ସାହିତ୍ୟ ପାଇଁ ନିଜ ଜୀବନକୁ ସମ୍ପୂର୍ଣ୍ଣ ଭାବରେ ଉତ୍ସର୍ଗ କରିଥିବା ଜଣେ ନିଆରା ବ୍ୟକ୍ତିତ୍ୱ ହେଉଛନ୍ତି ଦୀପକ ରଞ୍ଜନ ମିଶ୍ର। ମୁକ୍ତ କଥନଶୈଳୀ, ଆବେଗ ଓ ଅନୁଭୂତିର ପ୍ରାଚୁର୍ଯ୍ୟ, ସାମାଜିକ ସମ୍ବେଦନଶୀଳତା ଏବଂ ସ୍ପଷ୍ଟ ଉଚ୍ଚାରଣ ହିଁ ତାଙ୍କ ଲେଖକପଣକୁ ଭିନ୍ନ ଭାବରେ ଉପସ୍ଥାପିତ କରେ ।
ପାପୁଚି , ଅଛୁଆଁ ଝିଅ , ଗାଁ ଚାଳିଶା , ଓଦା କାଗଜ , ପ୍ରାପ୍ତେଷୁ , ବିଭାଜନର ଭୁକ୍ତଭୋଗୀ ଆଦି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା ।
ଲେଖକ ଦୀପକ ରଞ୍ଜନ ମିଶ୍ରଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ
ସାହିତ୍ୟ ପ୍ରତି କେମିତି ଆକୃଷ୍ଟ ହେଲେ ?
ଉତ୍ତର : ଛୁଆଟି ଦିନରୁ ଘରେ ଗଦା ଗଦା ବହି ଦେଖି ଆସିଛି । ରାଜାଘର ଚାକିରି ଛାଡ଼ିବା ପରେ ଜେଜେବାପା ଆପଣା ଗୁଜୁରାଣ ମେଣ୍ଟାଇବା ପାଇଁ ଛୋଟ ପାନ ଦୋକାନଟିଏ କରିଥିଲେ ବି ଆପଣା ଅବସର ସମୟ ବିତାଉଥିଲେ ଓଡ଼ିଆ ଓ ହିନ୍ଦୀ ଭାଷାର ବିଭିନ୍ନ ବହି ତଥା ପତ୍ରପତ୍ରିକା ପଢ଼ି । ବାପା ମା’ ଉଭୟେ ହାଇସ୍କୁଲରେ ହିନ୍ଦୀ ଶିକ୍ଷକ । ଦୁହେଁ ଖୁବ୍ ପଢ଼ନ୍ତି । ବୋଧେ ଏଇ ସବୁ ଦୃଶ୍ୟର ପ୍ରଭାବ ପଡ଼ିଥିବ । ପିଲାଏ ଯାହା ଦେଖିବେ ତାହା ପ୍ରତି ଆକୃଷ୍ଟ ହେବେ ଓ ଅନୁକରଣ କରିବାକୁ ଚେଷ୍ଟା କରିବେ । ତେବେ ମୁଁ ଛାତ୍ର ଜୀବନରେ ଖୁବ୍ ଅଳ୍ପ ପଢ଼ାପଢ଼ି କରୁଥିଲି । ହେଲେ ଜ୍ୟୋତିବିହାରରେ ପି.ଜି. କଲାବେଳେ ମୋ ପାଇଁ ବିଭାଗର ଜ୍ୟୋତି ଅନ୍ତର୍ଦ୍ଧାନ ହୋଇଯିବା ଯୋଗୁଁ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ପଡ଼ିଥିଲି ମୁଁ । ସେଇ ସମୟରେ ସାହିତ୍ୟ ମୋ ପାଖକୁ ଆସେ । ପାଖରେ ବସି ମୁଣ୍ଡ ଆଉଁସି ମୋତେ ନାନା କଥା କହି ସାନ୍ତ୍ୱନା ଦିଏ । ଗୋଟାପଣେ କୋଳେଇ ନେଇ ଦୁଃଖକୁ ଭୁଲିଯିବାର ରାହା ଦେଖାଏ । ତେଣୁ ରୋଗୀ ପାଇଁ ଔଷଧ ଭଳି ମୋ ସହ ସାହିତ୍ୟର ସମ୍ପର୍କ । ସାହିତ୍ୟ ନଥିଲେ ହୁଏତ ଆଜି ମୁଁ ନଥାନ୍ତି ।
ଓଡ଼ିଆ ସାହିତ୍ୟରେ କାହାକୁ ଆପଣ ନିଜର ମାର୍ଗଦର୍ଶକ ବୋଲି ଭାବନ୍ତି ?
