Latest Odisha News

ବକ ପଞ୍ଚୁକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା

ସ୍ଵଭାବରେ କାଉ ବଡ଼ ଚତୁର, ଏଇ କଥା ସେ ବହୁକାଳରୁ ଶୁଣିଆସୁଛି । କିନ୍ତୁ କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ବଗ ବି ଆମିଷ ଖାଉନଥିବାରୁ ବକ ପଞ୍ଚୁକ ନାମଦେଇ କହିବାଟା.. କାଉର ହଜମ ହେଲାନି । ତା’ ଯୁକ୍ତିହେଲା ଆମେ ଉଭୟେ ନନଭେଜ, ମାନେ ଆମିଷପ୍ରିୟ ପକ୍ଷୀ । ହେଲେ ଲୋକେ କାଉକୁ ଖଙ୍କାରଖିଆ, ମଢ଼ଖିଆ, କର୍କଶିଆ ସ୍ୱରରେ ରାଉ ରାଉ ହେଉଥିବା କାଳିଆ ଅସୁନ୍ଦରିଆ ପକ୍ଷୀବୋଲି କହିବା ତାକୁ ଭାରି ବାଧୁଥାଏ । ସେ ଭଲ କି ଜାଣିଛି ତାକୁ କେହି ନଦେଖି ନଈକୂଳରେ , ବିଲବାଡ଼ିରେ ମୀନଖିଆ ଗୋରା ବଗକୁ ପିଲାଠୁ ବୁଢାଯାଏ ନିରେଖି ଦେଖୁଛନ୍ତି ।  ଏଗୁଡ଼ାକ ଦେଖି ତା’ଦେହ ଭାରି ଗଲୁକଲା ।

ବଗକୁ ପାନେ ଚଖେଇ ତା’ ଅନ୍ତରଭିତର ଅନ୍ତରଦାହକୁ ନିର୍ବାପିତ କରିବବୋଲି ଚିନ୍ତାକଲା । ତହୁଁ ପଞ୍ଚୁକର ପ୍ରଥମଦିନ ବଗପାଖକୁଯାଇ ତା ସାଙ୍ଗେ ମିଶି ଭାବବଢେଇବାକୁ “ପ୍ରିୟବନ୍ଧୁ”ବୋଲି ସମ୍ବୋଧନକଲା । କଥା ଛଳରେ କହିଲା.. ଆମେ ଉଭୟେ ନନଭେଜ । ତମେ ପକ୍ଷୀକୁ ମୁବି ପକ୍ଷୀ ।ତମର ମୁନିଆଁ ଥଣ୍ଟକୁ ମୋର ବି । ତମର ଯୋଡ଼େ ଗୋଡ… ମୋର ବି ଯୋଡ଼େ । ତମେ ଡେଣାମେଲେଇ ଉଡ଼ିପାର.. ମୁବି ଉଡ଼ିପାରେ। ତମର ମୋର ଢ଼େରେଗୁଣ ମିଶୁଛି । ଖାଲି ତମେ ଗୋରା.. ମୁଁ ଟିକେ କଳା । ହେଲେ କଣ ଭାସିଗଲା ? ଆହେ ବଡବଡ଼ ଜ୍ଞାନୀ ପଢୁଆ ବାବୁମାନେପରା ଜ୍ୟାମିତିକ ପ୍ରଣାମକରି କହିଛନ୍ତି,.. ଯଦି ଦୁଇଟି ଚିତ୍ରରେ ତିନୋଟିଗୁଣରୁ ଦିଇଟା ଗୁଣ ମିଶିଲା,.. ତେବେ ଅଟୋମେଟିକ ଆର ଗୁଣବି ମିଶିବାକୁ ବାଧ୍ୟବୋଲି ଧରିନିଆଯାଏ। ତେଣୁ କଳା ଗୋରା କଣ ? ସବୁ ତ ରଙ୍ଗ ଭିତରେ ଯାଉଛି ନା।  ଆସ ଆଜିଠୁ ଆମେ ଭଲସାଙ୍ଗ ହୋଇଯିବା ।  ତମେ ମୋ ସାଙ୍ଗ ହେଲେ ଢ଼େରେକଥା ଶିଖିବ.. ଜାଣିବ ।  ତମେତ ଜାଣ ଆଜିକା ଦୁନିଆଁରେ ଚତୁର ନହେଲେ ତମକୁ ସମସ୍ତେ ଚିତା କାଟିଦେବେ । ମୁଁ ବଡ଼ଚତୁର ବୁଦ୍ଧିଆ କାଉବୋଲି ସଂସାର କେବେଠୁ ମତେ ସାର୍ଟିଫିକେଟ ଦେଇସାରିଛି । ହେଲେ ତମେ ମୋ ବନ୍ଧୁହୋଇ ଚତୁରବୋଲି ମୁଁ ନଶୁଣିଲେ ମତେ ଭାରି ବାଧିବ ।ଆସ ଆଜିଠୁ ମୁଁ ତମକୁ ଚତୁରିଆହେବାର ପାଠ ପଢ଼େଇବି ।

