Latest Odisha News

BREAKING NEWS

ସାମାଜିକ ଆଦର୍ଶକୁ ଛାଡ଼ି ସାହିତ୍ୟ କେବେବି ତିଷ୍ଠି ପାରିବ ନାହିଁ : ସୌଭାଗ୍ୟବନ୍ତ ମହାରଣା

କବିତାକୁ ଜୀବନର ସମଗ୍ର ସତ୍ତା ବୋଲି ମନେ କରୁଥିବା ଏକ ଅନନ୍ୟ ବ୍ୟକ୍ତିତ୍ୱ ସୌଭାଗ୍ୟବନ୍ତ ମହାରଣା। ଦୀର୍ଘ ଚାରି ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ଧରି ଜୀବନର ପ୍ରତିଟି ମୁହୂର୍ତ୍ତରେ ସେ ଅନୁଭବ କରିଛନ୍ତି କବିତାର ଭାବ, ଲୟ ଓ ଶବ୍ଦ ମାଧୁର୍ଯ୍ୟ । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାର ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ , ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ତାଙ୍କ ରଚିତ କବିତା ଇଂରାଜୀ , ହିନ୍ଦୀ , ବଙ୍ଗଳା , ଅହମିୟା ଏବଂ ଗୁଜୁରାଟୀ ଭାଷାରେ ଅନୂଦିତ ହୋଇ ବେଶ ପାଠକୀୟ ଆଦୃତି ଲାଭ କରିଛି । ଏହା ସହ ଓଡ଼ିଆ ସାହିତ୍ୟର କିଛି ତରୁଣ ଓ ପ୍ରବୀଣ କବିଙ୍କ କବିତାକୁ ସେ ଇଂରାଜୀ ଭାଷାରେ ଅନୁବାଦ କରିଛନ୍ତି। କବିତାର ସମାଲୋଚନା କ୍ଷେତ୍ରରେ ମଧ୍ୟ ସେ ଖୁବ ସିଦ୍ଧହସ୍ତ । ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତାରେ, ତାଙ୍କ ରଚନାଗୁଡ଼ିକ ପାଠକ ମନରେ ଏକ ଭିନ୍ନ ଭାବ ପ୍ରତିଫଳିତ କରିଥାଏ।

ନୀରବତାର ଚିତ୍ରାଙ୍କନ, ଦୃଶ୍ୟାନ୍ତରର ନାୟକ, ସ୍ଥାପତ୍ୟ ଓ ସମ୍ଭାର, ତୁମ ପାଇଁ ଓ ଅନ୍ୟାନ୍ୟ କବିତା, ନିର୍ବାଚିତ କବିତା , ଅନାବୃତ ଅଜ୍ଞାତବାସ, ଶାଗୁଆ କ୍ଷେତର ସହର, ଜହ୍ନରାତିର ଚିତ୍ରଶାଳା ସହ ସମୁଦାୟ ଅଠରଟି କବିତା ସଙ୍କଳନ ଓ ପାଞ୍ଚଟି ଆଲୋଚନା ପୁସ୍ତକର ସେ କାଳଜୟୀ ସ୍ରଷ୍ଟା। ନିଜର ଅନବଦ୍ୟ ସାହିତ୍ୟ ସାଧନା ପାଇଁ ଓଡ଼ିଶା ସାହିତ୍ୟ ଏକଡେମୀ ପୁରସ୍କାର, ପ୍ରଜାତନ୍ତ୍ର ବିଷୁବ ଝଙ୍କାର କବିତା ପୁରସ୍କାର, କାଦମ୍ବିନୀ କବିତା ପୁରସ୍କାର, ଗଙ୍ଗାଧର ସାହିତ୍ୟ ସମ୍ମାନ, ଆଦର୍ଶ ପାଠାଗାର ବିଷୁବ ସମ୍ମାନ, ବସନ୍ତ ମୁଦୁଲି କବିତା ପୁରସ୍କାର, ତୀରତରଙ୍ଗ କବିତା ସମ୍ମାନ ଏବଂ ସାଗରିକା କବିତା ସମ୍ମାନ ସହ ଆହୁରି ଅନେକ ପୁରସ୍କାର ଓ ସମ୍ମାନରେ ସେ ପୂରସ୍କୃତ ଏବଂ ସମ୍ମାନିତ ।