ଉତ୍ତର: ପିଲାଟି ଦିନରୁ ଯାହାଠାରୁ ଯାହା ଶିଖିବାକୁ ପାଏ, ତାହାଙ୍କୁ ମୋର ମାର୍ଗଦର୍ଶକ ବୋଲି ଭାବି ଆସିଛି । ତେବେ ଜୀବନର ଦୀର୍ଘଯାତ୍ରା ପାଇଁ ଜଣକୁ ଗୁରୁ ବୋଲି ମାନିଛି । ତାଙ୍କଠାରୁ ପାଇଥିବା ମନ୍ତ୍ରଟି ଭୁଲିଯିବାର ଆଶଙ୍କାରେ, ମୋ ପଢ଼ାଘର କାନ୍ଥରେ ବଡ଼ ବଡ଼ ଅକ୍ଷରରେ ଲେଖି ରଖିଛି । ପ୍ରତିଦିନ ବଡ଼ି ଭୋରରୁ ତାକୁ ଦେଖେ, ଗୁରୁଙ୍କ ଉଦ୍ଦେଶ୍ୟରେ ପ୍ରଣାମ ଜଣାଏ ଓ ଯାତ୍ରା ଜାରି ରଖେ ଗୋଟେ ନିର୍ଦ୍ଦିଷ୍ଟ ପଥରେ । ଖୁବ୍ ଲୋକପ୍ରିୟ ପଦଟିଏ ଓଡ଼ିଆ ସାହିତ୍ୟର –
“ଅପଥେ ମୁଁ ଯିବି ଅପଥେ ମୁଁ ଯିବି / କର ପଛେ ମୋତେ ତିରସ୍କାର
ନେପଥ୍ୟେ ଅଛି ଯେତେ ଯାହା ସବୁ / କରିବି ମୁଁ ତା’ର ଆବିଷ୍କାର
ମଥା ପାତି ନେବି ମାନ ଅପମାନ / ବୁକୁ ପାତିନେବି ଝଞ୍ଝା ତୋଫାନ
ସମୟ ଆସିବ ଯେଉଁଦିନ ତୁମେ / ଯାଚି ଦେବ ମୋତେ ପୁରସ୍କାର ।।”
ଗଡ଼ନାୟକଙ୍କ ଦ୍ୱାରା ରଚିତ ଉପରୋକ୍ତ ପଦଟି କବି ବ୍ରଜନାଥ ରଥଙ୍କ ସୌଜନ୍ୟରୁ ଆଜକୁ ପ୍ରାୟ ୧୬ ବର୍ଷ ପୂର୍ବେ ପାଇଥିଲି । ସେଇ ଦିନଠୁଁ ନିଜକୁ ଅପଥଗାମୀ କରେଇବାରେ ପ୍ରଚୁର ଆନନ୍ଦ ପାଇ ଆସିଛି । ହଜାର ହଜାର ଲୋକଙ୍କ ଭିଡ଼ରେ ଗଳଦ୍ଘର୍ମ ରାଜରାସ୍ତାରେ ଚାଲିବା ଅପେକ୍ଷା ନାଳ ନର୍ଦ୍ଦମା, ଖାଲ ଖମା ଡେଇଁ ଅପଥରେ ଯିବା ଯୋଗୁଁ ବହୁ ନୂତନ ତଥ୍ୟ ଦୃଷ୍ଟିଗୋଚର ହୋଇଥାଏ । ତାକୁ ଦେଖି, ପରଖି ପାଠକ ସମ୍ମୁଖରେ ଉପସ୍ଥାପନ କରିବାରେ ଯେଉଁ ଶାନ୍ତି, ତାହା ଅନ୍ୟତ୍ର ବିରଳ ।
ଓଡ଼ିଆ ପାଠକ ଯାହା ପଢ଼ିବାକୁ ଚାହୁଁଛନ୍ତି, ସେମିତି ଲେଖା ହେଉ ନଥିବାରୁ ଆମର ଲୋକପ୍ରିୟ ସାହିତ୍ୟ ନାହିଁ ବୋଲି କହିବା ଠିକ୍ ହେବ କି ?
