ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଉମାକାନ୍ତ ରାଉତ । ଗଳ୍ପ କବିତା ଏବଂ ଶିଶୁ ସାହିତ୍ୟ ସୃଷ୍ଟି କରି ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । କେବଳ ଏତିକି ନୁହେଁ , ଜଣେ ସୁବକ୍ତା ଭାବରେ ମଧ୍ୟ ସେ ବେଶ ପରିଚିତ ।
ଏଥର ଉଠିବାର ବେଳ, କେହି ଜଣେ ଅନ୍ତରଙ୍ଗ, ଷ୍ଟାଫ , ଆସରେ ମିତ ଗାଇବା ଗୀତ ସହ ଆହୁରି ଅନେକ ପୁସ୍ତକର ସେ କାଳଜୟୀ ସ୍ରଷ୍ଟା । ନିଜର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ।
ଲେଖକ ଉମାକାନ୍ତ ରାଉତଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ଆଳାପ
ସାହିତ୍ୟିକ ଜୀବନର ଆରମ୍ଭ କିପରି ହୋଇଥିଲା ?
ବିଦ୍ୟାଳୟରେ ହେଉଥିବା ଉତ୍ସବମାନଙ୍କରେ ପରିବେଷଣ କରାଯାଉଥିବା ଦ୍ୱୈତଗାନ ଲେଖାରୁ ହିଁ ଆରମ୍ଭ ହୋଇଥିଲା ମୋର ରଚନା। ଯାହାକି ମୁଖ୍ୟତଃ କଥୋପକଥନ ଶୈଳୀରେ ସାମାଜିକ ସମସ୍ୟା ଆଧାରିତ ରମ୍ୟ ରଚନା ପର୍ଯ୍ୟାୟର ଥିଲା । ହେଲେ ମୋର ପ୍ରଥମ ଲେଖାଟି “ଶେଷ ବିଳାପ” ନାମକ ଗପଟିଏ ଥିଲା। ଯାହା ଆମ ବିଦ୍ୟାଳୟର ସ୍ମରଣିକା “ନାରାୟଣ”ରେ ପ୍ରକାଶିତ ହୋଇଥିଲା। ହେଲେ ଲେଖାଲେଖିରୁ ପହିଲି ପୁଲକ ଆସ୍ଵାଦନ କରିଥିଲି ମହାବିଦ୍ୟାଳୟରେ ପଢ଼ିବା ସମୟରେ। ବୋଧହୁଏ ତାହା ହିଁ ଥିଲା ମୋର ବିଦ୍ଧିବଦ୍ଧ ଲେଖାଲେଖିର ପ୍ରାରମ୍ଭ କାଳ।
ଆପଣ ଗଳ୍ପ ଓ କବିତା ଉଭୟରେ ସିଦ୍ଧହସ୍ତ । ତେବେ ଆପଣ କେଉଁଥିରେ ଅଧିକ ସହଜ ଓ ତୃପ୍ତ ?
ନିର୍ଦ୍ଦିଷ୍ଟ ଭାବେ କହିବା କଷ୍ଟକର । ଉଭୟରେ ମୁଁ ସ୍ଵଛନ୍ଦ ବିଚରଣ ଅନୁଭବ କରେ। ସମୟାନୁସାରେ ଶିଶୁ କିଶୋର ସାହିତ୍ୟ , ବ୍ୟଙ୍ଗ , ସ୍ତମ୍ଭ, ପ୍ରବନ୍ଧ ଓ ଲଘୁରଚନା ମଧ୍ୟ ଲେଖେ । ମୂଳ କଥା ହେଲା ସରକାରୀ କାମର ପ୍ରଚଣ୍ଡ ଚାପ ଓ ଦାୟିତ୍ୱ ଭିତରେ ସମୟ ଓ ସୁବିଧା ଅନୁସାରେ ଯେଉଁଟା ଯେତେବେଳେ ଲେଖିବା ସମ୍ଭବ ହୁଏ ତାହା ହିଁ କରେ।
କବିତା ରାଜକୀୟ ହୋଇଥିବାରୁ ମନ୍ତ୍ରମୁଗ୍ଧ ମହକରେ ହୃଦୟକୁ ବିଗଳିତ କରିଦେଲା ବେଳେ, ଗଳ୍ପ ସୃଜନ ଜୁଟାଇଥାଏ ଖାଦ୍ୟର ଖୋରାକ। କବିତା ରୁକ୍ଷ ଓ ଶୁଷ୍କ ପାହାଡ଼ର ଛାତି ଚିରି କୁଳୁ କୁଳୁ ବହିଯିବାର ପ୍ରବାହମାନତାରେ ଟାଙ୍ଗରା ଛାତିରେ ସବୁଜିମାର ସମ୍ଭାର ସୃଷ୍ଟି କରିପାରେ। ହେଲେ ଗଳ୍ପରେ ଥାଏ ତୀଖ ପାହାଡ଼ ଚଢ଼ିବାର ଘନଘଟା । ତେବେ ଉଭୟରେ ଭିନ୍ନ ଭିନ୍ନ ବାଗରେ ଯେଉଁଟି ସେଇଟି ହେଲା ପାହାଡ଼ । ସୁତରାଂ ଜଣେ ଅଧିକ ମାନସିକ ତୃପ୍ତି ଦେଉଛି ବୋଲି କହି ଅନ୍ୟକୁ ପୀଡ଼ା ଦେବାର ଅବିଚାର କରିବି କାହିଁକି !
