ସମ୍ପ୍ରତି ଓଡ଼ିଶା ସାହିତ୍ୟରେ ଜଣେ ଅଗ୍ରଣୀ ଲେଖିକା ଭାବରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଚନ୍ଦ୍ରା ମିଶ୍ର । ବିଦେଶ ମାଟିରେ ପ୍ରଥମ ଓଡ଼ିଆ ସେବିକା ଭାବରେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିବା ଶ୍ରୀମତୀ ମିଶ୍ର ମାତୃଭୂମି ଓ ମାତୃଭାଷାର ପ୍ରେମରେ ସଦା ସର୍ବଦା ନିମଜ୍ଜିତା ।ଗଳ୍ପ, କବିତା ଓ ଗବେଷଣାତ୍ମକ ପ୍ରବନ୍ଧ ରଚନା କରି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ସେ। ନିଜ ଜୀବନର ଅନୁଭବ ଓ ଅନୁଭୂତିକୁ ସାଉଁଟି ଏକ ଆବେଗମୟ ସର୍ଜନାର ଧାରା ସୃଷ୍ଟି କରିବା ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ଭାବ ପ୍ରବନ୍ଧର ବିଶ୍ଳେଷଣ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି।
ଲେଖିକା ଚନ୍ଦ୍ରା ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’
ସାହିତ୍ୟ ପ୍ରତି ଆକର୍ଷିତ ହେବାର ମୁଖ୍ୟ ଉତ୍ସ କ’ଣ ଥିଲା ?
ମାତୃଭୁମିରୁ ଦୂରରେ ରହିଲେ ବି ମାତୃଭାଷା ପ୍ରତି ମୋର ଆକର୍ଷଣ କେବେ ବି କମି ନଥିଲା । ଓଡ଼ିଆ ଭାଷାର ଗଳ୍ପ କବିତା ପଢ଼ି ମୁଁ ଭାବିଲି ମୁଁ ବି କିଛି ଲେଖିବି । ସେତିକି ବେଳେ ମନକୁ ଆସିଲା ମୁଁ ମୋ ନିଜ କଥା କହିବି । ମୋ ଜନ୍ମଭୂମିର କଥା ମୋ କର୍ମଭୂମିର କଥା କହିବା ଆରମ୍ଭ କରି ମୁଁ ମୋ ନିଜ ଗପ ଲେଖିବା ଆରମ୍ଭ କଲି । ସେଇ ଲେଖା ସାହିତ୍ୟ ଆଡ଼କୁ ଆପେ ଆପେ ଟାଣି ନେଲା । ସମସ୍ତଙ୍କୁ ନିଜ ଗପ କହିବାରେ ଲାଗିଲି ।
ଅନେକ ସମୟରେ ଦେଖାଯାଏ ଓଡ଼ିଆମାନେ ଓଡ଼ିଶା ବାହାରକୁ ଗଲେ ଓଡ଼ିଆ ବୋଲି ପରିଚୟ ଦେବାକୁ କୁଣ୍ଠାବୋଧ କରନ୍ତି । କିନ୍ତୁ ଆପଣ ଦେଶ ବାହାରେ ରହି ଓଡ଼ିଆ ଭାଷା ସାହିତ୍ୟକୁ ସମୃଦ୍ଧ କରିଚାଲିଛନ୍ତି । ସେ ବିଷୟରେ କିଛି କୁହନ୍ତୁ ।
ଓଡ଼ିଶାରେ ମୋର ଜନ୍ମ । ଯେତେ ବାହାରେ ରହିଲେବି ସବୁଦିନ ପାଇଁ ମୁଁ ଜଣେ ଓଡ଼ିଆ । ସାହିତ୍ୟକୁ ସମୃଦ୍ଧ କରିବା ଭିନ୍ନ କଥା ; ମୁଁ ଆମ ଓଡ଼ିଶାର ଖାଦ୍ୟ, ପୋଷାକ, ଚଳଣୀ ବିଷୟରେ ଲେଖିବାକୁ ଭଲ ପାଏ । କଥିତ ଭାଷାକୁ ରୁଆ ଦେଲେ ତାହା ଲିଖିତ ଭାଷା ହୁଏ । ଲେଖିବା ଦ୍ୱାରା ମୋ ମନର ତଥା ମାତୃଭାଷା ପ୍ରତି ମୋର ମମତା ସବୁଦିନ ପାଇଁ ସୁରକ୍ଷିତ ହୋଇ ରହିବ ।
ଆପଣଙ୍କ ବୃତ୍ତିଗତ ଜୀବନ ସାହିତ୍ୟ ସର୍ଜନାରେ ସହାୟକ ହୋଇଛି ବୋଲି କହିବେ କି ?
