Latest Odisha News

BREAKING NEWS

କବିତା ନିରଂତର : ବିକ୍ଷିପ୍ତ ଭାବନା (୨)

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’ 

ଖାଦ୍ୟ ଯୋଗାଇ ସ୍ଥୂଳ ଶରୀରକୁ
କଲେ ଲାଳନ ପାଳନ
ସ୍ବାୟତ୍ତ ହୁଏନି କେବେ କେଉଁଠାରେ
କାହାର ନିଜର ମନ
*
ବିଧି, ପରଂପରା, ପ୍ରଥା ନାମ ଦେଇ
ରଖିଛୁଁ ଯେତେ ବଂଧନ
ସେ ସବୁ ନ କାଟି କରି ହୁଏନାହିଁ
ଫଳପ୍ରସୂ ଜପ, ଧ୍ୟାନ
*
ସୁଖଦାୟୀ ବହୁ ଅଭ୍ୟାସ ବଶତଃ
ନିଜକୁ କରିଲେ ଯଂତ୍ର
ମଂତ୍ର ଘୋଷି ଘୋଷି ସାରୁଥାଉଁ କାଳ
ମିଳେନି ଶସ୍ତ୍ର କି ଶାସ୍ତ୍ର
*
ଭାବନାବଳିକୁ କରିଲେ ସ୍ବାଗତ
ଜାତ ହୁଏ ବିଚଳନ
ଏହି କାର୍ଯ ଯୋଗୁଁ ନିଶ୍ଚୟ ସାର୍ଥକ
ହୁଏ ମଣିଷ ଜୀବନ
*
ଚିତ୍ତରେ ଯଦି ଚିଂତାର ଦୋଳନ
ଘଟୁଥାଏ ପ୍ରତି କ୍ଷଣ
ହୁଏ ଘନଘନ ଉଦୟ ଅସ୍ତ
ଚେତନାର ଉତ୍ତରଣ
*
ମହାରଣ୍ୟରେ ସ୍ବତଃଜାତ ଯେତେ
ଗଛ, ଗୁଳ୍ମ, ତରୁ, ଲତା
ବାସ୍ତବ ଅର୍ଥରେ ଭୋଗ କରୁଥାଂତି
ଆପଣାର ସ୍ବାଧୀନତା
*
ବିଚଳିତ ଚିତ୍ତ, ଶୁଦ୍ଧ ଜ୍ଞାନ-ବିତ୍ତ
ଯିଏ ବି କରେ ଅର୍ଜନ
ତାହା ଉପଯୋଗ କରି ସ୍ବେଚ୍ଛାରେ
ଉନ୍ନତ କରେ ଜୀବନ
*
ଭାଷାରେ ଚାଲିଛି, ଦିଶେ ଅବିରତ
ମହାନ୍‌ ସାହିତ୍ଯ ଯଜ୍ଞ
ଶବ୍ଦାହୁତି ଦେଇ ବିସ୍ତୃତି ଘଟାଂତି
ବିଜ୍ଞ ସହିତ ଅଜ୍ଞ
*
ଭାଷା-ସାଗରର ଲୁଣୀ ଜଳରାଶି
ହୋଇଥାଏ ଯେବେ ବାଷ୍ପ
ଆପେ ହୋଇଯାଏ ନିର୍ଗୁଣ, ନିର୍ମଳ
ଘେନି ସାହିତ୍ଯ ସ୍ବରୂପ

Leave A Reply

Your email address will not be published.