Latest Odisha News

ସ୍ନେହର ବନ୍ଧନ

ମଞ୍ଜୁବାଳା ପଣ୍ଡାଙ୍କ ସ୍ମୃତିର ଫରୁଆରୁ 

ରାକ୍ଷୀ ପୂର୍ଣ୍ଣିମାର ଢେର୍ ଆଗରୁ ମନପସନ୍ଦର ରାକ୍ଷୀ କିଣି ଲଫାପାରେ ଭରି ରାଉରକେଲାରେ ରହୁଥିବା ଭାଇନା ଓ ସାନ ଦି’ ଭାଇଙ୍କ ପାଇଁ ପଠେଇ ଦିଏ ମୁଁ। ଏତେଦୂରରୁ ମୁଁ ଯିବା ସମ୍ଭବ ହୁଏନି ବୋଲି ସେଠି ରହୁଥିବା ମୋ ଉପର ଭଉଣୀ ମୋ ତରଫରୁ ସେମାନଙ୍କୁ ପିନ୍ଧେଇଦିଏ ରାକ୍ଷୀ।

ଅଧିକା ଗୋଟିଏ ରାକ୍ଷୀ ସବୁବେଳେ ମୁଁ ଆଗରୁ କିଣି ଆଣି ରଖିଥାଏ। ଓଡିଆ ଘରର ପରମ୍ପରା ଅନୁଯାୟୀ ଶ୍ରାବଣ ପୂର୍ଣ୍ଣିମା ଦିନ ସକାଳେ ପୂଜା କରିସାରି ପ୍ରଥମେ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଏ। ତା’ପରେ ସେଇ ଅତିରିକ୍ତ ରାକ୍ଷୀଟିକୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନର ସହିତ ଆଖି ବୁଜି ମୋ ଦୁଇ ପାପୁଲି ମଧ୍ୟରେ କିଛି ସମୟ ଧରିବା ପରେ ତା’ର ସକଳ ଶୁଭ ମନାସି ସଯତ୍ନରେ ଗୋଟିଏ ଡବାରେ ରଖିଦିଏ। ସେ ସ୍ପର୍ଶ, ସେ ସମୟ, ସେ ଅନୁଭବ, ସେ ପ୍ରାର୍ଥନା, ସେ ଡବା – ସବୁ ତା’ରି ପାଇଁ ଉଦ୍ଦିଷ୍ଟ। ସେ ‘ସାୱଁରିଆ’।

ସାୱଁରିଆ ଓ ମୁଁ। ଗୋଟିଏ ମା’ ପେଟରୁ ରକ୍ତ ବାଣ୍ଟି ଜନ୍ମ ହେଇନୁ ଆମେ। ଆମର ଜାତି, ଗୋତ୍ର, ଭାଷା, ପେଶା, ନିଶା – ସବୁ ଅଲଗା। ଏତେ ଭିନ୍ନତା ସତ୍ତ୍ୱେ କେଉଁ ବନ୍ଧନରେ ବନ୍ଧା ଆମେ ଯେ ମୁଁ ସ୍ମୃତିରେ ଓ ଲୁହରେ ଏଯାଏଁ ସାଇତି ରଖିଛି ତା’କୁ ସୂତାଖିଏରେ? ମୋ ହୃଦୟ ଭିତରୁ ମୁଁ ନିଜେ ହିଁ ଉଚ୍ଛ୍ବାସରେ ଉଚ୍ଛୁଳି କହେ, ଏଇ ସ୍ନେହର ବନ୍ଧନ ହିଁ ନିଶ୍ଚୟ ‘ରକ୍ଷା ବନ୍ଧନ’।

ଷାଠିଏ ଦଶକ ଆରମ୍ଭରୁ ଆମ ପରିବାରର ରାଉରକେଲାରେ ରହଣୀ। ସେତେବେଳେ ଏହା ଏକ ମିନି ଭାରତ। କାରଣ ଅଳ୍ପ ବହୁତେ ପ୍ରାୟ ସବୁ ରାଜ୍ୟର ଲୋକ ସେଠି ବସବାସ କରୁଥିଲେ। ତେଣୁ ପ୍ରତ୍ୟେକ ସ୍ଥାନର ପର୍ବପର୍ବାଣି ପାର୍ବଣ-ମନସ୍କତା ସହ ପାଳିତ ହେଉଥିଲା। ଅତଏବ ଗହ୍ମା ପୁନେଇଁ ସଂସୃତିର ହେଲେ ବି ଆମେ ତିନି ଭଉଣୀ ଖୁବ୍ ଛୋଟ ବେଳୁ ଭାଇନା ଓ ସାନ ଦି’ ଭାଇଙ୍କୁ ରାକ୍ଷୀ ବାନ୍ଧୁଥିଲୁ।

ରାଉରକେଲାରେ ସେ ସମୟରେ ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ଯାଏଁ ନିମ୍ନ ପ୍ରାଥମିକ ବିଦ୍ୟାଳୟ ଓ ଅଷ୍ଟମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ଯାଏଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ। ପ୍ରତି ସେକ୍ଟରରେ ଗୋଟିଏ ଲେଖାଏଁ ନିମ୍ନ ପ୍ରାଥମିକ ବିଦ୍ୟାଳୟ ଥିଲେ ମଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମାତ୍ର ଦୁଇଟି, ସେକ୍ଟର ଅଠରରେ ଗୋଟାଏ (ଇସ୍ପାତ ବିଦ୍ୟାଳୟ) ଓ ସେକ୍ଟର ଚଉଦରେ ଗୋଟାଏ। ଏହି କ୍ରମରେ ସପ୍ତମ ଶ୍ରେଣୀ କୃତିତ୍ବର ସହ ପାସ୍ କଲା ପରେ ମୋର ଆଡ୍ମିସନ୍ ହୁଏ ଇସ୍ପାତ ବିଦ୍ୟାଳୟରେ।