ଜଣେ ସେବିକା ଭାବରେ ଆମେରିକାରେ ମୋର ବୃତ୍ତିଗତ ଜୀବନ ଆରମ୍ଭ ହୋଇଥିଲା । ମୁଁ ଆମେରିକାରେ ପ୍ରଥମ ଓଡ଼ିଆ ସେବିକା । କାମ କଲାବେଳେ ମୁଁ ଅନେକ ଲୋକଙ୍କ ସାଙ୍ଗରେ ମିଶିବାର ସୁଯୋଗ ପାଇଛି । ସେମାନେ ତାଙ୍କ ମନରେ ଆସୁଥିବା ଅନେକ ଦୁଃଖ , ସୁଖ ମୋ ସହ ବାଣ୍ଟିଛନ୍ତି । ମୁଁ ମୋର କବିତା ବା ଗଳ୍ପ ପାଇଁ ଅନେକ ଚରିତ୍ର ସେଇ କଥାରୁ ସାଉଁଟି ଆଣି ଲେଖେ । ପରେ ଉଚ୍ଚ ଶିକ୍ଷା ନେଇ ମୁଁ ଜଣେ ମେଡିକାଲ୍ ବୈଜ୍ଞାନିକ ଭାବେ ଔଷଧ ଗବେଷଣା କାମରେ କମ୍ପାନୀରେ ଯୋଗ ଦେଇଥିଲି । ଗବେଷଣା କାମରେ ଆମକୁ ଛୋଟ, ଛୋଟ ତଥ୍ୟ ଉପରେ ଗଭୀର ଭାବେ ନିରୀକ୍ଷଣ କରିବାକୁ ହୁଏ । ସେଇ ଶୃଙ୍ଖଳା ମତେ ମୋର ସାହିତ୍ୟ ସର୍ଜନାରେ ବହୁତ ସାହାଯ୍ୟ କରିଛି । ମୁଁ ମୋର ଲେଖାର ଚରିତ୍ରମାନଙ୍କ ବିଷୟରେ ଗଭୀର ଭାବେ ଭାବେ ଆଉ ପରେ ସେଇ ଗଳ୍ପ ଗୁଡିକୁ ପାଠକମାନଙ୍କୁ ଉପହାର ଭାବରେ ସମର୍ପି ଦିଏ ।
ଆପଣଙ୍କ ରଚିତ ‘ଝିଅଟେ ପଥୁରିଆ ସାହିରୁ’ ବହିଟି ବହୁଳ ଭାବରେ ଆଦୃତ ହୋଇଛି । ଏପରି ବହିଟିର ନାମକରଣର ତାତ୍ପର୍ଯ୍ୟ କ’ଣ ?
