Latest Odisha News

BREAKING NEWS

ହାପ୍ପି ଫ୍ରେଣ୍ଡସିପ୍ ଡେ’: ବିଶ୍ୱ ବନ୍ଧୁତ୍ୱ ଦିବସର ହାର୍ଦ୍ଦିକ ଅଭିନନ୍ଦନ

ଭୁବନେଶ୍ୱର: ଅନ୍ୟାନ୍ୟ ଦିବସ ପରି ବନ୍ଧୁତ୍ୱ ଦିବସ ପାଳନ ପାଇଁ ମଧ୍ୟ ଗୋଟିଏ ଦିନ ରହିିିଛି। ତଥ୍ୟ ଅନୁଯାୟୀ, ୧୯୧୯ ମସିହାରୁ ବନ୍ଧୁତ୍ୱ ଦିବସ ପାଳନ ଆରମ୍ଭ ହୋଇଥିଲା। ୧୯୩୫ ମସିହା ବେଳକୁ ଏହି ପରମ୍ପରା ଆମେରିକାରେ ଜୋର ଧରିବା ଆରମ୍ଭ କରିଥିଲେ ମଧ୍ୟ ୧୯୧୯ରୁ ଏହାର ଆରମ୍ଭ ହୋଇସାରିଥିଲା। ୧୯୫୮ ମସିହାରେ ଦକ୍ଷିଣ ଆମେରିକାରେ ୩୦ ଜୁଲାଇକୁ ପ୍ରଥମେ ବିଶ୍ୱ ବନ୍ଧୁତ୍ୱ ଦିବସ ଭାବରେ ପାଳନ କରିବା ପାଇଁ ପ୍ରସ୍ତାବ କରାଯାଇଥିଲା।

୨୦୧୧ ଏପ୍ରିଲ୍ ୨୭ ତାରିଖରେ ଜାତିସଂଘ ଜୁଲାଇ ୩୦ ତାରିଖକୁ ‘ଇଣ୍ଟରନ୍ୟାଶ୍‌ନାଲ୍ ଫ୍ରେଣ୍ଡଶିପ୍ ଡେ’ ବା ‘ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ’ ଭାବେ ଘୋଷଣା କରିଥିଲେ। ତେବେ, ବନ୍ଧୁତ୍ୱ ଦିବସ ବିଭିନ୍ନ ଦେଶରେ ବିଭିନ୍ନ ତାରିଖରେ ହୋଇଥାଏ। ଭାରତ ଭଳି ଆହୁରି ଅନେକ ଦେଶ ଅଛନ୍ତି, ଯେଉଁମାନେ ଜୁଲାଇ ୩୦ ତାରିଖରେ ବନ୍ଧୁତ୍ୱ ଦିବସ ପାଳନ କରନ୍ତି ନାହିଁ।

ଭାରତ ସମେତ ବାଂଲାଦେଶ, ମାଲେସିଆ ଓ ୟୁଏଇ ପରି କିଛି ଦେଶରେ ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ପାଳନ କରାଯାଏ। ଆର୍ଜେଣ୍ଟିନାରେ ଜୁଲାଇ ୨୦ରେ ବନ୍ଧୁତ୍ୱ ଦିବସ ପାଳନ କରାଯାଉଥିବା ବେଳେ ବଲିଭିଆରେ ଜୁଲାଇ ୨୩, ବ୍ରାଜିଲ୍‌ରେ ଜୁଲାଇ ୨୦, କଲମ୍ବିଆରେ ମାର୍ଚ୍ଚ ମାସ ଦ୍ୱିତୀୟ ଶନିବାର, ଇକ୍ୱେଡର ଜୁଲାଇ ୧୪, ମାଲେସିଆରେ ଅଗଷ୍ଟ ମାସର ପ୍ରଥମ ରବିବାର, ପାକିସ୍ତାନରେ ଜୁଲାଇ ୧୯, ସ୍ପେନ୍‌ରେ ଜୁଲାଇ ୨୦, ଉରୁଗୁଏରେ ଜୁଲାଇ ୨୦, ଆମେରିକାରେ ଫେବ୍ରୁଆରୀ ୧୫ ଓ ଭେନେଜୁଏଲାରେ ଜୁଲାଇ ୧୪ ତାରିଖକୁ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଏ।