ବିଚରା ବଗ ଏମିତିକା ବନ୍ଧୁର ସମ୍ବେଦନଶୀଳ କଥାରେ, ଗଳଗଳ ଗାଳିପକାଉଥିବା ବେଦନାଭରା ଭାଷାରେ, ଭଲହେବା ଆଶାରେ ଭାସିନଯାଇ କିଆଁ ବୋକାବୋଲି ଲୋକହସା ହେବ ଭାବି କାଉ କଥାରେ ରାଜିହୋଇଗଲା।ତା’ର ବିଜ୍ଞାନ ସମ୍ବଳିତ ଜ୍ଞାନଗର୍ଭକ କଥା ତା ଗର୍ଭରୁ ଗଳଗଳ କରି ଗାଳୁଗାଳୁ ବଗ ଗିଳିପକେଇ ଢ଼ୋକିପକାଉଥାଏ ସବୁବିଦ୍ୟା l ଏଥର କାଉ ପଚାରିଲା… ପ୍ରିୟ ବନ୍ଧୁ ! ତମେ ଆଜି କଣ ଖାଇଛ ?

ନା । ମୁଁ ଆମିଷଭକ୍ଷୀ ବଗହେଲେ କଣ ହେଲା ? ମୁଁ ଏକାନୁହଁ, ଆମ ବଗବଂଶ କୋଉ କାଳରୁ ପରଂପରା ନୀତି ନୀୟମକୁ ମାନି ଚଳିଆସୁଛୁ । ଆମେ କାର୍ତ୍ତିକମାସ ପଞ୍ଚୁକ ପାଞ୍ଚଦିନ ନିଷ୍ଠାରସହ ପାଳନକରି ମାଛାଦି ଆମିଷ ଆହାର ତ୍ୟାଗକରି ଉପବାସରେ ରହିବାକୁ ଶ୍ରେୟମଣୁ ।