ଅନୁଭୂତିକୁ ସାଉଁଟି ରୂପ ଦେବା ସହଜ ନା କଳ୍ପନାରେ ରଙ୍ଗ ଭରିବା ସହଜ ?
ଉଭୟ ସହଜ ଓ କଷ୍ଟ ମଧ୍ୟ । ଖାଣ୍ଟି ଚବିଶ କ୍ୟାରେଟ ସୁନାରେ ଗହଣା ଗଢ଼ା ଯାଇପାରିବ ନାହିଁ। କେବଳ ଖାଦରେ ଗଢ଼ା ଯାଇଥିବା ଗହଣାକୁ ବି ସୁନା ବୋଲି କହିହେବ ନାହିଁ। ଅନୁଭବର ସାନ୍ଦ୍ରତା ସହ କଳ୍ପନା ( ଖାଦ)ର ଆବଶ୍ୟକୀୟ ମାତ୍ରା , ସ୍ପର୍ଶ , ରଙ୍ଗ , ମିଶିଲେ ଆଦୃତ ଯୋଗ୍ୟ ଗଳ୍ପ, କବିତାର ସୃଷ୍ଟି ହୋଇପାରିବ । ନୋହିଲେ ତାହା ହୁଏତ ସମ୍ବାଦ କିମ୍ବା ଗୋଟେ ଆକର୍ଷଣ ରହିତ ଭାବପ୍ରବଣ ପ୍ରଳାପ ଭଳି ମନେ ହେବ।
ଭଲ ଗପ ବୋଲି ଆମେ କାହାକୁ କହିବା ?
ଖରାପ ଓ ଭଲ , ଉଭୟ ଦୁଇଟି ଆପେକ୍ଷିକ ଶବ୍ଦ । ଜଣକୁ ଛେନାପୋଡ଼ ଭଲ ଲାଗିବ ବୋଲି ମିଠା ଦୋକାନୀ କେବଳ ଗୋଟିଏ ମିଠା ରଖିବ ନାହିଁ। ଭିନ୍ନ ଭିନ୍ନ ଗ୍ରାହକଙ୍କର ରୁଚି ଅନୁସାରେ ଭିନ୍ନ ଭିନ୍ନ କିସମର ମିଠା ହିଁ ରଖିବ। ମୂଲ କଥାଟି ହେଲା ମିଠା ଭିନ୍ନ ହୋଇପାରେ ହେଲେ ତୃପ୍ତି ଏକ ଓ ଅଭିନ୍ନ । ମୋର ଏମିତି ବି ଅନୁଭବ ଅଛି ଯେ ମୋର ଗପକୁ କେତୋଟି ପତ୍ରିକା ଭଲ ଗପ ହିସାବରେ ନ ନେଇ ଛାପି ନଥିଲା ବେଳେ ମତେ ଆଶ୍ଚର୍ଯ୍ୟ କରି ବିଜୟା , ଝଙ୍କାର , ପ୍ରତିବେଶୀ ଭଳି ମାର୍ଜିତ ଓ ସୁସମ୍ପାଦିତ ପତ୍ରିକମାନେ ସେଗୁଡ଼ିକ ପ୍ରମୁଖତା ଦେଇ ଛାପିଛନ୍ତି ଓ ସେଗୁଡ଼ିକ ଖୁବ୍ ପାଠକୀୟ ଆଦୃତି ସହ ପୋଖତ ସାହିତ୍ୟ ସମାଲୋଚକଙ୍କ ପ୍ରଶଂସା ମଧ୍ୟ ଗୋଟାଇଛି। ଉଦାହରଣ ଭାବେ ମୋର “ଷ୍ଟାଫ” ଓ “ମାତୃତ୍ୱ” ଗପ କଥା ମୁଁ କହିପାରେ।