ବର୍ଲିନ, ଓହିଓ ପରି ଦେଶ ମାନଙ୍କରେ ୮ ଏପ୍ରିଲରେ ବନ୍ଧୁତ୍ୱ ଦିବସ ପାଳିଥାଆନ୍ତି।

ବନ୍ଧୁତା ଦୁଇ କିମ୍ବା ଅଧିକ ଲୋକଙ୍କ ମଧ୍ୟରେ ଥିବା ସ୍ନେହର ଏକ ସମ୍ପର୍କ। ବନ୍ଧୁତାର ସମ୍ପର୍କ ଯେ କୌଣସି ଏକ ସଂଘ ଠାରୁ ମଧ୍ୟ ଶକ୍ତିଶାଳୀ ସମ୍ପର୍କ ହୋଇଥାଏ। ଏକ ବିଶ୍ୱ ସୌଭାଗ୍ୟ ତଥ୍ୟ ଅନୁଯାୟୀ ନିବିଡ଼ ବନ୍ଧୁତା ଥିବା ଲୋକମାନେ ଅଧିକ ସୁଖୀ ହୋଇଥାଆନ୍ତି। ବନ୍ଧୁତା ମଧ୍ୟରେ ସ୍ନେହ, ସହାନୁଭୂତି, ସମ୍ବେଦନତା, ସାଧୁତା, ନିଃସ୍ୱାର୍ଥପରତା, ପାରସ୍ପରିକ ବୁଝାମଣା, କରୁଣା, ପରସ୍ପରର ଉପସ୍ଥିତିରେ ଆନନ୍ଦ ଅନୁଭବ, ବିଶ୍ୱାସ, ଏବଂ ଏକ ହୋଇଯିବାର କ୍ଷମତା, ଭାବନା ପ୍ରକାଶ କରିବା, ମତ ଗ୍ରହଣ କରିବା ଏବଂ ଯେଉଁଠି ବିନା ଡରରେ ଭୁଲ୍ କରିବା ପ୍ରଭୃତି ରହିଥାଏ।

ଯଦିଓ ବନ୍ଧୁତାରେ ସେପରି କୌଣସି ବ୍ୟବହାରିକ ସୀମା ନଥାଏ । ଯାହା ଉପରେ ନିର୍ଭର କରି ଲୋକମାନେ ବନ୍ଧୁତା କରିବେ। ତଥାପି ବନ୍ଧୁତା ଏକ ସମାନ ପରିବେଶ, ଜୀବିକା କିମ୍ବା ଆଗ୍ରହ ଉପରେ ମୁଖ୍ୟତଃ ପରିବେଶିତ ହୋଇଥାଏ। ବନ୍ଧୁତାର ଆଧୁନିକ ଅର୍ଥ ବର୍ଣ୍ଣନା କରାଯାଇ କୁହାଯାଏ, “ବନ୍ଧୁତା ଜଣଙ୍କ ସହ ଏକ ସୁସ୍ଥ ତଥା ଖୁସିକର ସମ୍ପର୍କ ରଖିବା ଠାରୁ ଅନ୍ୟ କିଛି ନୁହେଁ।” ବାସ୍ତବରେ ବନ୍ଧୁତା କ’ଣ ତା’ ଠାରୁ କିଛି ଅଧିକ ନୁହେଁ।

ଏହା ନିଶ୍ଚିତ ଭାବେ କୁହାଯାଇପାରିବ ଯେ, ବନ୍ଧୁତା ଏହି ସବୁ ଶବ୍ଦରେ ସୀମିତ ନୁହେଁ। ଏହା ସମସ୍ତ ସୀମାରୁ ଉର୍ଦ୍ଧ୍ୱରେ। ସମ୍ପର୍କ, ଯାହା ହୃଦୟରୁ ଆସିଥାଏ ଏବଂ ସୁଖ ପ୍ରଦାନ କରେ ତାକୁ ବନ୍ଧୁତା କୁହାଯାଏ। ବନ୍ଧୁତା ପାଇଁ ଏହାଠାରୁ ବଳି ଅଧିକ ଉପଯୁକ୍ତ ବର୍ଣ୍ଣନା ନଥାଇପାରେ।