ଏଠି ମୋ ପାଇଁ ନୂଆ ମୁହଁ ଅନେକ। ପୁରୁଣା ସାଙ୍ଗ ହାତ ଗଣତି। ସେ ଦିନ ମାନଙ୍କରେ ପାଠପଢା ଆଜିକାଲି ଭଳି ପ୍ରତିଯୋଗିତା-ସର୍ବସ୍ବ ନ ଥିଲା। ‘କର ବା ମର’ ସ୍ଥିତି ତ ଆଦୌ ନୁହଁ। ଅତଏବ ଶିକ୍ଷାକୁ ଆମେମାନେ ଉପଭୋଗ କରୁଥିଲୁ। ପାଠପଢା ସାଙ୍ଗକୁ ନାଚଗୀତ, ଖେଳକୁଦ, ବଗିଚା କାମ, ଡ୍ରାମା – ଏମିତି କେତେ କ’ଣ। ଶିକ୍ଷକ ମାନେ ପ୍ରତି ଛାତ୍ରଛାତ୍ରୀଙ୍କୁ ଜାଣୁଥିଲେ, ବୁଝୁଥିଲେ, ବୁଝଉଥିଲେ। ମୋଟାମୋଟି ଭାବରେ ଶିକ୍ଷାର ପ୍ରକୃତି, ପ୍ରବାହ ଓ ପ୍ରଭାବ ବେଶ୍ ସାବଲୀଳ, ସ୍ବାଭାବିକ ଓ ସ୍ବାସ୍ଥ୍ୟକର ଥିଲା।

ମୁଁ ଖୁବ୍ ଭଲ ପଢୁଥିଲି। ମୋ ସେକ୍ସନରେ ପ୍ରଥମ ହଉଥିଲି। କିନ୍ତୁ ଖୁବ୍ ଚଗଲି ଥିଲି। ପ୍ରଚୁର ଗପ ବହି ପଢିବା (ବୋଉ ଗାଳିଦିଏ ବୋଲି ଅନେକ ସମୟରେ ପଢାବହି ଭିତରେ ଗପବହି ଲୁଚେଇ ପଢିବାକୁ ହୁଏ), ଘର ଆଖପାଖର ସାନ ସାନ ପିଲାଙ୍କୁ ପାଖରେ ବସେଇ ଗପ କହିବା, ସେମାନଙ୍କୁ ଏକଜୁଟ କରି ଗଣେଶ ପୂଜା, ସରସ୍ବତୀ ପୂଜା ଆଦିରେ ଏକାଙ୍କିକା କରିବା – ଏ ସବୁ କାମ ମୋର ନିୟମିତ ଚାଲିଥାଏ। ‘ପେଟୁ ଚେମା’ ଏକାଙ୍କିକା କଥା ମୋର ଏ ଯାଏଁ ମନେ ଅଛି। ମୁଁ ଯେ ଥିଲି ତା’ର କୁନି ଡାଇରେକ୍ଟର୍!

ନବମ ଶ୍ରେଣୀ ବାର୍ଷିକ ପରୀକ୍ଷା ସରିଥାଏ। ସେଦିନ ରେଜଲ୍ଟ୍ ବାହାରିବ। ମୁଁ ବେଶ୍ ଉତ୍ସାହିତ, ଉତ୍ଫୁଲ୍ଲିତ। ମୋର ପ୍ରଥମ ହବା ତ ଥୟ। ଖାଲି  ଔପଚାରିକ ଉଦ୍ଘୋଷଣ ବାକି। କ୍ଲାସ୍ ଟିଚର୍ ଆସି ମାର୍କ୍ ଅନୁଯାୟୀ ଉପରୁ ତଳ କ୍ରମାନୁସାରେ ନାଁ’ ଡାକି ପିଲାଙ୍କୁ ପ୍ରୋଗ୍ରେସ୍ ରିପୋର୍ଟ୍ ଦେବେ। ରିପୋର୍ଟ ପାଇବା ପରେ ସାରଙ୍କ ପାଦ ଛୁଇଁଲା ବେଳେ ସେ ମୁଣ୍ଡ ଉପରେ ହାତ ରଖି ହସ ହସ ମୁହଁରେ ଯେଉଁ ଭାବରେ ଭେରିଗୁଡ୍ କହନ୍ତି – ମୋର ଭାରି ପ୍ରିୟ  ସେଇ ଶବ୍ଦଗୁଡିକ – ଆଃ, ମୋର ଏବେ ସେଇ ମୁହୂର୍ତ୍ତକୁ ଅପେକ୍ଷା।

: ‘ଫାଷ୍ଟ – ସନ୍ୱରମଲ୍ ଅଗ୍ରୱାଲ୍।’ କରତାଳିରେ ଉଚ୍ଛୁଳି ପଡିଲା ଶ୍ରେଣୀ ଗୃହ। ଦୌଡିଯିବା ପାଇଁ ଉଦ୍ୟତ ମୋର ଦୁଇ ପାଦ ଥମ୍ କରି ରହିଗଲା। ମୋ କାନ, ମୁଣ୍ଡ ଭାଁ ଭାଁ।

