ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଲିପସା ପଟେଲ । ତାଙ୍କର ପ୍ରତ୍ୟେକଟି ଲେଖାରେ ସ୍ପଷ୍ଟ ବାରିହୁଏ ସାମାଜିକ ଦାୟବଦ୍ଧତା , ଜୀବନ ଯନ୍ତ୍ରଣାର ନିଛକ ପ୍ରତିବିମ୍ବ, ସଂସାର ସଂଘର୍ଷ ଓ ଜୀବନାଦର୍ଶ ପୁଣି ସମାଧାନର ବାଟ । ଅତିସାଧାରଣ ଘଟଣା ଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ତାଙ୍କ ସର୍ଜନାର ଧାରା।
ଶବ୍ଦମେଧ, ମୋକ୍ଷ ମୁହାଣ, ଇମୋଜି , ନୀରବ ମୁହୂର୍ତ୍ତ , ଲଗ୍ନସିଦ୍ଧା, ଭିନ୍ନ ବଳୟ , ସ୍ୱପ୍ନ ନାୟକ, କିଛି ଶବ୍ଦର କାନଭାସ , ଅଙ୍କ ଓ ଦିଗ ପ୍ରଭୁତି ପୁସ୍ତକର ସେ ସଫଳ ସ୍ରଷ୍ଟା । ନିଜର ନିରବଛିନ୍ନ ସାହିତ୍ୟ ସାଧନା ପାଇଁ ଅନେକ ସାରସ୍ୱତ ଅନୁଷ୍ଠାନ ତଥା ସାହିତ୍ୟ ସଂସଦ ପକ୍ଷରୁ ସେ ସମ୍ମାନିତା ଓ ସମ୍ବର୍ଦ୍ଧିତା ।
ଲେଖିକା ଲିପସା ପଟେଲଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ
ସୃଷ୍ଟିର ସଂଜ୍ଞା କଣ ?
ସୃଷ୍ଟିର କୌଣସି ନିର୍ଦ୍ଧିଷ୍ଟ ସଂଜ୍ଞା ନାହିଁ ବୋଲି ମୁଁ ମତ ରଖିବି। “ସ୍ବ”କୁ ପରିଚାଳିତ କରୁଥିବା ଏକ ଅଦୃଶ୍ୟ ନିୟନ୍ତ୍ରଣ ହିଁ ସୃଷ୍ଟି ହୋଇପାରେ। ତାହା ଅନ୍ଧାର ଜରାୟୁରୁ ହେଉ ଅବା ହୃଦୟ ଅଳିନ୍ଦରୁ ନିଜକୁ ଜୀବନମନସ୍କ କରୁଥିବା ସତ୍ତା ହିଁ ସୃଷ୍ଟି ହୋଇପାରେ।
କେଉଁ ସ୍ରଷ୍ଟାଙ୍କ ସୃଷ୍ଟି ଆପଣଙ୍କୁ ସାହିତ୍ୟମନସ୍କ କରିଥିଲା ?
ପିଲାଦିନେ ଆଈ ଓଡ଼ିଆ ବହି ସବୁ ପଢାପଢି କରୁଥିଲେ। ସେଇ ସମୟକ୍ରମେ ମୋର ଓଡିଆ ସାହିତ୍ୟ ପ୍ରତି ରୁଚି ବଢିଥିଲା। ପ୍ରତିଭା ରାୟଙ୍କ “ଯାଜ୍ଞସେନୀ” ମନରେ ଆଲୋଡନ ସୃଷ୍ଟି କଲା। ଅନେକ ପ୍ରଶ୍ନ ଓ କୌତୁହଳ ଜାତ କଲା। ସୁଚରିତା ପତ୍ରିକା ବରାବର ଘରକୁ ଆସୁଥିଲା। ମୁଁ ଦ୍ଵିତୀୟ ଶ୍ରେଣୀରେ ଥିଲା ବେଳେ ସେହି ପତ୍ରିକାରେ ସୁସ୍ମିତା ବାଗଚିଙ୍କର “ମୋ ଝର୍କାରୁ ପୃଥିବୀ” ବିଷୟଟି ପଢୁଥିଲି। ସତ କହିବାକୁ ଗଲେ ଅଧାଅଧି ବୁଝି ପାରୁନଥିଲି, କିନ୍ତୁ ଏମିତି ମୋର ବି ଲେଖା ସବୁ ପତ୍ରିକାରେ ପ୍ରକାଶିତ ହେବ ବୋଲି ସ୍ଵପ୍ନ ଦେଖିଥିଲି।
ଆପଣ ଗଳ୍ପ , କବିତା ଓ ଉପନ୍ୟାସ ଲେଖନ୍ତି ତେବେ ଆତ୍ମତୃପ୍ତି କେଉଁଠି ?
