Latest Odisha News

BREAKING NEWS

ସାହିତ୍ୟ ଓ ଜୀବନ ପରସ୍ପର ପରିପୂରକ : ମହାଶ୍ୱେତା ସାହୁ

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ମହାଶ୍ୱେତା ସାହୁ । ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ, ସମାଲୋଚନା ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ ।

ବିଷାଦବୃତ୍ତର ରାଜପୁତ୍ର, ପ୍ରେମିକା, ଅବ୍ୟକ୍ତ ନୀରବତା, ଏବଂ ଅବଶିଷ୍ଟ, ଯେତେ ସବୁ ପାରିପାର୍ଶ୍ଵିକ, ଦର୍ପଣର ଛାଇ, ପାପୁଲିଏ କ୍ଷତ, ଅନ୍ଧାରର ଇନ୍ଦ୍ରଧନୁ, ରକ୍ତଝୋଟି, ସିଲହଟର ସକାଳ (ମିଳିତ ଉପନ୍ୟାସ ), ମାଟିର ଝରକା,  ସାହିତ୍ୟ ମନୀଷା ଭାଗ ୧ ଏବଂ ଭାଗ ୨ ଆଦି ପୁସ୍ତକ ସହ ଆହୁରି ଅନେକ କାଳଜୟୀ ସୃଷ୍ଟିର ସେ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଓ ସମ୍ବର୍ଦ୍ଧିତା ।

ଲେଖିକା ମହାଶ୍ୱେତା ସାହୁଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ‘ଆଳାପ’

ସାହିତ୍ୟ ଓ ଜୀବନ କିପରି ଭାବରେ ପରସ୍ପର ସହ ଜଡ଼ିତ ?

ସାହିତ୍ୟ ଓ ଜୀବନ ପରସ୍ପର ପରିପୂରକ । ଜୀବନ ନଥିଲେ ସାହିତ୍ୟ କାହିଁ କି ସାହିତ୍ୟ ନହେଲେ ଜୀବନ କାଇଁ ! ସାହିତ୍ୟ ଜୀବନକୁ ଚିହ୍ନାଏ ଓ ଜୀବନ ସାହିତ୍ୟର କଥା କହେ। ଜୀବନ ଜୀଇଁବାର ଅନୁପମ କଳା ଓ କୌଶଳ ଆମେ ସାହିତ୍ୟରୁ ଲାଭକରୁ। ଜୀବନର ସେଇ କଳା କୌଶଳକୁ ନେଇ ହିଁ ସାହିତ୍ୟ ଚିରନ୍ତନ । ଜୀବନର ଚିରନ୍ତନ ଅନୁଭବମାନଙ୍କୁ ନେଇ ହିଁ ସାହିତ୍ୟ ସମୃଦ୍ଧ ଓ ନିତ୍ୟ ନୂତନ।

ଆପଣ ଗଳ୍ପ, ଉପନ୍ୟାସ, କବିତା, ପ୍ରବନ୍ଧ, ସମାଲୋଚନା ସବୁ ବିଭାଗରେ ଲେଖନ୍ତି । ତେବେ ଆପଣଙ୍କର ପ୍ରିୟ କିଏ ?

ଗଳ୍ପ ମୋର ପ୍ରିୟ କ୍ଷେତ୍ର। ଗପରେ ଯେତେ ସ୍ୱଚ୍ଛନ୍ଦରେ ସଫଳ ଭାବେ ମୁଁ ନିଜକୁ ପ୍ରକାଶ କରିପାରେ। ଏମିତି ଲାଗେ ଗପ ଭିତରେ ମୁଁ ବଞ୍ଚେ, ଗପ ଭିତରେ ନିଃଶ୍ବାସନିଏ। ପ୍ରତି ମୁହୂର୍ତ୍ତରେ ମୁଁ ଗପକୁ ଭେଟେ। ଅଟକି ଯାଇଥିବା ସମୟ ପାଖରୁ ମୁକୁଳିଯିବାର ଆବେଗ ତିଆରି କରୁଥିବା ମୋହ ହିଁ ମୋ ପାଇଁ ଗପ। ଯାହା ମୋର ସହଜାତ ପ୍ରେମ। ମୁଁ ନିଜ ଭିତରୁ ନିଜେ ପେଜ ପରି ନିଗିଡି ଗଲାବେଳେ ଓଦା ଲୁଗାରୁ ପାଣି ଚିପୁଡ଼ିଲା ପରି ନିଜକୁ ଚିପୁଡ଼ି ପାରେ, ସାଉଁଟି ପାରେ, ବାସ୍ନାମୟ କରିପାରେ। ତେଣୁ ଗପ କ୍ଷେତ୍ର ମୋ ପାଇଁ ପ୍ରିୟ।

