Latest Odisha News

BREAKING NEWS

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ପଞ୍ଚମ ଭାଗ’

 

କବି ଭୀମ ଭୋଇଙ୍କର ମୌଳିକତା ସମ୍ପର୍କରେ ଯୁକ୍ତି କଲାବେଳେ ହର ପ୍ରସାଦ ଉଲ୍ଲେଖ କରନ୍ତି କେତେ ମାତ୍ରାରେ ଆଧୁନିକତାର କାବ୍ୟ ପରମ୍ପରା ସହ ଭୀମ ଭୋଇ ସମ୍ପର୍କିତ । ଏ ପ୍ରସଙ୍ଗରେ ଆଲୋଚନା କଲା ବେଳେ ସେ କବିବର ରାଧାନାଥ ରାୟ ଓ କବି ଭୀମ ଭୋଇଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ସମ୍ପର୍କରେ ସୂଚନା ଦେଇ ଲେଖନ୍ତି : ” ଭୀମ ଭୋଇ ଉନବିଂଶ ଶତାଦ୍ଦୀର ଶେଷ ଭାଗରେ କବି ରାଧାନାଥ ରାୟଙ୍କ ସମକାଳୀନ । ଭୀମ ଭୋଇ ଓ ରାଧା ନାଥ ରାୟ ଉନବିଂଶ ଶତାଦ୍ଦୀର କାବ୍ୟ କୋଟିର ଦୁଇଟି ସ୍ୱତନ୍ତ୍ର ମେରୁ । ପରସ୍ପର ସହିତ ଅପରିଚିତ ଏ ଦୁଇ କବି । ଏଠାରେ ଏତିକି ସୂଚାଇ ଦେଲେ ଯଥେଷ୍ଟ ହେବ ଯେ ଭୀମ ଭୋଇ ଓଡ଼ିଆ କବିତାର ମୌଳିକ ପ୍ରାଣ ସ୍ରୋତର ପ୍ରବାହ ଇ ରାଧାନାଥ ଗୋଟିଏ ଅତି ଶକ୍ତିଶାଳୀ ପ୍ରକ୍ଷିପ୍ତ ପ୍ଲାବନ। ତୁଳନା ଅବାନ୍ତର । କାହାର କେତେ ଶକ୍ତି ହିସାବ କରିବା ମଧ୍ୟ ଅନାବଶ୍ୟକ। ତେବେ ଓଡ଼ିଆ କବିତାର ଆଧୁନିକତାରେ ପରମ୍ପରା ସନ୍ଦର୍ଭ ସବୁବେଳେ ଏଇଠି ଆସି ଅଟକିବ ଓ ପଚାରିବ ଓଡ଼ିଆ କବିତାର ଓଡ଼ିଆତ୍ୱ କେଉଁଠି ? ”

ଏଇଠି ହର ପ୍ରସାଦ କବି ଭୀମ ଭୋଇଙ୍କ ସମ୍ପର୍କରେ ଦୁଇଟି ଅନନ୍ୟ ମନ୍ତବ୍ୟ ଦିଅନ୍ତି । ଗୋଟିଏ ହେଲା ଯେ ଭୀମ ଭୋଇ ଓଡ଼ିଆ କବିତାର ମୌଳିକ ପ୍ରାଣ ସ୍ରୋତର ପ୍ରବାହ ଏବଂ ଅନ୍ୟଟି ହେଲା ଭୀମ ଭୋଇଙ୍କ ଓଡ଼ିଆ କବିତାର ଓଡ଼ିଆତ୍ୱ ପରିସ୍ଫୁଟ । ଏ ଦୁଇଟି ବିଶେଷ ଗୁଣ ଯୋଗୁଁ ଭୀମ ଭୋଇ ଓଡ଼ିଆ କବିତାର ଆଧୁନିକ ପରମ୍ପରା ସହ ଓତଃପ୍ରୋତ ଭାବରେ ଜଡ଼ିତ।

ଏଠାରେ ଓଡ଼ିଆ କବିତାର ଓଡ଼ିଆତ୍ୱ ଓ ଓଡ଼ିଆ କବିତାର ମୌଳିକ ପ୍ରାଣ ସ୍ରୋତର ଅନ୍ତରାଳରେ ଥିଲା ଏକ ଆଧ୍ୟାତ୍ମିକ ପୃଷ୍ଠଭୂମି । ଏ ଦୃଷ୍ଟିରୁ ଦୀର୍ଘ ତିନି ଶହ ବର୍ଷର ଆଧ୍ୟାତ୍ମିକ ସାହିତ୍ୟର ପରମ୍ପରାରେ କବି ଭୀମ ଭୋଇ ଥିଲେ ଅନନ୍ୟ।

ଏ ଅନନ୍ୟତା ତାଙ୍କୁ ଦିଏ ନୂତନତା ଓ ଆଧୁନିକତାର ପରିଚୟ। ଭୀମ ଭୋଇଙ୍କ କ୍ଷେତ୍ରରେ ଧର୍ମ ଓ ଆଧ୍ୟାତ୍ମିକତା କାବ୍ୟିକ ପ୍ରକ୍ରିୟା ପାଇଁ ଯେଉଁ ପରି ଆବଶ୍ୟକ ଥିଲା , ସେହିପରି ଏହା ମଧ୍ୟ ଥିଲା ସାମାଜିକ ପରିବର୍ତ୍ତନର ଏକ ମାଧ୍ୟମ। ତେଣୁ ଧର୍ମ , ସମାଜ ଓ ସାହିତ୍ୟ ସଭିଏଁ ହାତ ଧରାଧରି ହୋଇ ଏକା ସାଙ୍ଗରେ ଚାଲିଥିଲେ।

କ୍ରମଶଃ

Leave A Reply

Your email address will not be published.