Latest Odisha News

ଓଡ଼ିଆ ଭାଷାର ପ୍ରଚଳନକୁ ସୁଦୃଢ଼ କରିବା ଆବଶ୍ୟକ : ସତ୍ୟନାରାୟଣ ଗନ୍ତାୟତ

ଓଡ଼ିଆ ସାହିତ୍ୟ ଜଗତରେ ସତ୍ୟନାରାୟଣ ଗନ୍ତାୟତ ଏକ ସଶ୍ରଦ୍ଧ ଉଚ୍ଚାରଣ। ସେ ଏକାଧାରରେ ସେ ଜଣେ କବି, ଗାଳ୍ପିକ, ସମ୍ଭକାର ତଥା ବ୍ୟଙ୍ଗକାର। ଅନୁଭବ ଓ ଅନୁଭୁତିରେ ସିକ୍ତ ତାଙ୍କ ସର୍ଜନା ସମୂହ ସାଉଁଟି ପାରିଛି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଏବଂ ସମ୍ବର୍ଦ୍ଧିତ ।

ଲେଖକ ସତ୍ୟନାରାୟଣ ଗନ୍ତାୟତଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କର ଆଳାପ

କେଉଁ ସ୍ରଷ୍ଟାଙ୍କର ସୃଷ୍ଟି ଆପଣଙ୍କୁ ସାହିତ୍ୟ ରଚନା ପ୍ରତି ଆକୃଷ୍ଟ କରିଥିଲା ?

ସ୍କୁଲ ଜୀବନରେ ସାହିତ୍ୟ ବହିରେ ଥିବା ପାଠ ପଢି ବହୁତ ଆନନ୍ଦ ପାଉଥିଲି । ତାର ବିଷୟବସ୍ତୁ ସବୁ ଆତ୍ମସ୍ଥ ହୋଇ ଯାଉଥିଲା ମୋ ଭିତରେ। ବତ୍କୃତା ପ୍ରବନ୍ଧାଦି ବିଭିନ୍ନ ପ୍ରତିଯୋଗିତାରେ ସାଫଲ୍ୟ ପାଇଁ ପୁରସ୍କାର ଭାବେ ପ୍ରାପ୍ତ ମନୋଜ ଦାସ, ବୈକମ୍ ମହମ୍ମଦ ବଶୀର୍, ଗୁରୁଦତ୍ତ, ଶ୍ରୀଲାଲ ଶୁକ୍ଳଙ୍କ ଭଳି ମହାନ ଲେଖକଙ୍କ କିଛି ପ୍ରସିଦ୍ଧ ପୁସ୍ତକ ପଢିବାର ସୌଭାଗ୍ୟ ମିଳିଥିଲା। ମୋ ବାପା ସବୁବେଳେ ଭଲ ପଢିବା ସହ କବିତା ଲେଖିବାକୁ ପ୍ରେରିତ କରୁଥିଲେ । ଫଳତଃ ସେହି ସ୍କୁଲ ଜୀବନରୁ ହିଁ ଭକ୍ତି ଗୀତ ଦେଶପ୍ରେମ ,ପ୍ରକୃତି ଆଧାରିତ ଛୋଟ ଛୋଟ କବିତା ମାନ ଲେଖିବା ଆରମ୍ଭ କରିଥିଲି । ଲାଇବ୍ରେରୀ ଯାଇ ଜହ୍ନମାମୁଁ ସହ ମନପବନ,ଶିଶୁଲେଖା, ବାରମଜା, ବାଘମାମୁଁ ଶିଶୁସ୍ୱପ୍ନ ଆଦି ସେତେବେଳର ଶିଶୁ କିଶୋର ପତ୍ରିକା ମାନ ନିୟମିତ ପଢୁଥିଲି । ତହିଁରେ ପ୍ରକାଶ ପାଉଥିବା ବହୁ ଲେଖକ ଲେଖିକାଙ୍କ ଗୀତ ଗପ ପଢି ମୋ ଲେଖାଲେଖି କରିବା ଆଗ୍ରହ ବଢିଥିଲା । ତା’ପରେ ଆସିଲା କଲେଜ ଜୀବନ। ଆମ ପ୍ରଣମ୍ୟ ସାର୍ ବରେଣ୍ୟ ସାହିତ୍ୟିକ ଅଧ୍ୟାପକ ଭଗବତ ପ୍ରସାଦ ରଥଙ୍କ ଘରେ ଆୟୋଜିତ ହେଉଥିବା ସ୍ରଷ୍ଟା ସାହିତ୍ୟ ସଂସଦର ଆସରମାନଙ୍କରେ ଯୋଗଦେଲି । ସୁନୀଲ କୁମାର ପୃଷ୍ଟି, ପ୍ରକାଶ ମହାପାତ୍ର,ଗିରିଧାରୀ ମହାରଣା , ଦିଲ୍ଲୀପ ମହାନ୍ତି, ସତ୍ୟବାଦୀ ରାଉତ, ବସନ୍ତ କୁମାର ସାମନ୍ତଙ୍କ ଭଳି ବହୁ ପ୍ରବୀଣ ଓ ତରୁଣ ପ୍ରତିଭାଧର ସ୍ରଷ୍ଟାଙ୍କ ସଂସ୍ପର୍ଶରେ ଆସିଲି । ସେମାନଙ୍କ ସର୍ଜନା ବେଶ୍ ଆକର୍ଷିତ କରିଥିଲା।