କବି ସୌଭାଗ୍ୟବନ୍ତ ମହାରଣାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ

କବିତା ଜୀବନର ଆରମ୍ଭ କେମିତି ହେଲା କୁହନ୍ତୁ ?

ମୋ ପିଲାଦିନେ ଆମ ଘରେ ବାପା , ବଡ଼ ବାପା ଓ ଅଜା ଭାଗବତ , ମଥୁରା ମଙ୍ଗଳ , ସ୍ତୁତି ଚିନ୍ତାମଣି ଓ ଶିବ ପୁରାଣ ଆଦି ପାଠ କରୁଥିଲେ। ସେଦିନରୁ ପୁରାଣର ଗୀତ ଶୁଣି ଶୁଣି ମୋର କବିତା ପ୍ରତି ଅନୁରକ୍ତି ଓ ଆଗ୍ରହ ଆରମ୍ଭ ହେଲା। ପୁନଶ୍ଚ ଆମ ଘର ପାଖରେ ଥିବା ପ୍ରଶସ୍ତ ଧାନ କ୍ଷେତର ସବୁଜିମା ଏବଂ ପାଚିଲା ଧାନକ୍ଷେତର ସ୍ବର୍ଣ୍ଣାଭ ଲହରୀ ମତେ କେତେବେଳେ କବିତା ମନସ୍କ କରିଦେଲା , ମୁଁ ଜାଣି ପାରିଲି ନାହିଁ। ଏହି ଆବେଗ ଓ ଭାବପ୍ରବଣତା ମତେ ସ୍କୁଲରେ କବିତା ଲେଖିବାକୁ ପ୍ରେରଣା ଦେଲା । ସେତେବେଳେ ମୋର କବିତା ପୃଥ୍ୱୀରାଜ ହାଇସ୍କୁଲର ମୁଖପତ୍ର ପାରିଜାତରେ ପ୍ରକାଶିତ ହୋଇଥିଲା।

ଆପଣଙ୍କ କବିତାର ଅନ୍ତଃସ୍ବର କ’ଣ ?

ମୋ କବିତାର ଅନ୍ତଃସ୍ଵର ହେଉଛି, ଜୀବନବାଦ , ମାନବବାଦ, ମାଟି ମନସ୍କତା , ସାମାଜିକ ବାସ୍ତବତା ଓ ପ୍ରଗତିଶୀଳ ଚେତନା । ମୋର କିଛି କବିତାରେ ବିଦ୍ରୋହୀ ଭାବର ବେସାଲିସ ମନୋଭାବ ରହିଛି, ଯାହା ମୋର ହୃଦୟକୁ ସ୍ପନ୍ଦିତ କରିଦିଏ। ପ୍ରେମ ଓ ରୋମାଣ୍ଟିକ ଚେତନାର ଆବେଗ ପ୍ରବଣତା ମୋ ରକ୍ତରେ ପଦ୍ମଫୁଲ ସର୍ଜନା କରେ।

ଆପଣ ଅନେକ ଆଲୋଚନା ପୁସ୍ତକ ରଚନା କରିଛନ୍ତି । ତେବେ ସେ ଦିଗ ପ୍ରତି କାହିଁକି ଆକୃଷ୍ଟ ହେଲେ ?

