Latest Odisha News

ସମାଜ ପ୍ରତି ଥିବା ଅନୁସନ୍ଧିତ୍ସାପଣ ହିଁ ସ୍ରଷ୍ଟାର ସୃଷ୍ଟିକୁ କାଳଜୟୀ କରିଥାଏ : ବିଭୁତି ପଣ୍ଡା

ସମକାଳୀନ ଓଡ଼ିଆ ସାହିତ୍ୟରେ ଏକ ଶ୍ରସଦ୍ଧ ଉଚ୍ଚାରଣ ‘ବିଭୁତି ପଣ୍ଡା’ । ତାଙ୍କର ପ୍ରତ୍ୟେକ ସୃଷ୍ଟିରେ ଥାଏ ଅନେକ ସାହିତ୍ୟର ଅନେକ ଅନାଲୋଚିତ ଦିଗ ଓ ପୁଣି ତାର ଆଲୋଚନା । କବିତା ଓ ଗଳ୍ପରୁ ତାଙ୍କ ସାହିତ୍ୟିକ ଜୀବନ ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବନ୍ଧ ରଚନାରେ ସେ ସିଦ୍ଧହସ୍ତ । ପ୍ରବନ୍ଧର ଗୂଢତତ୍ତ୍ୱ ସହ ଉପନ୍ୟାସର କଳେବର, ତାଙ୍କର ସମଗ୍ର ସୃଷ୍ଟି , ବିପୁଳ ଭାବରେ ପାଠକଙ୍କ ଦ୍ୱାରା ଆଦୃତ । ଜଣେ ଛାତ୍ରବତ୍ସଳ ଅଧ୍ୟାପକ ଭାବରେ ମଧ୍ୟ ସେ ପରିଚିତ।

ବୋହି ଯା’ରେ ଜୀବନ, ଭୀମ ଭୋଇ : ଭୂମି ଓ ବିଭା , ଭୂମାନ୍ୱେଷୀ , ଭାନୁମତୀପୁରରୁ ଭାରତ ବର୍ଷ, ସୁରେନ୍ଦ୍ର ଗଳ୍ପବୀକ୍ଷା ପ୍ରଭୃତି ପୁସ୍ତକ ସହ ଆହୁରି ଅନେକ କାଳଜୟୀ ସୃଷ୍ଟିର ସେ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ସାହିତ୍ୟିକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ।

ଲେଖକ ବିଭୁତି ପଣ୍ଡାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’

କବିତା, ଗଳ୍ପ ସହ ପ୍ରବନ୍ଧର ବିଶ୍ଳେଷଣ ପ୍ରତି କେମିତି ଆକୃଷ୍ଟ ହେଲେ ?

