Latest Odisha News

ରେଳ ଦୁର୍ଘଟଣାରେ ଆହତଙ୍କ ଚିକିତ୍ସା କେମିତି ଚାଲିଛି, ମୋଦୀଙ୍କୁ କହିଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଫୋନ ଯୋଗେ କଥା ହୋଇଛନ୍ତି। ଏହି ସମୟରେ ବାହାନଗା ଟ୍ରେନ ଦୁର୍ଘଟଣା ଓ ଆହତଙ୍କ ଚିକିତ୍ସା ବାବଦରେ ଦୁଇ ଶୀର୍ଷ ନେତା କଥା ହୋଇଛନ୍ତି। ସଦ୍ୟତମ ସ୍ଥିତି ସମ୍ପର୍କରେ ଅବଗତ ହେବା ସହ ବିଶେଷ କରି ରେଳ ଦୁର୍ଘଟଣାରେ ପୀଡିତଙ୍କ ଚିକିତ୍ସା ଯୋଗାଇ ଦେବା ଉପରେ ଆଲୋଚନା କରିଛନ୍ତି ମୋଦୀ ଏବଂ ନବୀନ। ଏହି ଦୁଇ ନେତା ଗତକାଲି ଭିନ୍ନ ଭିନ୍ନ ସମୟରେ ବାହନଗା ଯାଇ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ।

ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଆହତ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପାଇଁ ଯଥାସମ୍ଭବ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଉତ୍ସର୍ଗୀକୃତ ଡାକ୍ତର, ଡାକ୍ତରୀ ଛାତ୍ର ଏବଂ ସାଧାରଣ ନାଗରିକମାନେ ରକ୍ତଦାନ କରିବା ଏବଂ ଆହତମାନଙ୍କ ପାଇଁ ଯଥାସମ୍ଭବ ସର୍ବୋତ୍ତମ ସେବା ଯୋଗାଇ ଦେବା ପାଇଁ ଉଲ୍ଲେଖନୀୟ ପ୍ରୟାସ କରୁଛନ୍ତି ।

ପ୍ରତ୍ୟେକ ଜୀବନର ମୂଲ୍ୟ ଉପରେ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଉଦ୍ଧାର କାମଠାରୁ ଆରମ୍ଭ କରି ଆହତମାନଙ୍କୁ ଡାକ୍ତରଖାନାକୁ ଆଣିବା ଏବଂ ପରବର୍ତ୍ତୀ ଚିକିତ୍ସା ବ୍ୟବସ୍ଥା ପର୍ୟ୍ୟନ୍ତ ଜୀବନ ବଞ୍ଚାଇବା ପାଇଁ ସମସ୍ତ ପ୍ରକାରର ଉଦ୍ୟମ ହେଉଛି।

ଏବେର ସ୍ଥିତି ଉପରେ ଆଲୋକପାତ କରି ନବୀନ ପ୍ରକାଶ କରିଛନ୍ତି ଯେ, ସମୁଦାୟ ୧,୧୭୫ ଜଣ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ସେଥିମଧ୍ୟରୁ ୭୯୩ ଜଣ ପୂର୍ବରୁ ଡିସଚାର୍ଜ ହୋଇସାରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆହତଙ୍କ ମଧ୍ୟରୁ ଅଧିକାଂଶଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ବର୍ତ୍ତମାନ ୩୮୨ ଜଣ ଯାତ୍ରୀ ଉଭୟ ସରକାରୀ ଓ ବେସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇବା ସହ ଓଡ଼ିଶା ସରକାର ଏହି ସଙ୍କଟ ସମୟରେ ତ୍ୱରିତ ଓ ଦକ୍ଷତାର ସହ କାମ କରିଥିବାରୁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି। ଆବଶ୍ୟକସ୍ଥଳେ କେନ୍ଦ୍ର ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବିପଦ ସମୟରେ ଓଡ଼ିଶାବାସୀଙ୍କ ଅସାଧାରଣ ସହଯୋଗ ଓ ସମଯୋଚିତ ସହାୟତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ।

Leave A Reply

Your email address will not be published.