ଏ ପର୍ଯ୍ୟନ୍ତ ମୁଁ ପାଞ୍ଚୋଟି ଆଲୋଚନା ପୁସ୍ତକ ରଚନା କରିଛି। ଓଡ଼ିଶାରେ ଅନେକ ପ୍ରାବନ୍ଧିକ ଓ ସମାଲୋଚକ ଅଛନ୍ତି। କିନ୍ତୁ କବିତା ସହିତ ସମାଲୋଚନା ଲେଖୁଥିବା ସ୍ରଷ୍ଟାଙ୍କ ସଂଖ୍ୟା ଖୁବ କମ। ଅନେକ ସମସାମୟିକ କବିଙ୍କ କବିତା ପଢ଼ି ମୋ ମନରେ ସେମାନଙ୍କ କବିତା ପ୍ରତି ଆଗ୍ରହ ଓ ଉତ୍ସାହ ବୃଦ୍ଧି ପାଇଲା। ସେମାନଙ୍କ ଉଚ୍ଚାଙ୍ଗ କବିତାର ଗର୍ଭଗୃହକୁ ଯାଇ କାବ୍ୟ ପୁରୁଷଙ୍କୁ ଭେଟିବାକୁ ପ୍ରବଳ ଇଚ୍ଛା ଜାଗ୍ରତ ହେଲା। ସୁତରାଂ ମତେ ଭଲ ଲାଗୁଥିବା କବିତାମାନଙ୍କୁ ନେଇ କିଛି ଆଲୋଚନା ପୁସ୍ତକ ରଚନା କରିଛି। ଆମ ସାହିତ୍ୟରେ ସମାଲୋଚନାକୁ ଆହୁରି ନିରପେକ୍ଷ ଓ ଭାବ ସମୃଦ୍ଧ କରିବାକୁ ମୁଁ ଯଥା ସାଧ୍ୟ ଚେଷ୍ଟା କରୁଛି।

ମୁଦ୍ରଣ ଶିଳ୍ପର ବିକାଶ ପରେ ଏବେ ବହୁ ସଂଖ୍ୟକ ପତ୍ରିକା ପ୍ରକାଶିତ ହେଉଛି । ସେଗୁଡ଼ିକର ମାନକୁ ନେଇ ଆପଣଙ୍କର ମତ କଣ ?

ସମ୍ପ୍ରତି ମୁଦ୍ରଣ ଶିଳ୍ପର ଅନେକ ଅଗ୍ରଗତି ଘଟିବା ଫଳରେ ଅସଂଖ୍ୟ ପତ୍ର ପତ୍ରିକା ପ୍ରକାଶିତ ହେଉଛି। ଏହାଦ୍ୱାରା ପାଠକ, ଲେଖକ , ସମ୍ପାଦକ ଓ ପ୍ରକାଶକମାନେ ନିଜ ନିଜ ଭିତରେ ସମ୍ପର୍କର ସେତୁ ସ୍ଥାପନ କରିବାକୁ ଖୁବ ଆଗ୍ରହ ପ୍ରକାଶ କରୁଛନ୍ତି । ପ୍ରକାଶିତ ସବୁ ପ୍ରତ୍ରିକାର ମାନ ସମାନ ନୁହେଁ। ପ୍ରାୟତଃ ପୂଜା ସଂଖ୍ୟାର ପତ୍ରିକା ଗୁଡ଼ିକ ମୋଟା ହେବା ଲକ୍ଷ୍ୟରେ ଲେଖାର ମାନ ବେଳେ ବେଳେ ହ୍ରାସ ପାଇଯାଏ। କିଛି କିଛି ପତ୍ରିକା ସେମାନଙ୍କ ଲେଖାର ମାନକୁ ଯଥେଷ୍ଟ ଗୁରୁତ୍ୱ ଦିଅନ୍ତି। ପତ୍ରିକାରେ ବ୍ୟବସାୟିକ ମନୋବୃତ୍ତି ଅଧିକ ହେଲେ ଲେଖାର ମାନ ଉପରେ ପ୍ରଭାବ ପଡ଼ିଥାଏ ।

ଆପଣଙ୍କ ଜୀବନ ଉପରେ ସାହିତ୍ୟର ପ୍ରଭାବ କ’ଣ ? ସାହିତ୍ୟରେ ନଥିଲେ ଜୀବନର ଗତିପଥ ବଦଳି ଯାଇଥାନ୍ତା କି ?