ଆମ ଘର ପଥୁରିଆ ସାହିରେ ଥିଲା । ପିଲାଦିନରୁ ବୋଉ ମରି ଯାଇଥିବାରୁ ମୁଁ ଆମ ସାହିର ସମସ୍ତଙ୍କ ପାଖରେ ବଡ଼ ହୋଇଛି କହିଲେ ଠିକ୍ ହେବ । ହେତୁ ପାଇବା ଦିନରୁ ମୁଁ ହାତରେ ତେଲ ଶିଶି ଧରି ନିତି ସାଇରେ ବୁଲି ଆସୁଥିଲି, କିଏ ଆଜି ମୋର ମୁଣ୍ଡ କୁଣ୍ଡାଇ ବେଣୀ ବାନ୍ଧି ଦେବ ବୋଲି । ଆମ ସାହିର ଶୁକ ନାନୀଠାରୁ ଶିଖିଲି କୂଅରୁ ପାଣି କଢ଼ା , ପୁର୍ଣ ସାର୍ ଇଂରାଜୀ ଲେଖିବା ଶିଖେଇ ଦେବା ଏବେ ବି ମୋ ମନରେ ଉଙ୍କିମାରେ । ତେଣୁ ଯେତେବେଳେ ଓଡ଼ିଶା ବାହାରେ ବାଉନ ବର୍ଷ ପରେ ରହିଲା ପରେ ଭାବିଲି ସ୍ମୃତିକୁ ନେଇ କିଛି ଲେଖିବି ଲ ମୋର ସବୁ ଲେଖା ଆମ ସାହିର ଲୋକମାନଙ୍କୁ କେନ୍ଦ୍ର କରି ଲେଖିଲି । ଜଣେ ବୈଜ୍ଞାନିକ ବନ୍ଧୁ ମୋର ଲେଖା ପଢ଼ି ପଚାରିଥିଲେ ତୁମେ କ’ଣ ପଥୁରିଆ ସାହିର ଝିଅ ? ସେଇ କଥା ମୋ ମନରେ ମହୁମାଛିର ଶବ୍ଦ ପରି ଗୁଣୁଗୁଣୁ ହୋଇ ଶୁଭିଲା ଯେତେବେଳେ ମୁଁ ମୋ ବହିର ନାଁ ସେମିତି ରଖିବାକୁ ଭାବିଲି । ପରେ ଠିକ୍ କଲି ମୋ ବହି ପାଇଁ ‘ଝିଅଟେ ପଥୁରିଆ ସାହିରୁ’ ଉପଯୁକ୍ତ ହେବ ।
ସମାଜରେ ସାହିତ୍ୟର ଭୂମିକା କ’ଣ ହେବା ଉଚିତ ?
ସାହିତ୍ୟ ଓ ସମାଜ ପରସ୍ପର ପରିପୂରକ । ନିଜ ସମୟର ସାମାଜିକ ଜୀବନଶୈଳୀର ରୂପାୟନକୁ ବିଶ୍ବସ୍ତରୀୟ କରିବା ସାହିତ୍ୟ ସର୍ଜନାର ଆଭିମୁଖ୍ୟ ହେବା ଦରକାର।
ଆପଣଙ୍କ ରଚନାରେ କାହାର ଅଧିକ ପ୍ରଭାବ ଥାଏ କଳ୍ପନା, ବାସ୍ତବତା ନା ଅନୁଭୂତି ?
