Latest Odisha News

କୁଳାଙ୍ଗାର ଉବାଚ : ହାତୀଟିଏ ମୁଁ ହାତୀଟିଏ


ହାତୀଟିଏ ମୁଁ ହାତୀଟିଏ
ତମେ ତ ଲଢୁଆ ଜାତିଟିଏ,
ଗଛ ଲଗେଇକି ଜଙ୍ଗଲ ବଢାଅ
ମୋ ବେକରେ କିଆଁ କାତିଟିଏ?
ହାତୀଟିଏ ମୁଁ ହାତୀଟିଏ,
ଅଛ କିଏ କହ ମାଈକା ଲାଲ୍
ବଞ୍ଚେଇ ପାରିବ ମୋତେ କିଏ??

ତମ ଠାକୁରକୁ ମୋରି ପରିକା
ବେଶକରି କୁହ କଳାହାତୀ;
ହେଲେ ମୋ ପାଇଁ କାହିଁକି
ପ୍ରତିଦିନ ଆସେ କାଳରାତ୍ରୀ?
ତାଙ୍କରି ବେଳକୁ କି ସୁନ୍ଦର ଆହା
କଳାହାତୀ ଆସେ ଢଳିଢଳି;
ମୋରି ବେଳକୁ ଶିକାରୀ ସାଜିକି
ବେକରେ ବଜେଇ ଦିଅ ଗୁଳି!
ଯଦି ଅଛ ସତ ଭକ୍ତ କିଏ,
ରକ୍ଷାକର ମୋତେ ସ୍ବର ଉଠାଅ
ହାତରେ ମିଶାଇ ହାତଟିଏ…..!!
ହାତୀଟିଏ ମୁଁ ହାତୀଟିଏ……..

କେବେ ଥିଲି ମୁଁ ଲକ୍ଷ୍ମୀଙ୍କ ବାହନ
ଏବେ ସେ ପଚାରୁନାହାନ୍ତି;
ସଫା ଓ ସୁତରା ଜାଗା ଦେଖି
ସିଏ ଦାମୀ ମହଲରେ ରହନ୍ତି!
ଧନର ଦେବୀ ସେ ଧନୀଙ୍କ
ଗୃହରେ ଆବାସ ଅଟଇ ତାଙ୍କର;
କିପରି ବଢିବ ସମ୍ପତ୍ତି ତାଙ୍କର
ସେଥିକି କରନ୍ତି ଫିକର!!
ରକ୍ଷା କରନ୍ତିନି ମୋତେ ସିଏ,
ଶିକାରୀ ମନାସେ ଏଥର ମାରିଲେ
ଦେବି ତୋତେ ମାଆ ଦାନ୍ତଟିଏ….!!
ହାତୀଟିଏ ମୁଁ ହାତୀଟିଏ……..

ଶୁଣିଛି ତମର ଶାସନରେ ଭାରି
ଶକ୍ତିଶାଳୀ ଏବେ ଧଳାହାତୀ;
ଇର୍ଷାରେ କାଳେ କହୁଥିବେ ସିଏ
ମାରିକରି ଦିଅ ମୋତେ ପୋତି!
ଜଙ୍ଗଲ ସୁରକ୍ଷା ଦାୟିତ୍ବରେ ଥିବା
ନିଷ୍ଠାପର ଅଧିକାରୀମାନେ;
ଜଗନ୍ତି ଏମିତି ଜାଣିପାରନ୍ତିନି
ଶବ ମୋ ପଚିଲା କେଉଁସ୍ଥାନେ!!
ଜାଣୁଥିବ ଏଠି ସତୀ କିଏ,
ବୋକା ସାଜି ମୋ ପରି ରୋକନାଇଁ
ଚୋରା ଚାଲାଣର ଗତି କିଏ……!!
ହାତୀଟିଏ ମୁଁ ହାତୀଟିଏ,
ଅଛ କିଏ କହ ମାଈକା ଲାଲ୍
ବଞ୍ଚେଇ ପାରିବ ମୋତେ କିଏ??

Leave A Reply

Your email address will not be published.