ଏସବୁ ସତ୍ତ୍ୱେ କାଲି ହେଉ କି ଆଜି ଭଲ ଗପଟିଏ ଚିରକାଳ କ୍ଲାସିକ , କାଳୋତୀର୍ଣ୍ଣ । ରେବତୀ , ଡାକମୁନସୀ, ଶେଷ ବସନ୍ତର ଚିଠି , ବୁଢ଼ା ଶଙ୍ଖାରି , ଶିକାର , ମାଗୁଣୀର ଶଗଡ଼ , ଡିମିରି ଫୁଲ ଆଦି ଗପଗୁଡ଼ିକ ଦେଖନ୍ତୁ। ଏବେବି ଅନେକ ଭଲଗପ ଲେଖା ହେଉଛି। ହେଲେ କେତେକ ଆର୍ଟ ଫର ଆର୍ଟ ସେକର ବାହାନା କରି ଅଶାଳିନ ଓ ଅଖାଡୁଆ ଢଙ୍ଗରେ ଗପଗୁଡ଼ିକ ଯୌନ ଉଦ୍ଦୀପନାର ସାମଗ୍ରୀ କରୁଛନ୍ତି ଏବଂ ଖଦ୍ୟୋତିକାର ଝଟକା ସୃଷ୍ଟିକରି ସେସବୁକୁ ବୋଲଡର ଆଖ୍ୟା ଦେଇ ନିଜକୁ ଖୁବ ପ୍ରଚାରିତ କରିବାର ମସୁଧା କରୁଛନ୍ତି। ଅଧୁନା ଉପଭୋକ୍ତାବାଦୀ ପ୍ରଚାର ସର୍ବସ୍ବ ୟୁଜ ଆଣ୍ଡ ଥ୍ରୋର ଦୁନିଆ କଙ୍କଡ଼ାକୁ ଗୋଳିଆ ପାଣି ଭଳି , ସେସବୁକୁ ବେଶ ସୁହାଉଛି । ହେଲେ କାଳ ତାକୁ ନିଜ ଗର୍ଭରେ ରଖିଲେ ତ !
ଗପରେ କାହାଣୀ , ମାଟି, ପାଣି, ପବନ , ସମକାଳୀନ ଜୀବନର ସଚ୍ଚୋଟ ସତ୍ୟପାଠ, ଅନ୍ତରଙ୍ଗ ଅସ୍ତିତ୍ୱ ଓ ଅବସ୍ଥିତିର ନିର୍ଜନ ଉପଲବ୍ଧିକୁ ନେଇ ନିରୁତା ଉପସ୍ଥାପନା ଓ ଏସବୁ ମାଧ୍ୟମରେ ଯାବତୀୟ ବିଭ୍ରାନ୍ତିର ବିଖଣ୍ଡନ ମଧ୍ୟରୁ ମଣିଷକୁ ଏକ ଉର୍ଦ୍ଧ୍ବସ୍ତରକୁ ଘେନିଯିବାର ଅନ୍ତଃସ୍ୱରଟିଏ ନଥିଲେ ତାହା କଣ ଅସ୍ଥାଯୋଗ୍ୟ ସର୍ଜନା ହୋଇପାରିବ ? ହେଲେ ମୁଁ ଆଶାବାଦୀ ।
ବିଗତ କୋଡ଼ିଏ ବର୍ଷ ଭିତରେ ଓଡ଼ିଆ ସାହିତ୍ୟରେ କବିତାର ଧାରାରେ କି ପ୍ରକାର ପରିବର୍ତ୍ତନ ହୋଇଛି ବୋଲି ଆପଣ ଭାବନ୍ତି ?