ମଣିଷର ବୌଦ୍ଧିକ ବିକାଶ, ଜୀବନ ଜିଜ୍ଞାସାର ସ୍ୱରକୁ ବୁଝିବାର ପ୍ରୟାସ, ସମାଜିଜ ବାସ୍ତବତାରେ ନିଜକୁ ସାମିଲ କରିବାର ଆକାଂକ୍ଷା ତଥା ଲୋକଙ୍କ ଦରଦୀ ମରମୀ ହୃଦୟ ସହିତ ସମଭାବାପନ୍ନ ହେବାକୁ ସାହିତ୍ୟ ମତେ ଖୁବ୍ ପ୍ରଭାବିତ କରିଛି। ମୋ ଜୀବନରେ ଚମତ୍କାର କବିତା ପଢ଼ି ମୁଁ ଆବେଗପ୍ରବଣ ହୋଇ ବାସ୍ତବତାକୁ କୋଳେଇ ନେଇଛି । ଅନେକ ଉଚ୍ଚକୋଟୀର ଗଳ୍ପ ଉପନ୍ୟାସ ପଢ଼ି ମୁଁ ଅଧିର ହୋଇ ସେଇ ଚରିତ୍ରମାନଙ୍କୁ ଲୁହଭରା ଆଖିରେ ସାମ୍ନା କରିଛି। ବିଖ୍ୟାତ ନାଟକମାନଙ୍କ ଚରିତ୍ରମାନେ ମତେ ବେଳେ ବେଳେ ଆନମନା କରିଦିଅନ୍ତି । ସାହିତ୍ୟରେ ନଥିଲେ ମୋ ଜୀବନର ବୌଦ୍ଧିକ ବିକାଶ ନ ଘଟି ଗୋଟେ ରକ୍ତ ମାଂସର ବସ୍ତୁ ଭଳି ମୁଁ ହୋଇଥାନ୍ତି। ସାହିତ୍ୟରେ ନଥିଲେ ମୁଁ ମାନବିକ ମୂଲ୍ୟବୋଧ, ଜୀବନ ଜିଜ୍ଞାସାର ସ୍ୱରଠାରୁ ଅନେକ ଦୂରକୁ ଚାଲି ଯାଇଥାନ୍ତି।

ଆଧୁନିକ ଓଡ଼ିଆ କବିତାରେ ତରୁଣ ଓ ନବୀନ କବିଙ୍କ କବିତା ଉପରେ ଆପଣ କି ପ୍ରକାର ମତାମତ ଦେବେ ?

ଓଡ଼ିଆ ସାହିତ୍ୟରେ ୧୯୮୦ପରେ ଜନ୍ମ ହୋଇଥିବା ତରୁଣ କବିଙ୍କ ଏବଂ ୧୯୯୦ ପରେ ଜନ୍ମିତ ନବୀନ କବିମାନଙ୍କ କବିତା ପଢ଼ି ମୁଁ ଭାବ ବିଭୋର ହୋଇଛି । ସେମାନଙ୍କ କବିତାର ନୂଆପଣ ମତେ ଯଥେଷ୍ଟ ମୁଗ୍ଧ କରିଛି । ସେମାନଙ୍କ କବିତାରେ ଜୀବନ ପ୍ରତି ଭିନ୍ନ ଓ ନୂତନ ଦୃଷ୍ଟିଭଙ୍ଗୀ , ଜୀବନର ଆହ୍ୱାନକୁ ଗ୍ରହଣ କରିବାର ବେସାଲିସ ମନୋଭାବ , ବିଶ୍ୱାୟନ , ଜଗତୀକରଣ ଓ ବ୍ୟକ୍ତି ବିଶ୍ୱର ପାରସ୍ପରିକ ସମ୍ପର୍କ ତଥା ମାନବିକତା ମୂଲ୍ୟବୋଧକୁ ଗୁରୁତ୍ୱ ଦେବାର ଆଗ୍ରହ ଓ ଅଭିପ୍ସାର ସମୁଜ୍ଜ୍ଵଳ ପରିଚୟ ମିଳେ। ଉତ୍ତର ଆଧୁନିକ କବିତାରେ ଏମାନଙ୍କ ଅଭ୍ୟୁଦୟ ବେଶ ସ୍ୱାଗତଯୋଗ୍ୟ ।