୩. ଆପଣଙ୍କ ପ୍ରଥମ ପ୍ରକାଶିତ ଲେଖାଟି କଣ ଥିଲା ଓ ତାହା ଆପଣଙ୍କୁ କିପରି ଭାବରେ ଅନୁପ୍ରାଣିତ କରିଥିଲା ?

ପ୍ରଥମ ପ୍ରକାଶିତ ଲେଖା ଗପ ହିଁ ଥିଲା। ୧୯୯୭ରେ ରମାଦେବୀରେ ପଢ଼ିଲା ବେଳେ କଲେଜ ମେଗାଜିନରେ ହିଁ ବାହାରିଥିଲା। ସେଥିରେ ଥିଲା ଗାଁ ମନସ୍କ ସହରୀ ପିଲାର ଜୀବନ ଯନ୍ତ୍ରଣା। ମରିଯାଉଥିବା ଶୈଶବର କଥା ଓ ବ୍ୟଥା। ତାହା ସଭିଏଁ ଖୁବ ପସନ୍ଦ କରିଥିଲେ। ପ୍ରତିଭା ଶତପଥୀ ସେତେବେଳେ ଓଡ଼ିଆ ବିଭାଗର ମୁଖ୍ୟା ଥିଲେ। ପରେ ଗଳ୍ପ ‘ଶେଷସୀମା ପରେ ‘ ସମୟର ରବିବାରରେ ପ୍ରକାଶ ପାଇଥିଲା। ସେ ଗପ ପାଇଁ ବହୁତ ଚିଠି ଆସିଥିଲା । ଯାହା ମୋ ପାଇଁ ପ୍ରେରଣାର ଉତ୍ସ ହୋଇଥିଲା। ସେତେବେଳେ ମୁଁ ମାତ୍ର ୧୭ବର୍ଷର ହୋଇଥିଲି। ପ୍ରକୃତରେ ନବମ ଶ୍ରେଣୀରେ ପଢ଼ୁଥିବା ସମୟରେ ଲେଖାଲେଖି ଆରମ୍ଭ କରିଥିଲି । କିନ୍ତୁ ପତ୍ରିକାରେ ୧୯୯୭ ଠାରୁ ପ୍ରକାଶିତ ହେଲା।

୪. .କୁହାଯାଉଛି ଗପ ଏବେ ଗଣ ଚେତନା ରୁ ଦୂରେଇ ଯାଉଛି, ଆପଣ କିପରି ମତ ରଖିବେ?

ଗପ ଗଣ ଚେତନାରୁ ଦୂରେଇ ଯାଇ ବ୍ୟକ୍ତି ଚେତନା ଓ ବ୍ୟକ୍ତି ସର୍ବସ୍ବ ଭିତରେ ସୀମାବଦ୍ଧ ହେବା ଚିନ୍ତାର ବିଷୟ। ସମୟ ଯାହା ଗୋଟିଏ ମଣିଷ ତାହା ଭେଟେ ଓ ଭୋଗେ। ଆମେ କୋଭିଡ଼ ପରେ ସଙ୍କୁଚିତ ହୋଇ ପଡ଼ିଲେ । ମାତ୍ର ଗଣ ଚେତନା ଖୁବ୍ ତୀବ୍ର ହୋଇଗଲା। ସାହିତ୍ୟର ଗପ ବିଭାଗ ଏପରି ଏକ ବିଭାଗ ସେଠି ବ୍ୟକ୍ତି ସର୍ବସ୍ୱ ହେବା ଅସମ୍ଭବ। ଗଣ ଚେତନା ରହିବ ହିଁ ରହିବ। ଗଣ ଚେତନାରୁ ମୁକୁଳିବା ଅସମ୍ଭବ। ସାହିତ୍ୟର ଚିରନ୍ତନ ଓ ଉତ୍ତୀର୍ଣ୍ଣ ବିଭାଗ ଗପ ବୋଲି ମୁଁ ଭାବେ। ଯାହା ମଧ୍ୟରେ ଜୀବନର ଅସରନ୍ତି କଥା ରୂପପାଏ। କବିତା ବ୍ୟକ୍ତି ସର୍ବସ୍ୱ ଚେତନାରେ ଅଙ୍କା ଯାଇପାରେ ମାତ୍ର ଗପରେ ଅସମ୍ଭବ। ଗପ ରହିବ ହିଁ ରହିବ। ତେଣୁ ଏଠାରେ ସେ ଆଶଙ୍କା ଅନୁଚିତ।