ବିଗତ କୋଡ଼ିଏ ବର୍ଷ ଭିତରେ କବିତାର ଧାରାରେ ବିଶେଷ କିଛି ପରିବର୍ତ୍ତନ ମୁଁ ଦେଖି ପାରୁନାହିଁ। ସତୁରି ଦଶକ ପୂର୍ବରୁ କବିତାରେ ଥିବା କ୍ଳିଷ୍ଟତା , ବୃଥା ଆଡମ୍ବର , ଅଯଥା ବ୍ୟଞ୍ଜନ , ଅଭିଧାନିୟ ପାଣ୍ଡିତ୍ୟ ପଣର ପ୍ରଦର୍ଶନ କ୍ରମଶଃ ଲୋପପାଇ କବିତା ସରଳ ବୋଧଗମ୍ୟ ତଥା ସମ୍ପ୍ରସାରଣକ୍ଷମ ହେବାଦ୍ୱାରା ବାଦ ଫାଦ , ଇଜିମ ଫିଜିମ ବିମ୍ବ ଟିମ୍ବକୁ ଆଡ଼େଇ କମନ ମ୍ୟାନ ପଏଟ୍ରି ଆଡ଼କୁ ମୁହାଁଇଛି। ଏହା ଏକ ଶୁଭ ସୂଚନା। ପୂର୍ବପରି ରାଜକୁମାର ରାଜକୁମାରୀ, ତଥା କଥିତ ସମ୍ଭ୍ରାନ୍ତୀୟ ଗୋଷ୍ଠୀ , ପଦପଦବୀ ଧାରୀ, ମହାଜନ , ଜମିଦାରଙ୍କ କାବ୍ୟ କବିତାର ନାୟକ ନାୟିକା ହେବାର ଆଉ ଦେଖା ଯାଉ ନାହିଁ । ପ୍ରୋଟାଗୋନିଷ୍ଟ ଭାବେ ଉଭା ହେଲେଣି । ଚାଷୀ ମୂଲିଆ , ନିଷ୍ପେସିତ , ନିର୍ଯ୍ୟାତିତ , ଶ୍ରମିକ , ନିଃସ୍ବ ଓ ଅସହାୟ ମଣିଷ, ଅତ୍ୟାଚାରିତ ତଳିଆ କର୍ମଚାରୀ , ଅତ୍ୟାଚାରିତା ଅବଳା , ସର୍ବାହରା ଓ ସାଧାରଣ ମଣିଷ । ଏହିବପରିପ୍ରେକ୍ଷୀରେ ଖାଲି ବିଦ୍ୱାନଙ୍କର ନିମ୍ନ ବାକ୍ୟଟି କ୍ରମେ ସାକାର ହେଲା ଭଳି ଲାଗୁଛି । “ପଏଟ୍ରି ଇଜ ନଟ ଆନ ଓପିନିଅନ୍ ଏକ୍ସପ୍ରେସଡ଼ । ଇଟ ଇଜ ଏ ସଙ୍ଗ ଦେଟ ରାଇଜେସ ବ୍ଳିଡିଙ୍ଗ ଉଣ୍ଡ ଅର ସ୍ମାଇଲିଙ୍ଗ ମାଉଥ । ”
ବିଗତ କୋଡ଼ିଏ ବର୍ଷ ଭିତରେ ସବୁଠୁ ଆଖି ଦୃଶିଆ କଥାଟି ହେଲା ସାମାଜିକ ଗଣ ମାଧ୍ୟମରେ କବିତାର ଅବାଧ ବିଚରଣ। ଗୋଟିଏ ଦୃଷ୍ଟିରୁ ଏହା ଯୁଗର ଆହ୍ୱାନ ହୋଇଥିଲେ ହେଁ ଅନ୍ୟ ଦୃଷ୍ଟିରୁ ସେଠାରେ ସମସ୍ତେ ନିଜ ହାତରେ ନିଜେ ଚଉଦ ପା ହୋଉଥିବାରୁ ଏହା କବିତାର ଧାରା ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଉପୁଜିଛି।
ସ୍ରଷ୍ଟାର ସୃଷ୍ଟିକୁ ନକାରାତ୍ମକ ମତାମତ କିପରି ଭାବରେ ପ୍ରଭାବିତ କରେ ?