ସ୍ରଷ୍ଟାର ସୃଷ୍ଟିକୁ ନକାରାତ୍ମକ ମତାମତ ଏବଂ ପ୍ରଶଂସା କେତେମାତ୍ରାରେ ପ୍ରଭାବିତ କରେ ?

ସ୍ରଷ୍ଟାର ସୃଷ୍ଟି ବା ସର୍ଜନା ସର୍ବଦା ଉଚ୍ଚକୋଟୀର ବା ଚମତ୍କାର ହେବ ଏମିତି କିଛି ନିର୍ଦ୍ଦିଷ୍ଟତା ସାହିତ୍ୟରେ ନାହିଁ । ତଥାପି କେହି କେହି ପାଠକ ଓ ଲେଖକସେମାନଙ୍କ କୃତିକୁ ନେଇ ନକରାତ୍ମକ ଅଭିମତ ଦେଇଥାନ୍ତି । ପାଠକ ଲେଖକ ଓ ସମାଲୋଚକ ମାନେ ସ୍ରଷ୍ଟାର ଲେଖା ଭିତରକୁ ପ୍ରବେଶ କରି ନିରପେକ୍ଷ ମତ ଦେବା ବିଧେୟ। ସେମାନଙ୍କ ଆକ୍ଷେପ ଅଯୌକ୍ତିକ ମନ୍ତବ୍ୟ ସ୍ରଷ୍ଟାଙ୍କୁ ନିରୁତ୍ସାହିତ ଓ ବ୍ୟଥାତୁର କରେ। ସ୍ରଷ୍ଟାର ସୃଷ୍ଟି ଭିତରକୁ ଯାଇ ତାଙ୍କ ଲେଖାକୁ ଗୁରୁତ୍ୱ ଓ ମହତ୍ୱ ଉପଲବ୍ଧି କରି ମତାମତ ଭିତରେ ପ୍ରଶଂସା କରିବା ସ୍ବାଗତଯୋଗ୍ୟ। କିନ୍ତୁ ସର୍ଜନାର ଗଭୀରତା ନଥାଇ ପ୍ରଶଂସା କଲେ ସାହିତ୍ୟ ପ୍ରତି ପାଠକଙ୍କ ଆସ୍ଥା କମିଯାଏ।

ଓଡ଼ିଆ ଭାଷାରେ ବହୁ ସଂଖ୍ୟାରେ ପୁସ୍ତକ ତଥା ପତ୍ର ପତ୍ରିକା ବାହାରିବା ସତ୍ତ୍ୱେ ମାତୃଭାଷାର ଯେପରି ଉନ୍ନତି ହେବାକଥା ହେଇପାରୁନାହିଁ ବୋଲି ଅନେକ ମତ ଦିଅନ୍ତି ସେ ବିଷୟରେ କ’ଣ କହିବେ ?

