ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ପଲ୍ଲବୀ ନାୟକ । ଏକାଧାରରେ ଜଣେ କବୀ , ଗାଳ୍ପିକା ଏବଂ ଔପନ୍ୟାସିକା। ତାଙ୍କ କଲମ ମାଟିର କଥା କହେ, ଜନ- ଜୀବନର କଥା କହେ ପୁଣି ପ୍ରେମର କଥା କହେ । । ତାଙ୍କ ରଚିତ ପ୍ରତ୍ୟେକ କବିତା ତଥା ଗଳ୍ପ ପାଠକଙ୍କ ମନରେ ସୃଷ୍ଟି କରେ ଏକ ଭିନ୍ନ ଆଲୋଡନ।
ଯେତେସବୁ ଅକବିତା, ଚୁନା ଚୁନା ଚିତ୍ର ଜୀବନର, ଶବ୍ଦ ହଜିଗଲା ପରେ, ପ୍ରେମିକା ପଣ, ଭିଜା ଭିଜା ଋତୁ ପ୍ରଭୃତି ପୁସ୍ତକ ସହ ଆହୁରି ଅନେକ କବିତା ଓ ଗଳ୍ପର ସେ କାଳଜୟୀ ସ୍ରଷ୍ଟା । ତାଙ୍କର ଅନବଦ୍ୟ ସାରସ୍ୱତ ସେବା ପାଇଁ ବହୁ ଅନୁଷ୍ଠାନ ଓ ସାହିତ୍ୟ ସଂସଦ ତରଫରୁ ସେ ସମ୍ମାନିତା ଓ ସମ୍ବର୍ଦ୍ଧିତା ।
ଲେଖିକା ପଲ୍ଲବୀ ନାୟକଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ‘ଆଳାପ’
କେଉଁ ସ୍ରଷ୍ଟାଙ୍କ ସୃଷ୍ଟି ଆପଣଙ୍କୁ ସାହିତ୍ୟ ମନସ୍କ କରାଇଲା ?
ଗପ ବହି ପଢ଼ିବାର ଅଭ୍ୟାସ ପିଲାବେଳୁ ରହିଥିଲା । ତେବେ ପ୍ରତିଭା ରାୟଙ୍କ ଉପନ୍ୟାସ ମୋତେ ସାହିତ୍ୟମନସ୍କ କରିଥିଲା।
ଆପଣଙ୍କ ସୃଜନୀର ଗତିଶୀଳତା ଉପରେ କିଛି କୁହନ୍ତୁ ?
ମୋ ସୃଜନୀ ଆପେ ଆପେ ଗତିଶୀଳ ହୁଏ ଏବଂ ନିରବୀ ଯାଏ ବି ଆପେ ଆପେ । ତା’ ପରେ ମୁଁ ଭାବେ ଚେଷ୍ଟା କରି କିଛି ବି ହୁଏନି ନା ଭଲପାଇବା ନା ଲେଖାଲେଖି ।
କବିତାର ଭାବ, ଗଳ୍ପର ଚରିତ୍ର ସହ ଉପନ୍ୟାସର କଳେବର ଭିତରେ ଆପଣଙ୍କର ପ୍ରିୟ କିଏ ?
କବିତାର ଭାବ ବେଶି ପ୍ରିୟ ମୋର । ତା ପରେ ଗଳ୍ପର ଚରିତ୍ର ଓ ଉପନ୍ୟାସର କଳେବର ।
ଆପଣଙ୍କ ବୃତ୍ତି ସାହିତ୍ୟ ସର୍ଜନା ପାଇଁ କେତେମାତ୍ରାରେ ସହାୟକ ହୋଇଥାଏ ।
ବୃତ୍ତି ସହିତ ସାହିତ୍ୟର କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ । ତେବେ ମୋ ବୃତ୍ତି ସାହିତ୍ୟ ପାଇଁ କେବେ କେବେ ସହାୟକ ତ କେବେ କେବେ ବାଧକ ହୋଇଥାଏ ।
ଓଡ଼ିଆ ସାହିତ୍ୟରେ ଇଂରାଜୀ ଶବ୍ଦର ବହୁଳ ବ୍ୟବହାର ହେଉଛି ,ଏ ବିଷୟରେ କ’ଣ କହିବେ? ଏପରି ହେବା ଦ୍ବାରା ଆମର ଅନେକ ଶବ୍ଦ ଧିରେ ଧିରେ ବିଲୁପ୍ତ ହୋଇଯିବାର ଭୟ ରହିଛି କି ?
