Latest Odisha News

BREAKING NEWS

ସାହିତ୍ୟ ସର୍ଜନା ପାଇଁ ଗୋଟିଏ ଜନ୍ମ ଯଥେଷ୍ଟ ନୁହେଁ : ଅର୍ଚ୍ଚନା

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଅର୍ଚ୍ଚନା । ଗଳ୍ପ, ଉପନ୍ୟାସ, କବିତା ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ ଭଣ୍ଡାରକୁ । ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟି ଉଠିପାରେ। କେବଳ ଫୁଟେ ନାହିଁ , ତା ‘ ବାସ୍ନାରେ ଖୁବ ଭିଜାଏ ପାଠକ ପାଠିକାଙ୍କୁ। ତାଙ୍କର ଅନବଦ୍ୟ ସାହିତ୍ୟ ସୃଷ୍ଟି ପାଇଁ ସେ ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନିତା ଏବଂ ସମ୍ବର୍ଦ୍ଧିତା ।

ଓଡ଼ିଆ ସାହିତ୍ୟର ସଶ୍ରଦ୍ଧ ସ୍ୱର ଅର୍ଚ୍ଚନାଙ୍କ ସହ ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ‘ଆଳାପ’

ସାହିତ୍ୟ ପ୍ରତି ଆକୃଷ୍ଟ ହେବାର ମୂଖ୍ୟ ଉତ୍ସ କ’ଣ ଥିଲା ?

ଯେତେବେଳେ ଶିକ୍ଷାର ବିରତି ଏବଂ ରୋଜଗାରର ପ୍ରସ୍ତୁତିରେ ମନ ଆନ୍ଦୋଳିତ ହେଉଥିଲା, ସେତେବେଳେ ମନରେ କହିବାକୁ ତ ଅନେକ କିଛି ଥିଲା, ମାତ୍ର ଶୁଣିବା ପାଇଁ ଲୋକ ନ ଥିଲେ। ତେଣୁ ମନର ଦ୍ଵନ୍ଦ , ଅପ୍ରକାଶିତ ଇଚ୍ଛା ଆଶା ତଥା ଭାବନାକୁ କାଗଜ କଲମ ରେ ସ୍ଥାନ ଦେବାକୁ ପ୍ରୟାସ କଲି। ଘରେ ପିତା ମାତାଙ୍କ ସାହିତ୍ୟ ଚର୍ଚ୍ଚା ଓ ବ୍ୟାଖ୍ୟାରେ ସାହିତ୍ୟ ପ୍ରତି ଏକ ଅହେତୁକ ସମ୍ପର୍କ ଗୋପନରେ ଗଢି ଉଠିଥିଲା।

ଆପଣ ଏକାଧାରରେ ଜଣେ କବି, ଔପନ୍ୟାସିକା ଏବଂ ଗାଳ୍ପିକା । ତେବେ କେଉଁ ପରିଚୟ ଆପଣଙ୍କୁ ଅଧିକ ଆତ୍ମସନ୍ତୋଷ ଦେଇଛି ଓ କାହିଁକି ?

ପ୍ରଥମେ ମୁଁ କବିତା ମାଧ୍ୟମରେ ସାହିତ୍ୟକୁ ପରିପ୍ରକାଶ କରିଥିଲେ ହେଁ ଏତେ ପାରଦର୍ଶିତା ହାସଲ କରି ପାରି ନଥିଲି। ମୋ ଗଳ୍ପ ଗୁରୁ ଶ୍ରୀ ହାଡିବନ୍ଧୁ ମହାକୁଡ଼ ମତେ କ୍ଷୁଦ୍ର ଗଳ୍ପରେ ମନୋନିବେଶ କରିବାକୁ ପ୍ରେରଣା ଦେଲେ। ମୋ ଗଳ୍ପକୁ ଅନେକ ଆଦର ବି କଲେ। ତେବେ ଉପନ୍ୟାସ କ୍ଷେତ୍ରରେ ବର୍ତ୍ତମାନ ପାଦ ଥାପିଥିବାରୁ ଲୋକ ଲୋଚନକୁ ତାହା ଆସି ନାହିଁ। ଯଦିଓ ଲୋକାର୍ପଣ ଉତ୍ସବ ସରି ଯାଇଛି। ମାତ୍ର କ୍ଷୁଦ୍ର ଗଳ୍ପ ପାଇଁ ମୁଁ ଅନେକାଂଶରେ ପାଠକୀୟତା ଲାଭ କରିଛି ଓ ଅନେକ ପ୍ରଶଂସା ବି ପାଇଛି। କିଛି ପାଠକ ଫୋନ୍ କରି କହନ୍ତି ଯେ ମୋ ଲେଖା ତାଙ୍କୁ କନ୍ଦେଇ ଦେଲା ଆଉ ମୁଁ ଭାବେ ତାହା ହିଁ ମୋର ସଫଳତା।