କୁହାଯାଏ, ବନ୍ଧୁ କରିବ ତ’ କୃଷ୍ଣ କିମ୍ବା କର୍ଣ୍ଣ ପରି ବନ୍ଧୁ କରନ୍ତୁ। କର୍ଣ୍ଣ ଯିଏ ବନ୍ଧୁ ଦୁର୍ଯ୍ୟୋଧନଙ୍କ ବିନାଶ ନିଶ୍ଚିତ ବୋଲି ଜାଣିଥିଲେ ଏବଂ ଦୁର୍ଯୋଧନଙ୍କ ବିନାଶ ପୂର୍ବରୁ ନିଜର ଅନ୍ତ କଥା ମଧ୍ୟ କର୍ଣ୍ଣ ଜାଣିଥିଲେ। ତଥାପି ବନ୍ଧୁତା ପାଇଁ ସେ ନିଜର ଆତ୍ମବଳି ଦେଇଦେଲେ। ସେହିପରି ଆଉ ଜଣେ ବନ୍ଧୁ ଥିଲେ ଭଗବାନ ଶ୍ରୀକୃଷ୍ଣ।

କୃଷ୍ଣ ମହାଭାରତ ଯୁଦ୍ଧରେ ଅସ୍ତ୍ର ଧରିନଥିଲେ ସତ, କିନ୍ତୁ ବନ୍ଧୁ ଅର୍ଜୁନଙ୍କ ବିଜୟ ସୁନିଶ୍ଚିତ କରିବାର ବାତାବରଣ ତିଆରି କରିଥିଲେ। ବନ୍ଧୁତାରେ ସ୍ୱାର୍ଥ ଆଶା କରାଯାଇ ନଥାଏ ସତ, କିନ୍ତୁ ସ୍ୱାର୍ଥ ପ୍ରଦାନ କରାଯାଇଥାଏ। ଜଣେ ବନ୍ଧୁ ତା’ର ଜଣେ ବନ୍ଧୁଙ୍କ ଠାରୁ ସ୍ୱାର୍ଥ ଆଶା କରିବା ଅନୁଚିତ। କିନ୍ତୁ, ଜଣେ ବନ୍ଧୁର ଯଦି ସାମର୍ଥ୍ୟ ଥାଏ, ତେବେ ସେ ତାର ବନ୍ଧୁକୁ ସ୍ୱାର୍ଥ ପ୍ରଦାନ କରିବା ଉଚିତ୍।

ସୁଦାମା ବନ୍ଧୁ ଶ୍ରୀକୃଷ୍ଣଙ୍କ ଠାରୁ ସ୍ୱାର୍ଥ ଆଶା କରିନଥିଲେ ସତ, କିନ୍ତୁ କୃଷ୍ଣ ତାଙ୍କ ବନ୍ଧୁ ସୁଦାମାଙ୍କୁ ସ୍ୱାର୍ଥ ପ୍ରଦାନ କରିଥିଲେ। କିନ୍ତୁ ଆଜିକା ଦୁନିଆରେ ଦେଖାଯାଏ, ଜଣେ ସାମର୍ଥ୍ୟବାନ ବନ୍ଧୁ ତା’ ଠାରୁ ଜଣେ କମ୍ ସାମର୍ଥ୍ୟବାନ୍ ବନ୍ଧୁକୁ ବନ୍ଧୁତାରେ ସ୍ୱାର୍ଥ ନଥିବାର ପାଠ ପଢ଼ାଇଥାଏ। କିନ୍ତୁ, ସେହି ସାମର୍ଥ୍ୟବାନ୍ ବନ୍ଧୁ ତା’ଠାରୁ ଅଧିକ ସାମର୍ଥ୍ୟବାନ୍ ବ୍ୟକ୍ତି ସହିତ ବନ୍ଧୁତା କରି ଭରପୁର ସ୍ୱାର୍ଥ ହାସଲ କରିଥାଏ।

Leave A Reply

Your email address will not be published.