Latest Odisha News

BREAKING NEWS

ଦାୟବଦ୍ଧତା ବିନା ସତ୍ ସୃଷ୍ଟି ସମ୍ଭବ ନୁହେଁ : ସୀତେଶ ତ୍ରିପାଠୀ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ସ୍ରଷ୍ଟା ସୀତେଶ ତ୍ରିପାଠୀ । ଗଳ୍ପ, କବିତା, ନାଟକ ରଚନା ଓ ଅନୁସୃଜନ ସହ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର।

ଦଶଟି ଗଳ୍ପ ସଙ୍କଳନ, ପାଞ୍ଚୋଟି ନାଟକ-ଏକାଙ୍କିକା ସଙ୍କଳନ, ଗୋଟିଏ କବିତା ସଙ୍କଳନ, ଗୋଟିଏ ଅନୁସୃଜନ ଉପନ୍ୟାସ, ନଅଟି କିଶୋର ଗଳ୍ପ, ଉପନ୍ୟାସ ସଙ୍କଳନ ଓ ଚାରୋଟି ସମ୍ପାଦନା ପୁସ୍ତକର ସ୍ରଷ୍ଟା ଶ୍ରୀ ତ୍ରିପାଠୀ ତାଙ୍କର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ସହ ଆହୁରି ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ।

ଓଡ଼ିଆ ସାହିତ୍ୟର ସଶ୍ରଦ୍ଧ ସ୍ୱର ସୀତେଶ ତ୍ରିପାଠୀଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ‘ଆଳାପ’

ସାହିତ୍ୟ ଜୀବନର ଆରମ୍ଭ କିପରି ହୋଇଥିଲା ?
ଛାତ୍ରାବସ୍ଥାରୁ ଗପ ଉପନ୍ୟାସ ପଢ଼ି ସାହିତ୍ୟ ପ୍ରତି ଆକର୍ଷଣ ଆରମ୍ଭ। ଷାଣ୍ମାସିକ ଓ ବାର୍ଷିକ ପରୀକ୍ଷା ପରେ ମୋର ସବୁତକ ସମୟ ଗପ ବହି ସହିତ ବିତୁଥିଲା । ଶୁଆଶାରୀ କାହାଣୀ, ଆଈ ମା’ଙ୍କ କାହାଣୀ ପେଡ଼ି, କଣ୍ଡୁରୀ ଚରଣ, ଆଶୁତୋଷ, ଯୋଗେନ୍ଦ୍ର କାହ୍ନୁଚରଣ, ବିଭୂତି ପଟ୍ଟନାୟକ ଆଦିଙ୍କ ଉପନ୍ୟାସ ପ୍ରଚୁର ପଢ଼ିଛି । ସେ ସମୟରେ ବାଲିରାଜା ମୋର ସବୁଠୁ ପ୍ରିୟ ବହି ଥିଲା। ଏୈତିହାସିକ ଉପନ୍ୟାସ ମୀରା ସିରିଜ, ରବିନ୍ ସିରିଜ, ଲାଲ ସିରିଜ, ରାଜଶ୍ରୀ ପକେଟ ବୁକ୍ସର ବହି ଖୋଜି ଲୋଡ଼ି ପଢ଼େ। ସେଇ ପଢ଼ିବା ଭିତରେ ମନରେ ଲେଖକ ହେବାର ଅଭୀସ୍ପାଟିଏ ଗଜା ହେଉଥାଏ । ୧୯୭୩ ମସିହାରୁ ପ୍ରଥମେ ଅନୁସନ୍ଧାନ ମୂଳକ ଲେଖାରୁ ମୋ ଲେଖକୀୟ ଜୀବନର ଆରମ୍ଭ ହୋଇଛି।

ଆପଣ ଗପ, କବିତା, ଉପନ୍ୟାସ ଓ ନାଟକ ସବୁ କ୍ଷେତ୍ରରେ ସକ୍ରିୟ। ତେବେ ଆପଣଙ୍କର ପ୍ରିୟ ବିଷୟଟି କଣ ?