ଓଡ଼ିଆ ସାହିତ୍ୟରେ ଇଂରାଜୀ ଶବ୍ଦର ବହୁଳ ବ୍ୟବହାର ହେଉଛି ଅବଶ୍ୟ । ତେବେ ମୋ ମତରେ ଯଦି ନିହାତି ଆବଶ୍ୟକ ତେବେ ଇଂରାଜୀ ଶବ୍ଦର ବ୍ୟବହାର କରାଯାଉ । ଅନ୍ୟଥା ନ କରା ଯାଉ । ତେବେ ଓଡ଼ିଆ ଶବ୍ଦ ବିଲୁପ୍ତ ହେବ ନାହିଁ କାରଣ ଆଜିର ଯୁବ ପୀଢ଼ି ବି ଓଡ଼ିଆ ସାହିତ୍ୟରେ ବେଶ୍ ସକ୍ରୀୟ ।
ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?
ସାରସ୍ଵତ ସାଧନାରେ ସମ୍ମାନ ଓ ସ୍ଵୀକୃତି ଜଣେ ଲେଖକଙ୍କୁ ବିଶେଷ ଭାବରେ ନ ପ୍ରଭାବିତ କଲେ ବି କିଛି ପରିମାଣରେ ପ୍ରଭାବିତ କରେ । ସାହିତ୍ୟ ସର୍ଜନା ପାଇଁ ପ୍ରେରଣା ଯୋଗାଏ । ଲେଖକଙ୍କର ଦାୟିତ୍ଵବୋଧ ଏକ ଭିନ୍ନ ପ୍ରସଙ୍ଗ ବୋଲି ମୁଁ ଭାବେ । ଏହା ସମ୍ମାନ ଓ ସ୍ଵୀକୃତି ଉପରେ ନିର୍ଭରଶୀଳ ନୁହେଁ ।
ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?
ନା ଦେଇ ପାରିନି ଏଯାବତ୍ ମୋ ଇପ୍ସିତ ସୃଷ୍ଟିକୁ ପୂର୍ଣ୍ଣାଙ୍ଗ ରୂପ । ଏହା ମୋର ଅନ୍ତରଙ୍ଗ ଅବସୋସ ।
ଗପ ତୁଳନାରେ କବିତାକୁ ପାଠକୀୟ ଆଦୃତି ସେତେଟା ମିଳେ ନାହିଁ , କାହିଁକି ?
ମୁଁ ବି ପାଠିକା ହିସାବରେ ଗଦ୍ୟ ସାହିତ୍ୟ ପଢିବାକୁ ଭଲପାଏ । ଗପରେ ଥାଏ ଅଧିକ ମନୋରଞ୍ଜଧର୍ମିତା ଆଉ କବିତାରେ କିଞ୍ଚିତ ବୌଦ୍ଧିକତା ।
କେବେ ନିଜ ରଚନାର ସମୀକ୍ଷା କରିଛନ୍ତି କି ? ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?
ନିଜକୁ ସମୀକ୍ଷା କରିନି କେବେ । ତେବେ ଏ ଯାଏ ମୁକୁଳି ପାରିନି ରୋମାଣ୍ଟିକ ଚେତନା ବଳୟରୁ , ଯାହା ମୋର ଦୁର୍ବଳତା । ଅନେକ ଦିଗ ଅଛି ସାହିତ୍ୟର। ଆଶା ରଖେ ନୂଆ ଦିଗରେ ମୋ ଲେଖନୀ ନିଶ୍ଚୟ ଆଗେଇବ କେବେ ନା କେବେ ।
୧୦. ସାହିତ୍ୟକୁ ନେଇ ଭବିଷ୍ୟତ ଯୋଜନା କ’ଣ ?
ସାହିତ୍ୟକୁ ଭଲ ପାଏ ମୁଁ । ସାହିତ୍ୟ ପ୍ରେମରେ ସାରା ଜୀବନ ବିତେଇ ଦେବାକୁ ଚାହେଁ ।
Comments are closed.