କବିତାର ଭାବ, ଗଳ୍ପର ଗାମ୍ଭିର୍ଯ୍ୟ, ସ୍ତମ୍ଭର ଆଲୋଚନା ଏବଂ ବ୍ୟଙ୍ଗ ସାହିତ୍ୟର କଟାକ୍ଷ ଭିତରେ କିପରି ସାମଞ୍ଜସ୍ୟ ରଖନ୍ତି ?

ମୁଁ ଭାବେ ଭାବରେ ଭୋଳ ହେବା ହିଁ ସକଳ ସୃଜନର ପ୍ରାଥମିକତା । କବିତା ତ ଭାବାନୁଯାୟୀ ପ୍ରବାହିତ ହୋଇଥାଏ ସ୍ୱତଃସ୍ଫୂର୍ତ୍ତ ଭାବରେ। ଗମ୍ଭୀରତାର ସହ କିଛି କଥ୍ୟଙ୍କ ରୂପାୟନ ଉଚ୍ଚାଟିତ କଲେ ହିଁ ଗଳ୍ପର ଉନ୍ମେଷ ହୁଏ । ତଦୁତ୍ତାରେ ଭାବାନୁସାରୀ ଘଟଣା ଓ ଚରିତ୍ରଙ୍କ ଅବତାରଣା ,ଯାହା ମୂଳ କଥ୍ୟର ଆତ୍ମାନୁରୂପ ଭାଷା ଶୈଳୀ ଆପଣାଏ। ତେବେ ଗଳ୍ପ ମୋର ଅତ୍ୟନ୍ତ ସ୍ୱଳ୍ପ । ସଚେତନ ଭାବରେ ବ୍ୟଙ୍ଗ ରଚନା କରିନି ମୁଁ । ମୋତେ ଲାଗେ କଟାକ୍ଷ ପାତ ଅଗତ୍ୟା ଆପଣାକୁ ହିଁ ଅନାୟାସେ ଉପଜୀବ୍ୟ କରିବାର ଅନ୍ୟତମ ବହୁଗୃହୀତ ମାଧ୍ୟମ । ହଁ, ତଥାକଥିତ ସ୍ତମ୍ଭ ରଚନାମାନ କିନ୍ତୁ ମୂଳତଃ ଗଣ ମାଧ୍ୟମର ପାଠକ- ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ,ଯେଉଁମାନେ ଉଭୟ ସାଧାରଣ ଓ ଅସାଧାରଣ ପର୍ଯ୍ୟାୟର । ସୁତରାଂ ସେଠି ଆଲୋଚନାର ବିଷୟ ବଖାଣ ଆଦି ସରଳ ତରଳ ହେଲେ ଲେଖିବା ଓ ପ୍ରକାଶ ପାଇବାର ଉଦ୍ଦେଶ୍ୟ ଚରିତାର୍ଥ ହୁଏ । ଅଯଥା ଗାମ୍ଭୀର୍ଯ୍ୟ ପରିହାର ପୂର୍ବକ ଚାତୁର୍ଯ୍ୟ ସହକାରେ ମାଧୁର୍ଯ୍ୟ ମାଧ୍ୟମରେ ରଚନାଟି ପରିବେଷଣ କରତଃ ପାଠକୀୟ ଆନନ୍ଦ ବିତରଣ ଧ୍ୟେୟ ହେବା ଚାହି । ଏଥିପାଇଁ ଉଭୟ ଆଲୋଚନା ଓ ଅବତାରଣାରେ ମୁକ୍ତ ହେବା ଜରୁରୀ ବୋଲି ମୁଁ ଅନୁଭବି ଆସିଛି ।

ଅନୁଭୂତିକୁ ନେଇ କେବେ ସାହିତ୍ୟ ରଚନା କରିଛନ୍ତି କି ?