ପ୍ରକୃତ ସ୍ରଷ୍ଟାଟିଏ ଉଭୟ ସକାରାତ୍ମକ ଓ ନକରାତ୍ମକ ମତାମତକୁ ସମ୍ମାନ ଦେଇଥାଏ । ଏଥିପାଇଁ ତ ତାକୁ ଦ୍ଵିତୀୟ ଈଶ୍ଵର ବୋଲି କୁହାଯାଇଥାର। ହେଲେ ତାହା ଉପର ଠାଉରିଆ ନହୋଇ ଅନୁଭବୀ ପାଠକଟିଏର ଗଠନମୂଳକ ମତାମତ ହେବା ଜରୁରୀ। ନହେଲେ ଫେସବୁକ ଓ ହ୍ଵାଟ୍ସଆପ ଆଦିରେ ପରସ୍ପରକୁ ସନ୍ତୁଷ୍ଟ କରିବା ପାଇଁ ଦିଆ ଯାଉଥିବା ଆପୋଷ ଆୟୋଜିତ ମନ୍ତବ୍ୟ ଭଳି (ସବୁନୁହେଁ) ସେଗୁଡ଼ିକ ଗୁରୁତ୍ୱହୀନ ମନେ କରେ । ଯୁକ୍ତ ହେଉ କି ବିଯୁକ୍ତ ସଚ୍ଚୋଟ ପାଠକଟିଏ ଗଠନମୂଳକ ମତାମତ ସତ୍ ସ୍ରଷ୍ଟାକୁ ସତର୍କ ଓ ସଂଶୋଧିତ ହେବାକୁ ପ୍ରେରିତ କରେ।
ସାହିତ୍ୟ କ୍ଷେତ୍ରରେ ସମ୍ମାନ ଓ ସ୍ୱୀକୃତି ଜଣେ ସ୍ରଷ୍ଟାଙ୍କୁ କିପରି ଅନୁପ୍ରେରିତ କରେ?
ଏବର ସାହିତ୍ୟକାରଟିଏ ବେଦବ୍ୟାସ , ସାରଳା ଦାସ , ଜଗନ୍ନାଥ ଦାସ କି ବଳରାମ ଦାସ ନୁହେଁ ଯେ ସମ୍ମାନ ଓ ସ୍ୱୀକୃତି ତାକୁ ଅନୁପ୍ରେରିତ କରେ ନାହିଁବୋଲି କହିହେବ। ପୁଣି ପୁରସ୍କାରାଦି ପାଇଁ ଆଜିକାଲି ପରିଦୃଶ୍ୟ ହେଉଥିବା ଲବି କାରସାଦି ଏବଂ ନାନାଦି କାଣ୍ଡ କାରଖାନା ଦେଖିଲେ ସମ୍ମାନ ଓ ସ୍ବୀକୃତି ତାଙ୍କୁ କେତେଦୂର ଅନୁପ୍ରେରିତ କରୁଥିବ କହିବା ମୁସ୍କିଲ । ଏପରିକି ବଡ଼ ବଡ଼ ନାଁ କମେଇଥିବା ଖୁବ୍ ପଣ୍ଡିତ ପଣିଆ ଜାହିର କରୁଥିବା ଏବଂ ନିଜକୁ ମୁଣ୍ଡିଆଳ ସଜେଇ ପାରିଥିବା ଅନେକ ପ୍ରତିଷ୍ଠିତ ଲେଖକ ମାନେ କେବଳ ପୁରସ୍କାର ପାଇଁ ଲେଖିଲା ଭଳି ମତେ ଲାଗେ। ହେଲେ ମୋ ମତରେ ସ୍ରଷ୍ଟାଟିଏ ପାଇଁ ଏ ସବୁ ଗୌଣ ମୁଖ୍ୟ ହେଲା ସାହିତ୍ୟିକ ଉପଲବ୍ଧି।
ପେଟରେ କୃମି ଉପଦ୍ରବ କରୁଥିବା ପିଲାଟିଏକୁ ସାମୟିକ ଆସ୍ୱସ୍ତି ପ୍ରଦାନ ପାଇଁ ଖୁଆଇ ଦିଆଯାଉଥିବା ଚକଲେଟସମ ମତେ ଏସବୁ କ୍ଷଣିକ ଉଲ୍ଲାସ ପରି ଲାଗେ । ମୁଁ ଖୁବ୍ ରୋକ ଠୋକ ଓ ସାଦା ସିଧା ହୋଇଥିବାରୁ ଛଳ ଛଳ ହୋଇ ଛଳନାର କଥା କହିପାରେ ନାହିଁ। କି ଗଣ୍ଡକୁ ହୁକରେ ଭୂମି ଆତ୍ମମ୍ଭରିତାର ପାରିଲା ପଣରେ ଆପଣାର ନିଶକୁ ଜୋରରେ ମୋଡ଼ି ନିଜକୁ ବାଦଶାହ ସଜେଇଥିବା ତଥାକଥିତ ମଙ୍ଗୁଆଳଙ୍କ ପଦ ଲେହନ କରିପାରେ ନାହିଁ। ବୋଧ ହୁଏ ସେଥିପାଇଁ ଉପ ଭୋକ୍ତା ବାଦର ରୋଗରେ ଆକ୍ରାନ୍ତ ହୋଇଥିବା ସାହିତ୍ୟ ସଂସ୍ଥା ମାନେ ସେମାନଙ୍କର ଦେବା ନେବାରେ ଲକ୍ଷ୍ମଣ ରେଖା ଡେଇଁ ମତେ ଅପହରଣ କରିବାକୁ ଅକ୍ଷମ ହୁଅନ୍ତି ବୋଲି ମୁଁ ଗର୍ବ ଅନୁଭବ କରେ। ମୋ ମତରେ ସାହିତ୍ୟ ଏକ ସ୍ୱଳ୍ପ କାଳୀନ ରାଜନୀତି ନୁହେଁ ଏକ ଦୀର୍ଘ କାଳୀନ ସାଧନାର ପ୍ରଲମ୍ଭିତ କ୍ଷେତ୍ର। ସାମାନ୍ୟ ଭୌତିକ ପୁରସ୍କାରର ମାନଦଣ୍ଡରେ ଏହାର ସ୍ୱୀକୃତିକୁ ବିକଳାଙ୍ଗ କରା ନଯାଉ ସାରଳା ଜଗନ୍ନାଥ ଭୀମ ଭୋଇଙ୍କ ଭଳି ଯୁଗ ସ୍ରଷ୍ଟାମାନେ କି ପୁରସ୍କାର ପାଇଥିଲେ ?
ଆଜିର ଦିନରେ କୃତୀ ଅପେକ୍ଷା କରାମତି , ଛତୁଫୁଟା ମାନପତ୍ର ବିତରଣ କେନ୍ଦ୍ର , ସାହିତ୍ୟ ସଂସ୍କୃତି ନାମରେ ବେପାର , ଆତସ ବାଜିଆ ପ୍ରଚାର ଆଦି ବହୁଳ ମାତ୍ରାରେ ଚାଲିଥିଲା ବେଳେ ପୁରସ୍କାର , ସମ୍ମାନ ସ୍ୱୀକୃତି ଆଦିର ଭୁମିକା କଥା ହୁଏତ ମଞ୍ଚ ସନ୍ଧାନୀ କାରିଗର ଓ ଯୋଗାଡ଼ିଆ ପୁରସ୍କାର କାଙ୍ଗାଳମାନେ ଭଲ କହି ପାରିବେ । ମୋର ନା ଅଛି ସେମିତି ଅନୁଭବ ନା ଯୋଗାଡ଼।
ସାହିତ୍ୟକୁ ଲୋକପ୍ରିୟ କରାଇବାରେ ଗଣମାଧ୍ୟମର ଭୂମିକାକୁ ଆପଣ କିପରି ମୂଲ୍ୟାୟନ କରିବେ ?
ବର୍ତ୍ତମାନ ସମୟରେ ଗଣ ମାଧ୍ୟମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ହେଲେ ଟି ଆର୍ ପି ସର୍ବସ୍ବ ( ବ୍ୟତିକ୍ରମଙ୍କୁ ଛାଡ଼ି ) ଆଜିର ମୁଖ୍ୟ ସ୍ରୋତ ଗଣ ମାଧ୍ୟମ ଗୁଡ଼ିକ ସେଥିପ୍ରତି ସଠିକ ଦୃଷ୍ଟି ଦେଲେ ତ ? ନିୟନ୍ତ୍ରଣହୀନ ସମ୍ପାଦନା ସୁଯୋଗ ନଥିବା ସାମାଜିକ ଗଣ ମାଧ୍ୟମ ବାସ୍ତବ କ୍ଷେତ୍ରରେ କେମିତି ସାହିତ୍ୟ ଅନୁପନ୍ଥୀ ନୁହେଁ ; ସେକଥା ପୂର୍ବରୁ କହିଛି। ହେଲେ ପ୍ରଚାର ପ୍ରସାର ପାଇଁ ସେସବୁର ଭୂମିକା କୁବି ଅସ୍ବୀକାର କରି ହେବ ନାହିଁ।
ବର୍ତ୍ତମାନ ସମୟରେ ବହୁଳ ଭାବରେ ଇ- ପତ୍ରିକା ପ୍ରକାଶ ପାଉଛି । ଏହା ଭାଷା ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରରେ ଏହା କିପରି ଭାବରେ ସହାୟକ ହୋଇ ପାରୁଛି ?