ସନ୍ୱରମଲ୍ ଅଗ୍ରୱାଲ୍। ଆମେ ଡାକୁଥିଲୁ ସାୱଁରିଆ। ଭଲ ପଢୁଥିଲା ବୋଲି ଯେତେ ନୁହଁ , ଏକ ଅତି ଉତ୍ତମ ବାଳକ ଭାବରେ ତା’ର ବେଶ୍ ନାଁ’ ଥିଲା। ଘର ଝାରସୁଗୁଡା। ଖୁବ୍ ଧନୀ ଘର ପିଲା। ରାଉରକେଲାରେ ତା’ ମାମୁଁ ଘରେ ରହି ପଢୁଥିଲା। ଆମ୍ବାଗାନ୍ ଛକରେ ତା’ ମାମୁଁଙ୍କର ଏକ ବିରାଟ ପେଟ୍ରୋଲ୍ ଟାଙ୍କି ଥିଲା। ସବୁଠାରୁ ବଡ଼ କଥା ହେଲା , ଧନ ସହ ଏକ ସମ୍ବେଦନଶୀଳ ମନ ମଧ୍ୟ ସାୱଁରିଆର ଥିଲା। ସୁବିଧା ଅସୁବିଧାରେ ସାଙ୍ଗମାନଙ୍କୁ ଛୋଟମୋଟ ସାହାଯ୍ୟ କରୁଥିଲା। କି ଛାତ୍ର, କି ଶିକ୍ଷକ ସଭିଏଁ ତା’କୁ ଖୁବ୍ ଭଲ ପାଉଥିଲେ।

ସବୁ ଠିକ୍ ଯେ, ତା’ର ଏଇ ଫାଷ୍ଟ୍ ହବାଟା ମୋତେ ଭାରି ଅଡୁଆ ଲାଗୁଥିଲା। ମୋତେ ଯେ ଅକ୍ଳେଶରେ ସେ ଟପି ଯାଇପାରେ; ଏ ଧାରଣା ମୋର ଆଦୌ ନ ଥିଲା। ମୋତେ ଭୀଷଣ ଅସହଜ ଓ ଅସ୍ବସ୍ତିକର ଲାଗୁଥିଲା। ସେ ଦିନ ରିସେସରେ ମୁଁ ଦେହ ଭଲ ଲାଗୁନି କହି ସାଙ୍ଗମାନଙ୍କ ସହିତ ବାହାରକୁ ଖେଳିବାକୁ ଗଲିନି। ସମସ୍ତେ ଚାଲିଯିବା ପରେ ଦୁଇ ପାପୁଲିରେ ମୁହଁ ଲୁଚେଇ କାନ୍ଦି ପକେଇଲି।

: ଏୟ୍! ତୁ ଏକା ଏକା କାଇଁ ବସିଛୁ? ତୋ ମିଡଡେ ମିଲ୍ ( ଦୁଇ କଦଳୀ, ଚାରି ବିସ୍କୁଟ) ଡେସ୍କ୍ ଉପରେ ସେଇମିତି ଥୁଆହେଇଛି। ଖାଇବୁନି କି?

ମୁଁ ଜାଣିଲି ସାୱଁରିଆ ପଚାରୁଛି। ତା’କୁ ଅନେଇବାକୁ କି ଉତ୍ତର ଦବାକୁ ମୋତେ ଇଚ୍ଛା ହେଲାନି। ଚୁପ୍ ରହିଲି।

: ତୋ ଦେହ ଭଲ ନାଇଁ କିରେ?

ମୁଁ ଡେସ୍କ୍ ଉପରେ ଦୁଇ କହୁଣୀକୁ ଛନ୍ଦି ତା’ ଉପରେ ମୁଣ୍ଡ ରଖି, ମୁହଁ ଲୁଚେଇ ଶୋଇଥିବା ଦେଖି ହୁଏତ ସେ କହିଲା। ମୋତେ କିନ୍ତୁ ଭୀଷଣ ଚିଡା ଲାଗୁଥିଲା। ଓଃ – ଫାଷ୍ଟ୍ ହେଇଛି ବୋଲି କେତେ ଫୁଟାଣି! ରହରେ ପୁଅ। ଆର ଥରକୁ ଦେଖିବୁ। ମୁହଁ ଖୋଲି କିନ୍ତୁ କିଛି କହିଲିନି।

: ଆରେ, ତୋତେ ସତରେ ଖରାପ ଲାଗୁଛି ନିଶ୍ଚୟ। ରହ – ମୁଁ ଷ୍ଟାଫ୍ କମନ୍ ରୁମ୍ ଯାଇ ଲକ୍ଷ୍ମୀ ଆଣ୍ଟି କିମ୍ବା ବେହେରା ଆଣ୍ଟିଙ୍କୁ ଡାକି ଆଣୁଛି। ସେ ଦିନ ମାନଙ୍କରେ ଆମେ ଶିକ୍ଷୟିତ୍ରୀ ମାନଙ୍କୁ ଆଣ୍ଟି ଡାକୁଥିଲୁ ।

ମୁଁ ଏଥର ଡରିଗଲି। ସତକୁସତ ସାୱଁରିଆ ଆଣ୍ଟିଙ୍କୁ ଡାକି ଆଣିବ ଯଦି ମୁସ୍କିଲ୍। ଇଏ ସିନା ଜାଣିପାରୁନି। ଆଣ୍ଟିଙ୍କୁ ସତ କଥା ଅଜଣା ରହିବନି। ଆଉ କାହାର ଫାଷ୍ଟ୍ ହବାଟା ମୁଁ ସହିପାରୁନି ଜାଣିଲେ କେତେ ଖରାପ ଭାବିବେ ମୋତେ। ଅତି ସନ୍ତର୍ପଣରେ ଆଖିରୁ ଲୁହ ପୋଛି ମୁଁ ମୁଣ୍ଡ ଉଠେଇଲି।

: ଆରେ, ତୁ କାନ୍ଦୁଛୁ!
: ତୁ କାଇଁ ବେଶୀ ଗୁଡେ କଥା କହୁଛୁ କହ ତ ସାୱଁରିଆ ? ମୋର ଯାହା ଇଚ୍ଛା ମୁଁ କଲି। ତୋର ସେଥିରେ ଯାଏ ଆସେ କେତେ??
: ରାଗୁଛୁ କାହିଁକି? ତୁ ନ କହିଲେ ବି ମୁଁ ଜାଣିପାରୁଛି ତୋ ମୁଡ୍ ଅଫର କାରଣ। ମୁଁ ଫାଷ୍ଟ ହବାଟାକୁ ତୁ ଗ୍ରହଣ କରିପାରୁନୁ। ନୁହଁ?

