Latest Odisha News

ସାହିତ୍ୟ ଏକ ନିରବଚ୍ଛିନ୍ନ ସାଧନା : ସୁମିତା ବେହେରା

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ସୁମିତା ବେହେରା । ଗଳ୍ପ, ଉପନ୍ୟାସ, କବିତା ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । ତାଙ୍କ କାହାଣୀ କେଉଁଠି ବି ଫୁଟି ଉଠିପାରେ। କେବଳ ଫୁଟେ ନାହିଁ , ତା ‘ ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ।

ଆର୍ଯ୍ୟା, ଏରୁଣ୍ଡି, ପ୍ରୀତିପର୍ଣ୍ଣା, ସୁଲୋଚନା ପ୍ରଭୃତି ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । ତାଙ୍କର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଏବଂ ସମ୍ବର୍ଦ୍ଧିତା ।

ଓଡ଼ିଆ ସାହିତ୍ୟର ସଶ୍ରଦ୍ଧ ସ୍ୱର ସୁମିତା ବେହେରାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ‘ଆଳାପ’

ସାହିତ୍ୟ ସର୍ଜନା ପ୍ରତି କେମିତି ଆଗ୍ରହୀ ହେଲେ ?

ପିଲାଦିନୁ କାହାଣୀ ଓ ସଙ୍ଗୀତ ପ୍ରତି ରୁଚି ରଖୁଥିବା ଝିଅଟି କେତେ ଯେ କବିତା ଓ କାହାଣୀ ରଫ୍ ଖାତାରେ ଲେଖିଛି ଏବଂ ବର୍ଷ ସରିବା ପରେ ରଫ୍ ଖାତା ସହିତ ସେସବୁ ପୁରୁଣା କାଗଜରେ ବିକ୍ରି ହୋଇଯାଇଛି ତା’ ହିସାବ ରଖିନି। ପିଲାମାନେ ବଡ଼ ହେବାପରେ ଅନେକ ସମୟ ନିଜ ପାଇଁ ମିଳିଲା ଏବଂ ନିୟମିତ ଲେଖାଲେଖି କରିବା ପାଇଁ ଆଗ୍ରହୀ ହେଲି।

ଗଳ୍ପ , କବିତା, ଉପନ୍ୟାସ, ଶିଶୁ ସାହିତ୍ୟ ଆଦି ସବୁ ବିଭାଗରେ ଆପଣ ଲେଖାଲେଖି କରନ୍ତି । ତେବେ ଆତ୍ମତୃପ୍ତି କେଉଁଠି ?

ସ୍ରଷ୍ଟା ସୃଷ୍ଟି କରି ସାରିବା ପରେ ନିରେଖି ଦେଖେ, ତା ‘ ସୃଷ୍ଟିର ସୌନ୍ଦର୍ଯ୍ୟକୁ ଏବଂ ନିଜକୁ ପଚାରେ, “ଠିକ୍ ଅଛି ତ?” ସତ କହିବାକୁ ଗଲେ ଆତ୍ମତୃପ୍ତି ସେତେବେଳେ ମିଳେ, ଯେତେବେଳେ ତା’ର ସୃଷ୍ଟିକୁ ପାଠକୀୟ ଆଦୃତି ମିଳେ । ଭଲ କାହାଣୀ ମୋତେ ଅଧିକ ସନ୍ତୁଷ୍ଟି ପ୍ରଦାନ କରେ।

 

ଆପଣଙ୍କ ରଚିତ ଉପନ୍ୟାସ ‘ସୁଲୋଚନା’ ବହୁଳ ଭାବରେ ଆଦୃତ। ପୌରାଣିକ ଉପନ୍ୟାସ ଲେଖିବା ପାଇଁ କାହିଁକି ଆଗ୍ରହୀ ହେଲେ ?

ସୁମିତ୍ରା : ଅଜା, ଆଈଙ୍କଠାରୁ ରାମାୟଣ , ମହାଭାରତ ଓ ପୁରାଣ ବର୍ଣ୍ଣିତ କାହାଣୀ ପିଲାଦିନ ଖୁବ୍ ଶୁଣିଛି । ସେଥିରେ ଥିବା ଅନେକ ଚରିତ୍ର ମୋ ମସ୍ତିଷ୍କରେ ବସା ବାନ୍ଧି ରହି ଯାଇଛନ୍ତି । ସେହିଥିରୁ ପୌରାଣିକ ଉପନ୍ୟାସ ଲେଖିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହୋଇଥିଲା । ସୁଲୋଚନା ବ୍ୟତୀତ ଆହୁରି ଅନେକ ପୌରାଣିକ କାହାଣୀ ଲେଖିଛି।

ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?