ଗପ ଓ ଗପ ଲେଖିବା ମୋର ସବୁଠାରୁ ପ୍ରିୟ। ତେବେ ପ୍ରଥମେ କବିତାରୁ ଆରମ୍ଭ କରିଥିଲି। ପ୍ରାର୍ଥନା : ଶାନ୍ତି ପାଇଁ ଶୀର୍ଷକରେ ପ୍ରଥମ କବିତା ଲେଖିଥିଲି। ପରେ ପରେ ୧୮୮୩,୮୪ ମସିହାରେ ଦୁଇ ତିନିଟି କିଶୋର ଉପନ୍ୟାସ ଲେଖିଥିଲି। କଲକୀ ଶୀର୍ଷକରେ ମୋର ପ୍ରଥମ ଉପନ୍ୟାସ ସାଥୀ ପ୍ରକାଶନ ସଂସ୍ଥା ଦ୍ଵାରା ପ୍ରକାଶିତ ହୋଇଥିଲା । ୧୯୯୧ ରେ ପଡ଼ୋଶୀ ଶୀର୍ଷକରେ ମୋର ପ୍ରଥମ ଗଳ୍ପ ପ୍ରକାଶିତ ହୋଇଥିଲା । ତା’ ପରଠୁ ଗଳ୍ପ ପ୍ରତି ସ୍ଵତଃ ଆକୃଷ୍ଟ ହୋଇ ପଡ଼ିଲି।

ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକକୁ ଅଧିକ ସର୍ଜନଶୀଳ କରିବାରେ ସହାୟକ ହୁଏ କି ?

ପୁରସ୍କାର ଓ ପରିଚିତି ପ୍ରୋତ୍ସାହିତ କରେ। ହେଲେ ସର୍ଜନକଳା ଦୈବୀକୃପା ସଦୃଶ । ଇଶ୍ଵରଙ୍କ ଆଶିଷ ବିନା ଜଣେ ସୃଜନଶୀଳ ହୋଇପାରେ ନାହିଁ। ଏହା ମୋର ବ୍ୟକ୍ତିଗତ ବିଶ୍ବାସ। ସମତାଳରେ ସତ ସ୍ରଷ୍ଟାଟିଏ ପୁରସ୍କାର ଓ ପରିଚିତି ହାସଲ କରିବାର ଉଦ୍ଦେଶ୍ୟ ରଖି ଲେଖେନାହିଁ , ତଥାପି ପୁରସ୍କାର ଓ ପରିଚିତିରୁ ବଞ୍ଚିତ ହେଲେ କେବେ କେମିତି ମନରେ କ୍ଷୋଭ ଜାତ ହୁଏ। ସ୍ରଷ୍ଟା ଜଣେ ସାଧାରଣ ମଣିଷ , ସାଧୁ ସନ୍ଥ ନୁହେଁ।

ସମ୍ପ୍ରତି ସାହିତ୍ୟ ସହ ସାମାଜିକ ଗଣମାଧ୍ୟମ ଓତଃପ୍ରୋତ ଭାବରେ ଜଡି଼ତ। ତେବେ ସାମାଜିକ ଗଣମାଧ୍ୟମରେ ଚାଲିଥିବା ସାହିତ୍ୟର ତର୍କ ବିତର୍କକୁ ଆପଣ କେତେଦୂର ଗ୍ରହଣ ଯୋଗ୍ୟ ବୋଲି ଭାବନ୍ତି ?

ମୁଁ ‘ଛି’ ମଣେ । ସାମାଜିକ ଗଣମାଧ୍ୟମ ଭଲ ଗପ କି କବିତାକୁ ପ୍ରୋତ୍ସାହନ ଯୋଗାଏ ନାହିଁ। ଏଇଠି ଲାଲ ନୀଳ ପରିମାନେ, କ୍ଷମତାଧରମାନେ ଯୋଜନା ବଦ୍ଧ ଭାବରେ ଆଖିବୁଜି ଲାଇକ କରୁଥିବା ଏବଂ ପୁରସ୍କାର ପରିଚିତି ଦାନ କ୍ଷେତ୍ରରେ ଭୂମିକା ଭୂମିକା ରଖିଥିବା ବ୍ୟକ୍ତି ବିଶେଷଙ୍କ ଆଜେବାଜେ ପୋଷ୍ଟିଂ ମତ ମନ୍ତବ୍ୟରେ ପୋତି ହୋଇ ପଡେ। କିନ୍ତୁ ମୁଁ କହିବି ଏସବୁରେ ସମୟ ନଷ୍ଟ କରିବାର ଆବଶ୍ୟକତା ନାହିଁ ।