ଓଡ଼ିଆ ଭାଷାରେ ସମ୍ପ୍ରତି ଅସଂଖ୍ୟ ପୁସ୍ତକ ଓ ପତ୍ରପତ୍ରିକା ପ୍ରକାଶ ପାଉଛି । କିନ୍ତୁ ମାତୃଭାଷାର ଆଖି ଦୃଶିଆ ଉନ୍ନତି ବା ଅଗ୍ରଗତି ହେଉନାହିଁ । ଏହାର କାରଣ ହେଲା ସରକାରୀ ଅଫିସରେ ମାତୃଭାଷାର ଶାସନ କାର୍ଯ୍ୟ ପରିଚାଳନା ନାହିଁ। ପୁନଶ୍ଚ ଓକିଲାତିରେ କୋର୍ଟ କଚେରୀରେ ଓଡ଼ିଆ ଭାଷାର ପ୍ରଚଳନ ତଥା ପୁସ୍ତକ ବ୍ୟବହାର ହେଉନାହିଁ । ଯାହା ଫଳରେ ମାତୃଭାଷାର ପ୍ରଗତି ହୋଇ ପାରୁନାହିଁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଇଂରାଜୀ ମିଡିୟମ ସ୍କୁଲରେ ଓଡ଼ିଆ ଭାଷା ପ୍ରତି ଅବହେଳା ପ୍ରଦର୍ଶନ କରିବା। ମାତୃଭାଷାକୁ ସରକାରୀସ୍ତରରେ ଯେତେ ଗୁରୁତ୍ୱ ଦେବାକଥା ସେତେ ଗୁରୁତ୍ୱ ଦିଆଯାଉନି। ପତ୍ର ପତ୍ରିକା ଭାଷାର ଭବିଷ୍ୟତକୁ ବଦଳେଇ ପାରିବ ନାହିଁ।

ସାହିତ୍ୟ ସହିତ ଆଦର୍ଶବାଦ ସମ୍ପୃକ୍ତ କି ?

ସାହିତ୍ୟ ସହିତ ଆଦର୍ଶବାଦର ସମ୍ପର୍କ ବହୁବର୍ଷରୁ ରହି ଆସିଛି। ସାହିତ୍ୟ ହିଁ ସାମାଜିକ ଜୀବନର ଦର୍ଶନ ସଦୃଶ। ଏଥିରେ ପ୍ରାଦେଶିକ , ଭାରତୀୟ ଏବଂ ବିଶ୍ୱ ସାହିତ୍ୟର ପ୍ରଭାବ ପରିଲକ୍ଷିତ ହୁଏ । ମଣିଷର ଜୀବନଶୈଳୀ , ଜୀବନ ଜିଜ୍ଞାସାର ସ୍ୱର ଏବଂ ସମାଜରେ ଘଟିଯାଇଥିବା ଚିନ୍ତାଧାରାର ଆଲୋକିତ ଦିଗ ସାହିତ୍ୟରେ ପ୍ରତିଫଳିତ ହୋଇଥାଏ। ସାମାଜିକ ଆଦର୍ଶକୁ ଛାଡ଼ି ସାହିତ୍ୟ କେବେବି ତିଷ୍ଠି ପାରିବ ନାହିଁ।

ସମକାଳୀନ କବିତାକୁ ଆପଣ କିପରି ଦେଖନ୍ତି ?

ସମକାଳୀନ କବିତା ବିଷୟ ଆଲୋଚନା କଲେ ଉତ୍ତର ଆଧୁନିକ କବି ସ୍ୱତଃ ଏହା ଭିତରକୁ ପ୍ରବେଶ କରିଥାଏ। ଓଡ଼ିଆ ସାହିତ୍ୟରେ ୧୯୭୦ ରୁ ୧୯୮୦ ମଧ୍ୟରେ ଉତ୍ତର ଆଧୁନିକତା କାଳଖଣ୍ଡର ଆରମ୍ଭ ବୋଲି ସାହିତ୍ୟ ଶାସ୍ତ୍ରୀମାନେ ମତ ଦିଅନ୍ତି। ଏଇଥିପାଇଁ ସମକାଳର କବିତାରେ ତରୁଣ, ନବୀନ ଓ ପ୍ରବୀଣ କବିଙ୍କ ଆସ୍ଥା ରହିଛି। ସମକାଳର କବିତାରେ ଆଧୁନିକ ସମୟର ବିସ୍ଥାପନ, ଶିଳ୍ପାୟନ , ଜଗତୀକରଣ, ଚାଷୀ ଆତ୍ମହତ୍ୟା , ବିଶ୍ୱ ଭାତୃତ୍ୱ , ସୂଚନା ଓ ପ୍ରଯୁକ୍ତି ବିଦ୍ୟା ତଥା ମହାକାଶର ଗବେଷଣା , ନାରୀ ନିର୍ଯ୍ୟାତନା ଓ ଦଳିତ ଚେତନାର ରୂପାୟନ ଚମତ୍କାର ଭାବରେ ପ୍ରତିଫଳିତ ହୋଇଛି। ସମକାଳୀନ କବିତାରେ ବିଶ୍ୱ ଭିତରେ ବ୍ୟକ୍ତି ଓ ବ୍ୟକ୍ତି ଭିତରେ ବିଶ୍ୱର ଗୁରୁତ୍ୱକୁ ଉପଲବ୍ଧି କରିବାର ବିଶାଳ କାନଭାସ ରହିଛି।