ସୃଷ୍ଟିଶୀଳ ଜୀବନ ଅନେକଙ୍କ କ୍ଷେତ୍ରରେ କବିତା ରଚନା ମାଧ୍ୟମରେ ଆରମ୍ଭ ହୋଇଥାଏ। କୁହାଯାଏ ଭାବର ସ୍ଵତଃସ୍ପୃତ ପରିପ୍ରକାଶ ହେଉଛି କବିତା, ମାତ୍ର ଗଦ୍ଯରେ ରୂପାୟନ ହେଉଥିବା ସାହିତ୍ଯର ବିଭିନ୍ନ ବିଭାଗ ଯୁକ୍ତିସଙ୍ଗତ ହୋଇଥାଏ ।ଅନେକ ସ୍ରଷ୍ଟାଙ୍କ ସୃଷ୍ଟି କବିତାରୁ ଆରମ୍ଭ ହୁଏ ମାତ୍ର ସେମାନଙ୍କ ରଚନା ସାଙ୍କେତିକ ନ ହୋଇ ବର୍ଣ୍ଣନାଧର୍ମୀ ହୋଇଯାଏ ।ଫଳରେ ସେମାନେ ଉପଯୁକ୍ତ ପରାମର୍ଶ କ୍ରମେ ସାହିତ୍ଯର ଅନ୍ଯ ବିଭାଗରେ ହାତ ଦିଅନ୍ତି । ଏକଦା ଅତୀତରେ ମୋର ଗୁରୁ ବିଶିଷ୍ଟ କବି ତଥା ସମାଲୋଚକ ସ୍ବର୍ଗତ ଚିନ୍ତାମଣି ବେହେରାଙ୍କ ପରାମର୍ଶ ପାଇ ଗପ ଲେଖିବା ଆରମ୍ଭ କରିଥିଲି । ଓଡ଼ିଆ ସାହିତ୍ଯର ସ୍ନାତକ ତଥା ଉପଧ୍ଯୁତ୍ତର ଶ୍ରେଣୀର ଛାତ୍ର ଥିବା କାରଣରୁ କିଛି ସାହିତ୍ଯ ସମାଲୋଚନାମୂଳକ ପ୍ରବନ୍ଧ ମଧ୍ଯ ଲେଖିଥିଲି । ମାତ୍ର ସତୁରୀ ଦଶକରେ ମୋ ସୃଷ୍ଟିଶୀଳ ଜୀବନରେ ପାଇଥିବା ଯୁବଗାଳ୍ପିକର ପରିଚୟ ଟି ହଠାତ୍ ୧୯୭୫ ରେ ମୋ ଲେଖନୀ ନୀରବି ଯିବାରୁ ନିଖୋଜ ହୋଇ ଯାଇଥିଲା । ପରବର୍ତ୍ତୀ ସମୟରେ ଅଧ୍ୟାପକ ଭାବରେ ଯୋଗଦାନ କରିଥିବା ହେତୁ ମୋର ଶିକ୍ଷାଗୁରୁ ବାଳକୃଷ୍ଣ ଶତପଥୀଙ୍କ ତତ୍ତ୍ବାବଧାନ ରେ ” ଓଡିଆ କ୍ଷୁଦ୍ରଗଳ୍ପ ଓ ସୁରେନ୍ଦ୍ର ମହାନ୍ତି ” ଶୀର୍ଷକରେ ନିବନ୍ଧ ରଚନା କରି ୧୯୮୭ ମସିହାରେ ସମ୍ପୂର୍ଣ୍ଣ କରିଥିଲି । ସେହି ନିବନ୍ଧର କିଛି ଅଂଶ ” ସୁରେନ୍ଦ୍ର ଗଳ୍ପବୀକ୍ଷା” ପୁସ୍ତକ ଭାବରେ ପ୍ରକାଶିତ ହୋଇଥିଲା ।

ଓଡ଼ିଆ ଭାଷାର ପ୍ରାଧ୍ୟାପକ ଭାବରେ ଆପଣଙ୍କ ବୃତ୍ତି, ଆପଣଙ୍କ ସୃଷ୍ଟିକୁ କେତେ ପ୍ରଭାବିତ କରିଛି ବୋଲି ଆପଣ କହିବେ ?