ତା’ର ରୋକଠୋକ୍ କଥା ଶୁଣି ମୁଁ ଟିକେ ଦବିଗଲି। କହିଲି ,  ସେମିତି କିଛି ନୁହଁ। ମୋ ମାର୍କ୍ କମିବାରୁ ମୋତେ ଖରାପ ଲାଗୁଛି।
: କାଇଁ କୋଉଠି ବେଶୀ ମାର୍କ୍ କମିଛି? ମୋଠୁ ତ ଜମା ସାତ ମାର୍କ୍ କମ୍।
: କେତେ କମ୍ ସାଙ୍ଗେ ମୋର ମତଲବ୍ ନାଇଁ। ତୋ ଠାରୁ ମୋର ମାର୍କ କମ୍ ଅଛି ଓ ମୁଁ କ୍ଲାସରେ ଫାଷ୍ଟ ହେଇନି, ଏହା ହିଁ ସତ।
: ଦେଖିଲୁ, ସତ କଥା ଶେଷରେ ମୁହଁରୁ ବାହାରିଗଲା। ମଲାବେଳେ ହନୁ ।

ଆରେ ସତେ ତ! ଜିଭ କାମୁଡିଲି ମୁଁ। ଠୋ ଠୋ ହସିଲା ସେ। ବୋଧହୁଏ ତା’ର ହୃଦ୍ବୋଧ ହେଲା ଯେ ମୁଁ ସ୍ବାଭାବିକ ହେଇଆସୁଛି। ତେଣୁ ସେ ଏବେ ମୋ ଠାରୁ ଅନତିଦୂରରେ ଥିବା ପୁଅପିଲାଙ୍କ ପାଇଁ ଉଦ୍ଦିଷ୍ଟ ବେଞ୍ଚରେ ବସିଲା। ମୁଁ କିନ୍ତୁ ସେ ପର୍ଯ୍ୟନ୍ତ ତା’ ମୁହଁକୁ ଅନଉ ନ ଥାଏ।

: ଶୁଣ୍ ମଞ୍ଜୁ। ମୁଁ ଜାଣିଛି ତୋତେ ବହୁତ କଷ୍ଟ ଲାଗୁଛି। ହେଲେ ତୁ ସତ କହ ତ ” ଏଥର କ’ଣ ତୁ ପଢାରେ ଅବହେଳା କରିନୁ?” ଦିଲ୍ଲୀପ ( ମୋ ମାମୁଁପୁଅ ଭାଇଙ୍କ ପୁଅ ମାନେ ମୋ ପୁତୁରା ଯିଏ କି ଆମରି ଶ୍ରେଣୀରେ ପଢୁଥିଲା) ତ କହୁଥିଲା ତୁ କ୍ଲାସରେ ଖୁବ୍ ମନଦେଇ ଶୁଣୁ ବୋଲି ଏତେ ମାର୍କ୍ ରଖିପାରୁଛୁ। ଘରେ କାଳେ ତୁ ଜମା ପଢୁନା। ରାତି ଆଠ ନ ବାଜୁଣୁ ଶୋଇପଡୁ। ସବୁଦିନ ତୋ ବୋଉ ତୋତେ ନିଦରୁ ଉଠେଇ ଖାଇବାକୁ ଦିଅନ୍ତି। ଦିନକୁ ଦିନ କୋର୍ସ ବଢୁଛି। ସେ ଅନୁଯାୟୀ ପରିଶ୍ରମ ନ କଲେ କେମିତି ହବ କହ ତ!

ତା’ କଥାରେ ପଦୁଟିଏ ବି ମିଛ ନ ଥିଲା। ନିଆଁରେ ପାଣି ପଡିଲା ଭଳି ମୁଁ ଚୁପ୍ ହେଇଗଲି। ସେ ପୁଣି ଯୋଡିଲା ।

: ମୁଁ ହୁଏ କି ଆଉ କିଏ। ଅନ୍ୟର ଭଲ ପଢିବା କି ଭଲ ପୋଜିସନ୍ ରଖିବା ଉପରେ ତୋର କିଛି କହିବାର ନାହଁ କି କରିବାର ନାହିଁ। ତୁ ନିଜେ ନିଜ ଠାରୁ ଆହୁରି ଭଲ କର୍। ତୁ ନିଶ୍ଚୟ ପାରିବୁ। ରିସେସ୍ ସରିବାକୁ ଆଉ ପାଞ୍ଚ ମିନିଟ୍ ଜମା ବାକି ଅଛି। ତୁ ଟିଫିନ୍ ଖାଇନେ। ମୁଁ ଟିକେ ଲାଇବ୍ରେରୀ ଆଡୁ ଆସୁଛି। ଖରାଛୁଟି ପାଇଁ ଭଲ ବହି କେଇଖଣ୍ଡ ନବାର ଅଛି।

ପରୀକ୍ଷାରେ ସିନା ତା’ଠାରୁ ଜମା ସାତ ମାର୍କ୍ କମ୍ ରଖି ମୁଁ କାନ୍ଦିକୁନ୍ଦି ଉଚ୍ଛନ୍ନ ହେଇଗଲି। ଜୀବନର ଏଇ ଅସଲ, ଅଘୋଷିତ, ଅଲିଖିତ ପରୀକ୍ଷାରେ ତ ମୁଁ ତା’ଠୁ କାହିଁରେ କେତେ ତଳେ! ଜୀବନର ବାସ୍ତବିକତା ପ୍ରତି ତା’ର ଦୃଷ୍ଟିଭଙ୍ଗୀ କେତେ ପରିପକ୍ୱ!! କେତେ ଉଜ୍ବଳ, ନିର୍ମଳ, ଅନାବିଳ ତା’ର ହୃଦୟ!!! ସମବୟସ୍କ ସହପାଠୀ ହେଲେ ମଧ୍ୟ ମୋ ଆଗରେ ସାୱଁରିଆ ସେଦିନ ଖୁବ୍ ବଡ ମନେ ହେଲା। ବିଦ୍ୟା, ବୁଦ୍ଧି, ବିବେକ ସବୁଥିରେ।