୫. ଓଡ଼ିଆ ଭାଷା ସାହିତ୍ୟରେ ଲେଖିକାମାନଙ୍କର ପ୍ରଭାବ କିପରି ?

ଓଡ଼ିଆ ଭାଷାରେ ଲେଖିକାମାନେ ବର୍ତ୍ତମାନ ସମକକ୍ଷ ଓ ସହଯାତ୍ରାରେ ବିଶ୍ୱାସ କରନ୍ତି। ନାରୀ ଚେତନାକୁ ଗୋଟେ ନାରୀ ଭାବେ ବୋଧହୁଏ ବହୁ ଚମତ୍କାର ଭାବ, ଅକୁଣ୍ଠିତ ଭାବ ଓ ମୁକ୍ତ କଣ୍ଠରେ ସ୍ୱୀକାର କରିବା କ୍ଷମତା ବର୍ତ୍ତମାନ ନାରୀ ଲେଖିକାମାନେ କରିପାରିଛନ୍ତି। ନିର୍ଭୟ ଓ ସଂଯତ ଭାବେ ତାଙ୍କ ବିଚାରଧାରାକୁ ସେମାନେ ପ୍ରକାଶ କରିବାରେ ସେମାନେ ସଫଳ । ଏବେ ସେମାନେ ବେଶୀ ଜୀବନବାଦୀ, ବାସ୍ତବବାଦର କଥା କହନ୍ତି। ନାରୀ ଜୀବନରେ ଅସରନ୍ତି ବ୍ୟଥା, ଦହନ, ଯନ୍ତ୍ରଣାକୁ ଉତାରି ଆଶାବାଦର ଦୃଢ଼ତାକୁ ପ୍ରକାଶ କରି ଗୋଟେ ନୂଆ ଦର୍ଶନ , ନୂଆ ଦିଶା ସାହିତ୍ୟ ମାଧ୍ୟମରେ ସମାଜକୁ ପ୍ରଦାନ କରେ । ନାରୀ ପୁରୁଷର ଆଗରେ ନୁହେଁ କି ପଛରେ ନୁହେଁ ସହଭାଗିତାରେ, ସହଯାତ୍ରାରେ, ସାମିଲ ହୋଇ ନିଜକୁ ସ୍ୱାବଲମ୍ବୀ କରି ଆତ୍ମନିର୍ଭରଶୀଳତାର ପରିଚୟ ଦେଉ।

୬. ଯେତେ ସଂଖ୍ୟାରେ ପୁସ୍ତକ ପ୍ରକାଶିତ ହେଉଛି ସେହି ମାତ୍ରାରେ ସାହିତ୍ୟ ଅଗ୍ରଗତି କରୁନାହିଁ ବୋଲି ଅନେକ ମତ ଦିଅନ୍ତି । ସେ ବିଷୟରେ କ’ଣ କହିବେ ?