ହଁ । ବରଂ କହିହେବ ଯେ ଅନୁଭବମାନେ ଆବୋରି ମୋତେ ଲେଖାଇ ନେଇଛନ୍ତି ନିଜ ନିଜ ବାଗରେ । ସେମାନଙ୍କ ସେଇ ଦୁର୍ଲଭ ସାନ୍ନିଧ୍ୟକୁ ସଦା ସ୍ମରଣୀୟ କରିବାର ଦୁର୍ବାର ବାସନାଚାଳିତ ହୋଇ ସୃଜନଶୀଳ ହେବା ଭିତରେ ମୁଁ କେବେ କଳ୍ପନାଶ୍ରୟୀ ହୋଇ ନିଜକୁ ନିଜେ ରଙ୍ଗାଇଛି ତ କେବେ ବାସ୍ତବତା ସହ ଆପଣାକୁ ଆହୁରି ନିବିଡ କରାଇ ପାରିଛି ।

ଆପଣଙ୍କ କବିତା ପଛର କୋମଳତା ଓ ମାଧୁର୍ଯ୍ୟର ରହସ୍ୟ କ’ଣ ?

ମୁଁ ବା କି କବି ଯେ ମୋ କବିତା ପଛରେ ଥିବ ଏସବୁ ମହାର୍ଘ ଗୁଣ ? ତେବେ ନିମିଷେ ହେଉ ପଛେ ସରଳାଦପି ସରଳ ସୁବୋଧ ଓ ସର୍ବୋପରି ସରସ ଅନୁଭବ ସାଉଁଟିବାକୁ ଯାଇ ନିଜେ ଭାବମଗ୍ନ ହୋଇ ଆସିଛି କେବଳ। ହଁ ଏ ଅକିଞ୍ଚନ ପାଠକ କିନ୍ତୁ ଇଚ୍ଛି ଥାଏ କବିତା ଭିତରେ ପକ୍ଷୀଙ୍କ କୂଜନ ସମ କୋମଳ ମଧୁର ରସାଳ ସୃଜନ।

ବର୍ତ୍ତମାନ ବ୍ୟଙ୍ଗ ସାହିତ୍ୟ ସମାଜରେ ଘଟୁଥିବା ନକାରାତ୍ମକ ଘଟଣାବଳୀକୁ ନେଇ କଟାକ୍ଷ କରିବା ଅପେକ୍ଷା ବ୍ୟକ୍ତିଗତ ଆକ୍ଷେପ ଅଧିକ କରୁଛନ୍ତି ବୋଲି ମତ ପ୍ରକାଶ ପାଉଛି । ସେ ବିଷୟରେ କଣ କହିବେ ?

ତା’ ଆଦୌ ସମୀଚିନ ନୁହେଁ । କାରଣ ମୁଁ ଭାବେ ବ୍ୟଙ୍ଗ ସ୍ରଷ୍ଟା ବି ତ ଜଣେ ମଣିଷ ଭାବରେ ମଣିଷୋଚିତ ଭୁଲ୍ ଠିକ୍ ଠାରୁ ଊର୍ଦ୍ଧ୍ୱରେ ନୁହେଁ । ସୁତରାଂ ବ୍ୟକ୍ତିଗତ ଭାବେ ଆକ୍ଷେପ କରିବା ଆଗରୁ ନିଜ ଆଡକୁ ନିଜେ ଅନାଇବା ଚାହି । ଯଦି ସତରେ ବ୍ୟଙ୍ଗକୁ ମାଧ୍ୟମ କରି ବ୍ୟବସ୍ଥାଗତ ଗୋଷ୍ଠୀସୃଷ୍ଟ ବିସଙ୍ଗତିଙ୍କ ସୁଧାରର ଇଚ୍ଛା ଥାଏ, ତେବେ ଅତି ବେଶୀରେ ବ୍ୟଙ୍ଗାସ୍ତ୍ରର ମୁଲାଏମ ଚପେଟାଘାତଟିଏ ହିଁ ଯଥେଷ୍ଟ । ନିହାତି ଏମନ୍ତ ରଚନା କାଳରେ କେଉଁ ବ୍ୟକ୍ତିଙ୍କୁ ଛୁଇଁବା ଲୋଡାପଡେ ତ’ ସେ ଛୁଆଁ ଏମିତି ହୋଇଥିବା ଉଚିତ ଯେମିତି ତଥାକଥିତ ବ୍ୟଙ୍ଗର ଶରବ୍ୟ ଜଣକ ବି ଲେଖା ପଢି କୁତୁକୁତୁ ଅନୁଭବି ମୌନେମୌନେ ହସି ଉଠୁଥିବ !! ପୁଣି କେବଳ ବ୍ୟଙ୍ଗ କ୍ଷେତ୍ରରେ କାହିଁକି ସର୍ବତ୍ର ଦୋଷ ତୃଟି ହିଁ ବର୍ଜନୀୟ ସିନା ଦୋଷୀଟିଏ କଦାଚିତ୍ ଘୃଣ୍ୟ ନୁହଁଇ ।