ଉପନ୍ୟାସଟିଏ ଲେଖିଲା ବେଳେ ଆପଣ କି ପ୍ରକାର ପ୍ରସ୍ତୁତି କରିଥାନ୍ତି ?

ଉପନ୍ୟାସ ଲେଖିଲା ବେଳେ ମୁଁ ମୋ ଆଖପାଖରେ ସୃଷ୍ଟି ହେଉଥିବା ଅନେକ ଘଟଣାକୁ ଦୃଷ୍ଟିରେ ରଖି ଲେଖେ। କାରଣ ଉପନ୍ୟାସର କାହାଣୀ ତ ସ୍ଵତନ୍ତ୍ର ଥାଏ ମାତ୍ର ତାକୁ ଅଗ୍ରଗତି କରାଇବାକୁ ଅନେକ ପାରିପାର୍ଶ୍ବିକ ସ୍ଥିତି ତଥା ମନର ସ୍ଥିତି ଉଭୟ ନିର୍ଭର କରେ।

ସାହିତ୍ୟର ପ୍ରଚାର ପ୍ରସାର ଦିଗରେ ସାମାଜିକ ଗଣମାଧ୍ୟକ କେତେ ମାତ୍ରାରେ ସହାୟକ ହୋଇଛି ?

ସାମାଜିକ ଗଣ ମାଧ୍ୟମରେ ମୁଁ ମୋ ସାହିତ୍ୟକୁ ପ୍ରଦର୍ଶନ କରାଇବାକୁ ପସନ୍ଦ କରେ ନାହିଁ। ବରଂ ପତ୍ରିକା , ଖବର କାଗଜ ଏଥିରେ ସ୍ଥାନ ଦେବାକୁ ଉଚିତ୍ ମନେ କରେ। ହଁ, ଏହା ବି ସତ ଯେ ସାମାଜିକ ଗଣ ମାଧ୍ୟମ ଦ୍ଵାରା ମୁଁ ଅନେକ ପାଠକ, ଲେଖକ ଓ ଲେଖକ ହେବାର ପରିଚିତି ହାସଲ କରି ପାରିଛନ୍ତି ।

ଆପଣଙ୍କ ସୃଜନୀର ଗତିଶୀଳତା ଉପରେ କିଛି କୁହନ୍ତୁ ?

ମୁଁ ସ୍କୁଲ ବେଳେ ଲେଖୁଥିଲି। ପରେ କେବେ କେବେ କିଛି ଗପ ଓ କବିତା ଲେଖିଛି। ମାତ୍ର ୨୦୧୧ ରେ ମୋ ସାହିତ୍ୟକୁ ଏକ ମାର୍ଗ ଦେବାକୁ ନିଷ୍ପତ୍ତି କରିଥିଲି। ସେତେବେଳେ ସପ୍ତାହକୁ ଗୋଟିଏ ଲେଖିବି ବୋଲି ପ୍ରତିଜ୍ଞା କଲି। ମାତ୍ର ସାହିତ୍ୟ ସବୁ ବନ୍ଧନର ପରେ। କେବେ ସହଜରେ ଧରା ଦିଏ ତ କେବେ ସତ ଚେଷ୍ଟା ପରେ ବି ପାଖ ମାଡେନି। ତେବେ ସେହି ସ୍ରୋତରେ ମୁଁ ପାଞ୍ଚ ମାସରେ ବୟାଳିଶଟି ଗପ ଲେଖିଥିଲି। ଆଉ ଅଦ୍ୟାବଧି ତାହା ତିନିଶହ ଉପରେ ହୋଇ ଗଲାଣି। ପାଞ୍ଚୋଟି ପୁସ୍ତକ ଲୋକାର୍ପଣ ହେଇଛି। ଆଗକୁ ଆହୁରି ଅନେକ ସାହିତ୍ୟ ରଚନା କରିବାକୁ ଲକ୍ଷ୍ୟ ରଖିଛି

