Latest Odisha News

ପ୍ରତ୍ୟେକ ଲେଖକ ଜଣେ ସମୀକ୍ଷକ : ପ୍ରତିଭା ସାହୁ

ଓଡ଼ିଆ ସାହିତ୍ୟ ଆକାଶରେ ଏକ ଉଜ୍ୱଳ ନକ୍ଷତ୍ର ହେଉଛନ୍ତି ପ୍ରତିଭା ସାହୁ । ଭାବ ଭାଷା ଓ ଚରିତ୍ରର ସମ୍ମିଶ୍ରଣରେ ତାଙ୍କ ସୃଷ୍ଟିର କଳେବର ସବୁବେଳେ ଜୀବନ୍ତ। ଚରିତ୍ରମାନଙ୍କ ଅନ୍ତର୍ଚେତନାରୁ କୌଶଳ କ୍ରମେ ଗଭୀର ଅନୁଭବକୁ ନିଜ ଭିତରକୁ ସଞ୍ଚାରି ଆଣି ତାକୁ ନେଇ ସେ ସୃଷ୍ଟି କରନ୍ତି କବିତା, ଗଳ୍ପ ପୁଣି ପ୍ରବନ୍ଧ ଓ ଶିଶୁ ସାହିତ୍ୟ । ସେଥିପାଇଁ ତାଙ୍କ ଲେଖାସବୁ ଜୀବନ୍ତ ଲାଗେ। ପାଠକକୁ ନିଜ ସହ ଘଟିଥିବା ଘଟଣାର ଅବିକଳ ବିଷୟ ପରି ଲାଗେ। ଏହା ବ୍ୟତୀତ ତାଙ୍କ ଲେଖାରେ ଘଟଣାକ୍ରମର ପ୍ରବାହମାନତା ନିରନ୍ତର ଭାବେ ଆଗକୁ ବଢ଼ୁଥିବାରୁ ପାଠକ ମଧ୍ୟ ବିନା ବିରତିରେ ତାକୁ ପଢ଼ିଯାଏ ।ତାଙ୍କ ଲେଖନୀ ପ୍ରତିଟି ପୁସ୍ତକ ସାଉଁଟିଛି ବିପୁଳ ପାଠକୀୟ ଆଦୃତି । ନିଜର ଅନବଦ୍ୟ ସାହିତ୍ୟ କୃତି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଓ ସମ୍ବର୍ଦ୍ଧିତା ।

ଲେଖିକା ପ୍ରତିଭା ସାହୁଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ

ସାହିତ୍ୟ ପ୍ରତି କେମିତି ଆକର୍ଷିତ ହେଲେ ?

ସତରେ ନିଜେ ବି ଜାଣେନି ସାହିତ୍ୟ ପ୍ରତି ଏତେ ଦୁର୍ବଳତା କାହିଁକି । ମୋ ମତରେ ସାହିତ୍ୟ ହେଉଛି ଏକ ସ୍ୱତଃସ୍ଫୂର୍ତ୍ତ ଆବେଗର ଧାରା । ସାହିତ୍ୟର ମଞ୍ଜି କେତେବେଳେ ମୋ ଭିତରେ ବୁଣି ହୋଇଗଲା ତାହା ମୁଁ ନିଜେ ବି ଜାଣି ପାରିଲି ନାହିଁ । ତାହା ଯେବେ ବି ହୋଇଥାଉ, ଏତିକି କହିବି ସେ ଧାରାରେ ମୁଁ ବହି ଚାଲିଛି ।

ଗଳ୍ପ , କବିତା , ଆଲେଖ୍ୟ, ଶିଶୁ ସାହିତ୍ୟ ସବୁ ବିଭାଗରେ ଆପଣ ଲେଖାଲେଖି କରନ୍ତି । ତେବେ ଆତ୍ମତୃପ୍ତି କେଉଁଠି ?

ଯଦିଓ ମୁଁ ସାହିତ୍ୟର ସବୁ ବିଭାଗରେ ଲେଖାଲେଖି କରେ କିନ୍ତୁ ଗୀତ ଓ କବିତାରେ ହିଁ ମତେ ଆତ୍ମତୃପ୍ତି ମିଳେ ।

ପ୍ରତ୍ୟେକ ଲେଖକ ଜଣେ ଜଣେ ସମୀକ୍ଷକ । ନିଜ ରଚନାକୁ ସମୀକ୍ଷା କରିବା କେତେ ଯଥାର୍ଥ ବୋଲି ଆପଣ ଭାବନ୍ତି ?