ଦ୍ବାଦଶ ଶ୍ରେଣୀ ( ପ୍ରି-ୟୁନିଭରସିଟି) ପରେ ଆମେ ରାଉରକେଲା ସରକାରୀ ବିଶ୍ବବିଦ୍ୟାଳୟରେ ପ୍ରି-ପ୍ରଫେସନାଲ୍ ପଢିଲୁ। କୌଣସି ଏକ ଅଭାବନୀୟ ଏବଂ ଅପ୍ରତ୍ୟାଶିତ ପରିସ୍ଥିତିରେ ସେ ବର୍ଷ ଆମ କଲେଜର ରିଜଲ୍ଟ୍ ଖୁବ୍ ଖରାପ ହେଇଥିଲା। ମୋଟେ ତିନିଜଣ ପ୍ରଥମ ଶ୍ରେଣୀ। ମୁଁ ପ୍ରଥମ! ମୁଁ ନିଜେ ବିଶ୍ବାସ କରିପାରୁ ନ ଥାଏ। ସାୱଁରିଆ କିନ୍ତୁ ସବୁଠାରୁ ଖୁସି। କହିଲା , ଦେଖିଲୁ ପାଗଳୀ। ମୁଁ କହିଥିଲି ନା , ତୁ ନିଶ୍ଚୟ ଦିନେ ସମସ୍ତଙ୍କୁ ଟପି ପାରିବୁ।

ପ୍ରି-ପ୍ରଫେସନାଲ୍ ପରେ ସଭିଙ୍କ ବାଟ ଅଲଗା। ଆମେ ଅଳ୍ପ କେଇଜଣ ମେଡିକାଲ୍ ପଢିଲୁ। ଅଧିକାଂଶ ଇଂଜିନିଯରିଂ ପଢିଲେ। ସାୱଁରିଆ ତା’ଉ ଉତ୍ତର ଦାୟିତ୍ୱ ତୁଲାଇବାକୁ ଯାଇ ପାଠରେ ଡୋର ବାନ୍ଧିଲା ଓ ବ୍ୟବସାୟରେ ଯୋଗ ଦେଲା। ସାୱଁରିଆ ମୋ ପୁତୁରାର ଘନିଷ୍ଠ ବନ୍ଧୁ ହେଇଥିବାରୁ ମୁଁ ଛୁଟିରେ ଘରକୁ ଆସିଲେ ପ୍ରାୟ ତା’ ସହିତ ଦେଖା ହୁଏ।

ଏମ୍ ବି ବି ଏସ୍ ପରେ ମୁଁ ରାଉରକେଲାର ଆଇ ଜି ଏଚ୍ ରେ ପେଡିଆଟ୍ରିକ୍ସରେ ସିନିଅର୍ ରେସିଡେନ୍ଟସିପ୍ କଲି। କାର୍ଯ୍ୟବ୍ୟସ୍ତତା ଯୋଗୁଁ ସାୱଁରିଆ ସହିତ ବେଶୀ ଦେଖାସାକ୍ଷାତ ନ ହେଇ ପାରିଲେ ମଧ୍ୟ ସମ୍ପର୍କ ଅତୁଟ ଥାଏ। ଡାକ୍ତରଖାନାରେ ରୋଗୀଣା ପିଲାମାନଙ୍କୁ ଦେଖୁ ଦେଖୁ  କେତେବେଳେ କେଉଁ ଅଭାବୀ ବାପାଟିଏ କହେ , ଅମୁକ ପେଟ୍ରୋଲ ଟାଙ୍କି ମାଲିକ କହିଛନ୍ତି ମୋ ସାଙ୍ଗ ଆ ଜି ଏଚ୍ ଶିଶୁ ବିଭାଗରେ ଡାକ୍ତର। କିଛି ବି ଅସୁବିଧା ହେଲେ ତା’କୁ ଯୋଗାଯୋଗ କରିବ। ସେ ନିଶ୍ଚେ ସାହାଯ୍ୟ କରିବ।ମୋ ଉପରେ ସାୱଁରିଆର ବିଶ୍ବାସ ଓ ଭରସା ଦେଖି ମୁଁ ଖୁସି ହୁଏ। ଅକସ୍ମାତ୍ କେବେ କେମିତି ତା’ ସହିତ ଦେଖା ହେଲେ ହସି ହସି କହେ – କ’ଣ ଡାକ୍ତରାଣୀ। ତୋର ବହୁତ ପ୍ରଶଂସା ଶୁଣୁଛି। ସକାଳୁ ସନ୍ଧ୍ୟା ଯାଏଁ ତୁ କାଳେ ସବୁବେଳେ ଡାକ୍ତରଖାନାରେ ଥାଉ। କଠିନ ପରିଶ୍ରମ ଭଲ ଯେ ସୁସ୍ଥ  ଦେହ, ମନ ପାଇଁ ବିଶ୍ରାମ ବି ତ ଦରକାର।

ସେ ଠିକ୍ କହୁଥିଲା। ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମୁଁ ଡାକ୍ତରଖାନାରେ ହିଁ  ରହୁଥିଲି। କାରଣ କିନ୍ତୁ କିଛି ଅଲଗା। ପ୍ରକୃତ କଥା ହେଲା ଆମ ଆର୍ଥିକ ଅବସ୍ଥା ସେତେବେଳେ ଶୋଚନୀୟ। ଆମ ଘରଠାରୁ ଆଇ ଜି ଏଚ୍ ପାଖାପାଖି ପାଞ୍ଚ କିଲୋମିଟର। ମୁଁ ରିକ୍ସାରେ ଯା’ ଆସ କରୁଥିଲି। ଆଠଟା ପୂର୍ବରୁ ଡାକ୍ତରଖାନାରେ ପହଞ୍ଚିବା ପାଇଁ ବାଧ୍ୟ। ତେଣୁ ମୁଁ କ’ଣ ଟିକେ ଖାଇ ସାତ ପନ୍ଦର ସୁଦ୍ଧା ଘର ଛାଡୁଥିଲି। ଉପରବେଳା ଇମର୍ଜେନ୍ସି ଥିଲେ ଦୁଇରୁ ପାଞ୍ଚ, ଓ. ପି. ଡି ଥିଲେ ପାଞ୍ଚରୁ ସାତ ଡ୍ୟୁଟି କରିବାକୁ ପଡେ। ତେଣୁ ଅଯଥା ରିକ୍ସା ଭଡାରେ ପଇସା ନ ସାରିବାକୁ ମୁଁ ମଝି ସମୟତକ ଡାକ୍ତରଖାନାରେ ହିଁ ରହିଯାଏ। ଘରେ କିଛି କାମ ନ ଥାଏ। ଏଣେ ଡାକ୍ତରଖାନାରେ ଖୁବ୍ କାମ ଶିଖିହୁଏ। ବୋଉ ଖାଇବା ପଠେଇଦିଏ। ଏଇ ମଞ୍ଜକଥାଟି ମୁଁ ତାକୁ କହିଥା’ନ୍ତି ବା କେମିତି।

ଏ ଭିତରେ ମୋ ବାହାଘର ଠିକ୍ ହେଇ ସାରିଥାଏ। ଭାବି ସ୍ବାମୀ ସର୍ଜରୀ ପିଜି ସାରି ଅବିଭକ୍ତ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଚାରଭଟ୍ଟା ସରକାରୀ ଚିକିତ୍ସାଳୟରେ ଚାକିରୀ କରୁଥା’ନ୍ତି। ପଢାପଢି ସାରି ଚାକିରି ବାକିରି କରି ଏକା ରହୁଥିବାରୁ ସ୍ବାଭାବିକ ରୂପେ ମୋ ଶାଶୁ ଶଶୁର ବାହାଘର ଶୀଘ୍ର କରିବାକୁ ଚାହିଁଲେ। ବୋଉ ଅକଳରେ ପଡିଲା। କାରଣ ଯତ୍ କିଞ୍ଚିତ ସଞ୍ଚୟ ଥିଲା, ମାତ୍ର ଦୁଇ ବର୍ଷ ଆଗରୁ ମୋ ବଡ ଭଉଣୀ ବାହାଘରରେ ସବୁ ଶେଷ। ଏବେ ସେ ଶୂନ୍ୟହସ୍ତା। ଯେଉଁ ଅଳ୍ପ କିଛି ଜମିବାଡି ଗାଁ’ରେ ଅଛି ତା’କୁ ବିକିଲେ ଶାଗ, ମାଛ ଦରରେ ଯିବ। ଅବଶ୍ୟ ମୋ ଶାଶୁଘର ଲୋକେ ଆମ ଆର୍ଥିକ ସ୍ଥିତି ନେଇ ଅବଗତ ଥିଲେ ଓ କୌଣସି ଭାବେ ବୋଉକୁ ଖର୍ଚ୍ଚାନ୍ତ କରିବାକୁ ଚାହୁଁ ନ ଥିଲେ। ତଥାପି ସାଧାରଣ ପ୍ରୟୋଜନ ଲାଗି କିଛି ତ ଆବଶ୍ୟକ।

ସେଦିନ ସନ୍ଧ୍ୟାରେ ସାୱଁରିଆ ମୋ ପୁତୁରା ସହିତ ଆମ ଘରକୁ ଆସିଥିଲା। ବୋଉ ଓ ମୁଁ  କ’ଣ କେମିତି କରାଯାଇପାରିବ ଆଲୋଚନା କରୁଥିଲୁ। ସେମାନଙ୍କୁ ଦେଖି ମୁଁ ଚା’ କରିବା ପାଇଁ ଉଠିଗଲି। ସାୱଁରିଆ ମୋତେ ଏବକୁ ଏବେ ଡାକ୍ତରାଣୀ ହିଁ ଡାକୁଥିଲା।

: ବାଃ, ଡାକ୍ତରାଣୀ ତ ବଢିଆ ଚା’ ବନେଇଛି।
: ଡାକ୍ତରାଣୀ କ’ଣ ଆହୁରି ଛୋଟ ଛୁଆ ହେଇଛି? ତା’ ବୟସ ବେଳକୁ ଆମେ ସବୁ ପିଲା ଛୁଆ ସମ୍ଭାଳି ଘରକରଣାରେ ପୋଖତ ହେଇସାରିଥିଲୁ।
: ତୁ ଠିକ୍ କହୁଛୁ ସାୱଁରିଆ, ମୋତେ କେବଳ ଚା’ ହିଁ ବଢିଆ କରି ବନେଇ ଆସେ। ଆଉ କିଛି ଆସେନି।
: ବ୍ୟସ୍ତ ହ’ନି। ଉପରେ ପଡିଲେ ବଳେ ସବୁ ଆସିବ। ହଁ ମାଉସୀ, ମୁଁ ଦରକାରୀ କଥାଟିଏ କହିବାକୁ ଆସିଥିଲି।