ଓଡ଼ିଆ ସାହିତ୍ୟରେ ଇଂରାଜୀ ଶବ୍ଦର ବହୁଳ ବ୍ୟବହାର ହେଉଛି ,ଏ ବିଷୟରେ କ’ଣ କହିବେ? ଏପରି ହେବା ଦ୍ବାରା ଆମର ଅନେକ ଶବ୍ଦ ଧିରେ ଧିରେ ବିଲୁପ୍ତ ହୋଇଯିବାର ଭୟ ରହିଛି କି ?

ଓଡ଼ିଆ ଭାଷାରେ ଇଂରାଜୀ ଶବ୍ଦର ବ୍ୟବହାର ପ୍ରକୃତରେ ଏକ କ୍ଷୋଭର ବିଷୟ। ଯାହା ଆମ ଭାଷାକୁ ପଙ୍ଗୁ କରିବାକୁ ବସିଛି। ମାତ୍ର ଏବେକାର ଯୁବ ପୀଢ଼ି ଓଡ଼ିଆ ଅପେକ୍ଷା ଇଂରାଜୀକୁ ବେଶି ପ୍ରାଧାନ୍ୟ ଦେଉଛନ୍ତି। ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପଢୁଛନ୍ତି। ତେଣୁ ଆମ ଯୁବ ପିଢୀଙ୍କୁ ସାହିତ୍ୟରେ ନିମଗ୍ନ କରିବା ପାଇଁ କିଛି ଇଂରାଜୀ ଶବ୍ଦର ବ୍ୟବହାର କରିବା କିଛିକାଂଶରେ ଗ୍ରହଣୀୟ। ମାତ୍ର ସବୁ କ୍ଷେତ୍ରରେ ଇଂରାଜୀର ବ୍ୟବହାର ଆମ ଭାଷାର ବିସ୍ତାର ଉପରେ ପ୍ରଭାବ ପକାଇବ ।

ସାରସ୍ୱତ ସାଧନାରେ ସମ୍ମାନ ଓ ସ୍ୱୀକୃତି ଜଣେ ଲେଖକଙ୍କୁ କିପରି ଭାବରେ ପ୍ରଭାବିତ କରେ ? ଏହାଦ୍ୱାରା ଲେଖକଙ୍କର ଦାୟିତ୍ୱବୋଧ ବଢିଯାଏ କି ?

ସାରସ୍ଵତ ସାଧନାରେ ସମ୍ମାନ ଓ ସ୍ଵୀକୃତି ଦୁଇ ପ୍ରକାର ପ୍ରଭାବ ପକାଏ। ପ୍ରଥମ, ଜଣେ ଲେଖକ ଆହୁରି କୃତି ହାସଲ କରିବା ନିମନ୍ତେ ଯଥା ଚେଷ୍ଟିତ ହେବ, ନିଜକୁ ସାହିତ୍ୟରେ ନିମଗ୍ନ ରହିବ। ସାହିତ୍ୟ ପ୍ରତି ଆଗ୍ରହୀ ହେବ। ମାତ୍ର ଅପର ପକ୍ଷରେ ଅତି ସହଜରେ ସମ୍ମାନ ମିଳିଗଲେ, ଜଣେ ନିଜକୁ ଆଉ ମାର୍ଜିତ, ପରିବର୍ଦ୍ଧିତ କରିବାକୁ ଈଛା ପ୍ରକାଶ କରିବ ନାହିଁ। ଫଳରେସାହିତ୍ୟର ଉନ୍ନତି ବାଧା ପ୍ରାପ୍ତ ହେବ।

କେବେ ନିଜ ରଚନାର ସମୀକ୍ଷା କରିଛନ୍ତି କି ? ନିଜ ରଚନାର ସମୀକ୍ଷା କଲେ କେଉଁ ଦିଗକୁ ଭଲ ଆଉ କେଉଁ ଦିଗକୁ ଆହୁରି ମାର୍ଜିତ କରାଯାଇ ପାରିଥାନ୍ତା ବୋଲି କହିବେ ?