ତାତ୍ସଲ୍ୟଭରା ହସରେ ହସିକହିଲା… ହେ ବନ୍ଧୁ ! ତୁମପରି ମୂର୍ଖ, ଅଜ୍ଞାନୀ, ମୂଢ଼, ବୋକା.. ମୁଁ କୁତ୍ରାପି ସ୍ଵନୟନେ ଦର୍ଶନ କରିନାହିଁ । କିଆଁ ପାଞ୍ଚଦିନ ଭକ୍ଷଣନକରି ଭୋକରେ ରହିବ ? କିଆଁ ଆମିଷ ନ ଖାଇବ? କିମ୍ପାଇଁ ଛାର ମୀନଗୁଡାକୁ ଦୟା ଦେଖେଇ ନଦୀ ପୋଖରୀରେ ଖେଳିବାକୁ ଛାଡ଼ିଦେବ? କଣପାଇଁ ଜାଣିଶୁଣି ନଖାଇ ଦେହକୁ ଶୁଖେଇ ଦୁର୍ବଳ କରିବ? ଆରେ ହେ, ଏଇଥିପାଇଁ ତମେ ଏତେ ଧେଡ଼ିଆ ଡେଙ୍ଗା ଗୋଡ଼ିଆ ଦିଶୁଛ ।  ମତେ ଦେଖ.. ମୁଁ କେମିତି ବଳୁଆ ତାଗଡା ମଜଭୁତିଆ ଦିଶୁଛି । ମୁଁ କହୁଛି, କାହାକଥା ଶୁଣନି । କିଛିହେବନି ଖାଇଯା । ମନଇଛା ମାଛ ଖା । ମଢ଼ ଖା । ପୋକ ଜୋକ ଯାହାପାଉଛ ମୋ ଭଳିଆ ଗିଳି ଯା । ଗିଳି ଗିଳି ପେଟକୁ ଟୁମାକରି ବୁଲୁ ଥା । ମତେ କହ କୋଉ ବିଜ୍ଞାନ କହିଛି ନଖାଇବାକୁ ?

ବଗ କହିଲା.. ନାଇଁ ଭାଇ । ମୁଁ ତମର ଏ ସବୁକଥା ମାନିବିନି ।  ଯେବେ ବନ୍ଧୁ କହି ମୋ ମଙ୍ଗଳପାଇଁ ଏତେଜ୍ଞାନ ମାଗଣାରେ ଯାଚିକି ଦେଉଛ,.. ତେବେ ଅନ୍ୟଦିନ ଭଳିଆ ଆମିଷ ନୁହଁ ବରଂ ପିଓର ଭେଜ । ମାନେ ପୂରା ସାତ୍ତ୍ଵିକ ଆହାର କରିପାରେ ।  ହେଲେ ପଞ୍ଚୁକରେ ନନଭେଜ ନାଁ ଧରନି ।

ଏଥର କାଉ ହସି ହସି କହିଲା… ହଉ ଠିକଅଛି ।  ଏଇ କଥା ତ? ତେବେ ମୁଁ ବନ୍ଧୁହୋଇ କାହିଁକି ତମକୁ ବାଧ୍ୟକରିବି ଯେ । ତେବେ ଆମିଷ ଖାଇଲେ କିଛି ଅସୁବିଧା ନଥିଲା ।  ତମ କଥାରେ ମୁଁ ରାଜି । ଏବେ ମୋତେ ଫଲୋକରି ମୋ ସାଙ୍ଗରେ ଆସ ।  ମୁଁ ତମ ମନଲାଖି ଖାଦ୍ୟ ଖୁଆଇବାକୁ ଗୋଟେ ବଢିଆ ଜାଗାକୁ ନେଇଯିବି ।  ମନଭରି ତମ ସାଙ୍ଗରେ ମୁଁ ବି ଖାଇବି ।କାରଣ ତେମେ ଯେମିତି ନଭାବିବ ଯେ ତମକୁ ଏକା ବିଷ ଖୁଆଇଲି ବୋଲି ।

ଗୋଟାଏ ଚାଷୀ ଧାନ ଉସେଇଁ ବଡ ତଲେଇରେ ଶୁଖାଉଥିଲା । କାଉ ଏଥର ବଗକୁ ଦେଖେଇ କହିଲା.. ଦେଖ, ତମରିପାଇଁ ମୁଁ ଆଗରୁ କେତେ ଶସ୍ୟ ସାତ୍ତ୍ଵିକଖାଦ୍ୟ ଏଇଠି ଖେଳେଇ ରଖିଛି । ଖାଅ… ଲାଜ ସରମ ନକରି ପେଟଭରି ଖାଅ।

ହେଇ ଦେଖ.. ତମ ଆଖିଆଗରେ ଥଣ୍ଟମେଲେଇ ମୁଁ କେମିତି ଥଣ୍ଟେ ଥଣ୍ଟେ ନେଇ ମୋ ଗଳାର ଘଣ୍ଟିକା  ଡିଆଁଇ ପେଟକୁ ଠେଲୁଚି ।

