Latest Odisha News

BREAKING NEWS

ଓଡ଼ିଆରେ ଅବର୍ଗ୍ୟ ବ୍ୟଞ୍ଜନ

ଦେବାଶିଷ ମହାପାତ୍ରଙ୍କ ବ୍ୟାକରଣ ବିଭାଗ

ଓଡ଼ିଆରେ ଅବର୍ଗ୍ୟ ବ୍ୟଞ୍ଜନ ଭାବେ ଶ,ଷ,ସ ତିନୋଟି ଅକ୍ଷରର ବ୍ୟବହାର ବର୍ଣ୍ଣମାଳାରେ ସ୍ଥାନିତ । ଶ ଓ ଷ ଭାବରେ ଉଚ୍ଚାରିତ ହୋଇ ବର୍ଣ୍ଣମାଳାରେ ଅକ୍ଷରଭାବେ ସ୍ଥାନ ପାଇଥିଲେ ମଧ୍ୟ ଏହି ଦୁଇଟି ଧ୍ୱନିର ଉଚ୍ଚାରଣ ଓଡ଼ିଆରେ ସ୍ୱତବ ଭାବେ ଉଚ୍ଚାରିତ ହୋଇ ନଥାଏ ।

ଆମ ବର୍ଣ୍ଣମାଳାରେ ସ୍ଥାନ ପାଇଥିବା ପୂର୍ଣ୍ଣାକ୍ଷର ବିଶିଷ୍ଟ ବ୍ୟଞ୍ଜନ ବର୍ଣ୍ଣ ଗୁଡ଼ିକ ଦୁଇ ଭାଗରେ ବିଭକ୍ତ । ଯଥା: ବର୍ଗ୍ୟ ବର୍ଣ୍ଣ ଓ ଅବର୍ଗ୍ୟ ବର୍ଣ୍ଣ । ବର୍ଗ୍ୟ ବର୍ଣ୍ଣଗୁଡ଼ିକ ଉଚ୍ଚାରଣସ୍ଥାନ ଅନୁସାରେ ପାଞ୍ଚପ୍ରକାରର । ଏହାକୁ ଆମେ ସଂକ୍ଷେପରେ କ,ଚ,ଟ,ତ,ପ କହିଥାଉ । ଯାହାକି ୧)କଣ୍ଠ୍ୟ, ୨)ତାଲବ୍ୟ, ୩) ମୂର୍ଦ୍ଧନ୍ୟ, ୪) ଦନ୍ତ୍ୟ ଓ ୫) ଓଷ୍ଠ୍ୟ ।

ଏ ସଂଖ୍ୟା ମିଶାଇଲେ ବ୍ୟଞ୍ଜନ ବର୍ଣ୍ଣସଂଖ୍ୟା ୨୫ । ଏହାମଧ୍ୟ ଅଘୋଷ, ସଘୋଷ, ଅଳ୍ପପ୍ରାଣ ମହାପ୍ରାଣରେ ବିଭକ୍ତ । ବଞ୍ଜନବର୍ଣ୍ଣର ଦ୍ୱିତୀୟଭାଗ – ଅବର୍ଗ୍ୟ ବ୍ୟଞ୍ଜନ । ଏହା ବିଷୟରେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ପ୍ରଥମଖଣ୍ଡ ୪୪୦ ପୃଷ୍ଠାରେ କୁହାଯାଇଛି ଯେ, “ଯେଉଁ ବର୍ଣ୍ଣଗୁଡ଼ିକ ବ୍ୟଞ୍ଜନବର୍ଣ୍ଣ ମାନଙ୍କର ପାଞ୍ଚବର୍ଗର ଅନ୍ତର୍ଗତ ନୁହେଁ ସେଗୁଡ଼ିକ ଅବର୍ଗ୍ୟ ।” ବର୍ଗ୍ୟ ବର୍ଣ୍ଣଗୁଡ଼ିକର ପାଞ୍ଚଟି ଭାଗ ‘କ’ ବର୍ଗ, ‘ଚ’ ବର୍ଗ, ‘ତ’ ବର୍ଗ ଓ ‘ପ’ ବର୍ଗ ରେ ନାସିକ୍ୟ ବ୍ୟଞ୍ଜନ ସହିତ ବର୍ଗ୍ୟ ଶ୍ରେଣୀ ଭୁକ୍ତ ହୋଇଥିବା ବେଳେ ବର୍ଣ୍ଣମାଳା ଅନ୍ତର୍ଗତ ଅନ୍ୟାନ୍ୟ ବ୍ୟଞ୍ଜନବର୍ଣ୍ଣଗୁଡ଼ିକ ଅବର୍ଗ୍ୟଶ୍ରେଣୀ ଅନ୍ତର୍ଗତ ।