ସାହିତ୍ୟ ଏକ ନିରବଛିନ୍ନ ସାଧନା । ସମ୍ମାନ ଆଶାରେ ସାଧକ ସାଧନା କରନ୍ତି ନାହିଁ। ପରନ୍ତୁ ଯେତେବେଳେ ତା’ଙ୍କୁ ତାଙ୍କ ସାଧନାର ଫଳ, ସମ୍ମାନ ଓ ସ୍ଵୀକୃତି ଆକାରରେ ମିଳେ, ସେ ଖୁସି ହେବା ସ୍ୱାଭାବିକ ଏବଂ ତା’ ସହିତ ଲେଖକଙ୍କର ଦାୟିତ୍ୱବୋଧ ବଢିଯିବା ମଧ୍ୟ ସ୍ୱାଭାବିକ ।

ଓଡ଼ିଆ ସାହିତ୍ୟରେ ଲେଖିକାଙ୍କର ପ୍ରଭାବ କିପରି ? ସାମାଜିକ ଚାପରେ ଲେଖିକାମାନେ ବେଳେ ବେଳେ ଦ୍ବନ୍ଦରେ ରହନ୍ତି କି ?

ଲେଖିକାଙ୍କର ପ୍ରଭାବ ତ ନିଶ୍ଚୟ ଅଛି। ନହେଲେ କୁନ୍ତଳା କୁମାରୀ ସାବତ, ପ୍ରତିଭା ରାୟ, ଗାୟତ୍ରୀ ବସୁମଲ୍ଲିକ ଇତ୍ୟାଦି ଲେଖିକାମାନଙ୍କୁ ଏତେ ପାଠକୀୟ ଶ୍ରଦ୍ଧା ମିଳି ନ ଥାଆନ୍ତା। ହଁ, ସାମାଜିକ ଚାପ ହେତୁ ଦ୍ୱନ୍ଦ୍ୱ ତ କିଛିମାତ୍ରାରେ ନିଶ୍ଚୟ ରହିଥାଏ। କିନ୍ତୁ ଲେଖିକାମାନେ ଚାପରେ ରହିଲେ, ତାଙ୍କର ସର୍ବୋତ୍କୃଷ୍ଟ କୃତି ଆଉ ପାଠକ ପାଇପାରିବେ ନାହିଁ।

ଆପଣଙ୍କ ସୃଷ୍ଟି ସମୂହରେ ଜୀବନ ଦର୍ଶନକୁ ଆପଣ କିପରି ଭାବରେ ରୂପାୟନ କରିଛନ୍ତି ?

ଜୀବନ ଅଛି ମାନେ ସେଥିରେ ଦର୍ଶନ ଅଛି । ତେଣୁ ଆମ ରଚନାର ଛତ୍ରେ ଛତ୍ରେ ଦର୍ଶନର ଛାପ ତ ନିଶ୍ଚୟ ରହିବ।

ଏତେ ବର୍ଷର ସାହିତ୍ୟ ସାଧନା ଭିତରେ ଆପଣଙ୍କ ଇପ୍ସିତ ସୃଷ୍ଟିକୁ ରୂପ ଦେଇ ପାରିଛନ୍ତି କି ?

ଅନେକ ବହି ଲେଖା ସରିଛି। “ଆର୍ଯ୍ୟା” ସବୁଠାରୁ ମୋ ହୃଦୟର ଅଧିକ ନିକଟତର। ତଥାପି ଆହୁରି କିଛି ଭଲ ସୃଷ୍ଟି ପାଇଁ ଅପେକ୍ଷା ତ ନିଶ୍ଚୟ ରହିଛି।

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟମ କେତେ ମାତ୍ରାରେ ସହାୟକ ହୋଇଛି ?

କହିବାକୁ ଗଲେ ଶତ ପ୍ରତିଶତ। ଲେଖକ ଓ ପାଠକ ମଧ୍ୟରେ ଗଣମାଧ୍ୟମ ଏକ ଯୋଗସୂତ୍ର ।

ଯଦି ପାଠକ ନକରାତ୍ମକ ମତ ରଖିଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ହେବ?

ମତଟିର ମୂଳ କାରଣ ଖୋଜି, ଆହୁରି ଭଲ ଲେଖିବା ପାଇଁ ଚେଷ୍ଟା କରିବି ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି ?

ସାହିତ୍ୟ ହିଁ ମୋ ଜୀବନ । ତେଣୁ ତା’କୁ ନେଇ ଅନେକ ସ୍ଵପ୍ନ । ପୀଢ଼ି ପରେ ପୀଢ଼ି ସମସ୍ତେ ଆମ ଓଡ଼ିଆ ଭାଷା ଓ ସାହିତ୍ୟକୁ ପ୍ରେମ କରନ୍ତୁ। ଇଂରାଜୀ ମାଧ୍ୟମର ବହୁଳତା ହେତୁ କ୍ରମଶଃ ଆମ ଓଡ଼ିଆ ସାହିତ୍ୟ ଅବଲୁପ୍ତ ହୋଇ ନଯାଉ।

Comments are closed.