ମୋ ଲେଖାରେ ନିଜର ଅନୁଭୂତିର ପ୍ରଭାବ ଅଧିକ ଥାଏ । ମୁଁ ଓଡିଶା ବାହାରେ ଚଉବନ ବର୍ଷ ରହିଲିଣି । ମୁଁ ବାହାରେ ରହିଲାବେଳେ , ଓଡ଼ିଆରେ ଲେଖିବା, ଓଡ଼ିଆ ବହି ପଢିବା ପାଇଁ ସୁବିଧା ନଥିଲା । ପିଲାଦିନେ ମୁଁ ବେଶି ଓଡ଼ିଆ ବହି ପଢି ନଥିଲି କାରଣ ଆମ ଘରେ ସ୍କୁଲ ବହି ଛଡା ଅନ୍ୟ ବହି ପଢିବା ପାଇଁ ସୁଯୋଗ ନଥିଲା । ଘରେ ଅର୍ଥ ନଥିଲା ଆଉ ମୁଁ ଝିଅ ପିଲାଟେ ହୋଇଥିବାରୁ ପାଠାଗାର ଯିବା ପାଇଁ ଅନୁମତି ନଥିଲା । ତେଣୁ ମୁଁ ମୋ ଜୀବନରେ ଘଟିଥିବା ଅନୁଭବକୁ ଭାବି ଲେଖେ । ଏବେ ସାମାଜିକ ଗଣ ମାଧ୍ୟମ ହେବା ଯୋଗୁଁ ମୁଁ ଅନ୍ୟମାନଙ୍କ ଲେଖା ପଢିପାରୁଛି ଏବଂ ନିଜେ ବି ନିଜର ଲେଖା ପୋଷ୍ଟ କରିପାରୁଛି । ନିତି ଦିନର ଲୋକଙ୍କ ସାଙ୍ଗେ କଥା କହିବା , ତାଙ୍କ ଜୀବନର ଛୋଟ ଘଟଣା ସବୁ ମୋ ଲେଖାରେ ଥାଏ । ସେମାନଙ୍କ ସାଙ୍ଗେ ଘଟୁଥିବା କଥାରୁ ମୁଁ ଲେଖିବାର ପ୍ରେରଣା ଆଉ ବିଷୟବସ୍ତୁ ପାଏ ।
ପରିବାରର ଦାୟିତ୍ୱବୋଧ ଏବଂ ଲେଖିକାପଣର ଦାୟବଦ୍ଧତା ଭିତରେ କେମିତି ସମନ୍ୱୟ ରଖନ୍ତି ?
ମୁଁ ଏବେ ମୋର କାମରୁ ଅବସର ନେଇଛି । ତେଣୁମୋ ପାଖରେ ଯଥେଷ୍ଟ ସମୟ ଅଛି । ତେବେ ବାହାରେ ଆମେ ସବୁ କାମ ନିଜେ କରୁ । ଘର କାମ, ବାହାର କାମ ପାଇଁ କୌଣସି ସାହାଯ୍ୟ ଏଠି ମିଳେନି ଆମ ଦେଶ ପରି । ବାହାରୁ ସାହାଯ୍ୟ ଆଣିବା ଅଧିକ ମୂଲ୍ୟ ଆମ ପରି ମଧ୍ୟବିତ୍ତ ପରିବାର ପାଇଁ । ମୋର ପରିଶ୍ରମ କରିବାର ଅଭ୍ୟାସ ଅଛି l ତେବେ ନିଜ ଭିତରେ ଆବେଗ ଆଣି ଶୃଙ୍ଖଳିତ ଭାବେ ଲେଖିବାର ଅଭ୍ୟାସ କରିବାକୁ ପ୍ରଯତ୍ନ କରୁଛି । ସବୁଦିନ କିଛି ଲେଖିବା ପାଇଁ ଚେଷ୍ଟା କରେ, କିଛି ଧାଡି କବିତା ବା ଗଳ୍ପ ।
ନିଜ ଲେଖକୀୟ ସଫଳତାର ଶ୍ରେୟ କାହାକୁ ଦେବେ?