ଓଡ଼ିଶାରେ ପାଠକ ଯଦି ନାହାନ୍ତି ବହି ପ୍ରକାଶିତ ହେଉଛି କିପରି ! ଆଗରୁ ଏତେ ଗଣମାଧ୍ୟମର ମାଧ୍ୟମ ନଥିଲା। ଲୋକେ ପତ୍ର ପତ୍ରିକା ଓ ବହିରେ ନିଜକୁ ସମୟ ଦେଉଥିଲେ। ଅନ୍ୟ ପକ୍ଷରେ ଶିକ୍ଷାର ମାତ୍ରା ଆଗ ଅପେକ୍ଷା ଏବେ ଅଧିକ। ସ୍ୱାକ୍ଷରତା ହାର ଅନୁସାରେ ପଠନର ହାର ବଢ଼ିବା ଉଚିତ। ମୁଖ୍ୟ କଥା ଆମେ ଆଗ୍ରହ ତିଆରି କରିବା ଶିକ୍ଷା ଦିଅନ୍ତି ନାହିଁ। ଫଳତଃ ବହି ପଢ଼ିବା , ପତ୍ରିକା ପଢ଼ିବା ଆଗ୍ରହ ଓ ଅଭ୍ୟାସ ଆମ ପରିବାରମାନଙ୍କରେ ନାହିଁ। ପିଲାଙ୍କୁ ଭିଡ଼ିଓ ଗେମ, ଖେଳ ସାମଗ୍ରୀ ସହ ଯଦି ପଢ଼ିବାର ସୁଯୋଗ ମଧ୍ୟ ଦିଆଯାଅନ୍ତା ବୋଧହୁଏ ଏଇ ପ୍ରଶ୍ନ ପଚାରିବାର ସୁଯୋଗ ଆଉ ଆସନ୍ତା ନାହିଁ । ସାହିତ୍ୟ ତା’ ବାଟରେ ଅଗ୍ରଗତି କରୁଛି ଓ କରିବ। ପଢ଼ିବା ଓ ପ୍ରକାଶନ ସହିତ କିଛି ସମ୍ପର୍କ ନାହିଁ। ସାହିତ୍ୟ ସହଜ କ୍ଷେତ୍ର ପାଲଟିଛି। ଏବେ ଯେ କେହି ସାହିତ୍ୟିକ ହୋଇ ନିଜର ପରିଚୟ ଖୋଜୁଛି। ଯାହା ଚିନ୍ତାର ବିଷୟ। ଫଳତଃ ଲେଖକ ହେବା ସହଜ ଏବଂ ପ୍ରକାଶକ ହେବା ମଧ୍ୟ ସହଜ ହୋଇ ପଡିଛି।

୭. ସବୁ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ, କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ସତ୍ୟ । ପ୍ରତ୍ୟେକ ଲେଖକ ଜଣେ ସମୀକ୍ଷକ। ନିଜ ରଚନାର ଅନେକ ଦିଗ ପ୍ରତି ନିଜେ ସଚେତନ ନଥାଏ। ମୋର ମାତ୍ରାଧିକ ଭାବପ୍ରବଣତା ହିଁ ମୋର ଦୁର୍ବଳତା ବୋଲି ମୁଁ ଭାବେ। ଗପ ଲେଖିଲା ଚରିତ୍ରମାନଙ୍କ ମଧ୍ୟରେ ମୁଁ ଥାଏ। ଭାବକୁ ବୁଝାଇବାକୁ ଯାଇ ଭାବପ୍ରବଣତାକୁ ରୂପ ଦେବାରେ ଅନେକ ଥାଏ ମୋହ ଓ ଶବ୍ଦ। ଏହି ଦିଗରେ କାମ କରିବା ଜରୁରୀ ବୋଲି ମୁଁ ଅନୁଭବ କରୁଛି।

୮. ସାହିତ୍ୟରେ ଯେକୌଣସି ବିଷୟର ଆଲୋଚନା ହେବା ପରେ ତାହା କେବଳ ଏକ ‘ଖବର ‘ ହୋଇ ରହିଯାଏ । ଏହା ଉପରେ ଆହୁରି ତର୍ଜମା କରି ଏହାର ପ୍ରଭାବ ବିଷୟରେ ଯତ୍ନବାନ ହେବା ଆବଶ୍ୟକ କି ?