ସବୁବେଳେ ନିଜ ରଚନାକୁ ମୁଁ ପରି ମାର୍ଜିତ କରିବାକୁ ଭଲପାଏ। କାରଣ ନିଜକୁ ଆମେ ଯେତିକି ମାର୍ଜିତ କରିବା, ଅନ୍ୟ କେହି ତାହା କରି ପାରିବେ ନାହିଁ। ବରଂ କିଛି ଅନିଚ୍ଛାରେ ବାଃ ବାଃ କରିବେ। ତେଣୁ ମୁଁ ଲେଖି ସାରିଥିବା ଗଳ୍ପ ବା କାହାଣୀକୁ ଆନେକ ଥର ପଢ଼େ ଏବଂ ନୂଆ କିଛି ଯୁକ୍ତ କରି କିଛି ଅଯଥା ଲେଖାକୁ ହଟାଇ ବାକୁ ଚେଷ୍ଟା କରେ ; ଯେମିତି ତାହା ଅଚିରେ ପାଠକ ପ୍ରୀତି ହାସଲ କରିବ।

ଜଣେ ଲେଖକର ସାମାଜିକ ଦାୟିତ୍ଵବୋଧ କିପରି ହେବା ଆବଶ୍ୟକ ?

ଲେଖକର ଲେଖା ହିଁ , ତା ଭାବନା, ତା ସମ୍ପତ୍ତି , ତା ଭଣ୍ଡାର। ତେଣୁ ଲେଖକମାନଙ୍କୁ ଅଯଥା ବାହାରେ କହିବା ପସନ୍ଦ ନୁହେଁ। ବରଂ ସେମାନେ ମନ ମଧ୍ୟରେ ଅନେକ ଗପନ୍ତି। ଆଉ ଗୋଟିଏ ଲେଖା ସମାଜ ଉପରେ ବହୁତ୍ ପ୍ରଭାବ ପକାଏ ତେଣୁ ସାହିତ୍ୟ ରଚନା କାହାକୁ ନୀଚ ଦେଖାଉ, ତାହା ଗ୍ରହଣୀୟ ନୁହେଁ। ସାହିତ୍ୟ କାହା ଭାବନା ବିରୁଦ୍ଧରେ ନଯାଉ। ସାହିତ୍ୟ ଶିକ୍ଷଣୀୟ ହେଉ , ମାନସିକ ଚାପ ନ ପକାଉ।

ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କଣ ସ୍ଵପ୍ନ ଦେଖନ୍ତି ?

ସାହିତ୍ୟରେ ସମ୍ପୂର୍ଣ ଜ୍ଞାନ ବା ପାଣ୍ଡିତ୍ୟ ରଖିବା ପାଇଁ ଗୋଟିଏ ଜନ୍ମ ଯଥାର୍ଥ ନୁହେଁ। ତଥାପି ଆଗକୁ ଅନେକ ସାହିତ୍ୟ ସାଧନା ଓ ରଚନା କରିବାର ଲକ୍ଷ୍ୟ ରଖିଛି। ସେଥିପାଇଁ ଚେଷ୍ଟା ବି ଚାଲିଛି। କେବଳ ଗଳ୍ପ , ଉପନ୍ୟାସ ବା କବିତା ନୁହେଁ, ସାହିତ୍ୟ ର ପ୍ରତି ଟି କ୍ଷେତ୍ରକୁ ଛୁଇଁବା ପାଇଁ ପ୍ରୟାସ କରିଛି। ଆବାଳ ବୃଦ୍ଧ ବନିତା, ସମସ୍ତଙ୍କ ପାଖରେ ମୋ ରଚନା ଆଦୃତ ହେଉ, ସେହି ଇଚ୍ଛା ରଖିଛି।

Leave A Reply

Your email address will not be published.