ନୂଆପିଢ଼ୀର ପିଲାମାନେ ଵହି ଅପେକ୍ଷା ଇ ପୁସ୍ତକ ପଠନକୁ ପ୍ରାଧାନ୍ୟ ଦେଉଛନ୍ତି ତେଣୁ ଇ ପତ୍ରିକା ଏକ ଯୁଗୋପଯୋଗୀ ସ୍ୱାଗତଯୋଗ୍ୟ ପଦକ୍ଷେପ। ହେଲେ ଓଡ଼ିଆ ଭାଷା ସାହିତ୍ୟ ପରିପ୍ରେକ୍ଷୀରେ ଦେଖିଲେ କେତେଜଣ ଓଡ଼ିଆ ପିଲା ପଢୁଛନ୍ତି ନା ପଢ଼ିବେ ! ମୋ ଅନୁସନ୍ଧାନ ଅନୁଯାୟୀ ଲେଖିବାକୁ ଚାହୁଁଥିବା କେତେଜଣ ( ନଗଣ୍ୟ ) କେବେ କେବେ ଏସବୁ ଉପରେ ନଜର ପକାଉଛନ୍ତି। ହେଲେ ଓଡ଼ିଆ ଭାଷା ସାହିତ୍ୟ ପ୍ରତି ପ୍ରୋତ୍ସାହନ ନଥିବାରୁ ଉତ୍ତର ପୀଢ଼ିମାନେ ଇଂରାଜୀ ପଢ଼ୁଛନ୍ତି ପଛେ ଓଡ଼ିଆ ପ୍ରତି ବିଶେଷ ଧ୍ୟାନ ଦେଉ ନାହାନ୍ତି। ବିଦେଶରେ ରହୁଥିବା ଆଗ୍ରହୀ ଓଡ଼ିଆମାନଙ୍କ ପାଇଁ ଏହା ବରଦାନ ସଦୃଶ ହୋଇଛି। କ୍ଲାସିକ ଲିଟରେଚର ଓ ଦୁଷ୍ପ୍ରାପ୍ୟ ହେଇଯାଉଥିବା ଓଡ଼ିଆ ନଥି । ବହିଗୁଡ଼ିକୁ ଇ ପୁସ୍ତକ ହିସାବରେ ରଖିବା, ଇ ପୁସ୍ତକ ପ୍ରକାଶନର ଏକ ସଫଳ ଦିଗ। କାରଣ ଏଥିରେ ଉଇ ଖାଇଯିବା , ନଷ୍ଟ ହେବା ଅବା ଭିନ୍ନ ଭିନ୍ନ ଲାଇବ୍ରେରୀ ଖୋଜିବାର ଆବଶ୍ୟକତା ନାହିଁ। ସବୁ ସତ୍ତ୍ୱେ ଇ ପତ୍ରିକା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ।
୧୦ . ସମସାମୟିକ ସାହିତ୍ୟକୁ ଧ୍ୟାନରେ ରଖି ଆମ ଭାଷା ସାହିତ୍ୟର ଭବିଷ୍ୟତ କିପରି ହେବ ବୋଲି ଆପଣ ଭାବନ୍ତି ?