ଆଲୋଚନା ସାହିତ୍ୟର ବ୍ୟାପ୍ତିକୁ ବଢ଼ାଏ। ଆଲୋଚନା ଦ୍ୱାରା ହିଁ ଆକଳନ କରିହୁଏ ସୃଷ୍ଟିର ସମୃଦ୍ଧ ଦିଗ ଓ ଦୁର୍ବଳ ଦିଗ । ଏହି ତର୍ଜମା ଜରୁରୀ ବୋଲି ମୁଁ ଭାବେ। ଆଲୋଚନା ବିହୁନେ ସାହିତ୍ୟର ବଣମଲ୍ଲୀ ପରି ହୋଇଯାଏ । ଆଲୋଚନା ଦ୍ୱାରା ସାହିତ୍ୟ ମାର୍ଜିତ ହୁଏ, ଶାଣିତ ହୁଏ । ଭୁଲକୁ ଠିକ କରିବାର ମାର୍ଗ ଓ ଦିଗ ପ୍ରସ୍ତୁତ ହୁଏ । ଏହା ମୋର ମତ।

୯. ପୁରସ୍କାର ଓ ପରିଚିତି ଜଣେ ସାହିତ୍ୟିକଙ୍କୁ କିପରି ପ୍ରୋତ୍ସାହିତ କରେ ?

ପୁରସ୍କାର ଓ ପରିଚିତି ସାହିତ୍ୟକୁ ନିଶ୍ଚୟ ପ୍ରୋତ୍ସାହିତ କରେ। ମାତ୍ର ପୁରସ୍କାର ପାଇଁ ସାହିତ୍ୟ ଦୌଡ଼ିବ କାହିଁକି ? ପୁରସ୍କାର କାହିଁକି ଉଚିତ ମୂଲ୍ୟାୟନରେ ଦିଆଯିବ ନାହିଁ। ବର୍ତ୍ତମାନ ଅନେକ ପୁରସ୍କାର ବିବାଦୀୟ। ତେଣୁ ପୁରସ୍କାର ଓ ସମ୍ମାନ ମୋହ ନହେଉ। ପୁରସ୍କାର ପ୍ରୋତ୍ସାହିତ କରୁ, ଅହଙ୍କାରୀ ନକରୁ। ପୁରସ୍କାର ନୂତନ ସମ୍ଭାବନାର ସ୍ୱପ୍ନ ବୁଣୁ। ପୁରସ୍କାରଦାତାମାନଙ୍କ ମଧ୍ୟରେ ସମ୍ମାନର ବଚାରବୋଧ ମଧ୍ୟ ରହୁ।

୧୦. ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣଙ୍କର ଯୋଜନା କ’ଣ ?

ସାହିତ୍ୟକୁ ନେଇ ଭବିଷ୍ୟତ ଯୋଜନା କ’ଣ ହୋଇପାରେ ! ସତରେ କ’ଣ ଯୋଜନା କରି କେହି ସୃଜନ କର୍ମ କରିପାରେ ? ଆଜିଯାଏଁ ତ ହୋଇନି। ଛଅ ଛଅ ମାସ ଧରି ଧାଡ଼ିଏ ଲେଖି ପାରେନି । ପ୍ରତ୍ୟେକ ଥର ଲାଗେ ମା’ଙ୍କ କୃପା , ମା’ଙ୍କ ଦୟାରେ ଏ ହାତରେ କିଛି ଶବ୍ଦ ମୁଁ କାଗଜରେ ଲେଖି ପାରୁଛି। ମତେ ଲାଗେ ଏବେ ବି ମୁଁ ନୂଆ ଲେଖୁଛି। କିଛି ଭଲ କର୍ମ ମା ସରସ୍ଵତୀ ମୋ ଦ୍ୱାରା କରାନ୍ତୁ। ଏତିକି କାମନା। , ଯୋଜନା କିଛି ନାହିଁ। ସୃଜନ ସବୁବେଳେ ଯୋଜନା ବିହୀନ । ସେତିକିବେଳେ ମୁଁ ନାରୀ ନୁହେଁ କି ପୁରୁଷ ନୁହେଁ ମୁଁ ଖାଲି ଜଣେ ସ୍ରଷ୍ଟା , ପରମାତ୍ମାଙ୍କ ମାଧ୍ୟମ।

Comments are closed.