ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’
ଏମିତି ହେଉ ଭାରତ
ହାତକୁ ମିଳୁ ମନଲାଖି କାମ
ପେଟକୁ ରୁଟି, ଭାତ
ଏପରି ହେଉ ଭାରତ
ଜୀବିକା ନଉକା ବାହିନେବା ପାଇଁ
ନାଗରିକ ପାଉ କାତ
ଏଭଳି ହେଉ ଭାରତ
ଅଲୋଡ଼ା ତୁଚ୍ଛ ବେପାର କରି
କେହି ନ ବଢ଼ାଉ ବିତ୍ତ
ଏମିତି ହେଉ ଭାରତ
ଆସିବା ଯିବା ବାଟରେ କେହି
କେବେ ନ ଖୋଳୁ ଗାତ
ଏମିତି ହେଉ ଭାରତ
ନେତା ଅଭିନେତା ପଛୁଆଳ ସାଜି
ଯୁବକ ନ ଧରୁ ନେତ
ଏପରି ହେଉ ଭାରତ
ସଭିଏଁ ସଳଖ ବକ୍ତା ହୁଅଂତୁ
କେହି ନୋହୁ କାହା ଦୂତ
ଏଭଳି ହେଉ ଭାରତ
ଗର୍ଭବାସୀ ଶିଶୁ କେଉଁଠି ନ ହେଉ
ଜନମ ପୂର୍ବରୁ ମୃତ
ଏମିତି ହେଉ ଭାରତ
ଛୋଟବଡ଼ କାମ ଯାହା ବି ସଂଭବ
ମୂଳ ଲକ୍ଷ୍ୟ ଲୋକହିତ
ଏମଂତ ହେଉ ଭାରତ
ଅନ୍ନ, ଜ୍ଞାନ, ଆଶା, ସ୍ବାସ୍ଥ୍ୟ ଦାତାଗଣ
ହେଉଥାଂତୁ ସମ୍ମାନିତ
ଇମିତି ହେଉ ଭାରତ
ପ୍ରତି ପରିବାର ମୁଂଡ ଉପରେ
ରହିଥାଉ ଏକ ଛାତ
ଏପରି ହେଉ ଭାରତ
ପାକଳ ବୟସେ ମର୍ଯାଦା ପାଆଂତୁ
ସବୁ ମାତ ଆଉ ତାତ
ଏଭଳି ହେଉ ଭାରତ
ଈଶ୍ବର ବ୍ୟତୀତ ଅନ୍ୟ କାହା ଆଗେ
ନ କରୁ ତା ମଥା ନତ
ଏମିତି ହେଉ ଭାରତ
ବିଶ୍ବଗୁରୁ ଆଉ ମାର୍ଗଦର୍ଶୀ ରୂପେ
ଜ୍ଞାନ ବାଂଟୁ ଅବିରତ
ଏପରି ହେଉ ଭାରତ
କଥା କଟାକଟି ଖେଳ ଛାଡ଼ି ଲୋକେ
ହୁଅଂତୁ କର୍ମରତ
ଏଭଳି ହେଉ ଭାରତ
ଖରା, ବର୍ଷା, ଶୀତ ସହ ଯୋଡ଼ି ହୁଅଂତୁ
ଶରତ୍, ବସଂତ, ହେମଂତ
ଏସନ ହେଉ ଭାରତ
କୌଣସି ସଭାରେ ଯଶରଂକୁଣା
ନ ହୁଅଂତୁ ଆତଯାତ
ଏମିତି ହେଉ ଭାରତ
ମତାଂଧମାନଂକୁ ପରାହତ କରୁ
ନ ହେଉ କେବେ ପରାସ୍ତ
ଏପରି ହେଉ ଭାରତ
ବିଧିବିନାଶକ ଦୁର୍ଜନଂକୁ ମିଳୁ
ଦଂଡ ଓ ଶାସ୍ତି ତୁରଂତ
ଏଭଳି ହେଉ ଭାରତ
ଶିଶୁ ଶିକ୍ଷାଳୟ ଜ୍ଞାନାଗାର ବନୁ
ବ୍ୟବସ୍ଥା ହେଉ ଦୋରସ୍ତ
ଏମଂତ ହେଉ ଭାରତ
ସବୁ ବିବାଦର ସମାଧାନ ହେଉ
ନିୟମିତ ଅବିରତ
ଏସନ ହେଉ ଭାରତ
କର୍ମ ସଂପାଦନ ପଦ୍ଧତିରେ କିଛି
ନ ପଶୁ ବହିରାଗତ
ଇମିତି ହେଉ ଭାରତ
ସମୂହ ପୀଠରେ ହେଉ ବିଶ୍ଳେଷିତ
ବିଭିନ୍ନ ଧାରଣା ମତ
ଏମିତି ହେବନି ଭାରତ
ନାଗରିକଗଣ ନିଜର ଚେଷ୍ଟାରେ
ଶାଂତ ନ କଲେ ଚିତ୍ତ
Comments are closed.