ଉତ୍ତର: ପାଠକର ଚାହିଦା ପୂରଣ ପାଇଁ କେବେ ଲେଖକ ଲେଖେନି ବୋଲି ମୁଁ ଭାବେ । ସେ ଲେଖେ ‘ସ୍ୱାନ୍ତଃ ସୁଖାୟ” ନ୍ୟାୟରେ । ନିଜ ଭାବନାକୁ କାଳି କାଗଜରେ ଉତାରିଦେଲେ ଆତ୍ମିକ ଶାନ୍ତି ଲାଭ କରେ । ତେବେ ତାକୁ ଯାହା ଭଲ ଲାଗେ ତାହା ଅଧିକାଂଶ ପାଠକଙ୍କୁ ବି ଛୁଇଁବ, ଏହା ନିଶ୍ଚିତ । କାରଣ ସୃଜନକର୍ମ ବେଳେ ନିଜକୁ ଗୋଟେ ସାଧାରଣ ପାଠକ ରୂପେ ସଜାଇ, ନିଜ ସାମ୍ନାରେ ବସାଇଥାଏ ଲେଖକ । ତା’ସହ ଅହରହ ଭାବ ବିନିମୟ କରି ସେ ଚଳାଏ କଲମ । ନିଜକୁ ସାମ୍ନାରେ ନରଖି ସୃଜନକର୍ମ କଲେ, ତାହା ପାଠକର ହୃଦୟକୁ ଛୁଇଁବାରେ ହୁଏ ଅସମର୍ଥ । ସାହିତ୍ୟର ମାନ ତଥା ଦିଗ ପାଠକ ନୁହେଁ ଲେଖକ ଦ୍ୱାରା ନିର୍ଦ୍ଧାରିତ ହୁଏ । ଲେଖକ ଆପଣା ପ୍ରଭାବ ବଳରେ ପାଠକର ରୁଚି ବଦଳାଇପାରେ । ତେବେ ନିଜ ପାଇଁ ନଲେଖି ପାଠକ ପାଇଁ ଲେଖି ବସିଲେ ସାହିତ୍ୟର ମାନ ନିମ୍ନଗାମୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଆଉ କୋଉ କୋଉ ଲେଖା ଲୋକପ୍ରିୟ ତାହା ସମୟର କଷଟି ପଥରରେ ପରଖିବା ପରେ ହିଁ ଜଣାପଡ଼େ । ଆମେ ସେ ବିଷୟରେ କହିବା ପାଇଁ କିଏ ?
ଦେଶ ବିଭାଜନକୁ ନେଇ ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ଜୀବନ ସଂଗ୍ରାମ ତଥା ସେଇ ବିଷୟରେ ରଚିତ ସାହିତ୍ୟ ଉପରେ ଆପଣ ଦୀର୍ଘ ଦିନରୁ ଗବେଷଣାରତ । ଏ ବିଷୟରେ କିଛି କହିବେ ?
ଉତ୍ତର : ୧୯୪୭ ମସିହାରେ ଯଦିଓ ଆମ ଦେଶ ସ୍ୱାଧୀନ ହୋଇଛି ବୋଲି ଆମେ ପିଲାଦିନରୁ ପଢ଼ି ଆସିଛୁ ଆଉ ପ୍ରତିବର୍ଷ ସେଇ ସ୍ୱାଧୀନତା ପ୍ରାପ୍ତିର ବିଜୟୋତ୍ସବ ଧୂମ୍ଧାମ୍ରେ ମନାଉଛୁ କିନ୍ତୁ ସେଇ ବର୍ଷ ତଥା ସେଇ ଉପଲବ୍ଧି ଖୁବ୍ ରକ୍ତରଞ୍ଜିତ ଥିଲା । କାଳକ୍ରମେ ରକ୍ତର ଲାଲ ରଙ୍ଗ କଳା ରଙ୍ଗକୁ ପରିବର୍ତ୍ତିତ ହୋଇଯାଏ । ତେଣୁ ସେଇ ବର୍ଷଟି ଇତିହାସର ଏକ କଳାବର୍ଷ ବୋଲି ମୁଁ ଭାବେ । ଯେଉଁ ନେତାମାନଙ୍କ ଉପରେ ଆମର ଅଖଣ୍ଡ ବିଶ୍ୱାସ ତଥା ଭରସା ଥିଲା ସେଇମାନେ ହିଁ ଦେଶର ଜନତାଙ୍କ ସହ ପ୍ରତାରଣା କରିଥିଲେ ବ୍ରିଟିଶ୍ମାନଙ୍କ ସହ ହାତ ମିଳାଇ । ଆପଣା ସ୍ୱାର୍ଥ ପାଇଁ ବିଭେଦର ମଞ୍ଜି ବୁଣା ହୋଇଥିଲା । ତା’ର ଫଳସ୍ୱରୂପ ଲକ୍ଷ ଲକ୍ଷ ଲୋକ ପରସ୍ପର ମଧ୍ୟରେ ହଣାହଣି ହୋଇ ମରିଯାଇଥିଲେ । କୋଟି କୋଟି ଲୋକ ଆପଣା ଭିଟାମାଟି ଛାଡ଼ି