Latest Odisha News

BREAKING NEWS

କାଳ୍ପନିକ ସୌନ୍ଦର୍ଯ୍ୟ ଅପେକ୍ଷା ନିଚ୍ଛକ ସତ୍ୟ ହିଁ ମୋ ରଚନାର ଆଧାର : ଅନନ୍ତାଂଶୁ ଜେନା

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ ।

ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ଅନନ୍ତାଂଶୁ ଜେନାଙ୍କ ସହ ‘ସ୍ୱଳ୍ପ ଆଳାପ’

ମୁଁ କାହିଁକି ଲେଖେ ?
ମୋର ଭାବନାରେ ଯାହା ସମସ୍ତଙ୍କ ପାଇଁ ମଙ୍ଗଳ, ତାହା ହିଁ ଶ୍ରେଷ୍ଠ। ଜୀବନକୁ ବାସ୍ତବତା ତଥା ସତ୍ୟ ସହ ପରିଚିତ କରାଇବାକୁ ମୁଁ ଲେଖେ। କାଳ୍ପନିକ ସୋନ୍ଦର୍ଯ୍ୟ ଅପେକ୍ଷା ନିଚ୍ଛକ ସତ୍ୟକୁ ମୁଁ ମୋର ଲେଖା ମାଧ୍ୟମରେ ଧରି ରଖିବାର ପ୍ରୟାସ ସହ ଅନେକଙ୍କ ପାଖରେ ପହଞ୍ଚିବା ପାଇଁ ମୁଁ ଲେଖେ ।

ସାହିତ୍ୟ ସର୍ଜନା ପାଇଁ କାହିଁକି ଆଗ୍ରହୀ ହେଲେ?

ମୁଁ ଭାବେ କିଛି ଲେଖିଦେଲେ ଜୀବନ ବଞ୍ଚିବା ସହଜ ହେଇଯାଏ। ଅନ୍ତରର ଆବେଗମାନେ ଯେତେବେଳେ ଅସହଜ କରି ପକାନ୍ତି, ସେତେବେଳେ ଶବ୍ଦ ସବୁ ବାହାରି ଯିବାକୁ ଆଉଟୁ ପାଉଟୁ ହୁଅନ୍ତି। ଭାବନାକୁ ଶବ୍ଦ ଦେଇ ଲେଖା ହେଇଯାଏ। ପରେ ତାହାକୁ ସାକାର ରୂପ ଦେବାପାଇଁ ବିଶ୍ଳେଷଣ-ତର୍ଜମା ଆଦି କରିବାକୁ ପଡ଼େ।

ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା କିପରି ଆପଣଙ୍କୁ ପ୍ରେରିତ କରିଥିଲା ?

ମୋର ପ୍ରଥମ ଲେଖା ଥିଲା, ଗୋଟିଏ କବିତା “ନୂଆ ସକାଳର ସୂର୍ଯ୍ୟ” । ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍କୁଲ ପତ୍ରିକାରେ ତାହା ପ୍ରକାଶ ପାଇଥିଲା । ଗୁରୁଜୀମାନଙ୍କ ଦ୍ଵାରା ବେଶ୍ ଆଦୃତ ହେବା ପରେ ଆମର ସାହିତ୍ୟ ଗୁରୁଜୀ ଅନୁପ୍ରେରିତ କରିଥିଲେ ଆଉ ଲେଖିବାକୁ । ସେବେଠୁ ଲେଖା ଚାଲିଛି।

ଗଳ୍ପ / କବିତା ମାଧ୍ୟମରେ ଆପଣଙ୍କର କେଉଁ ବାର୍ତ୍ତା ରହିଥାଏ ?

ଅନ୍ତରର ଆବେଗ ପ୍ରକାଶ, ମଣିଷର ମଣିଷ ପଣିଆ, ସମାଜକୁ ଦିଗଦର୍ଶନ, ଜୀବନର ବାସ୍ତବ ଛବି, ସତ୍ୟ ଅନୁରାଗ -ଏମିତି କିଛି କଥାକୁ ନେଇ ଲେଖିବା ଆରମ୍ଭ କରେ । ଲେଖୁ ଲେଖୁ ତାହା କେଉଁ କେଉଁ ରୂପ ନେଇଯାଏ।

 

 

ତାଙ୍କ ରଚନାରୁ କବିତା : ଅପେକ୍ଷା
କୁହ ତ !
ଚୁପ ରହିବା ଭଲ, ନା ଅନର୍ଗଳ ଗପିବା
କିଛି ତ ଫରକ ଥିବ !
ନ ହେଲେ
ଅନର୍ଗଳ ଗପୁଥିବା ଲୋକ ବି
ବେଳେବେଳେ ଚୁପ
ହୁଏତ ସୀମାବଦ୍ଧ
ପୁଣିଥରେ, ଆଉ କାହା ପାଇଁ
କିମ୍ବା, ପ୍ରାୟଶ୍ଚିତ
ଘଟିଥିବା ଘଟଣାର
କିଛି କୋହ ସାଇତା ଅଙ୍ଗାର

ସହି ହୁଏ ସବୁବେଳେ
ସହିବାକୁ ବି ହୁଏ
ଆଉ କ’ଣ ଉପାୟ ଅଛି
ମୁକ୍ତିର, ଉଡ଼ିଯିବାର ?

ସବୁଦିନ ହସିବାକୁ ହୁଏ
ସବୁ କଥାରେ
ଯନ୍ତ୍ରବତ ଜୀବନ
କେମିତି ବଞ୍ଚି ହୁଏ !
ଦୀର୍ଘ ଦିନ ଧରି
ନିଜକୁ ଜାବୁଡ଼ି ଧରି
ନିଜ ପାଇଁ ନିଜେ
ଲକ୍ଷ୍ମଣ ଗାର
ପୁଣି, ସେହି କଥା
ବାରମ୍ବାର ଦୋହରାଇ
କ’ଣ ମିଳେ ?

ପୂର୍ଣ୍ଣତା , ହଁ ସତରେ !
ମିଛ ବି ହେଇପାରେ
ତୁମକଥା ତୁମ ପାଇଁ
ତୁମେ ତ ସେମିତି
ଭାସିବାକୁ ପସନ୍ଦ କର
ବୁଡ଼ିବା ଯେ ଭୟ
କାଳେ ଗୋଡ଼ ଲାଖିଯିବ
ଅନ୍ଧାର ହେବା ଆଗରୁ
ମେଘ ଢାଙ୍କିଦେବ
ପୁଣି ଥରେ ଦିନଟିଏ
ସରିବାର ଭୟ !

ଆହାଃ, ବଞ୍ଚି ହେଲାନି ତ
ଯେମିତି ଭାବିଥିଲ
ରାତିର ସ୍ୱପ୍ନରେ
ଏକୁଟିଆ-ଏକାନ୍ତରେ
କେତେ କଥା
ଫୁଲକୁ ଆଉଜି
ଝଡ଼ି ଯିବାର ମୋହ
ସେମିତି ଅଛି
ଖାଲି ଅପେକ୍ଷା
କୁହ ତ !

Leave A Reply

Your email address will not be published.