଳ ହିଁ ମହାକାଳୀ ନଦୀର ମୂଳ ଉତ୍ସ। ତେଣୁ କଳାପାଣି ଏବଂ ଲିପୁଲେଖ ନେପାଳର ଅଂଶ।

ଭାରତର ଆଭିମୁଖ୍ୟ ହେଉଛି ଏହି ସମସ୍ତ ଅଞ୍ଚଳ ଐତିହାସିକ ଭାବେ ଉତ୍ତରାଖଣ୍ଡର ଅଂଶ ଏବଂ ଦୀର୍ଘ ସମୟ ଧରି ଏଠାରେ ଭାରତୀୟ ପ୍ରଶାସନ ହିଁ କାର୍ଯ୍ୟ କରୁଛି।

ଏହି ସୀମା ବିବାଦକୁ ନେଇ ନୂଆଦିଲ୍ଲୀର ଆଭିମୁଖ୍ୟ ସଦାସର୍ବଦା ସ୍ପଷ୍ଟ ରହିଛି। ଭାରତ କ୍ରମାଗତ ଭାବେ କହିଆସୁଛି ଯେ ଏହା ସମ୍ପୂର୍ଣ୍ଣ ଭାବେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ। ଏଥିରେ କୌଣସି ତୃତୀୟ ପକ୍ଷ ବା ଦେଶର ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ। ସୀମା ବିବାଦର ସମାଧାନ କେବଳ ଦୁଇ ଦେଶ ମଧ୍ୟରେ ସିଧାସଳଖ ଆଲୋଚନା ଏବଂ ବୈଷୟିକ ସ୍ତରୀୟ ବାର୍ତ୍ତା ଜରିଆରେ ହିଁ ସମ୍ଭବ ବୋଲି ଭାରତ ବିଶ୍ୱାସ କରେ।

ଅନ୍ୟପଟେ ନେପାଳ ପ୍ରଧାନମନ୍ତ୍ରୀ ବାଲେନ ଶାହାଙ୍କ ଆଉ ଏକ ବୟାନ ନେପାଳ ରାଜନୀତିରେ ହଲଚଲ ସୃଷ୍ଟି କରିଛି। ସେ କହିଛନ୍ତି ଯେ, କେବଳ ଭାରତ ନୁହେଁ, ବରଂ ନେପାଳ ମଧ୍ୟ କିଛି ସ୍ଥାନରେ ଭାରତୀୟ ଜମିକୁ ନିଜ କବ୍ଜାରେ ରଖିଛି। ଏହି ବୟାନ ପରେ ନେପାଳ ବୈଦେଶିକ ମନ୍ତ୍ରାଳୟକୁ ସଫେଇ ଦେବାକୁ ପଡ଼ିଛି ଯେ ଏହା ସ୍ଥାନୀୟ ସ୍ତରର ସମସ୍ୟା, ମୂଳ ସୀମା ବିବାଦ ନୁହେଁ।

ଏସବୁ ସତ୍ତ୍ୱେ ନେପାଳ ଭିତରେ ଏହି ପ୍ରସଙ୍ଗ ଏବେ ଚରମ ରାଜନୈତିକ ବିତର୍କର ରୂପ ନେଇଛି। ବିଶେଷଜ୍ଞଙ୍କ ମତରେ, କେବଳ ପୁରୁଣା ଐତିହାସିକ ଦସ୍ତାବିଜ୍, ସର୍ଭେ ରେକର୍ଡ ଏବଂ ଆପୋଷ ଆଲୋଚନା ମାଧ୍ୟମରେ ହିଁ ଏହି ଦୀର୍ଘ ଦିନର ସୀମା ବିବାଦର ଏକ ସ୍ଥାୟୀ ସମାଧାନ ବାହାରିପାରିବ।

 

Leave A Reply

Your email address will not be published.