ସମସ୍ତେ ତା’କୁ ଅନେଇଲୁ।

: ଦିଲ୍ଲୀପ ମୋତେ ଆପଣଙ୍କ ଅସୁବିଧା କଥା କହୁଥିଲା। ଆପଣ ଆଦୌ ହରବର ହେଇ ଜମି ବିକ୍ରି କରନ୍ତୁନି। ମୁଁ ଚିନ୍ତା କରିଛି – ଆପଣଙ୍କ ଏଇ ଅସମୟରେ ମୁଁ ଲୋନ୍ ଆକାରରେ ଆପଣଙ୍କୁ କିଛି ସାହାଯ୍ୟ କରିବି। ଆମେ ମାରୱାଡୀ ଲୋକ। ବଣିଆ ଜାତି। ପୋଖତ ବେପାରୀ। ତେଣୁ ମୋ ପଇସା ନିଶ୍ଚୟ ମୁଁ ଫେରସ୍ତ ନେବି। କିନ୍ତୁ ଆପଣଙ୍କ ଜମି ବିକ୍ରି ହେଲାପରେ କିମ୍ବା ଭାଇମାନେ ଚାକିରୀ କରି ଅବସ୍ଥା ଟିକେ ସୁଧୁରିଗଲା ପରେ। ସୁଧ ବାବଦକୁ ଆପଣ ସ୍ନେହ ଦେବେ, ଭାଇମାନେ ସମ୍ମାନ ଦେବେ ଆଉ ଏ ଡାକ୍ତରାଣୀ ଆଗକୁ ଆଗକୁ ମୋ ଦେହ କି ତା’ ଭାବୀର ଦେହ ଖରାପ ହେଲେ ବିନା ଫିଜରେ ଦେଖିଦବ। ଏୟ୍ ପାଗଳୀ! ଆଇଡିଆ ପସନ୍ଦ ହୈ?

ସଭିଙ୍କ ଅଗୋଚରରେ ଲୁହ ନିଗାଡିବାକୁ ବାଥ୍ ରୁମ୍ ଭଳି ଜାଗା କାହିଁ ? ମୁଁ ବାଆଁରେଇ ହେଇ ଉଠିଗଲି।

ସାୱଁରିଆ କଥା ରହିଲା। ସ୍ବଳ୍ପ ସମୟ। ଅନେକ କାମ। ସାୱଁରିଆ ସବୁ କାମ ନିଜ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ କଲା। ଫୁରୁସତ୍ ପାଇଲେ କେତେବେଳେ ଘରେ ଟିକେ ମୁହଁ ମାରିଦେଇ ଯାଏ। ବୋଉକୁ କହେ – ମାଉସୀ, ଆପଣ ତ କହୁଛନ୍ତି ଚାରଭଟ୍ଟାରେ ଶାଗୁଆନ୍ କାଠ ଅପର୍ଯ୍ୟାପ୍ତ। ଯାହାକୁ ଯେତେ। ତେଣୁ ଡାକ୍ତରବାବୁ ସବୁ ଫର୍ଣ୍ଣିଚର୍ ସେଠି ଅର୍ଡର୍ ଦେଇ କରିସାରିଲେଣି। ବାକି ପଲଙ୍କର ଯେତେ ସାଜ – ତା’ ଦାୟିତ୍ୱ ଭାଇର ମାନେ ମୋର। ଏ ବାବଦର ଖର୍ଚ୍ଚ ଆଦୌ ମୂଳରେ ମିଶିବନି – ଆଗତୁରା କହିଦଉଛି।

ଲୁହ ଦି’ ଟୋପା ନିଗିଡିଯାଏ ମୋ ଆଖିରୁ। ସ୍ବଗତୋକ୍ତି କରେ – କୋଉ ଜନ୍ମର ଋଣ ଶୁଝୁଛୁରେ ଭାଇ!

ଊଣେଈଶ ଅଶୀ, ଡିସେମ୍ବର ଦଶ ତାରିଖରେ ବାହାଘର।  ହେଲେ ଦୁର୍ଯୋଗ ଆମ ପିଛା ଛାଡୁ ନ ଥାଏ। ବାହାଘରକୁ ଅଳ୍ପ କିଛି ଦିନ ଅଛି – ପଶ୍ଚିମ ଓଡିଶାର କିଛି ସ୍ଥାନରେ ସାମ୍ପ୍ରଦାୟିକ ଦଙ୍ଗା ଆରମ୍ଭ ହେଲା – ଓଡିଆ ଓ ମାରୱାଡୀଙ୍କ ଭିତରେ। ହସିଲି। ସାୱଁରିଆ ଓ ମୋ ଭିତରେ ପୁଣି ଅବୁଝାମଣା। ରାଉରକେଲାର କିଛି ସ୍ଥାନରେ ମଧ୍ୟ ଦଙ୍ଗାର ପ୍ରଭାବ ଅନୁଭୂତ ହେଲା। ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ସହରରେ ଜାରି ହେଲା କର୍ଫ୍ୟୁ।

ସଙ୍ଗୀନ ଅବସ୍ଥା। ଅନେକ ପରିବାରରେ ବିବାହ ଲଗ୍ନ ନିର୍ଦ୍ଧାରିତ। ସମସ୍ତ କାର୍ଯ୍ୟକ୍ରମ ଆୟୋଜିତ। କିଛି ଟାଳି ହବ ନାହିଁ। ତେଣୁ ଯେଉଁ ମାନଙ୍କର ଦରକାର ଥିଲା ସେମାନେ ଜିଲ୍ଲାପାଳଙ୍କୁ ସାହାଯ୍ୟ ପାଇଁ ଅନୁରୋଧ କଲେ। ସେଇ ନିର୍ଦ୍ଦିଷ୍ଟ ଦଶ ତାରିଖ ସନ୍ଧ୍ୟାରେ ଚାରିଘଣ୍ଟା ପାଇଁ – ଛ’ରୁ ଦଶ – କର୍ଫ୍ୟୁ କୋହଳ ହେଲା। ସାରା ଜୀବନ ମନେ ରହିଲା ଭଳି ଘଟଣାଟିଏ।

ସୀମିତ ଅତିଥିଙ୍କ ମଧ୍ୟରେ ନିରାଡମ୍ବର ବାହାଘର। ସାଢେ ନ’। ଗହଳ, ଚହଳ କମିଲାଣି। ମୋ ଆଖି ରହିରହି କାହାକୁ ଖୋଜୁଥାଏ। ସବୁଥିରେ ସେ – ହେଲେ କୋଉଠି ଦିଶୁନାଇଁ।