ପ୍ରଥମେ ଶ୍ରେୟ ଦେବି ପାଠକମାନଙ୍କୁ । ପାଠକଙ୍କ ବିନା ଲେଖକର ଲେଖାର ମୂଲ୍ୟ ନାହିଁ ? ବହୁତ ପାଠକ ମୁଁ ଫେସ୍ ବୁକ୍ ରେ ପ୍ରଥମେ ଓଡ଼ିଆରେ ଲେଖିଲା ବେଳେ ମୋର ବନାନ ଭୁଲ କଥା ତାଙ୍କ କମେଣ୍ଟରେ ଲେଖନ୍ତି । ମୁଁ ସେ ଭୂଲ ସବୁକୁ ଧ୍ୟାନ ଦେଇ ଲେଖା ସୁଧାରିଦିଏ ଆଉ ମନେ ରଖେ କଣ ଭୁଲ ହେଲା। ମୁଁ ମୁକ୍ତ ମନରେ ସମାଲୋଚନାକୁ ଗ୍ରହଣ କରେ । ତେଣୁ ସବୁ ପାଠକଙ୍କୁ ମୋ ବହିର ଶ୍ରେୟ ଦେବି ପ୍ରଥମେ । ମୋର ସ୍ୱାମୀ ଆଉ ପିଲାମାନେ ମୋ ଲେଖା ପଢି ନ ପାରିଲେବି ମତେ ସମୟ ଦେଇ ସାହାଯ୍ୟ କରିଛନ୍ତି । କାହାଣୀ ପବ୍ଲିକେସନ୍ ମୋର ବହିଟି ନିର୍ଭୁଲ କରି ଛପେଇଲେ, ତେଣୁ ତାଙ୍କୁ ଶ୍ରେୟ ଦେବି । ବହିଟିର ଅଗ୍ରଭାଷ ଲଲାଟେନ୍ଦୁ ମାନସିଂହ ଆଉ ଆଭାଷ ସଞ୍ଜିତା ମିଶ୍ର ଲେଖିଥିବାରୁ ତାଙ୍କୁ ଶ୍ରେୟ ଦେବି । ସଞ୍ଜିତା ମିଶ୍ରଙ୍କର ପ୍ରବନ୍ଧରେ ସିଏ ମୋ ଲେଖା ଆଉ ଓଡ଼ିଆ ନାରୀ ଲେଖିକା ଯେଉଁମାନେ ସ୍ମୃତି ଚରିତ ଲେଖିଛନ୍ତି, ତାର ତୁଳନା କରି ଅନେକ ତଥ୍ୟ ପାଠକମାନଙ୍କ ସାମ୍ନାରେ ରଖିଛନ୍ତି । ତାଙ୍କ ପାଖରେ ମୁଁ ଚିର ଋଣୀ । ବହିଟିର ନାଁ ମୋର ଜଣେ ବନ୍ଧୁ ରଖିଥିଲେ । ବହିର କିଛି ଗଳ୍ପ ପଢି ମତେ ସିଏ କହିଥିଲେ ତୁମେ ଗାର୍ଲ ଫ୍ରମ୍ ପଥୁରିଆ ସାହି” । ମୋର ସେ ନାଁଟି ଦେଇ ମୁଁ ଫେସବୁକରେ ଗଳ୍ପ ଗୁଡିକ ଲେଖିଲି । ପାଠକମାନେ ସେ ନାଁକୁ ବହୁତ ଭଲ ପାଇଲେ । ତେଣୁ ମୋ ବହିର ଶ୍ରେୟ ସେଇ ବନ୍ଧୁଙ୍କୁ ଦେବି , କାରଣ ବହିର ନାଁ ପାଠକମାନଙ୍କୁ ବହି ପଢିବାକୁ ଚୁମ୍ବକ ପରି ଟାଣି ଆଣିଛି ।
ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟକ କେତେ ମାତ୍ରାରେ ସହାୟକ ହୋଇଛି ?