ହଁ, ସାହିତ୍ୟର ଅନେକ ବିଭାଗରେ କିଛି କିଛି ଲେଖିଛି ; କିନ୍ତୁ ଆତ୍ମତୃପ୍ତି ପାଇନି। ଅପ୍ରାପ୍ତିବୋଧ ହିଁ ଜଣେ ଲେଖକ/ ଲେଖିକାର ଜୀବନରେ ଇନ୍ଧନ ଭଳି କାମ କରେ। ଜଣେ ସ୍ରଷ୍ଟା ସବୁବେଳେ ଅତୃପ୍ତ। ତା’ର ଆତ୍ମତୃପ୍ତି ନଥାଏ କି ସିଦ୍ଧି ନଥାଏ।
ସୃଜନଶୀଳତା ସହ ପରିବାରର ଦାୟିତ୍ୱ ମଧ୍ୟରେ ସମନ୍ୱୟ କିପରି ରଖନ୍ତି ?
ଜୀବନ ଏକ ବହମାନ ମୁହୂର୍ତ୍ତ ସବୁର ସମାହାର। ସେ ନିଜେ ନିଜର ବାଟ କାଢି ଆଗେଇ ଚାଲିଥାଏ। ଦିନଚର୍ଯ୍ୟା ଭିତରେ ସର୍ଜନା ପାଇଁ ମୁଁ କୌଣସି ନିର୍ଦ୍ଧିଷ୍ଟ ସମୟ ରଖେନାହିଁ। ଯେତେବେଳେ ମୋ ମନରେ କିଛି ଶବ୍ଦ ବସା ବାନ୍ଧେ ତାହା ସ୍ଵତଃ ଗପ, କବିତା ବା ଉପନ୍ୟାସର ରୂପ ନେଇଥାଏ। ଏଇ ଶବ୍ଦ ସବୁ ଘଣ୍ଟାର କଣ୍ଟାକୁ ମାନନ୍ତି ନାହିଁ କିମ୍ବା ଦିନ-ରାତି ଭିତରେ ଫରକ୍ ଦେଖନ୍ତି ନାହିଁ।
ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?
ମୋର ପ୍ରଥମ ଲେଖା ଥିଲା “ମା” ଶୀର୍ଷକରେ ଗୋଟିଏ କବିତା। ମୁଁ ଦ୍ଵିତୀୟ ଶ୍ରେଣୀରେ ପଢିଲା ବେଳେ ଏହି କବିତା ଲେଖିଥିଲି। ଏହାକୁ ଶିଶୁ ଦିବସରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ପାଠ କରି ପୁରସ୍କୃତ ହୋଇଥିଲି। ଏହି ଅନୁଭୂତି ମୋତେ ଅନେକ ପ୍ରେରଣା ଯୋଗାଇଥିଲା ଯାହା ପରବର୍ତ୍ତୀ ସମୟରେ ମୋ ଲେଖନୀକୁ ଉର୍ଜା ଯୋଗାଇଥିଲା।
ପୁରସ୍କାର ସାହିତ୍ୟ ସୃଷ୍ଟିର ମାପଦଣ୍ଡ ବୋଲି ଆମେ ଭାବିବା ଉଚିତ କି ?
ନା। ଯଦି ଆମେ ଅତୀତର କାଳଜୟୀ ସ୍ରଷ୍ଟାଙ୍କୁ ଦେଖିବା ତେବେ ସେଥିରୁ ଅନେକଙ୍କୁ କୌଣସି ପୁରସ୍କାର ଦିଆଯାଇନଥିଲା। ତଥାପି ତାଙ୍କର ସାହିତ୍ୟକୃତି ସବୁ ଇତିହାସ ସୃଷ୍ଟି କରିଛନ୍ତି। ପୁରସ୍କାର ଏକ କ୍ଷଣସ୍ଥାୟୀ ସାମାଜିକ ସ୍ଵୀକୃତି ଦେଇପାରେ କିନ୍ତୁ ପ୍ରକୃତ ସାହିତ୍ୟିକ ପରିଚିତି କେବଳ ପାଠକ ହିଁ ଦେଇପାରେ।
ସାହିତ୍ୟକୁ ଲୋକପ୍ରିୟ କରାଇବାରେ ଗଣମାଧ୍ୟମର ଭୂମିକାକୁ ଆପଣ କିପରି ମୂଲ୍ୟାୟନ କରିବେ ?
ସମୟ ବଦଳୁଛି ଓ ତା’ସହ ପ୍ରଚାର ପ୍ରସାରର ମାଧ୍ୟମ ମଧ୍ୟ। ଖବରକାଗଜ ଓ ପତ୍ରିକାରେ ସାହିତ୍ୟ ଏବେ ସୀମିତ ନୁହେଁ। ସୋସିଆଲ୍ ମିଡିଆରେ ନିଜ ଲେଖା ମାଧ୍ୟମରେ ଯୁବପୀଢି ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ଗଣତନ୍ତ୍ରର ଏହି ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ହିଁ ଲେଖକ ଓ ପାଠକ ମଧ୍ୟରେ ଥିବା ଦୂରତାକୁ ଦୂରେଇ ପାରିଥାଏ। ଟେଲିଭିଜନ ଭଳି ଗଣମାଧ୍ୟମରେ ପାଠକ ଅନେକ ପ୍ରୋଗ୍ରାମରେ ନିଜର ପ୍ରିୟ ଲେଖକ/ ଲେଖିକାଙ୍କୁ ଦେଖିପାରୁଛନ୍ତି ଓ ଟେଲିଫୋନ ମାଧ୍ୟମରେ କଥାବାର୍ତ୍ତା ମଧ୍ୟ କରିପାରୁଛନ୍ତି। ତେଣୁ ଗଣମାଧ୍ୟମର ଭୂମିକା ସବୁବେଳେ ମହତ୍ତ୍ୱପୂର୍ଣ୍ଣ ହିଁ ରହିବ।
ବର୍ତ୍ତମାନ ସମୟରେ ବହୁଳ ଭାବରେ ଇ- ପତ୍ରିକା ପ୍ରକାଶ ପାଉଛି । ଏହା ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ କିପରି ଭାବରେ ସହାୟକ ହୋଇପାରୁଛି ?