ହଠାତ୍ ମୋ ଆଖି ଚିକ୍ ଚିକ୍ କଲା। ଭାବୀ ସହ ହସି ହସି ମୋ ଆଡକୁ ଆସୁଛି ସାୱଁରିଆ। ଅଭିମାନରେ ମୋ ମୁହଁ ଥମ୍ ଥମ୍ ହେଲା।

: ଅନା ଆମ ଡାକ୍ତରାଣୀକୁ। ବୋହୁବେଶରେ କେମିତି ପରୀ ଭଳି ଦିଶୁଛି।
: ପରୀ ଭଳି କାହିଁକି? ମୋ ନଣନ୍ଦ ତ ସତସତିକା ପରୀଟିଏ! କହୁ କହୁ ଭାବୀ ମୋତେ କୁଣ୍ଢେଇ ପକେଇଲେ ଓ ତାଙ୍କ ଆଙ୍ଗୁଠିକୁ ସୁନାମୁଦିଟିଏ କାଢି ମୋତେ ପିନ୍ଧେଇଦେଲେ।
: ଇଏ କ’ଣ ଭାବୀ? ୟାର କ’ଣ ଦରକାର ଥିଲା?? ଏମିତି ଦେଖିବାକୁ ଗଲେ ସାୱଁରିଆ ତ ସବୁ କରୁଛି। କୋଉ ପୂର୍ବ ଜନ୍ମରେ ଭାଇ ଥିଲା କି କ’ଣ। ମୋ କଣ୍ଠଋଦ୍ଧ ହେଲା।
: ଶୁଭ ମନାସି ଏକୁ ଦିଆଯାଏ। ମନା କରନ୍ତିନି। ଭାବୀ ସ୍ବରରେ ମୂରବୀପଣିଆ।
: କହୁ କହୁ। ସେ ଭଲ କହିପାରେ। ଆମ ସ୍କୁଲ୍ ଆଉ କଲେଜ ଡ୍ରାମାର ହିରୋଇନ୍ ଥିଲା ପରା।
: ବେଶୀ ଭାଷଣ ଝାଡେନା। ଏମିତି ବି ସରିଲା ବେଳକୁ ଆସୁଛୁ। ଭାବୀକୁ ନେଇ ଯା’। କ’ଣ ଟିକେ ଖାଇନେବ।

ବୋଉ ବି ସାୱଁରିଆକୁ ଦେଖି ପାଖକୁ ଆସିଗଲାଣି। କହିଲା – ବୋହୁକୁ ନେଇ ଆସିବାକୁ ଏତେ ଡେରି କଲ ବାବା? ଆସ, ତୁଣ୍ଡରେ କ’ଣ ଟିକେ ଦବ।

ଭାବୀ ଜିଭ କାମୁଡିଲେ। ସାୱଁରିଆ ଦୁଇ ହାତ ଯୋଡି ବିନମ୍ର ଭାବରେ ମନା କଲା। କହିଲା – ଆମ ପ୍ରଥାରେ ଝିଅ ବିଦା ହବା ଯାଏଁ ବାପା ମା’, ଭାଇ, ଭାଉଜ – ଯେତେକ ମୂରବୀ ସ୍ଥାନୀୟ ଲୋକେ ପାଟିରେ ଦାନା ଦିଅନ୍ତି ନାହିଁ। ଏ ଡାକ୍ତରାଣୀ ବିଦା ହେଲା ପରେ ଯାଇ ଆମେ ଖାଇବୁ। କର୍ଫ୍ୟୁ ଉଠିବା ସମୟ ହେଲାଣି ମାଉସୀ। ଆମେ ଆସୁଛୁ।

ସାୱଁରିଆ ମୋ ମୁଣ୍ଡ ଉପରେ ତା’ ପାପୁଲି ରଖି ଆସ୍ତେକିନା ଆଉଁସି ଦେଲା। ଆଃ – ସତେ ଯେପରି ସେ ମୋ ଠୁ ବୟସରେ ଅନେକ ବଡ ଭାଇଟିଏ ଏବଂ ମୁଁ ତା’ର ଗେହ୍ଲା କୁନି ଭଉଣୀ। ଧାରେ ଲୁହ ନିଗିଡି ଗଲା ମୋ ଆଖିରୁ – ମୋ ପ୍ରଥମ ବିଦାୟୀ ଲୁହ। ଆଉ ସେଇଦିନୁ ମୋର ଅତିରିକ୍ତ ସ୍ବତନ୍ତ୍ର ରାକ୍ଷୀଟି ତା’ରି ପାଇଁ!!!

ସାୱଁରିଆ ଏବେ ‘ପ୍ରଭୂପ୍ରେମୀ’ ଆଧ୍ୟାତ୍ମିକ ଚେତନା ସଙ୍ଘରେ ଓତଃପ୍ରୋତ ଭାବରେ ଜଡିତ। ଶ୍ରୀମନ୍ତ, ଋଦ୍ଧିବନ୍ତ। ତା’ ଚିନ୍ତା ଓ ଚେତନାର ତୁଳନା ନାହିଁ। ସାଂସାରିକ ଯୋଗୀ। ଅଳ୍ପ ଦିନ ଝାରସୁଗୁଡାରେ – ପରିବାର ସହ। ବେଶୀ ଦିନ ହରିଦ୍ବାର, ଋଷିକେଶରେ। ବେଳ ଅବେଳରେ ଭଲ ମନ୍ଦ ବୁଝିବାକୁ ଫୋନ କଲେ ସେପଟୁ ଗୁରୁ ଗମ୍ଭୀର ଅଥଚ ସ୍ନେହସିକ୍ତ ସ୍ବରଟିଏ ଭାସିଆସେ … ହରି ଓମ୍!!!

Comments are closed.