ଅଧ୍ୟାପନା ବୃତ୍ତିରେ ନିୟୋଜିତ ହୋଇଥିବା ହେତୁ ମୋ ସୃଷ୍ଟିଶୀଳ ଜୀବନର ଶବ୍ଦ ଝର ବାଚିକରୂପ ଗ୍ରହଣ କରି ରୂପ ପାଇଚାଲିଥିଲେ ବି କିଛି ପାଇ ହରାଇବାର ହତାଶା , ଜୀବନଜୀଇଁବାର ସଙ୍ଘର୍ଷ ଆଦି କାରଣରୁ ମୋ ଲେଖନୀ ରୁ ୧୯୭୬ ର ପରବର୍ତ୍ତୀ ସମୟରେ କୌଣସି ଗଳ୍ପ ସୃଷ୍ଟି ହୋଇନଥିଲା । ମାତ୍ର ବୃତ୍ତିଗତ ଜୀବନରୁ ଅବସର ଗ୍ରହଣ ର ଅନେକ ବର୍ଷ ପର ସୁପ୍ତଆଗ୍ନେୟ ଗିରି ସଦୃଶ ରହିଥିବା ସୃଜନଶୀଳତା ହଠାତ୍ ଜାଗିଉଠି ଯେଉଁ ଶବ୍ଦରାଜିର ଲାଭା ଉଦ୍ଗୀରଣ କରିଥିଲା ତାରି ଫଳରେ ରୂପପାଇପାରିଥିଲା ” ମୁଁ ବେଲାଳସେନ ” ଉପନ୍ୟାସ ( ୨୦୧୭ ) । ତା ପର ପର କ୍ରମାନୁସାରେ ରଚିତ ଉପନ୍ୟାସ ସବୁରେ ମୋ ବୃତ୍ତିଗତ ଜୀବନର ଅନୁଭବ ସବୁର ପ୍ରଭାବ ରହିଛି କଥାଟିକୁ ଅସ୍ବୀକାର କରି ହେବ ନାହିଁ ।

ନୂତନ ପୀଢୀର ଲେଖକମାନେ ପ୍ରବନ୍ଧ ପ୍ରତି ବିଶେଷ ଆଗ୍ରହ ଦେଖାଉ ନାହାନ୍ତି ସେ କ୍ଷେତ୍ରରେ ବରିଷ୍ଟ ପ୍ରାବନ୍ଧିକ ମାନଙ୍କର ଭୂମିକା କ’ଣ ହେବା ଉଚିତ ?

– କବିତା ହେଉଛି ଭାବର ସ୍ଵତଃସ୍ପୃତ ପରିପ୍ରକାଶ। ଏକ ନିର୍ଦ୍ଦିଷ୍ଟ ପରିବେଶ ତଥା କାଳଖଣ୍ଡର କଥାନକକୁ ଭୋଗିଥିବା ଚରିତ୍ରଙ୍କ ଆଶ୍ରୟରେ ଗଳ୍ପ ଉପନ୍ୟାସ ସୃଷ୍ଟି ସମ୍ଭବ ହୋଇଥାଏ । ସାମାଜିକ , ରାଜନୈତିକ, ଅର୍ଥନୈତିକ, ବୈଜ୍ଞାନିକ, ଦାର୍ଶନିକ ଆଦିର ତତ୍ତ୍ବ ତଥା ସେସବୁ କ୍ଷେତ୍ରରେ ଘଟିଚାଲିଥିବା ପରିବର୍ତ୍ତନର ରୂପସବୁ ନେଇ ଯୁକ୍ତିସଙ୍ଗତ ଚିନ୍ତା ଓ ଚେତନାର ତାତ୍ତ୍ଵିକ ତର୍ଜମା ସାହାଯ୍ଯରେ ପ୍ରବନ୍ଧ ରଚିତ ହୋଇଥାଏ । ଓଡ଼ିଆ ଗଦ୍ଯ ସାହିତ୍ଯର ବିକାଶ ଧାରାକୁ ଲକ୍ଷ୍ଯ କଲେ ପ୍ରାୟତଃ ସବୁ ସମୟରେ ପ୍ରାବନ୍ଧିକଙ୍କ ସଂଖ୍ୟା ସୀମିତ। ସମସାମୟିକ କାଳ ଖଣ୍ଡରେ ମଧ୍ଯ ପ୍ରାବନ୍ଧିକ ଅଳ୍ପ ହେଲେ ବି ପ୍ରବନ୍ଧ ଓ ସମାଲୋଚନା ପୁସ୍ତକ ପାଇଁ ଯୁବ ସାହିତ୍ୟିକମାନେ ପୁରସ୍କୃତ ହେଉଛନ୍ତି , ତେଣୁ ଆମେ ପ୍ରବନ୍ଧ ଓ ପ୍ରାବନ୍ଧିକଙ୍କୁ ନେଇ ଆଶାବାଦୀ ରହିବା ଉଚିତ ।