ନିଜ ରଚନାର ସମୀକ୍ଷା କଲେ, କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ଏ ପ୍ରଶ୍ନର ଉତ୍ତର ଦେବାର ଅଧିକାର କେବଳ ପାଠକ ସମାଜର, ସମୀକ୍ଷକମାନଙ୍କର । ଏହାର ଉତ୍ତର ଦେଇ ପାରୁନଥିବାରୁ କ୍ଷମାପ୍ରାର୍ଥୀ ।

 

ଓଡ଼ିଆ ସାହିତ୍ୟର ଯାତ୍ରାରେ କିଛି ପରିବର୍ତ୍ତନ ଆସିବାର ଆବଶ୍ୟକତା ଅଛି ବୋଲି ଆପଣ ଭାବନ୍ତି କି ?
ମୁଁ କେବଳ ଗପ, ଉପନ୍ୟାସ ଓ ନାଟକର ଉକୃଷ୍ଟତାକୁ ବିଚାରକୁ ନିଏ। ଆଗାମୀ ଦିନରେ କେମିତି ଆହୁରି ଭଲ ଲେଖିବି ସେହି ବିଷୟରେ ଭାବୁଥାଏ । ଭାବିବା ଭିତରେ ଝଟକାଟିଏ ଯଦି କେଉଁଠି ଲାଗେ, ସେଇଠି ଅଟକେ ଓ କଲମ ଧରେ । ଅନ୍ୟ ଚିନ୍ତା ପାଇଁ ଆଉ ସମୟ ମିଳେ ନାହିଁ।

ଯେତେ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ମାତ୍ରାରେ ସାହିତ୍ୟ ଅଗ୍ରଗତି କରୁନାହିଁ ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ କ’ଣ କହିବେ ?
ପୁସ୍ତକ ପ୍ରକାଶିତ ହେଉ। ହେବା ଆବଶ୍ଯକ। ତା ଭିତରୁ ଉତ୍କୃଷ୍ଟ ଲେଖା ବଳେ ମୁଣ୍ଡ ଟେକିବ। ଆଉ ସାହିତ୍ୟର ଅଗ୍ରଗତି? ସେ ବାବଦରେ ସୁଦ୍ଧା ପାଠକ ଉତ୍ତର ରଖନ୍ତୁ। ତେବେ ପୁସ୍ତକ ପ୍ରକାଶନ ସହ ପାଠକ ସଂଖ୍ୟା ଯେ ତାଳ ଦେଉନାହିଁ, ଏହା ହିଁ ଚିନ୍ତାର ବିଷୟ ।

ନାଟକ ସାହିତ୍ୟର ଏକ ବଡ଼ ଅଂଶ ଏବେ ଯୁବପୀଢ଼ି ନାଟକ ଲେଖିବା ପାଇଁ ଆଗ୍ରହୀ କାହିଁକି ହେଉ ନାହାଁନ୍ତି ।
ଧୈର୍ଯ୍ୟର ଅଭାବ, ସାମର୍ଥ୍ୟର ଅଭାବ। ଏଠାରେ ଉଲ୍ଲେଖନୀୟ ଯେ ଗପ ଉପନ୍ୟାସ ଲେଖିବାଠୁ ନାଟକ ଲେଖିବା କଷ୍ଟକର ବ୍ୟାପାର। ନାଟକ ଏକ ଦୃଶ୍ଯ କାବ୍ଯ। ଘଟଣାକୁ ଚରିତ୍ର ସହିତ ଗୋଟିଏ ଫ୍ରେମରେ ମଞ୍ଚକୁ ଆଣିବାକୁ ହୁଏ। ସେଥିପାଇଁ ସମସ୍ତଙ୍କ ଦ୍ଵାରା ନାଟକ ଲେଖିବା ସମ୍ଭବ ହୋଇ ପାରେନା।