ଆପଣଙ୍କ ଭାଇ ଗନ୍ତାୟତ ଶିବପ୍ରସାଦ ଏବଂ ବଡ଼ ଭଉଣୀ ନିର୍ମଳା ଗନ୍ତାୟତ ମଧ୍ୟ ସାହିତ୍ୟ ସର୍ଜନା ସହ ଜଡିତ ଥିଲେ । ଆପଣଙ୍କ ଲେଖକୀୟ ଜୀବନରେ ସେମାନଙ୍କର ପ୍ରଭାବ କିପରି ପଡ଼ିଛି ବୋଲି ଆପଣ କହିବେ ?

ହଁ, ଆମେ ତିନିହେଁ ପିଲାଦିନୁ ନିୟତି ଦତ୍ତ ନିର୍ମମତାରୁ ଦୁଃସହ ଦୁଃଖ ଦୈନ୍ୟ ସମେତ ବର୍ଦ୍ଧିଷ୍ଣୁ ଚଳତଶକ୍ତି ରହିତାବସ୍ଥାର ଯାତନା ପାନ କରି ଜୀବନ ଜୀଇଁଛୁ । ତଥାପି ସେମାନେ ମୋଠୁ ବହୁ ପରିମାଣରେ ଆକ୍ରାନ୍ତ ହୋଇ ସୁଦ୍ଧା ଯେମିତି ସ୍ୱକୀୟ ସୃଜନର ମୌଳିକତା ନେଇ ସ୍ୱତଃ ଉଦ୍ଭାସିତ ,ତାହା ମୋ ଦେଇ ହେଲା ନାହିଁ ବୋଲି ମୁଁ ସାହିତ୍ୟ କମ୍ ଓ ସଙ୍ଗଠନରେ ବେଶୀ ବୁଡି ରହିଲି । ଭାଇ ଶିବ ଯନ୍ତ୍ରଣାର ଜହର ନିତ୍ୟ ପାନ କରୁଥିଲେ ହେଁ ପାଠକଙ୍କୁ ସୃଜନାନନ୍ଦର ପୋଷ ପୋଷ ମଧୁ ପରଷୁ ଥିଲା । ତା ନିରବଧି ପଠନ ଓ ଲିଖନ ଅତି ପାଖରୁ ଦେଖି ମୁଁ ବି ଲେଖାଲେଖି ଜାରି ରଖିଥିଲି । ଗୋଟେ ସିଟିଂରେ ବିନା କଟାଛଟାରେ ତା ଲେଖା ଶେଷ। ରଫ୍ ଯାହା ଫାଇନାଲ ତାହା । ଛପା ହେଉ ନ ହେଉ ପୁଣି ନୂଆ ଲେଖା ପାଇଁ ପ୍ରୟାସ । ଏସବୁ ମୋ ପାଇଁ ଚିରହରିତ ପ୍ରେରଣା। ଏବେ ତା ଅବର୍ତ୍ତମାନରେ ଦାୟରେ ପଡି କଲମ ଧରିଚି ମୋ ହାତ ସଳଖିବା ପାଇଁ !! ମୋ ମାତୃସମା ନିର୍ମଳା ନାନୀ ଅତ୍ୟନ୍ତ କଡା , ଭାରି ନିୟମନିଷ୍ଠ ବ୍ୟକ୍ତିଗତ ଜୀବନରେ । ଅନୁରୂପ ଭାବେ ତାଙ୍କ ସୀମିତ ସାହିତ୍ୟର ସ୍ୱର ବି ଅତ୍ୟନ୍ତ ସ୍ପଷ୍ଟ ଶାଣିତ ଓ ସଶକ୍ତ !! ମୁଁ ତୁଚ୍ଛା ବାକ୍ୟ ବୀର ଭାବରେ ଅନେକ କଥା ସାଙ୍ଗଠନିକ ବକ୍ତବ୍ୟ ଛଳରେ ଫିଟା କଣ୍ଠରେ ହୁଏତ କହି ପକାଏ ସିନା ମୋ ନାନୀଙ୍କ ଭଳି ପ୍ରତିବଦ୍ଧ ସୃଜନ ସ୍ୱପ୍ନ ମୋ ପାଇଁ ।

