ଓଡ଼ିଆ ଭାଷା ସାହିତ୍ୟ ଜଗତରେ ନିଜ ସୃଷ୍ଟି ଓ ସର୍ଜନାରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି କ୍ଷେତ୍ରବାସୀ ନାଏକ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ଜୀବନର ଦର୍ଶନ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ସର୍ଜନାର ତତ୍ତ୍ୱ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ସେ ସାହିତ୍ୟର ଧାରା ।
ଦାଦନ, ଶବବାହକ , ସମି ନାମକ ଗେଣ୍ଡା, ଶିକ୍ଷା ପାଇଲା ବୁକା, ଫେରିଆସିଲା ଚମ୍ପୁ ପ୍ରଭୃତି ପୁସ୍ତକ ସହ ଶତାଧିକ ଗଳ୍ପର କାଳଜୟୀ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ।
ଲେଖକ କ୍ଷେତ୍ରବାସୀ ନାଏକଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ
ଆପଣ ବିଜ୍ଞାନର ଛାତ୍ର ଥିଲେ ତେବେ ସାହିତ୍ୟ ପ୍ରତି କିପରି ଆକୃଷ୍ଟ ହେଲେ ?
କଲେଜ ପଢ଼ା ସମୟ ଆସିଲେ ଯାଇ କଳା, ବିଜ୍ଞାନ, ବାଣିଜ୍ୟ ଆଦି ବିଭାଗର କଥା ଉଠେ। ବିଜ୍ଞାନର ଛାତ୍ର ହେବା ପୂର୍ବରୁ ମୁଁ ସାହିତ୍ୟ ପ୍ରତି ଆକର୍ଷିତ ହୋଇଥିଲି। ହାଇସ୍କୁଲ୍ ବେଳେ ବ୍ଲକ୍ସ୍ତରୀୟ ଶିଶୁମେଳା ପାଇଁ କବିତା ଲିଖନ ପ୍ରତିଯୋଗିତାରେ ଭାଗ ନେଇ ଗୋଟେ ପେନ୍ସିଲ୍ ଏବଂ ପ୍ରମାଣପତ୍ରଟିଏ ପୁରସ୍କାର ସ୍ବରୂପ ପାଇବା ଦିନରୁ ସାହିତ୍ୟ ପ୍ରତି ମୋହ ବଢ଼ିବାରେ ଲାଗିଲା। ଅଞ୍ଚଳ କଲେଜ ପଦ୍ମପୁରରେ, ବିଜ୍ଞାନ ପାଠ ଚାଲିଥାଏ କ୍ଲାସ୍ରୁମ୍ ଆଉ ଲାବରୋଟେରୀ ଭିତରେ, ବାକି ସବୁଆଡ଼େ ତ ସାହିତ୍ୟ ହିଁ ଦୃଶ୍ୟମାନ ହେଉଥାଏ।
ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କ’ଣ ଥିଲା ଏବଂ ତାହା କିପରି ଭାବରେ ଆପଣଙ୍କୁ ପ୍ରେରିତ କରିଥିଲା ?
କଲେଜ ମାଗାଜିନ୍, ହଷ୍ଟେଲ୍ ପ୍ରାଚୀର ପତ୍ରିକା ଆଦିରେ ପ୍ରକାଶିତ କବିତାଗୁଡ଼ିକର ଶୀର୍ଷକ ମଧ୍ୟ ଆଉ ମନେ ନାହିଁ। ତେବେ ଅଳ୍ପ କିଛି କବିତା ପରେ ଗଳ୍ପ ଲେଖିବାକୁ ମନ ବଳାଇଥିଲି। ୨୦୦୫ରେ ‘ସମ୍ବାଦ’ର ସାହିତ୍ୟ ପୃଷ୍ଠାରେ ପ୍ରକାଶିତ ହୋଇଥିଲା ମୋର ପ୍ରଥମ ଗଳ୍ପ ‘ଉତ୍ସର୍ଗ’। ମୋ ପାଇଁ ଅପରିଚିତ ପ୍ରେମିକଟିଏ ତାହାର ପ୍ରେମିକାକୁ ନ ପାଇ ଜୀବନ ହାରିଦେବାର ଘଟଣା ମୋତେ ବିଚଳିତ କରିଥିଲା। ସେହି ମନ-ଆଲୋଡ଼ନର ଶବ୍ଦରୂପ ଥିଲା ଏଇ ଗଳ୍ପ।
ଆପଣ ଗଳ୍ପ, କବିତା ଅନୁବାଦ ଆଦି ସବୁ ବିଭାଗରେ ଲେଖନ୍ତି। ତେବେ ଆତ୍ମତୃପ୍ତି କେଉଁଠି ଅଧିକ?