ଆମ ଭାଷା ସାହିତ୍ୟର ଉନ୍ନତି ପାଇଁ ଆମେ କିପରି ଯତ୍ନବାନ ହେବ ଆବଶ୍ୟକ ?

ଆମ ଭାଷା ସାହିତ୍ୟର ଉନ୍ନତି କଳ୍ପେ ଆମେ ନିୟମିତ ଭାବେ ଓଡ଼ିଆ ପତ୍ର ପତ୍ରିକା ସହ, ଉପାଦେୟ ଓଡ଼ିଆ ପୁସ୍ତକ କ୍ରୟକରି ପଢ଼ିବାର ଅଭ୍ୟାସକୁ ପ୍ରଖର କରିବାକୁ ହେବ। ପ୍ରତ୍ୟେକ ବ୍ୟକ୍ତି ଏ ଦିଗରେ ସକ୍ରିୟ ହେଲେ ଆମ ଭାଷା ସାହିତ୍ୟର ଉନ୍ନତି ହେବ। ପୁନଶ୍ଚ ଓଡ଼ିଆ ମାଧ୍ୟମ ସ୍କୁଲରେ ଛାତ୍ରଛାତ୍ରୀଙ୍କର ପଢ଼ିବାର ଆଗ୍ରହକୁ ଉଜ୍ଜୀବିତ କରିବାକୁ ପଡ଼ିବ। ଇଂରାଜୀ ଓ ହିନ୍ଦୀ ଭାଷା ଅପେକ୍ଷା ଆମ ଭାଷା ଉପରେ ଅଧିକ ଗୁରୁତ୍ୱ ଦେବାକୁ ହେବ।

କବିତାକୁ ନେଇ ଆପଣଙ୍କ ଭବିଷ୍ୟତ ଯୋଜନା କ’ଣ ?

ମୋର ଏପର୍ଯ୍ୟନ୍ତ ଅଠରଟି କବିତା ସଙ୍କଳନ ଓ ପାଞ୍ଚୋଟି ପ୍ରବନ୍ଧ ସଙ୍କଳନ ପ୍ରକାଶ ପାଇଛି। ଆଗାମୀ ସମୟରେ ମୋର ଓଡ଼ିଆ କବିତାରୁ ଅନୂଦିତ କିଛି ନିର୍ବାଚିତ କବିତାକୁ ନେଇ ଇଂରାଜୀ କବିତା ସଙ୍କଳନ , ହିନ୍ଦୀ ଓ ବଙ୍ଗଳା ସଙ୍କଳନ କରିବାକୁ ଯୋଜନା କରିଛି । ଗୋଟିଏ ମାସ ପୂର୍ବରୁ ମୋର ପନ୍ଦରଟି କବିତା ସଂକଳନକୁ ନେଇ “କବିତା ସମଗ୍ର” ପ୍ରକାଶ ପାଇଛି।

Comments are closed.