ସବୁ ଲେଖକ ଜଣେ ଜଣେ ସମୀକ୍ଷକ । ଆପଣ ନିଜ ରଚନାର ସମୀକ୍ଷା କଲେ, କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ପ୍ରଥମରୁ କହି ରଖେ ଯେ ଲେଖାଲେଖିରୁ ମୋତେ ଆନନ୍ଦ ମିଳେ ଓ ସେ ଆନନ୍ଦ ମୋତେ ଜୀଇବାକୁ ଖୋରାକି ଯୋଗାଇ ଥାଏ ବୋଲି ହିଁ ମୁଁ ଲେଖି ଆସୁଛି । ବହୁତ ଲେଖିବାର ଥିଲେ ବି ବଡ ବଡ ଲେଖା ଲେଖି ପାରେନି । ଆଗରୁ ତ କହି ସାରିଛି ହାତ ସଳଖୁଛି ବୋଲି । ସେହି କ୍ରମରେ ଲେଖିବା ଭିତରେ ଭୀଷଣ କଟାଛଟା ପରେ ହିଁ ଯେଉଁ ଲେଖାଟି ସାରେ କଦବା କ୍ୱଚିତ ତା ନିଜକୁ ଭଲ ଲାଗିଲେ ଅହୋ ଭାଗ୍ୟ ମଣିଥାଏ । ତାହା ଛପା ହେଲା ପରେ କିନ୍ତୁ ମୋ ଭିତରର ସମ୍ପାଦକଟି ମୋତେ ଚେଙ୍କେ ଦେଇ କହେ : ଏତିକି ବାଗେଇ ପାରିଲୁନି ? ଏବେ ସାମାଜିକ ଗଣ ମାଧ୍ୟମରେ ପରିବେଷଣର ସୁଯୋଗ ମିଳନ୍ତେ ମୁଁ ପ୍ରାୟତଃ କାହାରି ଅଧିକ ସମୟ ନ ନେଇ କାହା ମନସ୍ଥିତି ନ ବିଗାଡି ଚୁମ୍ବକେ ଚୁମ୍ବକେ କହିବାକୁ ଯାଇ ଲେଖା ନାମରେ ଯେଉଁ ୟାଡୁସ୍ୟାଡୁ ଜାତୀୟ ଲେଖୁଛି ସେଗୁଡିକ ତଥାଚର୍ଚ୍ଚିତ ଲାଇକ କମେଣ୍ଟ ବାଦ୍ ବହୁ ପାଠକ ଭଲ ଲାଗୁଛି ଓ ମୋ ଦେଇ ସେଗୁଡା ବରଂ ଭଲହେଉଛି ବୋଲି ପ୍ରତ୍ୟକ୍ଷରେ ମତ ଦେଉଛନ୍ତି ।

ସମସାମୟିକ ସାହିତ୍ୟକୁ ଧ୍ୟାନରେ ରଖି ଆମ ଭାଷା ସାହିତ୍ୟର ଭବିଷ୍ୟତ କିପରି ହେବ ବୋଲି ଆପଣ ଭାବନ୍ତି ?