ବଗ ବିଚରା ବନ୍ଧୁବୋଲାଉଥିବା କାଉର ଚତୁରପଣ ସର୍ବନାଶି ଗୁଣ ଜାଣି ନିଜ ଥଣ୍ଟରେ ଥଣ୍ଟେନେଇ ଗିଳିବାକୁଯାଇ ଗଳାରେ ଲାଗିଗଲାବୋଲି ବାହାନାକରି ଗିଳିପାରୁନି କି ବାନ୍ତିକରି ପାରୁନି ବୋଲି ଠାରିକି କହି କାଶି କାଶି ମଲାପ୍ରାୟେ ପଡିଗଲା ।

ଆଖି ତରାଟି ଗୋଡ଼ ଦିଟା ଉପରକୁ ଟେକି ପଡି ମରିଗଲା ଦେଖି କାଉ ହାଃ ହାଃ ହାଃ ହେଇ ହସି କହିଲା.. ଯାହା ହେଉ,.. ମୋର ଏତେଦିନର ଇଛା ପୂରଣହେଲା… ପରିଶ୍ରମ ସାର୍ଥକ ହେଲା । ଆରେ ବୋକା ବଗ ! ଏଥର ମଲାପରେ ନେ ନାମ। ଭଲକି ବକ ପଞ୍ଚମୀ ପାଳନ କରୁଥାରେ ଧନ ।  ସୁନ୍ଦରରୂପ ଦେଖାଉଥା ।  ସରଗରୁ ତୋ ଧର୍ମ ଗଳିବ.. ନା ଆଉ ତୁ ବଞ୍ଚିବୁ ? ମୁଁ ଏଥର ମୋ ବାଟରେ ଚାଲିଲି.. କା.. କା.. କା. ଲ

ବଗ ଝାଡ଼ିଝୁଡି ହେଇ ଉଠି କହିଲା ରହିଯାରେ ଦଗାଦିଆ ଧୋକାଦିଆ କାଉ। ତୁଛରେ କିଆଁ ହେଉଛୁ ରାଉ ରାଉ? ଆରେ ଶୁଣ । ପଞ୍ଚୁକ ପାଳନ ହୁଏନି ଖାଲି ଚଞ୍ଚୁରେ ।  ପଞ୍ଚୁକ ପାଳନହୁଅଇ… ପଞ୍ଚଗୁଣର ପାଞ୍ଚରେ ।  କପଟିଆ, କୁଟୁଳିଆ, କ୍ରୋଧୀ, କର୍କଶ, କୁକାମନାଯୁକ୍ତ ତୋ ମନ। ତୁ କି ବୁଝିବୁ.. ଧର୍ମର ମୂଳମନ୍ତ୍ର.. ନା ପଞ୍ଚୁକ ପାଳନ ମହତ୍ତ୍ୱ ? ମୋର ଧର୍ମବଳ ଥିବାରୁ ତୋ ଭଳି ଶଠ କପଟ ବନ୍ଧୁର ମରଣ ଯୋଜନାରୁ ମୁଁ ବଞ୍ଚିଗଲି । ତୁ କେବେ ଆଉ ସାହସ କରିବୁନି ମୋ ଭଳି ସରଳ ସ୍ଵଧର୍ମ ପାଳନକାରୀଙ୍କୁ ଚତୁରିଆ ଜ୍ଞାନ ବିଜ୍ଞାନ ବୁଝେଇବାକୁ ।

ଶୁଣ।  ଆମ ଶାସ୍ତ୍ର ଆଗରୁ ସତର୍କକରିଦେଇ କହିଛନ୍ତି… ସ୍ଵଧର୍ମେ ନିଧନଃ ଶ୍ରେୟଃ.. ପରଧର୍ମ ଭୟାବହ… ।

Comments are closed.