ସବୁ ପତ୍ରପତ୍ରିକା ସବୁ ଜାଗାରେ ଉପଲବ୍ଧ ହୋଇପାରୁନାହିଁ। ତେଣୁ ଇ-ପତ୍ରିକା ମାଧ୍ୟମରେ ପ୍ରବାସୀ ଓଡ଼ିଆମାନେ ଯଦି ନିଜ ଭାଷା ସହ ଯୋଡି ହୋଇ ପାରୁଛନ୍ତି ତେବେ କ୍ଷତି କ’ଣ ? ଏତଦବ୍ୟତୀତ ଏହା ସମୟ ସାପେକ୍ଷ। ଆଜିକାଲି ସମସ୍ତଙ୍କ ପାଖରେ ମୋବାଇଲ। ନିଜର ସମୟ ଓ ସୁବିଧା ଅନୁଯାୟୀ ଇ-ପତ୍ରିକାରୁ ପାଠକ ପଢିପାରୁଛନ୍ତି। ଏହା ସାହିତ୍ୟର ପ୍ରସାର ପାଇଁ ସହାୟକ ହେଉଛି।
ଆପଣଙ୍କ ରଚିତ ଏକ ପୁସ୍ତକର ଇଂରାଜୀରେ ଅନୁବାଦ ହୋଇଥିଲା । ସେ ଅନୁଭବ ଓ ଅନୁଭୂତି କିପରି ଥିଲା ?
ଏହା ମୋ ପାଇଁ ଗୋଟିଏ ସୁନେଲି ସ୍ବପ୍ନ ଥିଲା। ଏହି ପୁସ୍ତକର ସଫଳତା ପାଇଁ ମୁଁ ମୋର ଅନୁବାଦକ ଅନାଦିଚରଣ ପ୍ରଧାନ ଓ ଅନୁବାଦିକା ନମିତା ପଣ୍ଡାଙ୍କ ନିକଟରେ କୃତଜ୍ଞ। ସେମାନଙ୍କ ପ୍ରଚେଷ୍ଟା ପାଇଁ ହିଁ ମୋର ଗପ ସବୁ ଇଂରାଜୀରେ ଅନୁବାଦ ହୋଇପାରିଲା ଓ ଭାଷାଗତ ପରିସୀମାରୁ ମୁକୁଳି ଅଣ-ଓଡିଆ ପାଠକଙ୍କ ପାଖରେ ପହଞ୍ଚିପାରିଲା। ଏହାର ପ୍ରକାଶକ ସୁଦର୍ଶନ କେଚେରୀ (ଅଥର୍ସ ପ୍ରେସ)ଙ୍କ ପାଖରେ ମଧ୍ୟ ମୁଁ କୃତଜ୍ଞ, ଯିଏ ମୋ ଗପର ଇଂରାଜୀ ଅନୁବାଦକୁ ଛାପିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ନିଜ ଗପ ସବୁକୁ ଇଂରାଜୀ ଭାଷାରେ ପଢି ମୁଁ ଖୁବ୍ ଆନନ୍ଦିତ।
ସମସାମୟିକ ସାହିତ୍ୟକୁ ଧ୍ୟାନରେ ରଖି ଆମ ଭାଷା ସାହିତ୍ୟର ଭବିଷ୍ୟତ କିପରି ହେବ ବୋଲି ଆପଣ ଭାବନ୍ତି ?
ଆମ ଭାଷାର ଭବିଷ୍ୟତ ଖୁବ୍ ଉଜ୍ଜ୍ବଳ ବୋଲି ମୁଁ ଆଶାବାଦୀ। ବର୍ତ୍ତମାନ ଅନେକ ନୂଆ ପୀଢିର ପିଲାମାନେ ଯେଉଁ ଆଗ୍ରହ ସହକାରେ ଲେଖୁଛନ୍ତି ତାହା ମୋର ବିଶ୍ୱାସକୁ ବୃଦ୍ଧି କରିଛି। ଏହା ସହିତ ଅନ୍ୟ ଭାଷାର ଲେଖା ପଢି ଅନୁବାଦ ଦିଗରେ ମଧ୍ୟ ପଦକ୍ଷେପ ନେଉଛନ୍ତି ତାହା ଆହୁରି ଶୁଭଙ୍
Comments are closed.