କେବଳ ଶାସ୍ତ୍ରୀୟତା ଲାଭକୁ ଗଣ୍ଠିଧନ ଜପାମାଳି କରି ପ୍ରଚାର ସର୍ବସ୍ବ ହୋଇ ନ ବସି ବରଂ ଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷା ସାହିତ୍ୟର ଅଧ୍ୟୟନ ଅଧ୍ୟାପନା ସୃଜନଶୀଳ ରଚନା ଏବଂ ସର୍ବୋପରି ଯୁଗୋପଯୋଗୀ ଗବେଷଣା କ୍ଷେତ୍ରରେ ବ୍ୟାପକ ଓ ବାସ୍ତବବାଦୀ କାର୍ଯ୍ୟାନ୍ୱୟନ ନିରନ୍ତର କରି ଚାଲିଲେ ହିଁ ଆମ ଭାଷା ସାହିତ୍ୟର ବ୍ୟବହାର ସୁରକ୍ଷିତ ଓ ସମୃଦ୍ଧ ହେବ। ସବୁ କ୍ଷେତ୍ରରେ ଓଡ଼ିଆ ବ୍ୟବହାର କ’ଣ ସତରେ ଏଡିକି ଅସମ୍ଭବ ବ୍ୟାପାର ? ତେବେ ବାକ୍ୟ ବୀରଙ୍କୁ ବେଳହୁଁ ଦୂରେଇ କର୍ମ କୁଶଳୀଙ୍କୁ ଠାବ କରି ସୁଯୋଗ ଓ ସ୍ୱାଧୀନତା ଦେଇ ଅନ୍ୟ ଭାଷା ସାହିତ୍ୟ ସମୃଦ୍ଧ ରାଜ୍ୟଙ୍କ ଭଳି ଅଗ୍ରସର ହେବା ଉଚିତ। ଏଥକୁ ଆମ ଭବିଷ୍ୟତ ଆମ ହାତରେ ସିନା !!

ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?

ପ୍ରେରିତ କରେ ନିଶ୍ଚୟ । ତେବେ ପ୍ରାପ୍ତି ହିଁ ପ୍ରତିବଦ୍ଧତା ପାଇଁ ପରମ ଆବଶ୍ୟକତା ନୁହେଁ । ଲେଖକ ଜଣେ ଲେଖିବା ଅର୍ଥ ସମାଜ ତହିଁରୁ ଲାଭ ପାଉ କି ନ ପାଉ ତା ଦ୍ୱାରା ସୃଷ୍ଟ ପ୍ରତିକୂଳତାକୁ ଯେ ଭୋଗିବାକୁ ନ ପଡୁ : ଏତିକି ଯତ୍ନବାନ ହେବା ଜରୁରୀ। ଏ ସହଜାତ ଯତ୍ନ ଓ ଦାୟିତ୍ୱ ସ୍ୱତଃ ବଢିବା କଥା। ସେ ଦିଗରେ ପୁରସ୍କାର ଓ ଅନ୍ୟାନ୍ୟ ପ୍ରାପ୍ତି ହୁଏତ କିଞ୍ଚିତ ପ୍ରେରକ । ତେବେ ବିମଳ ସୃଜନାନନ୍ଦ ଓ ପାଠକୀୟ ପ୍ରୋତ୍ସାହନ ବ୍ୟତିରେକ ଏସବୁ ପ୍ରାପ୍ତି ପାଇଁ ଉନ୍ମୁଖତା କ୍ରମଶଃ ବେକଲ୍ୟ ସୃଷ୍ଟି କରି ତୁଚ୍ଛା କ୍ୟାରିଅରିଷ୍ଟ ସୁଲଭ ସାହିତ୍ୟ ଚାଷରେ ମାତିବାର ପଥ ଫେଇ ଅଚିରେ ସୃଜନ ବିଚ୍ୟୁତ କରାଇଥାଏ ବୋଲି ମୋର ବିନମ୍ର ମତ ।

ନୂଆ ପୀଢ଼ିକୁ କି ବାର୍ତ୍ତା ଦେବେ ?

“କହି ଦେଉ ଥାଏ ପରକୁ” ପରି ହେଲେ ହେଁ କହିବି ନିୟମିତ ପଠନ ଓ ମନନ ସପକ୍ଷରେ । ତଦୁତ୍ତାରେ ହିଁ ଧ୍ୟେୟ ହେଉ ସୃଜନ । ତେବେ ସର୍ଜନା ଯେହେତୁ ଏକ ଦିବ୍ୟ କର୍ମ ,ସ୍ରଷ୍ଟା ବନିବା ଆଗରୁ କାୟ ମନୋବାକ୍ୟରେ କହନ୍ତୁ କି ଉଚ୍ଚାରଣ ଓ ଆଚରଣରେ କହନ୍ତୁ ଶୁଦ୍ଧ ହେବା ଆବଶ୍ୟକ । କାରଣ ଏସବୁ ହିଁ ସ୍ରଷ୍ଟାଟିଏକୁ ଦ୍ୱିତୀୟ ଈଶ୍ୱର ଭାବେ ଉଦ୍ଭାସିତ କରିଥାଏ।

Comments are closed.