ତୃପ୍ତି ମିଳେନାହିଁ ବୋଲି ତ ଲେଖାଲେଖି। କିନ୍ତୁ ଗଳ୍ପ, କବିତା, ଫିଚର ଯାହା ବି ହେଉ ଲେଖିଦେଲେ ଯଥେଷ୍ଟ ଉଶ୍ବାସ ଲାଗେ। କିଛି ସମୟ ଅଧିକ ବଞ୍ଚି ହୋଇଯିବାର ଅନୁଭବ ବି ଆସେ। ବୁଲେଇ ବଙ୍କେଇ ନ କହିଲେ, ଗଳ୍ପଟିଏ ଲେଖିପାରିଲେ ବେଶ୍ ଭଲ ଲାଗେ। ତାହା କିନ୍ତୁ ପରବର୍ତ୍ତୀ ସମୟରେ ଏମିତି ଏକ ଅସନ୍ତୋଷର କାରଣ ସାଜେ, କାହିଁ, ଯାହା ଚାହିଁଥିଲି-ଭାବିଥିଲି, ତାହା ତ ଆଦୌ ଲେଖିପାରିଲି ନାହିଁ !
ଆପଣଙ୍କ ବହୁ ଚର୍ଚ୍ଚିତ ଗଳ୍ପ ସଙ୍କଳନ ‘ଦାଦନ’ର ପରିକଳ୍ପନା ପଛରେ ଆପଣଙ୍କ ନିଜସ୍ୱ ଅନୁଭୂତି ଜଡ଼ିତ ଥିଲା କି ?
ଆମ ବଲାଙ୍ଗୀର ଅଞ୍ଚଳର ଏକ ପ୍ରମୁଖ ସମସ୍ୟା ‘ଦାଦନ’। ନିଜ ଗାଁର ଲୋକ ଦେଶାନ୍ତରୀ ହୋଇ ଅକଥନନୀୟ ନିର୍ଯାତନା ଭୋଗିଥିବାର ବାସ୍ତବ କାହାଣୀ ଶୁଣି ଶୁଣି ଦିନେ ଲେଖିହୋଇଯାଇଥିଲା କାହାଣୀ। ଅଳ୍ପ କିଛି କଳ୍ପନାର ଖୁସି, ଆଉ ଅନେକ ବାସ୍ତବତାର ଦୁଃଖ ବିଜଡ଼ିତ କାହାଣୀମାନ ରାତିରେ ବେଳେ ବେଳେ ଛଟପଟ କରେ। ଗାଁର ବପୁବନ୍ତ ଯୁଆନ ପୁଅ ଦାଦନ ଖଟିବାକୁ ଯାଏ, ଫେରିଲା ବେଳେ ଶବ ହୋଇ ଫେରେ। ଆଉ, ମୋ ପରି ମଣିଷମାନେ ତାହାର ନିରବ ଦର୍ଶକ ପାଲଟିଯାଉ। ପ୍ରତିବାଦର ସ୍ଲୋଗାନ୍ ଦେଇ ନ ପାରି, ଶବ୍ଦରେ ତାହାକୁ ପ୍ରକାଶ କରିବାର ପ୍ରୟାସ ମାତ୍ର, ଏଇ ଶୀର୍ଷକର କିଛି ଗଳ୍ପ।
ତିନୋଟି ଶିଶୁ ସାହିତ୍ୟର ସଫଳ ଅନୁବାଦ ପରେ ଆପଣ ଅଧିକ ଶିଶୁ ସାହିତ୍ୟର ସୃଜନ ବା ଅନୁସୃଜନ ପାଇଁ କାହିଁକି ଆଗ୍ରହୀ ହେଲେ ନାହିଁ ?
ସାହିତ୍ୟରେ ଅନେକ ବିଭାଗ। ସବୁ ବିଭାଗରେ ହାତ ମାରିବା, ଅଳ୍ପ ବିଦ୍ୟା ଭୟଙ୍କରୀ ଭଳି ହୋଇପାରେ। ଏନ୍ବିଟିର ଏକ ପ୍ରକଳ୍ପରେ ତିନିଟି ବହିର ଅନୁବାଦ ସିନା କରିଦେଲି, କିନ୍ତୁ ଦେଖିଲି ଯେ, ମୌଳିକ ଶିଶୁସାହିତ୍ୟ ରଚନା କରିବା ସବୁଠୁ କଷ୍ଟକର କାର୍ଯ୍ୟ।
ସ୍ରଷ୍ଟାର ସୃଷ୍ଟିକୁ ପୁରସ୍କାର କେତେ ମାତ୍ରାରେ ପ୍ରଭାବିତ କରେ ବୋଲି ଆପଣ ଭାବୁଛନ୍ତି ?