ଲେଖକ ପାଇଁ ସାମାଜିକ ଦାୟିତ୍ୱବୋଧର ଆବଶ୍ୟକତା କେତେ ବୋଲି ଆପଣ ମନେ କରନ୍ତି?
ଦାୟ ବଦ୍ଧତା ବିନା ସତ ସୃଷ୍ଟି ସମ୍ଭବ ନୁହେଁ। ମନୋରଞ୍ଜନ କେବଳ ସାହିତ୍ୟ ସର୍ଜନାର ଲକ୍ଷ୍ୟ ହୋଇ ନପାରେ । ସମାଜକୁ ନେଇ ମଣିଷ, ତେଣୁ ସାମାଜିକ ଦାୟିତ୍ଵବୋଧ ଲେଖକଟିଏର ରହିବା ଅବଶମ୍ଭାବୀ ବୋଲି ମୁଁ ମନେକରେ।

ସାହିତ୍ୟକୁ ନେଇ ଆପଣଙ୍କ ଭବିଷ୍ୟତ ଯୋଜନା କଣ ?

ଯୋଜନା କଣ ! ସାହିତ୍ୟକୁ ନେଇ ପୁଣି କି ଯୋଜନା ! ସାହିତ୍ୟ ରଚନା ଯୋଜନା ବଦ୍ଧ ଭାବରେ ହୁଏ ବୋଲି ମୁଁ ଭାବିପାରେ ନାହିଁ। ଯେଉଁ ପର୍ଯ୍ୟନ୍ତ ଜୀଇଁଥିବି, ଲେଖୁଥିବି । ଈଶ୍ଵରଙ୍କ ପାଖରେ ମୋର ଏତିକି ପ୍ରାର୍ଥନା।

ନୂଆ ପୀଢ଼ିର ଲେଖକଙ୍କ ପାଇଁ କି ବାର୍ତ୍ତା ଦେବେ ?

ସେମାନେ ଆମ ଉତ୍ତର ଦାୟାଦ । ଖୁବ୍ ପଢ଼ନ୍ତୁ। ଜନଜୀବନ ସହ ସମ୍ପୃକ୍ତ ରୁହନ୍ତୁ। ଅନ୍ତଦୃଷ୍ଟିର ଗଭୀରତାକୁ ବ୍ୟାପକ କରନ୍ତୁ। ଆମ୍ବୁଲାନ୍ସ ଚେଜର ଓକିଲ କେଇଟାଙ୍କ ଭଳି ନିଉଜପେପର ଚେଜର ଲେଖକ ହୁଅନ୍ତୁ ନାହିଁ।ଲେଖାରେ ଭଲ ଖରାପ ପରଖିବାର ଶକ୍ତି ରଖନ୍ତୁ। ନିଜ ସହ ନିଜେ ତର୍ଜମା କରନ୍ତୁ। ଅନ୍ୟର ସୃଷ୍ଟି ସହ ନିଜର ସୃଷ୍ଟିକୁ ନିରପେକ୍ଷ ପାଠକ ଦୃଷ୍ଟିରେ ତୁଳନା କରନ୍ତୁ ଓ ଆବଶ୍ୟକ ସ୍ଥଳେ ନିଜକୁ ପରିମାର୍ଜିତ କରନ୍ତୁ । ପୁରସ୍କାର ଓ ପରିଚିତି ପାଇବା ପାଇଁ ବ୍ୟାକୁଳ ନହୋଇ ଭଲ ଲେଖିବା ପାଇଁ ବ୍ୟାକୁଳ ହୁଅନ୍ତୁ ; ପୁରସ୍କାର ଓ ପରିଚିତି ବଳେ ଆସିବ।

Leave A Reply

Your email address will not be published.