ଆଚରଣ ଓ ଉଚ୍ଚାରଣରେ ଭିନ୍ନତା ଥାଇ , ଆଦର୍ଶର କଥା କହିଲେ ସମାଜ ସଂସ୍କାରର କଥା କୁହାଗଲେ ସେ ସାହିତ୍ୟ କେବେ ପାକଳ ଓ ପରାକ୍ରମୀ ହୋଇପାରିବ କି ? ଫକୀରମୋହନଙ୍କ ସୃଷ୍ଟି ଏବେ ବି ଜୀବନ୍ତ କାହିଁକି ? ସାରଳା , ଭୀମଭୋଇ ଆଦିଙ୍କୁ ଦେଖନ୍ତୁ । ସେମାନେ କେବଳ ଲେଖାରେ ସମାଜକୁ ଉତାରୁ ନଥିଲେ।, ନିଜକୁ ନିଜେ ମଧ୍ୟ ସାମିଲ କରୁଥିଲେ। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଗଠନ ଦିଗରେ ଆଶା , ଉତ୍କଳ -ଦୀପିକା , ଦୈନିକ ହୈତୈଷିଣୀ , ସମ୍ବଲପୁର ବାହିନୀ , ଗଙ୍ଗାଧର , ଧରଣୀଧର ଆଦିଙ୍କ ନିଷ୍ଠା ଓ ସାହିତ୍ୟ ରଚନାକୁ ଲକ୍ଷ୍ୟ କରନ୍ତୁ। । ଟମ କକାଙ୍କ କୁଟୀରର ପ୍ରଭାବ ଦେଖନ୍ତୁ। ସେମାନଙ୍କର ସାହିତ୍ୟ କଣ ପୁରସ୍କାର ସର୍ବସ୍ବ ଥିଲା। ? ଭାଷା ସାହିତ୍ୟକୁ ପ୍ରଜ୍ଜ୍ଵଳିତ କରି ରଖିବା ପାଇଁ , ସମାଜକୁ ଆଗକୁ ବଢ଼େଇ ନେବା ପାଇଁ ସେମାନଙ୍କର ନିରନ୍ତର ସାଧନା ଲେଖନୀକୁ ସଜାଉଥିଲା। ସେଥିରେ ଥିଲା ବିଶ୍ୱାସ ଜନିତ ଅନୁଭବ । ହେଲେ ଏବେ ଲାଗୁଛି ଭାଷା ସାହିତ୍ୟ ପୁରସ୍କାର ସର୍ବସ୍ବ ହୋଇ ଯାଇଛି। ସେତେବେଳେ ପତ୍ରପତ୍ରିକାମାନେ ସମୂହ ସ୍ୱାର୍ଥ ପାଇଁ ପରସ୍ପରକୁ ସହଯୋଗୀ ବୋଲି ସମ୍ବୋଧନ କରୁଥିଲା ବେଳେ ଏବେ କେବଳ ଉପାର୍ଜନ ସର୍ବସ୍ବ ସ୍ୱଭାବେ ସମସ୍ତେ ପରସ୍ପରର ପ୍ରତିଯୋଗୀ। ପ୍ରଥମେ ଭାଷା ବଞ୍ଚିଲେ ସିନା ସାହିତ୍ୟ ସୃଷ୍ଟି ହେବ । କେତେଜଣ କବି ଲେଖକ ଭାଷା ପାଇଁ ତତ୍ପର ଅଛନ୍ତି ? ରାଜନୈତିକ ଆଦବ କାଇଦାରେ କେବଳ କ୍ଲାସିକାଲ ମାନ୍ୟତାକୁ କୁଣ୍ଢେଇ ଧରି ବସିଲେ କ’ଣ ଭାଷାର ଭବିଷ୍ୟତ ସୁରକ୍ଷିତ ହୋଇ ପାରିବ ? ଭାଷାର ବ୍ୟବହାର ଓ ପ୍ରୟୋଗ ହିଁ ମୁଖ୍ୟ କଥା। ଏଥିପାଇଁ ପ୍ରୋତ୍ସାହନ କାହିଁ ? ଯୋଜନା କାହିଁ ? ନୀତି କାହିଁ ? ଛତୁ ଫୁଟିଲା ପରି ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ଖୋଲୁଥିବା ବେଳେ ଓଡ଼ିଆ ଭାଷାକୁ ଯଦି ଜ୍ଞାନ ବିଜ୍ଞାନ ଓ ରୋଜଗାରର ଭାଷା କରାନଯାଏ , ପ୍ରୋତ୍ସାହନ ଦିଆ ନଯାଏ , ହୁଏତ ଦିନେ ଏହା ଜନଜାତିର ଭାଷା ଭଳି କେବଳ ଲୋକ ମୁଖରେ କଥିତ ଭାଷା ହୋଇ ରହି ଯାଇପାରେ। ଏ ଦିଗରେ ଆମର କବି , ଲେଖକମାନେ କରୁଛନ୍ତି କ’ଣ ? ସମସାମୟିକ ସାହିତ୍ୟିକ ମାନଙ୍କର କ’ଣ କିଛି ଦାୟିତ୍ୱ ନାହିଁ ? ସେମାନେ ନୀରବ କାହିଁକି ?
Comments are closed.