ଜୀବନ ବିକଳରେ ଅନ୍ୟତ୍ର ପଳାୟନ କରିଥିଲେ ଶରଣାର୍ଥୀ ସାଜି । ଜମିଦାର ସୀମାରେଖା ପାରି ହେବା ବେଳକୁ ସାଜିଛି ଭିକାରି । ଚୋର ତଥା ଡକାୟତଙ୍କ ପାଇଁ ସେଇ ବର୍ଷଟା ଯାକ ଥିଲା ପୁଷମାସ । ଝିଅ ବୋହୂଙ୍କ କଥା ଛାଡ଼ି ଦିଅନ୍ତୁ, ବୁଢ଼ୀମାନେ ବି ବାଦ୍ ପଡ଼ି ନଥିଲେ କାମାନ୍ଧ ପୁରୁଷମାନଙ୍କ ଦୃଷ୍ଟିରୁ । ତେବେ ଏଇ ଦୁର୍ଦ୍ଦିନ କାଳରେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗି ମଧ୍ୟ ଅନେକ ନିଜକୁ ଶରଣାର୍ଥୀ ବୋଲି ପରିଚୟ ଦେବାକୁ ଉଚିତ୍ ମଣି ନାହାନ୍ତି । ଶରଣାର୍ଥୀ ବଦଳରେ ପୁରୁଷାର୍ଥୀର ପରିଚୟ, ସେମାନଙ୍କର ଦାବି । ଆସ୍ତେ ଆସ୍ତେ ମୁଣ୍ଡ ଟେକି ଆପଣା ପରିଚୟ ଜାହିର କରିଛନ୍ତି ସେମାନେ । ରଖିଯାଇଛନ୍ତି ଉଦାହରଣ ଆମ ଆଗରେ । ସେମାନଙ୍କୁ ଦେଖିଲେ, ତାଙ୍କ କଥା ଶୁଣିଲେ, ତାଙ୍କ ଜୀବନଯୁଦ୍ଧ ବିଷୟରେ ଅବଗତ ହେଲେ, ଆମ ଭିତରେ ବିପରୀତ ପରିସ୍ଥିତିରେ ଭାଙ୍ଗି ନପଡ଼ି ଲଢ଼ିବା ପାଇଁ ମାନସିକ ସାମର୍ଥ୍ୟ ଆସିବା, ମୁଁ ନିଜେ ପ୍ରତ୍ୟକ୍ଷ ଅନୁଭବ କରିଛି । ତେଣୁ ଏଇ ଦୀର୍ଘ ଦିନର ଗବେଷଣା, ଏହାର ଆରମ୍ଭ ୨୦୦୨ ମସିହାରୁ; ଅନ୍ତ କେବେ ହେବ, ସେ ବିଷୟରେ କିଛି କହି ପାରିବିନି । ଯେତେ ଯେତେ ସମୟ ଅତିକ୍ରାନ୍ତ ହେଉଛି, ସେତେ ସେତେ ନୂଆ ନୂଆ ପୁରୁଷାର୍ଥୀଙ୍କୁ ଭେଟୁଛି ।
ନିଜର ଗବେଷଣାମୂଳକ ରଚନା ପାଇଁ କେଉଁ ସବୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଓ ତା’ର ସାମ୍ନା କିପରି କରିଛନ୍ତି ?
ଉତ୍ତର : ଘଟଣା ଘଟିବାର ୫୫ ବର୍ଷ ପରେ ମୁଁ ପ୍ରତ୍ନତାତ୍ତ୍ୱିକ ଖନନ ଆରମ୍ଭ କରିଥିବାରୁ ଅସୁବିଧା ତ ଅନେକ । ଲେଖି ବସିଲେ ପୋଥି ହେବ । ତେବେ ଏତିକି କହିବି ଯେ ଏଇ ଦିଗରେ ଆର୍ଥିକ ସମସ୍ୟା ମୋ ସାମ୍ନାରେ ଏକ ମସ୍ତବଡ଼ ପ୍ରତିବନ୍ଧକ । ପ୍ରଚୁର ବହି ଏଇଥି ପାଇଁ ଆବଶ୍ୟକ । ପଶ୍ଚିମ ଓଡ଼ିଶାର ଗୋଟିଏ ଗାଁରେ ରହୁଥିବାରୁ ମୋ ପାଖରେ କୌଣସି ପାଠାଗାରର ସୁବିଧା ନାହିଁ । ବୃତ୍ତି ନିଜ ପ୍ରବୃତ୍ତିକୁ ଆଗେଇ ନେବା ପାଇଁ ଆର୍ଥିକ ସହଯୋଗ ଯୋଗାଇବାକୁ ସମ୍ପୂର୍ଣ୍ଣ ଅସମର୍ଥ । ପେଟ ଓ ପିଠି ଉଭୟକୁ କଷ୍ଟ ଦେଇ, ମୁଁ ମୋର ଆବଶ୍ୟକତା ପୂରଣ ଉଦ୍ଦେଶ୍ୟରେ ନିଜର ବ୍ୟକ୍ତିଗତ ପାଠାଗାରଟିଏ କରିଛି । ଦେଶ ବିଭାଜନ ବିଷୟକ ଜୀବନୀ, ଆତ୍ମଜୀବନୀ, ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ନାଟକ, ଶୋଧପୁସ୍ତକ ତଥା ପତ୍ରପତ୍ରିକା କିଣି ରଖିଛି । ଯେବେ ମୁଁ ଥିଲି ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଭାଗର ଛାତ୍ର, ଶିଖିଥିଲି ଛୋଟ ଛୋଟ ହାତ ହତିଆର ସାହାଯ୍ୟରେ ମାଟି ଖୋଳି, ଅତୀତକୁ କାଢ଼ି ବର୍ତ୍ତମାନ ସମ୍ମୁଖରେ ପରଷିଦେବାର ପ୍ରକ୍ରିୟା । ସେଇ ଜ୍ଞାନ କୌଶଳ ବ୍ୟବହାର କରି ସଂଗ୍ରହ କରିଥିବା ପ୍ରାୟ ଅଢ଼େଇଶହରୁ ଉର୍ଦ୍ଧ୍ୱ ଦେଶ ବିଭାଜନ ସମ୍ବନ୍ଧୀୟ ପୁସ୍ତକର ପୃଷ୍ଠାରୁ ଖୋଳି ବାହାର କରୁଛି ଅତୀତକୁ । ଇଣ୍ଟରନେଟ୍ ତଥା ଫେସ୍ବୁକ୍ ମୋତେ ବହୁତ୍ ସାହାଯ୍ୟ କରିଛି, ମୋର ଏଇ କାମରେ । ଏ ଦୁହେଁ ନଥିଲେ, ହୁଏତ ମୁଁ ଏଇ ଗବେଷଣା କରିବାକୁ ସମ୍ପୂର୍ଣ୍ଣ ଅସମର୍ଥ ହୋଇଥାନ୍ତି ।
ସାହିତ୍ୟ ସହିତ ଆଦର୍ଶବାଦ କେତେ ମାତ୍ରାରେ ଜଡ଼ିତ ?
ଉତ୍ତର : ଏଇ ପ୍ରଶ୍ନର ଉତ୍ତର ସାହିତ୍ୟର ଛାତ୍ର ତଥା ଅଧ୍ୟାପକମାନେ ହିଁ ଦେଇ ପାରିବେ । ମୋର ତା’ ଭିତରକୁ ଆଦୌ ପ୍ରବେଶ ନାହିଁ । ତେବେ ପଚାରିଛନ୍ତି ଯେହେତୁ ଉତ୍ତର ତ ଦେବାକୁ ପଡ଼ିବ । ଭୁଲ ହେଉ କି ଠିକ୍ । ‘ସାହିତ୍ୟ’ ଶବ୍ଦଟି ଆସିଛି କୋଉଠୁ ଏଇ କଥା ବିଚାର କରାଯାଉ । ହିତର ସହିତ ତେଣୁ ସାହିତ୍ୟ । ମାନେ ଯିଏ ସମାଜର ହିତ ସାଧନ କରେ ସିଏ ସାହିତ୍ୟ । ଆଉ ଆଦର୍ଶବାଦ? ମଣିଷକୁ ଚାରିଗୋଡ଼ିଆରୁ ଦୁଇଗୋଡ଼ିଆ କରିବାକୁ ହେଉଥିବା ଏକ ପ୍ରୟାସର ନାମ ବୋଧେ । ତେଣୁ ସାହିତ୍ୟ ଓ ଆଦର୍ଶବାଦ ଏ ଦୁହିଙ୍କୁ ମୁଁ ପରସ୍ପର ପରିପୂରକ ବୋଲି ଭାବେ । ସଭା ସମିତିରେ ଅନେକେ ଯୁକ୍ତି ବାଢ଼ିବା ଦେଖିଛି ଯେ କୌଣସି ଶବ୍ଦ ଅଶ୍ଳୀଳ ନୁହେଁ, ପାଠକର ଆଖି ଭିତରେ ଥାଏ ଅଶ୍ଳୀଳତା । ସମ୍ପୂର୍ଣ୍ଣ ଠିକ୍ କଥା ଆଜ୍ଞା । ଶବ୍ଦକୁ ତ ଆମେ ବ୍ରହ୍ମ ବୋଲି କହୁ । ସିଏ ଅଶ୍ଳୀଳ ହେବ କେମିତି ? ପାଠକର ଆଖି ଅଶ୍ଳୀଳ ହୋଇଥାଏ । ତେବେ ସେଇ ଶବ୍ଦଟିକୁ ପଢ଼ୁଥିବା ଆଖି ଯଦି ଅଶ୍ଳୀଳ, ହୋଇପାରେ ତାକୁ ସେଇଠି ରଖିଥିବା ହାତକୁ ଆମେ କ’ଣ ଗୋଟା ତୁଳସୀ ବୋଲି କହିବା ? ନାନା ମୁନିଙ୍କ ନାନା ମତ । ତେବେ ସାହିତ୍ୟରୁ ଆଦର୍ଶବାଦକୁ କାଢ଼ି ଦେଲେ ସେ ଆଉ ସାହିତ୍ୟ ହୋଇ ରହି ନଥାଏ ।
ପୁରସ୍କାର ଓ ପ୍ରଶଂସା ଜଣେ ଲେଖକଙ୍କୁ କିପରି ପ୍ରଭାବିତ କରେ ?