ଆତ୍ମସମୀକ୍ଷା ବିନା  ପରିମାର୍ଜିତ ଲେଖା ଅସମ୍ଭବ । ତେଣୁ ପ୍ରତ୍ୟେକ ଲେଖକ ନିଶ୍ଚିତ ଭାବରେ ଜଣେଜଣେ ଆତ୍ମସମୀକ୍ଷକ । ନହେଲେ ଏତେ ସୁନ୍ଦର୍ ସାହିତ୍ୟ ସୃଷ୍ଟି ହୋଇ ପାରନ୍ତା ନାହିଁ !

ଆପଣଙ୍କ ରଚିତ ଶିଶୁ କବିତା ସଙ୍କଳନ “ଚଲାପଥେ ଫୁଲ ବରଷି ଯାଉ” ବିପୁଳ ଭାବରେ ପାଠକୀୟ ଆଦୃତି ସାଉଁଟିଛି । ପୁସ୍ତକଟିର ଏପରି ନାମକରଣର ତାତ୍ପର୍ଯ୍ୟ କଣ ?

କୁନିକୁନି ପିଲାମାନଙ୍କ ପ୍ରତି ମୋର ବହୁତ୍ ଶ୍ରଦ୍ଧା ।ସେମାନଙ୍କ ମୁହଁର ଖିଲିଖିଲି ହସ,ଦରୋଟି ଭାଷାରେ ମୁଁ ବିଭୋର ହୁଏ । ସେଇ କଅଁଳ ପାଦର ଚଲାପଥରେ ପରମେଶ୍ୱର ଫୁଲ ବର୍ଷା କରନ୍ତୁ ବୋଲି ମୁଁ ହୃଦୟରୁ କାମନା କରେ ଓ ପ୍ରାର୍ଥନା କରେ। ଯେଉଁଥିପାଇଁ ଯଥାର୍ଥରେ ମୁଁ ପୁସ୍ତକଟିର ଏପରି ନାମକରଣ କରିଛି ।

ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?

ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନଟିଏ ପଚାରିଛନ୍ତି। ସାରସ୍ବତ ସମ୍ମାନ ଓ ସ୍ଵୀକୃତି ଜଣେ ଲେଖକଙ୍କୁ ବହୁଳ ଭାବରେ ପ୍ରଭାବିତ କରେ । ସେ ଆତ୍ମତୃପ୍ତିର ଅନୁଭବ ନିଶ୍ଚୟ ଜଣେ ଲେଖକଙ୍କର ଦାୟିତ୍ୱବୋଧକୁ ବଢାଇ ଦିଏ ,ଏଥିରେ କୌଣସି ଦ୍ଵିମତ ନାହିଁ ।

ଓଡ଼ିଆ ସାହିତ୍ୟରେ ଲେଖିକାଙ୍କର ପ୍ରଭାବ କିପରି ? ସାମାଜିକ ଚାପରେ ଲେଖିକାମାନେ ବେଳେ ବେଳେ ଦ୍ବନ୍ଦରେ ରହନ୍ତି କି ?

ଓଡ଼ିଆ ସାହିତ୍ୟ ପ୍ରତି ଲେଖିକାମାନଙ୍କର ପ୍ରଭାବ ଯୁଗ ସହିତ ତାଳ ଦେଇ ଧିରେଧିରେ ବଢ଼ିବଢ଼ି ଚାଲିଛି ;ଏ କଥା ଆମେ ସମସ୍ତେ ଅନୁଭବ କରନ୍ତି । ଯେଉଁ ସାମାଜିକ ଚାପ ଓ ଦ୍ୱନ୍ଦ କଥା ପଚାରିଲେ ଏହା ନିରାଟ ସତ୍ୟ , ଯାହାକୁ କି ପ୍ରକାଶ କରାଯାଇ ପାରେନା। ଅନେକ ଘଟଣା ଆମକୁ ବ୍ୟଥିତ କରେ , ମର୍ମାହତ କରେ, ଯେଉଁଥିପାଇଁ ଆମେ ଲେଖକମାନେ ଛଟପଟ ହୁଅନ୍ତି, କାଗଜ କଲମ ଧରିବାକୁ ବାଧ୍ୟ ହୁଅନ୍ତି ସତ ହେଲେ ଲେଖା ପ୍ରକାଶିତ କରିବାର ସତ୍ ସାହସ ଟିକକ ଆପେ ଆପେ ଆତ୍ମହତ୍ୟା କରାଯାଏ। ନିଃସଂକୋଚରେ ସ୍ବୀକାର କରିବି ଅନେକ ଅନୁଭବି ଭିତରେ ମୁଁ ମଧ୍ୟ ଜଣେ।

ଆପଣଙ୍କ କବିତା ପୁସ୍ତକ” ଚିତ୍ରିତ ଆୟୁଷ “ରେ ଜୀବନ ଦର୍ଶନକୁ ଆପଣ କିପରି ଭାବରେ ରୂପାୟନ କରିଛନ୍ତି ?