ଭୀମ ଭୋଇଙ୍କ ଜୀବନୀକୁ ନେଇ ଆପଣ ଲେଖିଥିବା ‘ଭୂମାନ୍ୱେଷୀ’ ଉପନ୍ୟାସ ଓଡ଼ିଆ ସାହିତ୍ୟ ପାଇଁ ଏକ ଅମୁଲ୍ୟ ଉପହାର । ତେବେ ସେ ଉପନ୍ୟାସ ପାଇଁ ଆପଣ କିପରି ଭାବରେ ପ୍ରସ୍ତୁତି କରିଥିଲେ ?

ଓଡିଆ ଭାଷା ସାହିତ୍ଯ ଅଧ୍ଯୟନ ସମୟରେ କବି ଭୀମଭୋଇଙ୍କ ରଚନା ପ୍ରତି ଆକର୍ଷିତ ହୋଇ ” ରହସ୍ଯବାଦୀ କବି ଭୀମଭୋଇ ” ଓ ” ଭୀମଭୋଇଙ୍କ କବିତ୍ବ ” ଶୀର୍ଷକ ଯେଉଁ ସମାଲୋଚନା ଲେଖିଥିଲି ,ତାହା ଅନେକଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲା । ପରବର୍ତ୍ତୀ ସମୟରେ ମୋ ଗବେଷଣା ଦିଗଟି ପରିବର୍ତ୍ତନ ହୋଇଯିବା କାରଣରୁ ବିଶେଷ କିଛି ତାଙ୍କ ସମ୍ପର୍କରେ ଲେଖିପାରିନଥିଲି। ୨୦୧୯ ମସିହାରେ ରାଉରକେଲା ସ୍ଥିତ ଗୋପବନ୍ଧୁ ପାଠାଗାର ଓ ପଶ୍ଚିମ ଓଡିଶା ସାଂସ୍କୃତିକ ସମାଜର ମିଳିତ ଆନୁକୂଲ୍ଯରେ ” ଭୀମଭୋଇ ଜୟନ୍ତୀ ” ପାଳନ କରାଯାଇଥିଲା। ସେହି ସଭାରେ ମୁଖ୍ଯ ଅତିଥି ଭାବରେ ଯୋଗଦାନ କରିଥିବା ଅବସରରେ ଯାହା କହିଥିଲି ତାର ସାରମର୍ମ ଥିଲାଯେ, ଏକଦା କେବଳ ମହିମାଧର୍ମାବଲମ୍ବୀଙ୍କ ପାଖରେ ପରିଚିତି ପାଇଥିବା କବି ଭୀମଭୋଇଙ୍କ ପରିଚୟଟି ସୀମିତ ପରିସରଭୁକ୍ତ ହୋଇ ନରହି ସମୟର ଅଗ୍ରଗତି ସହିତ ସାଧାରଣ ଜନତାଙ୍କଠାରୁ ରାଜନେତା ତଥା ଓଡ଼ିଆ ସାହିତ୍ଯର ଗବେଷକମାନଙ୍କ ସହ ବିଦେଶୀ ଗବେଷକଙ୍କ ପର୍ଯ୍ୟନ୍ତ ପରିବ୍ୟାପ୍ତ ହେବାସହ ତାଙ୍କର ପରିଚୟ ଓ ପ୍ରତିଷ୍ଠାକୁ ବହୁଗୁଣିତ କରିଛି ସେ କଥାରେ କୌଣସି ପ୍ରକାର ସଂଶୟ ନାହିଁ ।