ପୂର୍ଣ୍ଣ ମାତ୍ରାରେ ସହାୟକ। କାରଣ ବଣ ମଲ୍ଲୀ ପରି ଅଜ୍ଞାତ ଲେଖକଙ୍କୁ ପାଠକୀୟ ସ୍ବୀକୃତି ଦେଉଛି।ବରିଷ୍ଠଙ୍କ ଲେଖା ପ୍ରକାଶ କରି ସାହିତ୍ୟକୁ ସୁଦୂର ପ୍ରସାରିତ କରୁଛି। ଅନ୍ୟମାନଙ୍କୁ ଲେଖିବାକୁ ପ୍ରେରଣା ଦେଉଛି । ଅପରପକ୍ଷରେ ସାମାଜିକ ଗଣମାଧ୍ୟମ ପ୍ରଧାନତଃ ପାଲଟିଆସିଛି ବ୍ୟକ୍ତିର ସ୍ବର। ସାହିତ୍ୟର ପ୍ରଚାର ପ୍ରସାର ଏହାର ଲକ୍ଷ୍ୟ ନୁହେଁ, ସମସାମୟିକ ଘଟଣା,ପରିବେଶ, ପରିସ୍ଥିତିକୁ ନେଇ ଖୁବ୍ ବେଶିରେ ଏହା ହୋଇପାରେ ପାରସ୍ପରିକ ଭାବବିନିମୟର କ୍ଷେତ୍ର – ମାତ୍ର ଏହାର ସୀମା ମଧ୍ୟବର୍ଗର କେତେକ ବ୍ୟକ୍ତିସତ୍ତାର ମତାମତ ଓ ପ୍ରତିକ୍ରିୟା ପ୍ରକାଶରେ ପରିସୀମିତ। ଏଥିରେ ବୃହତ୍ତର ସମାଜର ଯୋଗଦାନ କାହିଁ !
ଓଡ଼ିଆ ସାହିତ୍ୟକୁ ନେଇ ଆପଣଙ୍କ ଭବିଷ୍ୟତ ଯୋଜନା କ’ଣ ?
Ans : ଏବେ ଲେଖକ, ଲେଖିକାମାନେ ବହୁତ ଭଲ ଲେଖୁଛନ୍ତି । ଅନେକ ପ୍ରକାଶକ ବି ହେଲେଣି । କିନ୍ତୁ ସେମାନଙ୍କ ପିଲାମାନେ ଇଂରାଜୀ ସ୍କୁଲରେ ପଢୁଛନ୍ତି , ହିନ୍ଦୀ ସିନେମା ଦେଖୁଛନ୍ତି । ଓଡ଼ିଆ କହୁନାହାନ୍ତି , ଓଡ଼ିଆରେ ଲେଖିବା ଓ ପଢିବା ଦୂରର କଥା । ମୁଁ ବୁଝୁଛି ଭଲ ବିଦ୍ୟାଳୟରେ ଦାଖଲ ହେବl ପାଇଁ ଇଂରାଜୀରେ ପଢିବା ଜରୁରୀ । କିନ୍ତୁ ସାଙ୍ଗରେ ଓଡ଼ିଆ ପଢିଲେ ଭଲ ହେବ । ଘରେ ମାଆ, ବାପାମାନେ ଓଡ଼ିଆରେ କଥା ହେଲେ ପିଲାମାନେ ଓଡ଼ିଆ ଭାଷା ସାହିତ୍ୟରେ ମନ ଦେବେ । ମୁଁ ଚେଷ୍ଟା କରିବି ମୋର ନିଜର କାମର ଅନୁଭୂତିକୁ ନେଇ ଆଉ କିଛି ଲେଖିବାକୁ। ମୁଁ ଆମେରିକାରେ ପ୍ରଥମ ଓଡ଼ିଆ ସେବିକା ଯିଏ ଏଠାର କଲେଜରୁ ଡିଗ୍ରୀ ହାସଲ କରିଛି ଆଉ ଅନେକ ଦିନ କାମ କରିଛି ହସ୍ପିଟାଲରେ । ଓଡ଼ିଶାରେ ଏବେ ବି ସେବିକା ପେଶା ବିଷୟରେ ବେଶୀ ଗୁରୁତ୍ୱ ଦିଆଯାଏନି । ସେବିକାମାନେ କିପରି ରୋଗୀଙ୍କର ସେବା କରି ରୋଗୀ ଆଉ ତା ପରିବାରର ଚିନ୍ତାଧାରାରେ ପରିବର୍ତ୍ତନ ଆଣିପାରିବେ ସେ କଥା ଲୋକଙ୍କ ମନରେ ଆଣିବା ପାଇଁ କିଛି ଲେଖିବାକୁ ସ୍ଥିର କରିଛି ।
Comments are closed.