Latest Odisha News

ଆଧୁନିକତାର କାବ୍ୟ ପରମ୍ପରା ଓ କବି ଭୀମ ଭୋଇ

ପଞ୍ଚାନନ ମିଶ୍ରଙ୍କ ସ୍ୱତନ୍ତ୍ର ପ୍ରବନ୍ଧ ‘ ଷଷ୍ଠ ଭାଗ’

 

ରହସ୍ୟବାଦର ଅସଲ ନିର୍ଯ୍ୟାସ ହେଉଛି କ୍ଷୁଦ୍ର ମଧ୍ୟରେ ବୃହତ୍ତରର ଆବିଷ୍କାର ଓ ଦର୍ଶନ। ପିଣ୍ଡ ଭିତରେ ବ୍ରହ୍ମାଣ୍ଡର ସ୍ଥିତି ସମ୍ପର୍କରେ ସ୍ପଷ୍ଟ ଧାରଣା।ତେଣୁ ଆଧ୍ୟାତ୍ମିକତା କେବଳ ନିଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ନୁହେଁ ବରଂ ବ୍ୟକ୍ତି ସହ ବ୍ୟକ୍ତି ଓ ବ୍ୟକ୍ତି ସହ ସମାଜକୁ ଯୋଡ଼ି ସମଗ୍ର ରାଷ୍ଟ୍ରର ପୁନର୍ଗଠନ ଥିଲା ଏକମାତ୍ର ଆଭିମୁଖ୍ୟ ଓ ଏହା ମାଧ୍ୟମରେ ଗୋଟେ ଯୁଗ ପରିବର୍ତ୍ତନର ପ୍ରୟାସ। ଏହା କମ ଦୁଃସାହସିକ କାର୍ଯ୍ୟ ନୁହେଁ ; ଭୀମ ଭୋଇ ଭଳି ଜଣେ କବିଙ୍କ ପାଇଁ ଯିଏ ଆରଣ୍ୟରେ ବୁଲୁଥିଲେ। ସେଇଠି ଆଶ୍ରା କରି ଶିଷ୍ୟଙ୍କ ସହ ରହୁଥିଲେ । ତାଳପତ୍ର ପୋଥି ଓ ଲେଖନୀକୁ ଆଧାର କରି କ୍ରାନ୍ତିକାରୀ ସାହିତ୍ୟ ସୃଷ୍ଟି କରୁଥିଲେ।

ଅଚ୍ୟୁତାନନ୍ଦ, ଯଶୋବନ୍ତ, ଶିଶୁ ଅନନ୍ତ, ଆର୍ଯ୍ୟ ଦାସ ଇ ବାହୁଡା଼ ଆଦି ଆଧ୍ୟାତ୍ମିକ ସାହିତ୍ୟ ପରମ୍ପରାର କବିଙ୍କଠାରୁ c ଭୋଇଙ୍କ ସ୍ୱତନ୍ତ୍ରତା ଥିଲା ଏଇଠି। ଧର୍ମ ପ୍ରତି ଏକ ବାସ୍ତବବାଦୀ ତଥା ସାମାଜିକ ଦୃଷ୍ଟି ଭଙ୍ଗୀ ପୋଷଣ କରିବା ସହ ଏହାକୁ ସନ୍ନିବେଶିତ କରୁଥିଲେ। କାବ୍ୟକବିତାରେ ।

ତେଣୁ ତାଙ୍କ ଦୃଷ୍ଟିରେ ମଣିଷକୁ ଛାଡ଼ି ଧର୍ମ ହେଉ ଅଥବା କାବ୍ୟକବିତା ହେଉ, ଏହାର ପରିକଳ୍ପନା କରିହୁଏ ନାହିଁ। । କବି କର୍ମ ଜଣେ ବ୍ୟକ୍ତି ପାଖରେ କେବଳ ଏକ ସୀମିତ କର୍ମ ନୁହେଁ ବରଂ ଏହା ସମ୍ପ୍ରସାରିତ ହୁଏ ସମଗ୍ର ସାମାଜିକ ପୃଷ୍ଠଭୂମିକୁ।

ଧର୍ମ , ଦର୍ଶନ ଓ ଆଧ୍ୟାତ୍ମିକତା ଆମ ଜୀବନର ଅସଲ ପ୍ରାଣସ୍ରୋତ। ଯାହା କେବଳ ମାନବବାଦ ଉପରେ ପ୍ରତିଷ୍ଠିତ। ସାମୁହିକ ଜନକଲ୍ୟାଣ ହେଲା ତାଙ୍କ ପାଇଁ ଏକ ମାଧ୍ୟମ, ଏକ ଆୟୁଧ। ଆନ୍ୟାୟ , ଅନୀତି , ସାମୁହିକ ଚାପ ଓ ନୈତିକ ମୂଲ୍ୟର ଅବକ୍ଷୟ ବିରୁଦ୍ଧରେ ଏହା ଥିଲା ତାଙ୍କର ଏକ ସାରସ୍ଵତ ସମର।

ଆଧ୍ୟାତ୍ମିକତା ବ୍ୟତିରକେ ସୃଜନ କର୍ମ ଆସିବ କୁଆଡ଼ୁ ? ଠିକ ସେହିପରି ସାମାଜିକ ସଚେତନତା ଓ ଜାଗରଣ ଯିଏ ସୃଷ୍ଟି କରି ନପାରିଲା ତାହା ସାହିତ୍ୟ ହେବ କିପରି ? ତେଣୁ କବି କର୍ମ, ସାମାଜିକ କ୍ରାନ୍ତି ଓ ଆଧ୍ୟାତ୍ମିକତା ପରସ୍ପର ସହ ଅଙ୍ଗାଙ୍ଗୀ ଭାବରେ ସମ୍ପର୍କିତ। ଏକଥା ସେ ମର୍ମେ ମର୍ମେ ଉପଲବ୍ଧି କରିଥିଲେ। ତେଣୁ ମାନବବାଦର ଆଧାରରେ କବି ଦୃଷ୍ଟିକୁ ସେ ବିଶ୍ୱ ଦୃଷ୍ଟିରେ ପରିଣତ କଲେ। ସେଥିପାଇଁ ଜାତିବାଦ ଭଳି ବ୍ୟାଧିକୁ ପରିହାର କରି ଅନୈକ୍ୟରେ ଐକ୍ୟ ପ୍ରତିଷ୍ଠା ଥିଲା ତାଙ୍କର ନୀରବଛିନ୍ନ ପ୍ରୟାସ। ବିଶ୍ୱ ଦୃଷ୍ଟିରେ ନିର୍ଯ୍ୟାସ ନିହିତ ହେଉଛି ସତ୍ୟ , ଧର୍ମ, ନ୍ୟାୟ , ଅହିଂସା ଭଳି ସଦଗୁଣର ବିକାଶ । ସତ୍ୟର ଆଚରଣ ନକଲେ ସତ୍ୟର ଦର୍ଶନ ହୁଏ ନାହିଁ। ଭୀମ ଭୋଇ ତାଙ୍କ କାବ୍ୟ କବିତା ମାଧ୍ୟମରେ ସମାଜକୁ ଏହି ସନ୍ଦେଶ ଦେଉଥିଲେ।

କ୍ରମଶଃ

Comments are closed.