Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ଏକା ଏକା ଜୀବନର ବିଷ ପିଇ ସମସ୍ତଙ୍କ ଆଡ଼କୁ ସେ ବଢ଼ାଇଛି ଅମୃତର ହାତ । ଲୁହକୁ ଲୁଚାଇ ବିତରି ଚାଲିଛି ହସର ପରାଗ । ଏକ ଅପହଞ୍ଚ ଦୂରତ୍ୱର ଅଦୃଶ୍ୟ ସୂର୍ଯ୍ୟ ଆଜି ହାତ ପାହାନ୍ତାରେ । ପଦ୍ମିନୀ ଝାଉଁଳି ଗଲାଣି ଯାନ୍ତ୍ରିକ ତାଡ଼ନାରେ ଯଥା ସମ୍ଭବ ନିଜକୁ ସହଜ ରଖି ସେ ବାହାରି ପଡ଼ିଲା ।

ପାଞ୍ଚ ବର୍ଷ ତଳର ଅତୀତକୁ ପଲକ ତଳେ ବିଞ୍ଛିତ କରି ବାଟ ଚାଲୁ ଚାଲୁ ମନତଳୁ ଉଦ୍ୟତ କୋହକୁ ଚାପିନେଲା ପଦ୍ମିନୀ । ପୂରୀ- କୋଣାର୍କ – ନନ୍ଦନକନନ ବୁଲିବା ପାଇଁ ଏଇ ‘ରାଜମହଲ’ ହୋଟେଲରେ ଚନ୍ଦ୍ରଭାନୁ ସହ ସେ ତିନିରାତି ବିତାଇଛି । ଏମିତି ଏକ ରବିବାସରୀୟ ସନ୍ଧ୍ୟାକୁ, ଏଇଠି ଚନ୍ଦ୍ରଭାନୁ ସହ, କଫି ପିଇ, ଫିସ୍ ପକୋଡ଼ି ଖାଇ ରଙ୍ଗୀନ କରିଛି ।

ଆଃ….ତା’ ଜୀବନର ଶ୍ୟାମଳ କେଦାରକୁ ଶେଷରେ ଧୋଇ ନେବା ପାଇଁ କ’ଣ ଚନ୍ଦ୍ରଭାନୁ ପ୍ରେମର ନୀରଦ ହୋଇ ଝରୁଥିଲା? ବାରିବିନା କ୍ଷେତର ଶ୍ୟାମଳିମା ଅପସରି ଯାଏ । କିନ୍ତୁ ବନ୍ୟା ବି ତ କ୍ଷେତର ସବୁଜତାକୁ ଧୋଇନିଏ । ତେବେ କ’ଣ ଚନ୍ଦ୍ରଭାନୁର ଉଛୁଳା ଆଦର ତା’ ପାଇଁ ପ୍ରୀତିର ନିର୍ଝର ନ ହୋଇ ବନ୍ୟା ହିଁ ଥିଲା; ଯାହାର ଦୂରନ୍ତ ସ୍ରୋତରେ ପଲକରେ ଉଜୁଡ଼ିଗଲା ସବୁଜ ସୁନ୍ଦର କଅଁଳ ଜୀବନ ।

ଭାବନା ଭିତରେ କେତେବେଳେ ସେ ହୋଟେଲର ନିର୍ଦ୍ଦିଷ୍ଟ ହଲ୍‌ରେ ପହଞ୍ଚି ଗଲାଣି, ତା’ର ଆଉ ଖିଆଲ ନାହିଁ । ସହକର୍ମୀମାନେ ଶୁଭସନ୍ଧ୍ୟା ଜଣାଉଥିବା ଶୁଣି ସେ ସଚେତନ ହେଲା । କୋଠରୀଟିର ମନୋରମ ପରିପାଟୀ ଦେଖି ଏକ ବ୍ୟଥା ଜଡ଼ିତ ଦୀର୍ଘଶ୍ୱାସ ତା’ର ହୃତ୍‌ପିଣ୍ଡରୁ ଉତୁରି ଆସିଲା । ସମୟର କଷାଘାତ ତାକୁ ଯଦି ସାମାନ୍ୟ ଟାଇପିଷ୍ଟ କରି ଠିଆ କରି ନ ଥା’ନ୍ତା, ତେବେ ଆଜି ଚନ୍ଦ୍ରଭାନୁଙ୍କ ସହ ସେ ମଧ୍ୟ ସମ୍ବର୍ଦ୍ଧିତା ହୋଇଥାଆନ୍ତା । ଭାଗ୍ୟ କ’ଣ ନ କରେ? ପ୍ରାସାଦର ରାଣୀକୁ ଲକରେ ବସେଇ ଦେଇପାରେ ରାଜପଥର ଭିକାରୁଣୀ କରି ।

Leave A Reply

Your email address will not be published.