ତଥାପି ତାଙ୍କ ଜୀବନ ଓ କୃତି ସମ୍ପର୍କରେ ଅନେକ ବାଦାନୁବାଦ ରହିଥିବା ଦେଖଯାଏ। ପୁଣି ତାଙ୍କ ଜୀବନର ଅନେକ ଘଟଣା ରହସ୍ଯମୟ ହୋଇ ରହିଥିବା ଦେଖଯାଏ। । ମୋ ବକ୍ତବ୍ଯ ପରେ ଶ୍ରୋତାଙ୍କ ପ୍ରଶ୍ନ ସବୁ ଶୁଣି ମନେ ହୋଇଥିଲାଯେ କବିଙ୍କ ସମ୍ପର୍କରେ ଏକ ସ୍ପଷ୍ଟ ଚିତ୍ର ପାଇବା ପାଇଁ ଅନେକ ଆଗ୍ରହୀ ରହିଛନ୍ତି । ସେମାନଙ୍କ ଉତ୍କଣ୍ଠା ହିଁ ମୋତେ ପ୍ରେରିତ କରିଥିଲା ଛାଇଆଲୁଅରେ ଛନ୍ଦାଛନ୍ଦି କବି ଭୀମଭୋଇଙ୍କ ଜୀବନ ଚିତ୍ରକୁ ଦିବାଲୋକ ସ୍ବରୂପ ସ୍ପଷ୍ଟ ଭାବରେ ଉପସ୍ଥାପନ ପାଇଁ ଏକ ଚରିତ୍ର ଉପନ୍ୟାସ ରଚନା କରିବାର ଆବଶ୍ୟକତା ରହିଛି । ସେହି ଘଟଣା ପର କବି ଭୀମଭୋଇଙ୍କ ସୃଷ୍ଟି ସମ୍ଭାର ସବୁର ଅଧ୍ଯୟନ, ସେ ସମ୍ପର୍କିତ ଥିବା କ୍ଷେତ୍ର ସବୁ ଭ୍ରମଣ ଓ ତାଙ୍କ ସମ୍ପର୍କରେ ରଚିତ ଆଲୋଚନା ସବୁ ଅଧ୍ଯୟନ ମାଧ୍ୟମରେ ଭିନ୍ନ ଭିନ୍ନ ତଥ୍ଯ ସଂଗ୍ରହ ପୂର୍ବକ ଉପନ୍ୟାସର କଥାନକ ନିର୍ମାଣ ଓ ତାହାର ରୂପାୟନ ପାଇଁ ଆଗଭର ହୋଇଥିଲି । ଦୀର୍ଘ ତିନିବର୍ଷର ପ୍ରଚେଷ୍ଟାର ଫଳଶ୍ରୁତି ହେଉଛି ” ଭୂମାନ୍ବେଷୀ” ଚରିତ ଉପନ୍ୟାସ ସହ ସମାଲୋଚନା ପୁସ୍ତକ ” ଭୀମଭୋଇ : ଭୂମି ଓ ବିଭା ” । ଏହି ପୁସ୍ତକ ଦ୍ବୟର ପ୍ରଛଦପଟ ମୋ ପୁଅ ଅବୀକ୍ଷିତ ପଣ୍ଡାଙ୍କ ଦ୍ବାରା ସୃଷ୍ଟ। ତଥା ପୁସ୍ତକ ଦ୍ବୟର ସୃଷ୍ଟି ଅନ୍ତରାଳରେ ରହିଛି ମୋର ପରିବାରର ସଦସ୍ଯ ତଥା ଅନେକ ଗୁରୁଜନ ଓ ସୁହୃଦଙ୍କ ଅକୁଣ୍ଠ ସହାୟତା । ତେଣୁ ସେ ସମସ୍ତଙ୍କ ଅବଦାନ ଭୁଲିବାର ନୁହଁ ସେଥିପାଇଁ ସେ ସମସ୍ତଙ୍କ କଥା ପୁସ୍ତକରେ ସବିସ୍ତାର ଉଲ୍ଲେଖ କରିଥିଲେ ବି ଏଠି ସୂଚିତ କରିବା ଆବଶ୍ୟକ ବୋଲି ଉପଲବ୍ଧି କଲି ।

ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?

