Latest Odisha News

BREAKING NEWS

ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଆୟୋଜିତ ରାଜ୍ୟସ୍ତରୀୟ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି, ଯତୀନ୍ଦ୍ର କୁମାର ନାୟକ ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ସାମଲ କହିଲେ ଯେ ସରଳ, ସୁଖପାଠ୍ୟ ଓ ଅନ୍ୟକୁ ଆକର୍ଷିତ କରିବା ଭଳି ଭାଷାରେ ବ୍ୟାସକବି ଫକୀର ମୋହନ ଲେଖୁଥିଲେ । ସେଥିପାଇଁ ତାଙ୍କୁ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ, କଥାସମ୍ରାଟ, ବ୍ୟାସକବି ଭାବରେ ସମ୍ମାନ ଦିଆଯାଉଛି ବୋଲି ଶ୍ରୀ ସାମଲ ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ନାୟକ କହିଲେ ଯେ ହେଉଛନ୍ତି ଓଡ଼ିଆ ଭାଷାର ଜଣେ କିମ୍ବଦନ୍ତୀ ପୁରୁଷ । ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଓଡ଼ିଆ ଭାଷା, ସାହିତ୍ୟ ଓ ଜାତୀୟତାର ସନ୍ଧିକାଳ ଏବଂ ରୁଚି ପରିବର୍ତ୍ତନର ସମୟରେ, ଯେତେବେଳେ ଓଡ଼ିଆ ଭାଷା ସ୍ୱତନ୍ତ୍ର ଭାଷା ନୁହେଁ ବୋଲି ବିରୋଧର ସ୍ୱର ଉଠିଥିଲା, ସେତେବେଳେ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଆବିର୍ଭାବ ଯଥାର୍ଥରେ ଏକ ମହତ୍ତ୍ୱପୂର୍ଣ୍ଣ ସମୟ ଥିଲା । ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଜୀବନୀର ଅଣଆଲୋଚିତ ଦିଗ ଯଥା ପ୍ରବନ୍ଧ ରଚନା ବାବଦରେ ବିଶଦ ଉପସ୍ଥାପନା କରି ପ୍ରଫେସର ନାୟକ ବ୍ୟାସକବି କେବଳ ଓଡ଼ିଆ ଭାଷା ଓ ସାହିତ୍ୟ ନୁହେଁ ବରଂ ସମଗ୍ର ଭାରତୀୟ ସାହିତ୍ୟର ଇତିହାସରେ ଚିରଦିନ ପାଇଁ ସ୍ମରଣୀୟ ହୋଇରହିବେ ବୋଲି କହିଥିଲେ । ବ୍ୟାସକବି ଫକୀର ମୋହନ ସ୍ମୃତି ସଂସଦର ସାଧାରଣ ସମ୍ପାଦକ ବିରାଜ ମୋହନ ଦାସ ଓଡ଼ିଆ ଭାଷାର ବିପତ୍ତି ସମୟରେ ବ୍ୟାସକବି ଫକୀର ମୋହନ ସେନାପତି ଏହି ଭାଷାକୁ ଅଧିକ ଶକ୍ତିଶାଳୀ ଓ ଆଦୃତ କରିବା ପାଇଁ ତାଙ୍କ ଜୀବଦ୍ଦଶାରେ ଅନେକ କାର୍ଯ୍ୟ କରିଥିଲେ, ତେଣୁ ତାଙ୍କୁ କ୍ରାନ୍ତିପୁରୁଷ କହିଲେ ଅତ୍ୟୁକ୍ତି ହେବନାହିଁ ବୋଲି ଉଲ୍ଲେଖ କରିଥିଲେ । ମୋଟ ଉପରେ କହିବାକୁ ଗଲେ, ଭାଷା ଆନ୍ଦୋଳନ, ସମ୍ବାଦପତ୍ର ପ୍ରକାଶ, ଛାପାଖାନା ପ୍ରତିଷ୍ଠା, ଅନୁବାଦ ଏବଂ ସାମ୍ବାଦିକତା ମଧ୍ୟରେ ବ୍ୟାସକବି ଫକୀର ମୋହନ ସେନାପତିଙ୍କୁ ସୀମାବଦ୍ଧ କରାଯାଇପାରିବ ନାହିଁ । ବାସ୍ତବ ଓ ପ୍ରାଣବନ୍ତ ଗଳ୍ପ-ସାହିତ୍ୟ ମାଧ୍ୟମରେ ସେ ଇତିହାସର ମୋଡ଼ ବଦଳାଇବା ପାଇଁ ସକ୍ଷମ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ଅତିଥିମାନଙ୍କୁ ସ୍ୱାଗତ ଭାଷଣ ଦେଇଥିବା ବେଳେ  ସୁଚେତା ପ୍ରିୟଦର୍ଶିନୀ ସଂଯୋଜନା କରିଥିଲେ ଏବଂ ସ୍ମୃତି ସଂସଦର ଯୁଗ୍ମ ସମ୍ପାଦକ ରଜତ କୁମାର ପାତ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ପରିଶେଷରେ ସ୍ମୃତି ସଂସଦର ସଭାପତି ଜୀବନ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସନ୍ତୋଷ କୁମାର ଦାସ, ସୂଚନା ଓ ଲୋକସମ୍ପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

Leave A Reply

Your email address will not be published.