ଅନୁଭବ ଓ ଅନୁଭୂତି ରୁ ହିଁ ସାହିତ୍ୟର ସୃଷ୍ଟି । କେତେବେଳେ ଆନନ୍ଦର କଥା ବିଷାଦର କଥା ତ କେତେବେଳେ ପାରିପାର୍ଶ୍ଵିକ ପରିସ୍ଥିତି ଓ ପରିବେଶକୁ ନେଇ ଶୁଣିବାକୁ ପଡ଼ିଛି ସ୍ବାର୍ଥ ତରବାରୀର ଧାରରେ ଦେଖିବାକୁ ପଡ଼ିଛି ରକ୍ତାକ୍ତ ସକାଳ। ତେଣୁ କବିତା ପୁସ୍ତକଟିରେ ଜୀବନ ଦର୍ଶନ ବହୁଳ ଭାବରେ ପ୍ରତିଫଳିତ ହୋଇଛି। ଯାହାକି ଜନମାନସକୁ ନିଶ୍ଚୟ ଆନ୍ଦୋଳିତ କରିବ ।

ପୁରସ୍କାର ସାହିତ୍ୟ ସୃଷ୍ଟିର ମାପଦଣ୍ଡ ବୋଲି ଆମେ ଭାବିବା ଉଚିତ କି ?

ନା,କେବେ ନୁହେଁ । ସାରସ୍ୱତ ସ୍ରଷ୍ଟା ଅନେକ । ତା’ ମଧ୍ୟରୁ କମ ଲୋକ ପୁରସ୍କାର ପାଇଥାନ୍ତି । କିନ୍ତୁ ତାହା ମାପଦଣ୍ଡ ନୁହେଁ । ପୁରସ୍କାର ପାଇନଥିବା ଲେଖାଟିଏ ମଧ୍ୟ ଅନେକ ସମୟରେ ବହୁଳ ଭାବରେ ପାଠକାଦୃତ ହୁଏ ।

ନିଜ ଲେଖକୀୟ ସଫଳତାର ଶ୍ରେୟ କାହାକୁ ଦେବେ ?

ବାପାଙ୍କ ମୁହଁରେ ସବୁବେଳେ କାବ୍ୟ କବିତାର ଚର୍ଚ୍ଚା ପିଲାଦିନୁ ଶୁଣିଆସୁଛି । ବାପା ବୋଉଙ୍କର ପୁସ୍ତକ ପ୍ରତି ଥିବା ଶ୍ରଦ୍ଧା ମତେ ସବୁବେଳେ ଉତ୍ସାହିତ କରିଛି । ଏବେ ବି ୭୯ ବର୍ଷ ବୟସରେ ବାପା ଦିନକୁ ୬ – ୮ ଘଣ୍ଟା ପଢନ୍ତି । ଯଦି ଆଜି ମୁଁ ଦୁଇ ଧାଡ଼ି ଲେଖି ପାରୁଛି କି କହି ପାରୁଛି ତାହା କେବଳ ମୋ ବାପା ବୋଉଙ୍କ ପାଇଁ ସମ୍ଭବ ହୋଇ ପାରିଛି।

ସାହିତ୍ୟକୁ ନେଇ ସାମାଜିକ ଗଣମାଧ୍ୟମରେ ଚାଲିଥିବା ସାହିତ୍ୟର ତର୍କ ବିତର୍କକୁ ଆପଣ କେତେଦୂର ଗ୍ରହଣ ଯୋଗ୍ୟ ବୋଲି ଭାବନ୍ତି ।

“କଥାରେ ଅଛି “ଗଣିତ କଷିଲେ ପେଟ ପୁରେ,ସାହିତ୍ୟ ପଢ଼ିଲେ ମନ ପୁରେ ।” ତେଣୁ ମନରେ ଖୁସି ଭରିଦେଉଥିବା ସାହିତ୍ୟକୁ ନେଇ ତର୍କବିତର୍କ ଅତ୍ୟନ୍ତ ନିନ୍ଦନୀୟ ବିଷୟ।

ନୂଆ ଲେଖକଙ୍କୁ କି ବାର୍ତ୍ତା ଦେବେ ?

ଉ. ଏତିକି କହିବି ଯେ ନିଜ ଲେଖିବା ଉପରେ ଅଧିକ ଗୁରୁତ୍ଵ ନଦେଇ ଅନ୍ୟକୁ ପଢ଼ିବା ଉପରେ ଅଧିକ ଗୁରୁତ୍ବ ଦେବା ଜରୁରୀ। ତେବେ ନିଶ୍ଚୟ ଭବିଷ୍ୟତରେ ସାହିତ୍ୟାକାଶର ଉଜ୍ବଳମୟ ନକ୍ଷତ୍ର ହୋଇପାରିବେ ଏହା ନିଃସନ୍ଦେହ।

Comments are closed.