ସାଧନା ପାଇଁ ସମ୍ମାନର ଆବଶ୍ଯକତା ରହିଛି , ମାତ୍ର ଅତୀତ ସମୟରେ କବି ଦୀନକୃଷ୍ଣଙ୍କ ଅଭିମାନ ମଧ୍ଯ ଦେଇ ଅଧୁନା ସମୟର ସାହିତ୍ଯ ମହାଭାର ର କିଛି ଦୃଶ୍ଯ ର ଅବତାରଣା ଲକ୍ଷ୍ଯ କଲେ ସହୃଦୟ ପାଠକର ମନ୍ତବ୍ଯ ହିଁ ସ୍ରଷ୍ଟା ଉପଯୁକ୍ତ ସମ୍ମାନ ଭାବରେ ଗ୍ରହଣ କରିବା ଉଚିତ ବୋଲି କହିବାକୁ ହେଉଛି । ସେହି ସମ୍ମାନ ହିଁ ଶ୍ରେଷ୍ଠ ।

ସବୁ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ, କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ମୋ ସୃଷ୍ଟ ଉପନ୍ୟାସର ବୈଶିଷ୍ଟ୍ଯ ହେଉଛି ଇତିହାସ ପୁରାଣ ଲୋକକଥାର ମିଥକୁ ଆଧୁନିକ ଜୀବନ ଓ ଘଟଣା ସହ ସାମଞ୍ଜସ୍ଯ ଆଣି କଥା ପରସିବା ତଥା ଦୋଷ ତ୍ରୁଟିକୁ ଦୀର୍ଘବାକ୍ଯ ସାହାଯ୍ଯରେ ଚରିତ୍ରର ଚେତନାର ପ୍ରବାହ କୁ ପୁଙ୍ଖାନୁପୁଙ୍ଖ ଭାବରେ ବିଶ୍ଳେଷଣ ଜନିତ ବର୍ଣ୍ଣନା । ଅବଶ୍ଯ ପ୍ରଥମ ଉପନ୍ୟାସ ପର ପର ରଚନାରେ ସେଭଳି ତୃଟିରେ ସୂଧାର ଆଣିବା ପାଇଁ ମୁଁ ସଚେତନ ।

ଭାଷା ସାହିତ୍ୟର ଉନ୍ନତି ଦିଗରେ ଆମେ କିପରି ଯତ୍ନବାନ ହେବ ଆବଶ୍ୟକ ?

ଆମ ସାହିତ୍ୟର ବିଶିଷ୍ଟ କୃତି ସବୁର ବିଭିନ୍ନ ଭାଷାରେ ଅନୁବାଦ, ଢଗଢମାଳି ପ୍ରବଚନ ଆଦିର ବୈଶିଷ୍ଟ୍ଯକୁ ସଚେତନ ଭାବରେ ପ୍ରୟୋଗ , ଇଲେକ୍ଟ୍ରୋନିକ୍ସ ତଥା ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କଥନ କାଳରେ ଇଂରାଜୀ ହିନ୍ଦୀ ସମ୍ମିଶ୍ରିତ ଓଡ଼ିଆ ଭାଷାର ବ୍ଯବହାରକୁ ବର୍ଜନ କରିବାର ଆବଶ୍ଯକତା ରହିଛି । ଓଡ଼ିଆ ଭାଷାର ବ୍ୟବହାର ଓଡ଼ିଶାର ସମସ୍ତ କାର୍ଯ୍ୟାଳୟ ତଥା ବ୍ଯବସାୟୀକ କ୍ଷେତ୍ରରେ ହେବ ସେଥିପ୍ରତି ସଚେତନ ହେବା ଆବଶ୍ୟକ ।

ଜଣେ ଲେଖକର ସାମାଜିକ ଦାୟିତ୍ୱବୋଧ କିପରି ହେବା ଆବଶ୍ୟକ ?