ସେଗୁଡ଼ିକ ହେଲା- ଯ,ୟ,ର,ଳ,ଲ,ଶ,ଷ,ସ,ହ,ଡ,ଢ଼,ଂ,ଃ,ଁ । ଅବର୍ଗ୍ୟ ବ୍ୟଞ୍ଜନଗୁଡ଼ିକୁ ଅଯୋଗବାହ ବ୍ୟଞ୍ଜନ ଭାବରେ ମଧ୍ୟ ଶ୍ରେଣୀଭୁକ୍ତ କରାଯାଇଥାଏ । ଅନୁସ୍ୱାର, ଚନ୍ଦ୍ରବିନ୍ଦୁ ଓ ବିସର୍ଗ ଆମେ ସ୍ୱତବ ଭାବେ ଉଚ୍ଚାରଣ କରି ନ ଥାଉ । ସ୍ୱର କିମ୍ବା ବ୍ୟଞ୍ଜନବର୍ଣ୍ଣ ସହିତ ଯୋଗ ହେଲେ ଯାଇ ଉଚ୍ଚାରିତ ହୋଇପାରନ୍ତି । ଯେମିତିକି ଅଦୁସ୍ୱାର- ଅଂଶ, କଂସ, ବଂଶୀ, ହିଂସା, କାଂସ୍ୟ । ଚନ୍ଦ୍ରବିନ୍ଦୁ- ଏ, କେଉଁ , କାହିଁକି, କଇଁ, ପାଇଁ । ବିସର୍ଗ- ଦୁଃଖ, ନିଃଶ୍ୱାସ, ଦୁଃସାହସ, ନିଃସହାୟ, ଦୁଃଖୀ । ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ପ୍ରଥମଖଣ୍ଡ , ପୃଷ୍ଠା ୩୪୦ ରେ କୁହାଯାଇଛି – “ଅନୁସ୍ୱାର ହେଉଛି ସ୍ୱରବର୍ଣ୍ଣ ପରେ ଥିବା ମ ଅନୁନାସିକ ବିନ୍ଦୁ ଚିହ୍ନିତ ସ୍ୱର ଅଯୋଗବାହ ବର୍ଣ୍ଣ ।” ପାରମ୍ପରିକ ବ୍ୟାକରଣରେ ଚନ୍ଦ୍ରବିନ୍ଦୁକୁ ଅନୁନାସିକ ବର୍ଣ୍ଣ ଭାବେ ବର୍ଣ୍ଣନା କରାଯାଇଛି । ସେହିଭଳି ଅନ୍ୟତମ ଅଯୋଗବାହ ବର୍ଣ୍ଣ ବିସର୍ଗ ।

ଅଯୋଗବାହ ଏକ ଅକ୍ଷର ଆଶ୍ରିତ ବର୍ଣ୍ଣଭାବରେ ଆମ ବର୍ଣ୍ଣମାଳାରେ ସ୍ଥାନ ପାଇଛି । ବର୍ଣ୍ଣର ଲିଖିତ ରୂପ ଅକ୍ଷର । ବର୍ଣ୍ଣଗୁଡ଼ିକ ଉଚ୍ଚାରଣ ପରେ ପରେ ଲୋପ ହୋଇଯାଏ । ବର୍ଣ୍ଣକୁ ଧରି ରଖେ ଅକ୍ଷର । ବର୍ଣ୍ଣର ସାମୂହିକ ସ୍ୱରୂପ ଲିପି । ବର୍ଣ୍ଣ ଆମ ଭାଷାର ସୌନ୍ଦର୍ଯ୍ୟ ।

କ୍ରମଶଃ

Leave A Reply

Your email address will not be published.