ଉତ୍ତର : ଅତୀତରେ ଜ୍ଞାନୀ ଗୁଣୀ ବ୍ୟକ୍ତିଙ୍କୁ ଉତ୍ସାହିତ କରିବା ତଥା କିଛି ସହଯୋଗ ଯୋଗାଇବା ଲକ୍ଷ୍ୟ ରଖି ମୁଣ୍ଡରେ ପାଗ ବାନ୍ଧି, ପାଟଜଥା ଦେଇ ତାଙ୍କୁ ସମ୍ମାନିତ କରୁଥିଲେ ରାଜା ମହାରାଜାମାନେ । ସେଇଟା ଥିଲା ପୁରସ୍କାର । ତା’ପରଠାରୁ ରାଜକବିର ମାନ୍ୟତା ପାଉଥିଲେ ସେଇ ଶବ୍ଦସାଧକମାନେ । ଆଜିକାଲି ପୁରସ୍କାର ନୁହେଁ ମାନପତ୍ର ପ୍ରଦାନ କରାହେଉଛି । ସ୍ୱରଚିତ ଏକପଦୀଟିଏ ତେଣୁ ଏଇଠି ଉଦ୍ଧାର କରିବାକୁ ଚାହିଁବି :
“କାହାକୁ ମାରିବା କୋଉଥିରେ / କାହାକୁ ମାରିବା କୋଉଥିରେ
କବିକୁ ମାରିବା ମାନପତ୍ର ଦେଇ / କୋବିକୁ ମାରିବା ପନିକିରେ ।”
ପୁରସ୍କାରର ଅର୍ଥ ଜାଣିବା ପାଇଁ ମାୟାଧର ମାନସିଂହଙ୍କ ‘କବିର ପୁରସ୍କାର’ କବିତାଟି ପାଠ କରିବାକୁ ହେବ । ବଙ୍ଗକବି କୃତିବାସ କୌଣସି ପାଟଜଥା, ମାନପତ୍ର କିମ୍ବା ତାମ୍ରପତ୍ର ପାଇବା ଉଦ୍ଦେଶ୍ୟରେ ରାଜଉଆସକୁ ଯାଇ ନଥିଲେ । ତାଙ୍କ ରଚିତ ବଙ୍ଗଳା ରାମାୟଣର ପାରାୟଣ ପ୍ରତିଦିନ ସନ୍ଧ୍ୟାରେ ରାଜମହଲରେ ହେଉଥିବା କଥା ଶୁଣି, ସେ ସେଠାକୁ ଯାଇଥିଲେ ପାରାୟଣ ଚାଲିଥିବା ବେଳେ ଦୂରରେ ଠିଆହୋଇ ରାଜାଙ୍କ ମୁଖଭଙ୍ଗୀ ଦର୍ଶନର ଅଭିଳାଷ ନେଇ ।
ଆପଣ ଅନେକ ପୁସ୍ତକର ସମୀକ୍ଷା କରିଛନ୍ତି । କେଉଁ ପୁସ୍ତକର ସମୀକ୍ଷା ଆପଣଙ୍କୁ ଅଧିକ ସନ୍ତୋଷ ଦେଇଛି ?
ଉତ୍ତର : ଯଦି କୌଣସି ସାହିତ୍ୟ କୃତି ଉପରେ ସମ୍ୟକ୍ ରୂପରେ ଦୃଷ୍ଟିପାତ କରାଯାଇଥାଏ, ତାହାର ନାଁ ସମୀକ୍ଷା । ମୁଁ ଭାଷା ସାହିତ୍ୟର ଛାତ୍ର ହୋଇ ନଥିବାରୁ ସେଇ ସମ୍ୟକ୍ ଦୃଷ୍ଟିପାତର କୌଶଳ ଜାଣିବାରୁ ବଞ୍ଚିତ ହୋଇଛି । ହଁ, କିଛି କିଛି ଲେଖିଛି ମୋତେ ଭଲ ଲାଗୁଥିବା ବହିମାନଙ୍କ ଉପରେ । ତେବେ ତାହା ସମୀକ୍ଷା କି ନୁହେଁ ସେକଥା କହି ପାରିବିନି । ଭଲ ଲାଗିଥିବା ବହିର ବହୁଳ ପ୍ରଚାର ପ୍ରସାର ହେଉ ବୋଲି ପାଠକଟିଏ ଚାହିଁବ ନିଶ୍ଚିତ । ସେଇ ଲକ୍ଷ୍ୟରେ ମୁଁ କିଛି କିଛି ଲେଖେ । କେବେ ତାହା ଚିଠି ଆକାରରେ ତ କେବେ ଗଳ୍ପ ରୂପରେ । ଏଇ ଯେମିତି ଚେତନ୍ ଭଗତ୍ଙ୍କ ‘ଟୁ ଷ୍ଟେଟ୍ସ’ ଉପନ୍ୟାସର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଲେଖିଛି ‘ଲକ୍ଷ୍ମଣ ଶକ୍ତିଭେଦ’ ନାମକ ଗଳ୍ପ ଆଉ ଶେର୍ ସିଂହ ରାଣାଙ୍କ ‘ଜେଲ୍ ଡାଏରୀ’ ପୁସ୍ତକ ପାଇଁ ଲେଖିଛି ‘ତା’ରି ଲେଖକଙ୍କୁ ଚିଠିଟିଏ’ । ମୋର ଏଇଭଳି ସମୀକ୍ଷା ମୋତେ ପ୍ରଚୁର ଖୁସି ଦେଇଥାଏ । ମୋର ପତ୍ର ସାହିତ୍ୟର ସଙ୍କଳନ ‘ପ୍ରାପ୍ତେଷୁ’ ରୁ ସେଇ ଶେରସିଂହ ରାଣାଙ୍କ ଚିଠିଟି ପଢ଼ି ଅନେକ ପାଠକ ‘ଜେଲ୍ ଡାଏରୀ’ ବହିଟି ଆମାଜନ୍ରୁ ମଗେଇଛନ୍ତି । ତେଣୁ ‘ଜେଲ୍ ଡାଏରୀ’ ବିଷୟରେ ଥିବା ଚିଠିଟି ମୋତେ ଅଧିକ ସନ୍ତୋଷ ଦେଇଛି ।
ଆମ ଭାଷା ସାହିତ୍ୟର ଉନ୍ନତି ପାଇଁ ଆମେ କିପରି ଯତ୍ନବାନ ହେବା ଆବଶ୍ୟକ ?
ଉତ୍ତର : ନାଟକର ସଫଳ ମଞ୍ଚାୟନ ସେତେବେଳେ ସମ୍ଭବ ଯେତେବେଳେ ଗ୍ୟାଲେରୀରେ ଦର୍ଶକ ଭରି ରହିଥିବେ । ରହି ରହି କରତାଳିରେ ମୁଖରିତ ହୋଇ ଉଠୁଥିବ ସମଗ୍ର ପରିବେଶ । ଠିକ୍ ସେଇଭଳି ଏଇ ସାହିତ୍ୟିକ ସୃଜନକର୍ମ । ନିରୁତା ପାଠକର ହୃଦୟକୁ ଛୁଇଁ ପାରିଲେ ଲେଖକ ଆହୁରି ଉତ୍ସାହିତ ହୋଇ ଆପଣା ସୃଜନକର୍ମରେ ମନୋନିବେଶ କରିଥାଏ । ତେବେ ପାଠକଙ୍କ ଯଥେଷ୍ଟ ଆବଶ୍ୟକତା ରହିଛି ସାହିତ୍ୟର ଉନ୍ନତି ପାଇଁ । ଏକବିଂଶ ଶତାବ୍ଦୀର ଦ୍ୱିତୀୟ ଦଶକରେ ପାଠକୀୟତା ବୃଦ୍ଧି, ଏକ ଆହ୍ୱାନ ପାଲଟି ଯାଇଛି । ଆମକୁ ସେଥିପ୍ରତି ଦୃଷ୍ଟି ଦେବାକୁ ହେବ । ପାଠକ ତିଆରି କରିବାକୁ ହେବ । ବହି ସ୍ୱଳ୍ପ ମୂଲ୍ୟରେ ସେମାନଙ୍କ ପାଖରେ ପହଞ୍ଚାଇବାର ବ୍ୟବସ୍ଥା ପ୍ରତି ଦୃଷ୍ଟି ଦେବାକୁ ହେବ । ପାଠକକୁ ସାମିଲ କରିବାକୁ ପଡ଼ିବ ପୁରସ୍କାର ଚୟନ ପ୍ରକ୍ରିୟାରେ । କେବଳ ଫତୁରାନନ୍ଦ ସେଇ ଉଦ୍ୟମ କରିବାକୁ ସାହସ କରି ପାରିଥିଲେ ‘ଡଗର’ ପତ୍ରିକାର ରଜତ ଜୟନ୍ତୀ ପାଳନ ଅବସରରେ । ଆଉ ସେଇ ଚୟନକୁ ସେତେବେଳେ ବହୁ ବିଜ୍ଞ ପ୍ରାଜ୍ଞ ନାକ ଟେକିଥିଲେ ସୁଦ୍ଧା ଆଜି ସାରା ବିଶ୍ୱ ସଲାମ କୁର୍ନିସ୍ କରୁଛି, ସେଇ ପୁରସ୍କୃତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ।
କୌଣସି ଭଲ ଗପଟିଏ ପଢ଼ିଲେ ଆପଣଙ୍କର ପ୍ରତିକ୍ରିୟା କିପରି ହୁଏ ?
