Latest Odisha News

BREAKING NEWS

କବିତା ନିରଂତର : ବିକ୍ଷିପ୍ତ ଭାବନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ 

ମହାସାଗରରୁ ନୀଳିମାଂଶ ନେଇ
ହୋଇଥାଏ ଯାହା ଅଂକା
ମରୁଭୂମିବାସୀ ତାହାକୁ ଦେଖି
କହଂତି ମରୀଚିକା
*
ସ୍ମୃତି-ସିଂଦୁକକୁ ଦରାଂଡି, ଉଂଡି
ଶବ୍ଦ ଦିଏ ଯଦି ଧରା
ଅଚିହ୍ନା ହେଲେ ବି ପାଠକେ କହଂତି
‘ ଏ ସବୁ ଶବ୍ଦ-ହୀରା ‘
*
ସ୍ଥଳ ଆଉ କାଳ ଅତିକ୍ରମ କଲେ
ଯାହାକୁ ମିଳେ ଉଲ୍ଲାସ
ବାସ୍ତବତାଠାରୁ ବିଚ୍ୟୁତ ହୋଇ ସେ
କରେ କଳ୍ପନା ବିଳାସ
*
ଚାତୁର୍ଯୋକ୍ତି ଭରା କଥା ଆଉ ଲେଖା
ହେଲେ ହେଁ ଅତି ମଧୁର
ସେପରି ଭାଷାରେ ନ ଥାଏ କେବେ ବି
ସତ୍ୟ ସ୍ବରୂପ ସ୍ବର
*
ନୀତି, ପ୍ରୀତି, ଭୀତି, ରୀତି ଅନୁଯାୟୀ
ଗୋଟେ କାମ ପ୍ରତିଦିନ
ଯିଏ ବି କରଂତି, ହୋଇନାହାଂତି
ଆଜିଯାଏଁ ସ୍ବାଧୀନ
*
ମନରେ ଖେଳିଲେ ବିଭିନ୍ନ ଭାବନା
ବାଛିହୁଏ ସମୀଚୀନ
ସେହି ଚିଂତାକୁ ଚିହ୍ନି ପାରିଲେ
ସାର୍ଥକ ହୁଏ ଜୀବନ
*
ସରଳରୈଖିକ ଜୀବନ ଯାପନ
କରେ ମଣିଷକୁ ଯଂତ୍ର
ସ୍ବାନୁଭୂତିରୁ ସାଉଁଟିଲେ ଜ୍ଞାନ
ବ୍ୟକ୍ତି ହୋଇଯାଏ ସ୍ବତଂତ୍ର

Leave A Reply

Your email address will not be published.