ପୁରସ୍କାର କ୍ଷଣିକ ଉତ୍ତେଜନା ଆଣିଦିଏ। ଅନେକ ଶତ୍ରୁ ବି ସୃଷ୍ଟି କରେ। ଏହାକୁ ଏକ ପ୍ରେରଣା ବୋଲି ଗ୍ରହଣ କଲେ ସବୁଠୁ ଭଲ।
ଓଡ଼ିଶାର ପତ୍ର ପତ୍ରିକାରେ ସମ୍ପାଦନା ନାଁରେ ସଂଯୋଜନା ଚାଲିଛି ବୋଲି କୁହାଯାଏ। ଜଣେ ସମ୍ପାଦକ ଭାବରେ ଏ ବିଷୟରେ ଆପଣଙ୍କ ମତ କ’ଣ?
ବଡ଼ ସଂସ୍ଥା ବା କର୍ପୋରେଟ୍ ସଂସ୍ଥାର ଛତ୍ରଛାୟା ତଳେ ନ ଥାଇ, ଯଦି ଜଣେ ସଚ୍ଚୋଟ ଭାବେ ନିରୁତା ସାହିତ୍ୟ ପତ୍ରିକା ସଂପାଦନା କରେ: ପ୍ରଥମତଃ ସେ ଦରିଦ୍ର ହୋଇଯିବାର ଖୁବ୍ ଆଶଙ୍କା ରହିଛି। ଦ୍ବିତୀୟତଃ, ପ୍ରାୟ ନବେ ପ୍ରତିଶତ ସାହିତ୍ୟିକଙ୍କର ସେ ଶତ୍ରୁ ହୋଇଯିବ। ଯଦି ଛୋଟମୋଟ ଚାକିରି ବାକିରି କରୁଥାଏ ତାହା ମଧ୍ୟ ସଙ୍କଟଜନକ ସ୍ଥିତିରେ ପଡ଼ିବ। ଆଉକିଛି ନ ହେଲେ ବି, ସେ ଅସୁସ୍ଥ ହୋଇଯିବାଟା ଥୟ। ତେଣୁ ସଂଯୋଜନା କାର୍ଯ୍ୟ ଅଧିକ ହେଉଛି।
ସାମାଜିକ ଗଣମାଧ୍ୟମର ସାହିତ୍ୟ ବିଷୟରେ ଆପଣଙ୍କ ମତ କ’ଣ?
ସାମାଜିକ ଗଣମାଧ୍ୟମର ସାହିତ୍ୟ ଯେତିକି ମିଠା ତାହାଠୁ ଅଧିକ ଖଟା। କିନ୍ତୁ ‘ଯୁଗକୁ ଯୁଗ ଏହି ମତେ, ପରମାନନ୍ଦ ଏ ଜଗତେ’। ଏହା ସତ୍ତ୍ବେ ଡିଜିଟାଲ୍ ଇଣ୍ଡିଆର ଯୁଗରେ ବି ଛପା ବହିର ବାସ୍ନା ଆମପାଇଁ ଅମୃତ ପରି।
ସମସାମୟିକ ଲେଖକଙ୍କୁ କି ବାର୍ତ୍ତା ଦେବେ ?
ବାର୍ତ୍ତା ନୁହେଁ, ଅନୁରୋଧ, କମ୍ ଲେଖିବା ଓ ଭଲ ଲେଖିବା। ଆମେ ସାହିତ୍ୟ ଜଗତ ବାହାରେ ଥିବା ଜଗତକୁ ଅଧିକ ଅନ୍ତରଙ୍ଗ ଭାବେ ଦେଖିବା, ତା ସହିତ ମିଶିବା। ସେଥିରୁ କାଣିଚାଏ ଅନୁଭବ ଯଦି ଖୁଜୁବୁଜୁ କଲା ମନକୁ, ତେବେ ତାହାର କଳାତ୍ମକ ରୂପ ଦେବା। ଶୋକର ସମୁଦ୍ରରେ ଭାସିଯାଉଥିବା ମଣିଷଟିଏକୁ ସୁଖର ସାଗରକୁ ହୁଏତ ଟାଣି ଆଣିପାରିବ ନାହିଁ ଆମର ସାହିତ୍ୟ; କିନ୍ତୁ ଅନ୍ୟ ଅନେକଙ୍କ ଓଠରୁ ‘ଆହା’ ପଦଟିଏ ତ ବାହାର କରିଦେଇପାରିବ!
Comments are closed.