ଉତ୍ତର : ଭଲ ଗପଟିଏ ପଢ଼ିଲେ ମୋ ଆୟୁଷ ଦୁଇ ତିନିମାସ ବଢ଼ିଯାଇଛି ଭଳି ଲାଗେ ମୋତେ । ତା’ପରେ ଚାରି ପାଞ୍ଚଦିନ ମୁଁ କିଛି ବି ପଢ଼େନି କି କୌଣସି କାମ କରେନି । ଦିନରାତି ସବୁବେଳେ ସେଇ ଗପରେ ବର୍ଣ୍ଣିତ ପରିବେଶ ଭିତରେ ଚାଲ୍ବୁଲ୍ କରେ । ଯାହାକୁ ପାଖରେ ପାଏ, ତାକୁ ଧରି ପକାଇ ସେଇ ଗପ ବିଷୟରେ କହେ । କାହାକୁ ନପାଇଲେ ଫୋନ୍ କରେ ବନ୍ଧୁମାନଙ୍କୁ । ପୂର୍ବେ ସେଇ ଗାଳ୍ପିକଙ୍କ ଠିକଣା ଖୋଜି ଚିଠିଖଣ୍ଡେ ଲେଖୁଥିଲି । ଡାକବାକ୍ସର କବର ଉପରେ ଆଣ୍ଠୁଏ ଉଚ୍ଚର ଘାସ ଉଠିଯିବା ଦେଖି, ଏବେ ସେଇ ଗପ ବିଷୟରେ ଫେସ୍ବୁକ୍ରେ ପୋଷ୍ଟ କରି, ଅନ୍ୟମାନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରୁଛି । ହଁ କେବେ କେମିତି ଅତି ମାତ୍ରାରେ ଆକ୍ରାନ୍ତ ହେଲେ, ଲେଖକଙ୍କ ପାଖକୁ ଦୀର୍ଘ ପତ୍ର ଲେଖି ତାଙ୍କ ଠିକଣାରେ ପଠାଇଦିଏ । ତାକୁ ଅନୁବାଦ କରିବାକୁ ଚେଷ୍ଟା କରେ ।
‘ପ୍ରାପ୍ତେଷୁ’ର ଦ୍ୱିତୀୟ ଖଣ୍ଡ ଲେଖିବାର ଲକ୍ଷ୍ୟ ଅଛି କି ?
ଉତ୍ତର : ଆଣ୍ଠୁଏ ଉଚ୍ଚର ଘାସ ଥିବା ସମାଧି ପାଖରେ ଛିଡ଼ା ହୋଇ, ମାଟି ତଳେ ଥିବା ସେଇ ଲାଲ୍ରଙ୍ଗର ଡାକବାକ୍ସ ଓଠରେ ଧାରେ ହସ ଫୁଟାଇବାର ଆଶାରେ, ଦିନେ ମନସ୍ଥ କରିଥିଲି କିଛି ଚିଠି ଲେଖିବାକୁ । ଯାହା ‘ଧ୍ୱନି ପ୍ରତିଧ୍ୱନି’ ଖବର କାଗଜରେ ଏକ ନିୟମିତ ସ୍ତମ୍ଭରେ ପ୍ରକାଶିତ ହୋଇଥିଲା । ତା’ର ସଙ୍କଳିତ ରୂପ ଏଇ ‘ପ୍ରାପ୍ତେଷୁ’ । ସେଇ ଚିଠି ଲେଖା ଏବେ ବି ଜାରି ଅଛି । ଭବିଷ୍ୟତରେ ସେସବୁ ସଙ୍କଳିତ କରିବି ‘ଇତି ଆପଣଙ୍କର’ ଶୀର୍ଷକରେ ବୋଲି ଭାବିଛି । ଗଳ୍ପ, କବିତା, ଉପନ୍ୟାସ, ନାଟକ, ପ୍ରବନ୍ଧ ଭଳି ଚିଠି ମଧ୍ୟ ସାହିତ୍ୟର ଏକ ମହତ୍ତ୍ୱପୂର୍ଣ୍ଣ ବିଭାଗ । ବେଳେ ବେଳେ ତାହା ଅନ୍ୟ ବିଭାଗମାନଙ୍କ ଠାରୁ ମଧ୍ୟ ଅଧିକ ଆକର୍ଷଣୀୟ ମନେ ହୋଇଥାଏ ।
ନୂଆ ଲେଖକଙ୍କ ପାଇଁ କି ବାର୍ତ୍ତା ଦେବେ ?
ବାର୍ତ୍ତା ଉଦ୍ଦେଶ୍ୟରେ ଗୋଟେ ଏକପଦୀ :
“ଗାଡ଼ିଏ ପଢ଼ି ଆସରେ ଭାଇ ଲେଖିବା ଆମେ ଧାଡ଼ିଏ
ସେଇ ଧାଡ଼ିକୁ ରହିବେ ଚାହିଁ ଛୁଆଠୁଁ ବୁଢ଼ା ଘଡ଼ିଏ ।”
Comments are closed.