ସାହିତ୍ଯର ସମସ୍ତ ବିଭାଗରେ ସମାଜ ପ୍ରତି ପ୍ରତିବଦ୍ଧତା ରହିବାର ଆବଶ୍ୟକତା ସମ୍ପର୍କରେ ବିଚାର କଲେ ଲେଖକର ସମାଜ ପ୍ରତି ସବୁ ସମୟରେ ସଚେତନ ଭାବଟିଏ ରହି ଆସିଛି ଏ କଥାଟି ପ୍ରମାଣିତ। ଚର୍ଯାପଦରେ ତାହାର ସମକାଳୀନ କାଳଖଣ୍ଡର ଚିତ୍ର ରହିଥିବା ସମୟରେ ସାରଳା ଦାସଙ୍କ ରଚନାରେ ଦେଖାଯାଏ କପିଳେନ୍ଦ୍ର ଦେବଙ୍କ ଶାସନ ସମୟର ସାମାଜିକ ଦୃଶ୍ଯ ଅନୁରୂପ ଭାବରେ ଫକୀରମୋହନ ଓ ଭୀମଭୋଇଙ୍କ ରଚନାରେ ଉନବିଂଶ ଶତାବ୍ଦୀର ଓଡ଼ିଶାର ଚିତ୍ର ଅନୁଭୂତ ହୋଇଥାଏ । ସମାଜ ପ୍ରତି ଥିବା ଅନୁସନ୍ଧିତ୍ସା ପଣ ହିଁ ସ୍ରଷ୍ଟାର ସୃଷ୍ଟିକୁ କାଳଜୟୀ କରିଥାଏ ।

ସମସାମୟିକ ସାହିତ୍ୟକୁ ଧ୍ୟାନରେ ରଖି ଆମ ଭାଷା ସାହିତ୍ୟର ଭବିଷ୍ୟତ କିପରି ହେବ ବୋଲି ଆପଣ ଭାବନ୍ତି ?

ଦିନକୁଦିନ ପରିବର୍ତ୍ତନ ଦେଇ ଗତି କରୁଥିବା ସମାଜ ଓ ମଣିଷର ଜୀବନ ପ୍ରତି ସଚେତନ ରହି ଅନେକ ଯୁବ ସାହିତ୍ୟିକଙ୍କ କବିତା ଓ ଗଳ୍ପ ଆଗେଇ ଚାଲିଥିବା ଆମେ ଦେଖିପାରୁଛେ । ଓଡ଼ିଆ ସାହିତ୍ଯରେ ପ୍ରାୟ ପ୍ରତି ଦଶନ୍ଧିର ଅଗ୍ରଗତି ସହ ନୁତନ ଯୁବ ସାହିତ୍ୟିକଙ୍କ ଆବିର୍ଭାବ ଘଟୁଛି ଏବଂ ସେମାନଙ୍କ ପ୍ରତିଭାରେ ଥିବା ନୁତନତାକୁ ପ୍ରମାଣିତ କରି ଚାଲିଛି । ସେହି କାରଣରୁ ଆମ ଓଡ଼ିଆ ସାହିତ୍ୟର ଭବିଷ୍ୟତ ସମ୍ଭାବନାମୟ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯୁବ ସାହିତ୍ୟିକମାନଙ୍କ କୃତି ପ୍ରତି ସଚେତନ ଥିବା ସମସ୍ତେ ଏକଥା ସ୍ବୀକାର କରିବେ ।

ସାହିତ୍ୟକୁ ନେଇ ଭବିଷ୍ୟତ ଯୋଜନା କ’ଣ ?

ବିଶେଷ ଯୋଜନା କରି ଅସଫଳ ହେଲେ ଅସହାୟ ପଣ ଆବୋରି ବସେ ତେଣୁ ନଈର କୁଳୁ କୁଳୁ ନିନାଦ ସଦୃଶ ମୋ ଲେଖନୀର ଶବ୍ଦ ନିକ୍ବଣ ଅବଶିଷ୍ଟ ଜୀବନରେ ଝଙ୍କୃତ କରି ଚାଲୁ ବୋଲି ମୋର ଇଚ୍ଛା ।

Comments are closed.